୪ ବର୍ଷରେ ଯାଇଛି ୧୮ହଜାର ଜୀବନ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ନିର୍ଭୟ ମିଡିଆ: ଭୁବନେଶ୍ୱର
ଓଡ଼ିଶାରେ ଲାଗୁ ହୋଇଥିବା ସଂଶୋଧିତ ମୋଟର ଯାନ ଆଇନ ୨୦୧୯ କାର୍ଯ୍ୟକାରୀ ହେବା ଦିନଠାରୁ ସଡ଼କ ଦୁର୍ଘଟଣା ହ୍ରାସ ପାଇବାରେ ଲାଗିଛି । ଆଇନ ଖିଲାପକାରୀଙ୍କ ଠାରୁ ଜୋରିମାନା ଆଦାୟ କରାଯାଇ ଏହାକୁ କଡ଼ାକଡ଼ି କାର୍ଯ୍ୟକାରୀ କରିବା ନିମନ୍ତେ ପଦକ୍ଷେପ ନିଆଯାଉଛି ବୋଲି ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ବିଧାନସଭାରେ ସୂଚନା ଦେଇଛନ୍ତି । ଗୁରୁବାର ଦିନ ବିଧାୟକ ଶଙ୍କର ଓରାମ୍‌ଙ୍କ ପ୍ରଶ୍ନର ଉତ୍ତର ଦେଇ ନୂଆ ମୋଟର ଯାନ ଆଇନ ସମ୍ପର୍କରେ ମନ୍ତ୍ରୀ ଗୃହକୁ ବିସ୍ତୃତ ତଥ୍ୟ ଦେଇଛନ୍ତି । ଏହି ଆଇନ ଲାଗୁ ହେବା ପରେ ଗତ ସେପ୍ଟେମ୍ବର ଓ ଅକ୍ଟୋବର ମାସରେ ଜୋରିମାନା ବାବଦକୁ ୧୩ କୋଟି ୮୫ ଲକ୍ଷ ଟଙ୍କା ଅସୁଲ କରାଯାଇଛି । ପୂର୍ବ ବର୍ଷ ଏହି ଦୁଇମାସରେ ଏହାର ପରିମାଣ ୨୦.୦୬ କୋଟି ରହିଥିଲା । ଏହି ଦୁଇମାସରେ ଟିକସ ବାବଦକୁ ୨୮୪ କୋଟି ୬୪ ଲକ୍ଷ ଟଙ୍କା ଆଦାୟ କରାଯାଇଛି । ପୂର୍ବବର୍ଷ ଏହି ଦୁଇମାସରେ ୨୦୨ କୋଟି ଟଙ୍କା ଆଦାୟ ହୋଇଥିଲା ବୋଲି ପରିବହନ ମନ୍ତ୍ରୀ ଗୃହକୁ ସୂଚନା ଦେଇଛନ୍ତି । ଗୃହରେ ଉତ୍ତର ରଖି ମନ୍ତ୍ରୀ କହିଥିଲେ ଫିଟ୍‌ନେସ୍‌ ପ୍ରମାଣପତ୍ର ନଥାଇ ଗାଡ଼ି ଚାଳନା ବାବଦକୁ ୨୬ଲକ୍ଷ ୪୦ହଜାର ଟଙ୍କା ଏବଂ ପ୍ରଦୂଷଣ ପ୍ରମାଣପତ୍ର ନଥାଇ ଗାଡ଼ି ଚାଳନା ବାବଦକୁ ୫୧ ହଜାର ଟଙ୍କା ଜୋରିମାନା ଆଦାୟ ହୋଇଛି । ନୂତନ ଡ୍ରାଇଭିଂ ଲାଇସେନ୍ସ ବାବଦକୁ ଅଦ୍ୟାବଧି ୩୦କୋଟି ୮୪ ଲକ୍ଷ ଟଙ୍କା ଆଦାୟ ହୋଇଛି । ରାଜ୍ୟରେ ବର୍ତ୍ତମାନ ୬୮୯୨ଟି ଗାଡ଼ି ଫିଟ୍‌ନେସ୍‌ ପ୍ରମାଣପତ୍ର ନପାଇ ୧ହଜାର ୩୪୦ ଏବଂ ପ୍ରଦୂଷଣ ପ୍ରମାଣପତ୍ର ନଥାଇ ୯୦ଟି ଗାଡ଼ି ଠାରୁ ଚାଲାଣ କଟାଯାଇଛି ।