ନିର୍ଭୟ ମିଡିଆ : ଭୁବନେଶ୍ୱର,

ଖଣ୍ଡପଡ଼ା ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କ ମାନଭଞ୍ଜନ କରି ପୁଣିଥରେ ନିଜ ପକ୍ଷକୁ ନେଇ ଖଣ୍ଡପଡ଼ା ବିଧାନସଭା ଆସନରେ ପ୍ରାର୍ଥୀ କରିବା ବିଜଦ ପକ୍ଷରୁ ଜୋରଦାର ଉଦ୍ୟମ ଆରମ୍ଭ ହୋଇଛି । ଅପର ପକ୍ଷରେ ଭାଜପା ମଧ୍ୟ ସୌମ୍ୟରଞ୍ଜନଙ୍କୁ ନିଜ ପକ୍ଷକୁ ନେବା ପାଇଁ ଉଦ୍ୟମରେ ପଛରେ ପଡ଼ିନାହିଁ । ସୌମ୍ୟରଞ୍ଜନଙ୍କ ପାଇଁ ତାଙ୍କ ବଡ଼ ଭାଇ ଲଢ଼ୁଥିବା ପାରମ୍ପରିକ ଘଷିପୁରା ଆସନରେ ଭାଜପା ଏପର୍ଯ୍ୟନ୍ତ କାହାକୁ ପ୍ରାର୍ଥୀ କରିନାହିଁ ।

ଗତ ବର୍ଷ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କ ତାଙ୍କ ଦ୍ୱାରା ସମ୍ପାଦିତ ଖବରକାଗଜରେ ବିଜଦ ଓ ୫-ଟି ସଚିବଙ୍କ ଉପରେ ଅଙ୍ଗୁଳି ନିର୍ଦେଶ କରିଥିଲେ । ଏହାପରେ ବିଜଦ ନେତୃତ୍ୱ ତାଙ୍କୁ ଗତ ସେପ୍ଟେମ୍ବର ମାସରେ ଦଳରୁ ବହିଷ୍କାର କରିବା ସହିତ ତାଙ୍କ ବ୍ୟବସାୟିକ ପ୍ରତିଷ୍ଠାନକୁ ଟାର୍ଗେଟ କରି ଚଢ଼ାଉ କରିଥିଲେ । ଏହାପରଠାରୁ ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ ନିରବ ରହିଛନ୍ତି ।
ଚଳିତ ନିର୍ବାଚନରେ ବିଜଦକୁ ଦଳୀୟ ନେତା ଓ କର୍ମୀମାନଙ୍କର ବିଦ୍ରୋହ ଅଣାୟତ କରିସାରିଲାଣି । ଏପରି ବିଦ୍ରୋହରୁ ରକ୍ଷା ପାଇବା ପାଇଁ ବିଜଦ ଚଳିତ ନିର୍ବାଚନରେ ଅନେକ ବିଧାୟକଙ୍କୁ ପୁଣିଥରେ ପ୍ରାର୍ଥୀ କରିଛି । ଯେଉଁଠି ବିଧାୟକ ଓ ସାଂସଦଙ୍କ ଟିକଟ କଟିଛି ସେଠାରେ ବିଜଦ ବିଦ୍ରୋହର ସମ୍ମୁଖୀନ ହେଉଛି । ତେଣୁ ସୌମ୍ୟରଞ୍ଜନଙ୍କୁ ବୁଝାଇ ସୁଝାଇ ପୁଣି ଦଳରେ ନେଇ ପ୍ରାର୍ଥୀ କରିବାକୁ ଉଦ୍ୟମ ଆରମ୍ଭ ହୋଇଛି । ଏହାର ଦୁଇଟି କାରଣ ରହିଛି ଖଣ୍ଡପଡ଼ାରେ ବିଜଦକୁ ଅଧିକ ପରିଶ୍ରମ କରିବାକୁ ପଡ଼ିବ ନାହିଁ । ଏଡାଛଡ଼ା ସୌମ୍ୟରଞ୍ଜନଙ୍କ ହାତରେ ଥିବା ଦୁଇଟି ବଡ଼ ଗଣମାଧ୍ୟମ ସଂସ୍ଥାକୁ ବିଜଦ ନିଜର ପ୍ରଚାରରେ ଲଗାଇପାରିବ । ଏଥିପାଇଁ ଦଳର ସଂଗଠନ ସମ୍ପାଦକ ପ୍ରଣବପ୍ରକାଶ ଦାସ ଓ ଉତ୍ତର ଭୁବନେଶ୍ୱର ବିଧାୟକ ସୁଶାନ୍ତ ସିଂହ ସୌମ୍ୟରଞ୍ଜନଙ୍କୁ ଭେଟି ପୁଣି ଦଳକୁ ଫେରିବା ପାଇଁ ପ୍ରସ୍ତାବ ଦେଇଛନ୍ତି । ବିଜଦର ଏହି ପ୍ରସ୍ତାବ ଉପରେ ସୌମ୍ୟରଞ୍ଜନ କୌଣସି ପ୍ରତିଶ୍ରୁତି ଦେଇନାହାନ୍ତି ।

