ନିର୍ଭୟ ମିଡ଼ିଆ : ଭୁବନେଶ୍ୱର,

ପ୍ରତିଶ୍ରୁତି ଦେଇ ପ୍ରତାରଣା, ବିକାଶ ନାଁରେ ବିନାଶ, ସେବା ନାଁରେ ଶୋଷଣ । ଆଉ ଓଡ଼ିଶା ପ୍ରତି ବୈମାତୃକ ମନୋଭାବ ସହ ଓଡ଼ିଶାକୁ ଉପେକ୍ଷା ଓ ଧୋକା ଦେଇଛି ବିଜୁ ଜନତା ଦଳ ସରକାର । ରାଜ୍ୟରେ ଶାସନ ବ୍ୟବସ୍ଥା ଲାଇନଚ୍ୟୁତ । ‘୨୫ବର୍ଷର ପାପ ପେଡି, କେତେଦିନ ସହିବା, ଓଡ଼ିଶାରେ ପରିବର୍ତ୍ତନ ଆଣିବା’ ନାଁରେ ରାଜ୍ୟ ସରକାରଙ୍କ ବିରୋଧରେ ଭାଜପା ଆଣିଥିବା ଚାର୍ଜସିଟକୁ ଲୋକାର୍ପଣ କରି ଏହା କହିଛନ୍ତି କେନ୍ଦ୍ରମନ୍ତ୍ରୀ ଭୂପେନ୍ଦ୍ର ଯାଦବ ।

ଲୋକାର୍ପିତ ହୋଇଥିବା ଚାର୍ଜସିଟରେ ଦୁର୍ନୀତି, ଭ୍ରଷ୍ଟାଚାର, ମହିଳା ବିରୋଧୀ ହିଂସା, ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟସେବା, ଚିଟଫଣ୍ଡ, ଖଣି ଲୁଟ୍ ଆଦିକୁ ନେଇ ୨୫ଟି ପ୍ରଶ୍ନ ପଚାରିଛି ଭାଜପା । ଶିକ୍ଷା, ସ୍ୱାସ୍ଥ୍ୟ, ଚାଷୀ ସମସ୍ୟା, ପାନୀୟ ଜଳ ପ୍ରସଙ୍ଗକୁ ପ୍ରାଧାନ୍ୟ ଦେଇଛି ଭାଜପା । ଆଉ ଏହି ଚାର୍ଜସିଟ୍ ନେଇ ଦଳ ଗାଁ ଗାଁକୁ ଯିବ ଏବଂ ୨୫ବର୍ଷ ଅପାରଗ ସରକାରର କିପରି ପ୍ରତି କ୍ଷେତ୍ରରେ ବିଫଳ ହୋଇଛି ସେ ସମ୍ପର୍କରେ ସଚେତନ ସହ ରାଜ୍ୟରେ ସୁଶାସନ ଏବଂ ଡବଲ ଇଞ୍ଜିନ ସରକାର ପାଇଁ ଲୋକଙ୍କୁ ଅବଗତ କରାଇବ ।

