ହୋସ୍‌ ଉଡିଲାଣି ଇମ୍ରାନଙ୍କର ପାକିସ୍ତାନରେ ଅଟା ୭୦, ଚିନି ଛୁଇଁବ ୧୦୦କୁ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ଏଜେନ୍ସୀ : ଇସଲାମବାଗ

ସାଧାରଣ ଲୋକଙ୍କର ଜୀବନଧାରଣ ମାନକୁ ସୁଧାର କରିବା ପାଇଁ ପ୍ରତିଶ୍ରୁତି ସହ କ୍ଷମତାକୁ ଆସିଥିବା ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାଁ ଏବେ ବଡ଼ ଚିନ୍ତାରେ । ଗତ କିଛିମାସ ଧରି ଦେଶରେ ମହଙ୍ଗା ଦର ବଢିବାରେ ଲାଗିଛି । ବିଶେଷ କରି ସାଧାରଣ ଲୋକଙ୍କ ନିତ୍ୟବ୍ୟବହାର୍ଯ୍ୟ ସାମଗ୍ରିର ମୂଲ୍ୟ ଆକାଶ ଛୁଇଁଲାଣି । ପୂର୍ବରୁ ଟମାଟୋ ସରକାରଙ୍କ ଚେତା ହଜାଇଥିଲା ବେଳେ ଏବେ ଅଟା ଓ ଚିନି ଦର ମୁନ୍ଦ ବିନ୍ଧାର କାରଣ ପାଲଟିଛି । ପରିସ୍ଥିତିକୁ ଦୃଷ୍ଟିରେ ରଖି ଏଥିରେ ହସ୍ତକ୍ଷେପ କରିବାକୁ ପଡିଛି ଇମ୍ରାନଙ୍କୁ । ଘଟଣାର ଯାଞ୍ଚ କରି ଦୋଷୀଙ୍କୁ କଡ଼ା ଦନ୍ଦ ଦେବା ପାଇଁ ସେ ଦେଇଛନ୍ତି ନିଦେ୍ର୍ଦଶ । ଏହି କ୍ରମରେ ମଙ୍ଗଳବାର ଅନୁଷ୍ଠିତ ହେବାକୁ ଥିବା କ୍ୟାବିନେଟ୍‌ କମିଟି ବୈଠକରେ ବଡ଼ ପଦକ୍ଷେପ ନିଆଯିବାର ଆଶା କରାଯାଉଛି ।
ବର୍ତ୍ତମାନ ପାକିସ୍ତାନରେ ଗହମ ଉତ୍ପାଦନ ହ୍ରାସ ପାଇବା ସହ ବିଦେଶରୁ ଗହମ ଅମଦାନୀ କରିବା ସହଜ ହେଉନାହିଁ । ଯେଉଁ କାରଣରୁ ଅଟା ଦର ଏବେ ୭୦ ରୁ ଅଧିକ ଟଙ୍କାରେ ପହଞ୍ଚିଲାଣି । ସରକାରଙ୍କ ଯୁକ୍ତି ହେଉଛି କିଛି ବ୍ୟବସାୟୀ ଗହମ କଳାବଜାରୀ କରିବାରୁ ମୂଲ୍ୟ ବଢୁଛି । ହୋଟେଲରେ ଗୋଟିଏ ରୁଟିର ଦର ୧୨ ରୁ ୧୫ ଟଙ୍କାରେ ପହଞ୍ଚିଲାଣି । ସେହିପରି ଚିନି ଏବେ ୭୫ ଛୁଇଁଲାଣି । ବଜାର ବିଶେଷଜ୍ଞଙ୍କ ମତରେ ଖୁବ୍‌ଶୀଘ୍ର ଚିନି ଦର ୧୦୦ ଛୁଇଁବ । ତେବେ ଚିନିର ମୂଲ୍ୟ ନିୟନ୍ତ୍ରଣ ପାଇଁ ସରକାରଙ୍କ ପକ୍ଷରୁ କୌଣସି ପଦକ୍ଷେପ ଅଦ୍ୟାବଧି ନିଆନଯିବା ସାଧାରଣରେ ବଡ଼ ଅସନ୍ତୋଷ ସୃଷ୍ଟି କରିଛି । ଇମ୍ରାନଙ୍କ ପୂର୍ବରୁ ପରଭେଜ ମୁଶାରଫଙ୍କ କାର୍ଯ୍ୟକାଳ ସମୟରେ ପାକିସ୍ତାନରେ ଚିନି ଦର ୧୦୫ ପହଞ୍ଚିଥିଲା ।
ଚିନିର ଏହି ସଂକଟ ପାକିସ୍ତାନରେ ଏଭଳି ସମୟରେ ଦେଖାଯାଇଛି ଯେତେବେଳେ ଦେଶ ଅଟାକୁ ନେଇ ସମସ୍ୟାରେ ପଡିଛି । ପାକିସ୍ତାନର ବଡ଼ ସହର କରାଚି,ହାଇଦ୍ରାବାଦ, ଲାହୋରରେ ଦର ୭୦ ଟପିଲାଣି । ଅଟା ଏବଂ ଚିନିର ମୂଲ୍ୟ ବୃଦ୍ଧି ସହ ଏବେ ରନ୍ଧନ ଗ୍ୟାସ ମୂଲ୍ୟରେ ୫ ପ୍ରତିଶତ ବୃଦ୍ଧି ହେବାକୁ ଯାଉଛି । ଅଟା ସଂକଟକୁ ଦୂର କରିବା