ରାଜ୍ୟ ଭାଜପା ମଧ୍ୟ ସୌମ୍ୟରଞ୍ଜନଙ୍କୁ ନିଜ ପକ୍ଷକୁ ନେବା ପାଇଁ ଉଦ୍ୟମ କରୁଛି । ଦଳର ଶୀର୍ଷସ୍ତରୀୟ ନେତା ସୌମ୍ୟରଞ୍ଜନଙ୍କୁ ଭେଟି ଭାଜପାରୁ ନିର୍ବାଚନ ଲଢ଼ିବା ପାଇଁ ପ୍ରସ୍ତାବ ଦେଇଛନ୍ତି। ଏଥିପାଇଁ ଭାଜପା କେନ୍ଦୁଝର ଜିଲ୍ଲାର ଘଷିପୁରା ବିଧାନସଭା ପାଇଁ ଏ ପର୍ଯ୍ୟନ୍ତ ପ୍ରାର୍ଥୀ ଘୋଷଣା କରାଯାଇନାହିଁ । ଘଷିପୁରା ଆସନଟି ଦୀର୍ଘଦିନ ଧରି ପଟ୍ଟନାୟକ ପରିବାର ହାତରେ ଥିଲା । ତାଙ୍କ ବଡ଼ ଭାଇ ନିରଞ୍ଜନ ପଟ୍ଟନାୟକ ବିଧାୟକ ଥିଲେ । ତେଣୁ ସୌମ୍ୟରଞ୍ଜନଙ୍କୁ ଘଷିପୁରାରୁ ପ୍ରାର୍ଥୀ କରିବା ପାଇଁ ଭାଜପା ଇଚ୍ଛାପ୍ରକାଶ କରିଛି । ସୌମ୍ୟରଞ୍ଜନଙ୍କ ପାଇଁ ଭାଜପା ନୂଆ ନୁହେଁ । ସେ ପୂର୍ବରୁ ଭାଜପାରେ ରହି ୧୯୯୫ରେ ଭୁବନେଶ୍ୱର ବିଧାନସଭା ଆସନରୁ ଜନତା ଦଳ ପ୍ରାର୍ଥୀ ବିଜୁ ପଟ୍ଟନାୟକଙ୍କ ବିରୋଧରେ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ ।

ରାଜ୍ୟର ଦୁଇ ପ୍ରମୁଖ ରାଜନୈତିକ ଦଳ ସୌମ୍ୟରଞ୍ଜନଙ୍କୁ ନିଜ ପକ୍ଷକୁ ନେବା ପାଇଁ ଉଦ୍ୟମ କରୁଥିଲେ ହେଁ ସେ କାହାକୁ ପ୍ରତିଶ୍ରୁତି ଦେଇନାହାନ୍ତି । ଦିନେ ଦୁଇଦିନ ମଧ୍ୟରେ ସବୁକିଛି ସ୍ପଷ୍ଟ ହୋଇଯିବ ବୋଲି ଆଲୋଚନା ହେଉଛି ।

By Nirvay

Leave a Reply

Your email address will not be published. Required fields are marked *