ଏଜେନ୍ସୀ : ନୂଆଦିଲ୍ଲୀ,

ଲୋକସଭା ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟ ମତଗ୍ରହଣ ଆସନ୍ତା ୨୬ ତାରିଖରେ ଅନୁଷ୍ଠିତ ହେବ । ଏହି ପର୍ଯ୍ୟାୟରେ ୮୮ଟି ଆସନ ପାଇଁ ମତଦାନ ହେବାକୁ ଥିବାବେଳେ ବୁଧବାର ସଂଧ୍ୟାରେ ପ୍ରଚାର କାର୍ଯ୍ୟ ଥମିଯାଇଛି । ୧୩ଟି ରାଜ୍ୟ-ମଧ୍ୟପ୍ରଦେଶ, ଉତ୍ତରପ୍ରଦେଶ, ବିହାର, ରାଜସ୍ଥାନ, ଆସାମ, ଛତିଶଗଡ, କର୍ଣ୍ଣାଟକ, କେରଳ, ମହାରାଷ୍ଟ୍ର, ମଣିପୁର, ତ୍ରିପୁରା, ପଶ୍ଚିମବଙ୍ଗ ଏବଂ ଜାମ୍ମୁ-କାଶ୍ମୀରରେ ଏହି ୮୮ ଆସନ ରହିଛି । ଏହିସବୁ ରାଜ୍ୟରେ ଭାଜପା ଏବଂ କଂଗ୍ରେସର ବରିଷ୍ଠ ନେତାଙ୍କ ମାରାଥନ ପ୍ରଚାର କାର୍ଯ୍ୟ ଦେଖିବାକୁ ମିଳିଥିଲା । ସମସ୍ତେ ନିଜ ନିଜର ପ୍ରତିଶ୍ରୁତି ସହ ଭୋଟରଙ୍କୁ ନିଜ ଆଡକୁ ଟାଣିବାକୁ ପ୍ରୟାସ କରିଥିଲେ । ତେବେ ନିୟମ ଦୃଷ୍ଟିରୁ ମତଦାନର ୪୮ ଘଣ୍ଟା ପୂର୍ବରୁ ଏହି ପ୍ରଚାର କାର୍ଯ୍ୟରେ ବିରାମ ଲାଗିଥାଏ । ଏଣୁ ବୁଧବାର ସଂଧ୍ୟା ୫ଟାବେଳେ ପ୍ରଚାର କାର୍ଯ୍ୟ ଥମିଯାଇଥିଲା ।

ଅନ୍ୟପଟେ ଉତ୍ତରପ୍ରଦେଶର କନୌଜରୁ ଏବେ ଅଖିଳେଶ ଯାଦବଙ୍କ ନିର୍ବାଚନ ଲଢିବା ସ୍ଥିର ହୋଇଯାଇଛି । ଗୁରୁବାର ଅପରାହ୍ନରେ ସେ ଏହି ଆସନ ପାଇଁ ନାମାଙ୍କନପତ୍ର ଦାଖଲ କରିବେ।ଅଖିଳେଶ ୨ ଦିନ ପୂର୍ବେ ପୁତୁରା ତେଜ ପ୍ରତାପଙ୍କୁ ଏହି ଆସନରୁ ଟିକେଟ ଦେଇଥିଲେ । ତେବେ ତେଜ ପ୍ରତାପଙ୍କୁ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଖୁବ୍‌ ଅସନ୍ତୋଷଭାବ ରହିଥିଲା । ଏହାକୁ ଦୃଷ୍ଟିରେ ରଖି ଏହି ଆସନକୁ ବଞ୍ଚାଇବା ପାଇଁ ଅଖିଳେଶ ନିଜେ ନିର୍ବାଚନୀ ମଇଦାନକୁ ଓହ୍ଲାଇବା ପାଇଁ ନିଷ୍ପତ୍ତି ନେଇଛନ୍ତି ।

ଅନ୍ୟପଟେ, ଏହି ପର୍ଯ୍ୟାୟରେ କେରଳର ସମସ୍ତ ୨୬ଟି ଲୋକସଭା ଆସନରେ ନିର୍ବାଚନ ଅନୁଷ୍ଠିତ ହେବ । କେରଳର ୨ ଆସନ-ୱେୟନାଡ ଏବଂ ଥିରୁଭନନ୍ତପୁରମରେ ଜୋରଦାର ଲଢେଇ ଦେଖିବାକୁ ମିଳିବ । େଓ ୟନାଡରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ, ଭାଜପାର କେ ସୁରେନ୍ଦ୍ରନ ଏବଂ ସହଯୋଗୀ ସିପିଆଇର ଆନି ରାଜାଙ୍କ ମଧ୍ୟରେ ଲଢେଇ ହେବ । ରାହୁଲ ଇଣ୍ଡି ମେଣ୍ଟର ପାଟର୍ନର ସିପିଆଇ ପ୍ରାର୍ଥୀ ଆନି ରାଜାଙ୍କ ବିରୋଧରେ ଲଢିବା ଯୋଗୁ କଂଗ୍ରେସ ଏବଂ ବାମ ସଂପର୍କରେ ଫାଟ ସୃଷ୍ଟି ହୋଇଛି । ସେହିପରି ଥିରୁଭନନ୍ତପୁରମ ଆସନରେ କଂଗ୍ରେସ ପ୍ରାର୍ଥୀ ତଥା ୩ ଥର ସାଂସଦ ଶଶୀ ଥରୁରଙ୍କ ବିରୋଧରେ ରାଜୀବ ଚନ୍ଦ୍ରଶେଖରଙ୍କୁ ପ୍ରାର୍ଥୀ କରିଛି ଭାଜପା । ୨୦୧୯ରେ କଂଗ୍ରେସ ରାଜ୍ୟର ୨୦ ଆସନରୁ ୧୯ଟିରେ ବିଜୟ ହାସଲ କରିଥିଲାବେଳେ ଗୋଟିଏରେ ସିପିଆଇ(ଏମ) ବିଜୟୀ ହୋଇଥିଲା । ଅନ୍ୟଫଟେ, ଭାଜପା ଖାତା ଖୋଲିବାରେ ବିଫଳ ହୋଇଥିଲା ।
ଏହି ପର୍ଯ୍ୟାୟରେ ନିର୍ବାଚନୀ ମଇଦାନକୁ ୧୨ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳର ୧୨୦୬ ପ୍ରାର୍ଥୀ ଏବଂ ଆଉଟର ମଣିପୁରରର ୪ ଜଣ ପ୍ରାର୍ଥୀ ଓହ୍ଲାଇଥିବା ଜଣାପଡିଛି ।

By Nirvay

Leave a Reply

Your email address will not be published. Required fields are marked *