ପାଇଁ ସରକାର ୩ଲକ୍ଷ ଟନ୍‌ ଗହମ ଅମଦାନୀର ନିଷ୍ପତ୍ତି ନେଇଛନ୍ତି । କୁହାଯାଉଛି ଯେ, ଅଟା ସଂକଟ ଗତ ମାସରେ ସିନ୍ଧ ପ୍ରାନ୍ତରରୁ ଆରମ୍ଭ ହୋଇଥିଲା,ଯେତେବେଳେ ପରିବହନକାରୀମାନେ ପେଟ୍ରୋଲ ମୂଲ୍ୟ ବୃଦ୍ଧି ନେଇ ଧର୍ମଘଟ କରିଥିଲେ । ଫଳରେ ସିନ୍ଧରୁ ଅଟା ଯୋଗାଣ ମାସେ ପାଇଁ ବନ୍ଦ ରହିଥିଲା । ଏଥିସହ କରାଚି ଏବଂ ପଞ୍ଜାବ ମଧ୍ୟରେ ଅଟା ପରିବହନ ଉପରେ ମଧ୍ୟ ପ୍ରତିବନ୍ଧକ ଲଗାଯାଇଥିଲା । ଗୋଟିଏ ପଟେ ଇମ୍ରାନ ସରକାର ଦେଶରେ ଖାଦ୍ୟ ପଦାର୍ଥ ସଂକଟକୁ ରୋକିବାରେ ବିଫଳ ହୋଇଥିଲା ବେଳେ ଅନ୍ୟପଟେ ଏହି ଦର ବୃଦ୍ଧି ପାଇଁ ବିରୋଧୀ ପିପିପିକୁ ଦାୟୀ କରିଛି । ଦଳ ପକ୍ଷରୁ କୁହାଯାଇଛି ଯେ, ସିନ୍ଧ୍‌ ପ୍ରାନ୍ତରରେ ଅଟା ସଂକଟ ସୃଷ୍ଟି କରି ସରକାରକୁ ବଦନାମ୍‌ କରିବାର ଚେଷ୍ଟା କରାଯାଉଛି ।

ଦରମା ବୃଦ୍ଧିକୁ ନେଇ
ଚ୍ୟାନେଲ ଉପରେ କାର୍ଯ୍ୟାନୁଷ୍ଠାନ
ଗୋଟିଏ ପଟେ ଦେଶରେ ଖାଦ୍ୟ ସଂକଟ ଓ ମୂଲ୍ୟବୃଦ୍ଧି ଲୋକଙ୍କୁ ଅସ୍ତବ୍ୟସ୍ତ କରୁଥିଲା ବେଳେ ଅନ୍ୟପଟେ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁଙ୍କ ଦରମାରେ ୪ଗୁଣା ବୃଦ୍ଧି ଖବର ବଡ଼ ଚର୍ଚ୍ଚା ସୃଷ୍ଟି କରିଛି । ଗଣମାଧ୍ୟମରେ ଏହି ଖବର ପ୍ରକାଶ ପାଇବା ପରେ ସରକାରଙ୍କ ପକ୍ଷରୁ ସଫେଇ ଦିଆଯାଇଛି । ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି ଯେ, ଗୋଟିଏ ପଟେ ପ୍ରଧାନମନ୍ତ୍ରୀ ଖର୍ଚ୍ଚ ହ୍ରାସ ପାଇଁ ଉଦ୍ୟମ କରୁଥିଲା ବେଳେ ଅନ୍ୟପଟେ ଏଭଳି ନିରାଧାର ଖବର ପ୍ରକାଶ କରିବା ଦୁର୍ଭାଗ୍ୟପୂର୍ଣ୍ଣ ଅଟେ । ଗଣମାଧ୍ୟମରେ ପ୍ରକାଶିତ ଖବର ଅନୁସାରେ ଇମ୍ରାନଙ୍କ ଦରମା ୨ ଲକ୍ଷରୁ ୮ଲକ୍ଷକୁ ବୃଦ୍ଧି କରାଯାଇଛି ।
ଇମ୍ରାନଙ୍କ ଦରମା ବୃଦ୍ଧି ପ୍ରସଙ୍ଗକୁ ଏକ ଚ୍ୟାନେଲ ପକ୍ଷରୁ ପ୍ରକାଶ କରାଯିବା ପରେ ସରକାର ଏହି ଚ୍ୟାନେଲ ବିରୋଧରେ କାର୍ଯ୍ୟାନୁଷ୍ଠାନ ସହ କାରଣ ଦର୍ଶାଅ ନୋଟିସ ଜାରି କରିଛନ୍ତି । ଏକ ଘରୋଇ ଟିଭି ଚ୍ୟାନେଲରେ ଇମ୍ରାନଙ୍କ ଦରମା ବୃଦ୍ଧିକୁ ନେଇ ଖବର ପ୍ରକାଶିତ ହୋଇଥିଲା । ଏହି ଘଟଣାରେ ପାକିସ୍ତାନ ଇଲେକ୍ଟ୍ରୋନିକ୍ସ ମିଡିଆ ରେଗୁଲୋଟେରି ଅଥୋରିଟି ଚ୍ୟାନେଲ ଉପରେ ୬୪୭୨ ଡଲାରର ଜରିମାନା ଲଗାଇଛି । ଭୁଲ୍‌ ଖବର ପରିବେଷଣ କରୁଥିବା ଅଭିଯୋଗରେ ଏହି କାର୍ଯ୍ୟାନୁଷ୍ଠାନ ନିଆଯାଇଛି ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*