କାର୍ଯ୍ୟକ୍ରମ ଅବସରରେ ବିଜଦ ସରକାରର ବିଫଳତାକୁ ଉଜାଗର କରିବା ସହ ଏକ ବଡ଼ ଖୁଲାସା କରିଥିଲେ ଶ୍ରୀ ଯାଦବ । ସେ କହିଥିଲେ ଯେ, ଓଡ଼ିଶାରେ ଉତ୍ପାଦିତ ହେଉଛି ବିଦ୍ୟୁତ । ହେଲେ ତାମିଲନାଡୁକୁ ଶସ୍ତାରେ ଦିଆଯାଉଛି । ଓଡ଼ିଶା ଲୋକେ ବିଜୁଳି ୟୁନିଟ ପିଛା ୨.୮୩ ପଇସା ଦେଉଥିଲା ବେଳେ ତାମିଲନାଡୁର ବିଦ୍ୟୁତ ବିତରଣ ସଂସ୍ଥା ଦେଉଛି ୨.୫୩ ପଇସା । କାହିଁକି ତାମିଲନାଡୁକୁ ମିଳୁଛି ଶସ୍ତା ବିଜୁଳି ବୋଲି ଶ୍ରୀ ଯାଦବ ପ୍ରଶ୍ନ କରିଥିଲେ । ଏହା ସହ ସେ କହିଛନ୍ତି ଯେ, ଗତ ୨୫ବର୍ଷ ମଧ୍ୟରେ ବିଜଦ ସରକାର ସବୁ କ୍ଷେତ୍ରରେ ହୋଇଛି ବିଫଳ । ପ୍ରାକୃତିକ ସମ୍ପଦରେ ଓଡ଼ିଶା ଭରପୁର ଥିଲା ବେଳେ ଆଜି ପଛୁଆ ରାଜ୍ୟ ହୋଇରହିଛି । ଜଳସେଚନ ଲକ୍ଷ୍ୟ ପୂରଣ ହୋଇନାହିଁ, ୩୧୪ବ୍ଲକରେ ଶୀତଳ ଭଣ୍ଡାର ଖୋଲାଯିବା କଥା କାର୍ଯ୍ୟକାରୀ ହୋଇନି, କାଳିଆ ଯୋଜନାରେ ହିତାଧିକାରୀଙ୍କ ସଂଖ୍ୟା ୭୫ଲକ୍ଷରୁ ୩୪ଲକ୍ଷରେ ପହଞ୍ଚିଛି, ଅନ୍ୟଠି ଚାଷୀଙ୍କ ରୋଜଗାର ବଢୁଥିଲା ବେଳେ ଓଡ଼ିଶାରେ ଚାଷୀ ଗରିବ । ସେହିପରି ମହିଳା ବିରୋଧୀ ଅପରାଧରେ ଓଡ଼ିଶା ଶୀର୍ଷରେ । ଛୋଟଛୁଆ ଗାଏବ ହେଉଛନ୍ତି, ଘରୋଇ ମହିଳାଙ୍କ ଆତ୍ମହତ୍ୟା ହାର ୬୧୩% ବଢିଛି । ଯୁବବର୍ଗ ଦୂର୍ଭାଗ୍ୟପୂର୍ଣ୍ଣ ସ୍ଥିତିରେ ଅଛନ୍ତି । ବେକାରୀ ବଢିଛି, ଦାଦନ ବଢିଛି । ଗତ ଏକବର୍ଷ ମଧ୍ୟରେ ଓଡ଼ିଶାରୁ ୪୦ ହଜାର ରୁ ଅଧିକ ଲୋକ ଦାଦନ ଖଟିବାକୁ ଅନ୍ୟ ରାଜ୍ୟକୁ ଯାଇଛନ୍ତି । ବେକାରୀ ହାର ୬.୨%ରେ ପହଞ୍ଚିଛି । ଯୁବବର୍ଗଙ୍କ ସ୍ୱପ୍ନ ପୂରଣ କରିପାରିନାହିଁ ଏହି ସରକାର । ଶିକ୍ଷା ବ୍ୟବସ୍ଥା ମଧ୍ୟ ବିପର୍ଯ୍ୟସ୍ତ । ୪୨୧୩ ଅଧ୍ୟାପକ ପଦବୀ ଖାଲି ଅଛି । ୬୪୧୨ ଗାଁକୁ ରାସ୍ତା ନାହିଁ । ଆଦିବାସୀ ଅଧୁଷିତ ଅଞ୍ଚଳରେ ଲୋକେ ରାସ୍ତା ଅଭାବରୁ ହଇରାଣ ହେବା ସହ ଆମ୍ବୁଲାନ୍ସ ପହଞ୍ଚିପାରୁନାହିଁ, ଖଟିଆରେ ବୁହା ହେଉଛନ୍ତି ରୋଗୀ । ପ୍ରତି ଘରକୁ ପାନୀୟ ଜଳ ସୁବିଧା ପହଞ୍ଚିପାରିଲା ନାହିଁ । ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଠିକ୍ ଲୋକଙ୍କୁ ଘର ମିଳିନାହିଁ । ଏହାର ଯାଞ୍ଚ ହେବା ଦରକାର । ୬୦ହଜାର କୋଟିରୁ ଅଧିକ ଟଙ୍କାର ଖଣି ଦୁର୍ନୀତି ଏଠାରେ ହୋଇଛି । ତେଣୁ ରାଜ୍ୟବାସୀଙ୍କୁ ଅପାରଗ ସରକାର ସମ୍ପର୍କରେ ଅବଗତ କରାଇବା ସହ ସେମାନଙ୍କୁ ସଚେତନ କରାଇବୁ ଏବଂ ଏହି ଚାର୍ଜସିଟ୍ ନେଇ ତାଙ୍କ ପାଖକୁ ଯିବୁ । ପ୍ରତି ଗାଁ ଗଣ୍ଡାରେ ସଭାସମିତି ମାଧ୍ୟମରେ ଲୋକଙ୍କୁ ସଚେତନ କରାଇବୁ କିପରି ରାଜ୍ୟରେ ସୁଶାସନ ଅଣାଯିବ ।
କାର୍ଯ୍ୟକ୍ରମରେ ଭାଜପାର ରାଜ୍ୟ ସଭାପତି ମନମୋହନ ସାମଲ କହିଥିଲେ ଯେ, ମୁଷ୍ଟିମେୟ ୨/୪ଜଣ ଅଫିସର ଆତଙ୍କ ସୃଷ୍ଟି କରୁଛନ୍ତି । ଅଫିସରଙ୍କ ଆତଙ୍କ ଓଡ଼ିଶାରେ ନୂଆରୂପ ନେଇଛି । ବିଧାୟକ,ମନ୍ତ୍ରୀ, ସାଂସଦମାନଙ୍କର ମୁହଁରୁ କଥା ବାହାରୁନାହିଁ । ଏଠାରେ ଗଣତାନ୍ତ୍ରିକ ଏବଂ ରାଜନୈତିକ ବ୍ୟବସ୍ଥାକୁ ହତ୍ୟା କରାଯାଇଛି । ଜନପ୍ରତିନିଧିମାନେ ଅଫିସରମାନଙ୍କ ପାଇଁ ଟେଣ୍ଟ ବାନ୍ଧୁଛନ୍ତି,ଟ୍ରାଫିକ୍ ପୁଲିସ ସାଜୁଛନ୍ତି । ବିଧାୟକ, ସାଂସଦ ଓ ମନ୍ତ୍ରୀ କ୍ରିତଦାସ ନୁହଁନ୍ତି । ସରକାରରେ ଅସନ୍ତୋଷ ବିସ୍ଫୋରଣ ହେବାକୁ ଯାଉଛି । ଓଡ଼ିଶା ଲୋକେ ପରିବର୍ତ୍ତନ ଚାହୁଁଛନ୍ତି । ଏହି ଚାର୍ଜସିଟ୍ ନେଇ ଆମେ ଲୋକଙ୍କ ପାଖକୁ ଯିବୁ ।

ଏହି ଲୋକାର୍ପଣ କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଭାଜପା ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା, ପ୍ରଭାରୀ ବିଜୟପାଲ ସିଂ ତୋମର, ସହ ପ୍ରଭାରୀ ଲତା ଉସେଣ୍ଡି, ବିଧାୟକ ମୋହନ ମାଝି, ସୁରମା ପାଢି, ପ୍ରଭାତୀ ପରିଡା, ପୂର୍ବତନ ଭାଜପା ସଭାପତି ସମୀର ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ ।

By Nirvay

Leave a Reply

Your email address will not be published. Required fields are marked *