ନୂଆ ଆଇନ ୨୦୧୯ ଲାଗୁ ହେବା ପରେ ସେପ୍ଟେମ୍ବର ଓ ଅକ୍ଟୋବର ମାସରେ ୯୮୧୩୨୫ଟି ଅନ୍‌ଲାଇନ ପ୍ରଦୂଷଣ ପ୍ରମାଣପତ୍ର ଓ ୩୫୧୦୭୫ ଗୋଟି ଲର୍ଣ୍ଣିଂ ଲାଇସେନ୍ସ ଓ ୫୦୩୧୪ ଡ୍ରାଇଭିଂ ଲାଇସେନ୍ସ ଏବଂ ୪୯୩୮୯ ଫିଟ୍‌ନେସ୍‌ ପ୍ରମାଣପତ୍ର ପ୍ରମାଣ କରାଯାଇଛି ବୋଲି ମନ୍ତ୍ରୀ ଗୃହକୁ କହିଛନ୍ତି । ଏହି ଆଇନ ଲାଗୁ ହେବା ପରେ ରାଜ୍ୟରେ ପୂର୍ବାପେକ୍ଷା ସଡ଼କ ଦୁର୍ଘଟଣା ହ୍ରାସ ପାଇଛି । ବିଗତ ୪ବର୍ଷରେ ସଡକ ଦୁର୍ଘଟଣା ଜନିତ ମୃତ୍ୟୁ ସଂଖ୍ୟାର ଏକ ବର୍ଷୱାରି ହିସାବ ରଖିଛନ୍ତି । ସାରା ରାଜ୍ୟରେ ୪ବର୍ଷରେ ୪୦ହଜାରରୁ ଊର୍ଦ୍ଧ୍ୱ ଦୁର୍ଘଟଣାରେ ୧୮,୬୮୩ ଜଣ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି ବୋଲି ମନ୍ତ୍ରୀ ଗୃହକୁ ଅନ୍ୟ ଏକ ପ୍ରଶ୍ନର ଉତ୍ତରରେ ସୂଚନା ଦେଇଛନ୍ତି । ଆଇନ କଡ଼ାକଡ଼ି ହେବା ପରେ ଯାନବାହନ ଦୁର୍ଘଟଣା ହ୍ରାସ ପାଇବ ବୋଲି ମନ୍ତ୍ରୀ ତାଙ୍କ ଉତ୍ତରରେ କହିଛନ୍ତି ।
ହଟ୍ଟଗୋଳ ଯୋଗୁଁ ଏହି ପ୍ରଶ୍ନ ଉପରେ ଗୃହରେ ଆଲୋଚନା ହୋଇନଥିଲେ ମଧ୍ୟ ବାହାରେ ଭାଜପା ଓ କଂଗ୍ରେସ ତୀବ୍ର ପ୍ରତିକ୍ରିୟା ରଖିଛନ୍ତି । ବିରୋଧୀ ଦଳ ଉପନେତା ବିଷ୍ଣୁଚରଣ ସେଠୀ ନିଜ ପ୍ରତିକ୍ରିୟାରେ କହିଥିଲେ ସରକାର ସମ୍ପୂର୍ଣ୍ଣ ନୀରବ ରହିଥିଲେ । ଯାନବାହନ ଆଇନ ସମ୍ପର୍କରେ କେନ୍ଦ୍ର ସରକାର ତାଗିଦ୍‌ କରିବା ପରେ ଏବେ ଚେଇଁ ଉଠୁଛନ୍ତି । ମୋଟରଯାନ ଆଇନ ଏତେ ଦିନ ଧରି କାହିଁକି ଲାଗୁ ହେଉନଥିଲା ସେ ପ୍ରଶ୍ନ କରିଛନ୍ତି । ସଡ଼କ ଦୁର୍ଘଟଣା ଏଥିପାଇଁ ବିଶେଷ ଦାୟୀ ରହୁଛି ଯେଉଁ ଅଭିଯୋଗ ହେଉଥିଲା ତାହା ଏବେ ପ୍ରମାଣିତ ହେଉଛି । ନୂଆ ଆଇନ ଲାଗୁ ନେଇ ସେ ସନ୍ଦେହ ପ୍ରକାଶ କରିଥିଲେ । କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନୀପତି ଗୃହ ବାହାରେ ଏନେଇ କଡା ପ୍ରତିକ୍ରିୟା ରଖିଥିଲେ । ସରକାର ମନଇଛା ମଦ ଦୋକାନ ଖୋଲିବା ସଡ଼କ ଦୁର୍ଘଟଣା ଓ ଏଥିଜନିତ ମୃତ୍ୟୁର ମୂଳ କାରଣ ବୋଲି ଅଭିଯୋଗ କରିଥିଲେ । ଗଳିକନ୍ଦିରେ ସରକାର ମଦ ଦୋକାନ ଖୋଲିଛନ୍ତି । ଆଗକୁ ଆହୁରି ମଦ ଦୋକାନ ଖୋଲିବାକୁ ଘୋଷଣା କରିଛନ୍ତି । ୯୦ଭାଗ ଲୋକ ଏବେ ମଦୁଆ ହୋଇସାରିଲେଣି । ସବୁ ଯୁବକଙ୍କୁ ମଦୁଆ କରି ଦୁର୍ଘଟଣାରେ ମାରିଦେବାକୁ ଏହି ସରକାର ଯୋଜନା କରୁଛନ୍ତି । ମୋଟରଯାନ ଆଇନ କଡ଼ାକଡ଼ି ନହେବା ପଛରେ ସରକାରୀ ଦଳର ଚାପ ଆଇନକୁ ଭାଙ୍ଗୁଥିଲା ବୋଲି ତାରା ନିଜ ପ୍ରତିକ୍ରିୟାରେ କହିଛନ୍ତି ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*