ନିର୍ଭୟ ମିଡିଆ : ହିଞ୍ଜିଳି/ଶେରଗଡ,

ମୁଖ୍ୟମନ୍ତ୍ରୀ ତଥା ବିଜଦ ମୁଖିଆ ନବୀନ ପଟନାୟକ ନିଜ ନିର୍ବାଚନ ମଣ୍ଡଳୀ ହିଞ୍ଜିଳିରୁ ଆରମ୍ଭ କରିଛନ୍ତି ପ୍ରଚାର ଅଭିଯାନ । ଭୁବନେଶ୍ୱରରୁ ଏକ ସ୍ୱତନ୍ତ୍ର ବିମାନରେ ଭିକେ ପାଣ୍ଡିଆନଙ୍କ ସହ ସେ ପହଞ୍ଚିଥିଲେ ହିଞ୍ଜିଳିରେ । ହିଞ୍ଜିଳି ସମରଝୋଳ ଏବଂ ଶେରଗଡ଼ରେ ଦୁଇଟି ଜନସଭାକୁ ସମ୍ବୋଧନ କରି ଯୋଡ଼ି ଶଙ୍ଖକୁ ଆଶୀର୍ବାଦ ଦିଅନ୍ତୁ ବୋଲି ଲୋକଙ୍କୁ ଅନୁରୋଧ କରିଥିଲେ । ଆଉ କହିଥିଲେ ଯେ, ୨୦୩୬ ସୁଦ୍ଧା ଓଡ଼ିଶା ଦେଶର ଏକ ନମ୍ବର ରାଜ୍ୟ ହେବ । ଏହି କାର୍ଯ୍ୟକ୍ରମରେ ଲୋକସଭା ଓ ବିଧାନସଭା ପ୍ରାର୍ଥୀମାନେ ଉପସ୍ଥିତ ଥିଲେ ।

ନବୀନ କହିଥିଲେ ଶଙ୍ଖ ହେଉଛି ବିକାଶର ପରିଚୟ । ସାଢେ ୪କୋଟି ଲୋକ ମୋ ପରିବାର । ମୁଁ ସବୁବେଳେ ଓଡ଼ିଶାର ବିକାଶ ପାଇଁ କାମ କରୁଛି ଏବଂ ଶେଷ ପର୍ଯ୍ୟନ୍ତ ଏହି କାମ ଜାରି ରଖିବି। ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ମହିଳା ସଶକ୍ତିକରଣ ପାଇଁ ଆମେ ଯେଉଁ ପଦକ୍ଷେପ ନେଉଛୁ ତାହାଦ୍ୱାରା ମହିଳାମାନେ ଆତ୍ମନିର୍ଭରଶୀଳ ହୋଇପାରିଛନ୍ତି । ବିପର୍ଯ୍ୟୟ ପ୍ରବଣ ରାଜ୍ୟରୁ ଆମେ ବିପର୍ଯ୍ୟୟ ନିୟନ୍ତ୍ରଣରେ ଅଗ୍ରଣୀ ରାଜ୍ୟ ହୋଇଛୁ । ନିବେଶ ମାମଲାରେ ମଧ୍ୟ ଆଗୁଆ ଅଛୁ । ୨୦୩୬ରେ ଓଡ଼ିଶା ସ୍ୱତନ୍ତ୍ର ରାଜ୍ୟ ଭାବେ ୧୦୦ବର୍ଷ ପୂରଣ କରିବ । ଏହି ସମୟରେ ଓଡ଼ିଶା ହୋଇଥିବ ଦେଶର ଏକ ନମ୍ବର ରାଜ୍ୟ । ଯୁବଶକ୍ତି ପ୍ରସଙ୍ଗରେ ସେ କହିଥିଲେ ଯେ, ଦେଶ ଓ ରାଜ୍ୟର ପ୍ରଗତିରେ ଯୁବଶକ୍ତିର ଉଦ୍ୟମ ବେଶ ଗୁରୁତ୍ୱପୂର୍ଣ୍ଣ । ଓଡ଼ିଶାର ଯୁବଶକ୍ତି କିପରି ବିଶ୍ୱ ଦରବାରରେ ନିଜର ସାମର୍ଥ୍ୟ ପ୍ରତିପାଦିତ କରିବ ସେ ନେଇ ଉଦ୍ୟମ ଆରମ୍ଭ ହୋଇଛି । ୨୦୨୪ରୁ ୨୦୩୪ ଅର୍ଥାତ୍ ଏହି ୧୦ବର୍ଷ ଯୁବଶକ୍ତିଙ୍କ ପାଇଁ ହେବ ସୁବର୍ଣ୍ଣ ଯୁଗ । ଖୁବ୍ ଶୀଘ୍ର ୟୁଥ୍ ବଜେଟ ମଧ୍ୟ ଆମେ ଆଣିବୁ । ୫-ଟି ଅଧିନରେ ଜାରି ରହିଥିବା କାମ ଆଗକୁ ବଢିବ । ବିଜୁ ଜନତା ଦଳ ହିଁ ରାଜ୍ୟବାସୀଙ୍କ ଆଶା ଓ ଆକାଂକ୍ଷାକୁ ପୂରଣ କରିପାରିବ ।

ଏହି କାର୍ଯ୍ୟକ୍ରମରେ ବିରୋଧୀଙ୍କୁ ମଧ୍ୟ ବେଶ ଆକ୍ଷେପ କରିଥିଲେ ନବୀନ । କହିଥିଲେ ଯେ ସେମାନେ ପ୍ରତି କଥାରେ ରାଜନୀତି କରୁଛନ୍ତି । ବିକାଶ ହେଉଛି ବିଜୁ ଜନତା ଦଳର ପରିଚୟ । ହେଲେ ସେମାନେ ବିକାଶକୁ ବିରୋଧ କରୁଛନ୍ତି । ଲୋକେ ମଧ୍ୟ ସେମାନଙ୍କ ଅସଲ ରୂପ ଜାଣି ସାରିଲେଣି । ନିର୍ବାଚନରେ ସେମାନେ ଏହାର କଡ଼ା ଜବାବ ଦେବେ।
କାର୍ଯ୍ୟକ୍ରମରେ ବିଜଦ ନେତା କାର୍ତ୍ତିକ ପାନଣ୍ଡିଆନ କହିଥିଲେ ଯେ, ମୁଖ୍ୟମନ୍ତ୍ରୀ ହେଉଛନ୍ତି ଦେଶର ଏକ ନମ୍ବର ମୁଖ୍ୟମନ୍ତ୍ରୀ । ସେହି ଦୃଷ୍ଟିରୁ ହିଞ୍ଜିଳି-ଶେରଗଡ ହେଉଛି ଦେଶର ଏକ ନମ୍ବର ନିର୍ବାଚନ ମଣ୍ଡଳୀ । ଆପଣମାନେ ସର୍ବାଧିକ ଭୋଟ ବ୍ୟବଧାନରେ ଏକ ନମ୍ବର ମୁଖ୍ୟମନ୍ତ୍ରୀଙ୍କୁ ଜିତାଇ ତାଙ୍କର ଏକ ନମ୍ବର ସ୍ଥାନ ବଜାୟ ରଖନ୍ତୁ ବୋଲି ଅନୁରୋଧ କରିଥିଲେ ।

By Nirvay

Leave a Reply

Your email address will not be published. Required fields are marked *