ସୁଟିଂ: ରେକର୍ଡ ୧୫ ଅଲିମ୍ପିକ୍‌ କୋଟା ଟିକେଟ୍‌ ଭାରତ ପାଖରେ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail


ଏଜେନ୍ସୀ : ନୂଆଦିଲ୍ଲୀ

କାତାରର ରାଜଧାନୀ ଦୋହା ଠାରେ ଚାଲିଥିବା ୧୪ତମ ଏସିଆନ୍‌ ସୁଟିଂ ପ୍ରତିଯୋଗିତାରେ ଭାରତୀୟ ଖେଳାଳିଙ୍କ ପ୍ରଦର୍ଶନ ଚମକ୍ରାର ରହିଆସିଛି । ଜଣଙ୍କ ପରେ ଜଣେ କେବଳ ମେଡାଲ ଜିତୁନାହାଁନ୍ତି ଆସନ୍ତା ବର୍ଷ ହେବାକୁ ଥିବା ଟୋକିଓ ଅଲିମ୍ପିକ୍‌ ସକାଶେ କୋଟା ଟିକେଟ ମଧ୍ୟ ହାସଲ କରିଚାଲିଛନ୍ତି । ରବିବାର ଦିନ ଆଉ କେବଳ ତିନୋଟି କୋଟା ଟିକେଟ ଆସିଛି । ଏହା ଏକ ବଡ ସଫଳତା ବୋଲି ଦର୍ଶାଇଛନ୍ତି ସମସ୍ତେ । ଅଲିମ୍ପିକ୍‌ ଇତିହାସରେ ଭାରତ ପକ୍ଷରୁ ସବୁଠାରୁ ଅଧିକ ଖେଳାଳି ସୁଟିଂ ପାଇଁ ଯିବା ସ୍ଥିର ହୋଇଯାଇଛି । ରିଓରେ ୧୨ଜଣ ସୁଟିଂ ଖେଳାଳି ଯାଇ ରେକର୍ଡ କରିଥିଲେ । ଆହୁରି ଯୋଗ୍ୟତା ପର୍ଯ୍ୟାୟ ରହିଥିଲାବେଳେ ଏବେ ୧୫ଜଣ ଟୋକିଓ ଯିବା ସ୍ଥିର ହୋଇଯିବା ଏକ ବଡ ସଫଳତା । ରବିବାର ପ୍ରଥମେ ଐଶ୍ଚର୍ଯ୍ୟ ପ୍ରତାପ ସିଂ ତୋମର ଏହି କୋଟା ଟିକେଟ ଆଣିବା ସାଙ୍ଗକୁ ବୋଞ୍ଜ ମେଡାଲ ମଧ୍ୟ ଜିତିଛନ୍ତି । ପୁରୁଷ ୫୦ ମିଟର ରାଇଫଲ ୩ ପୋଜିସନ୍‌ ଇଭେଣ୍ଟରେ ୮ଜଣ ଖେଳାଳିଙ୍କୁ ନେଇ ଫାଇନାଲ ରାଉନ୍ଦ ହୋଇଥିଲା । ୪୪୯.୧ ପଏଣ୍ଟ ସହ ତୋମର ତୃତୀୟ ହୋଇ ବ୍ରୋଞ୍ଜ ସାଙ୍ଗକୁ ଜିତିଛନ୍ତି ଯୋଗ୍ୟତା ଟିକେଟ । ଦକ୍ଷିଣକୋରିଆର କିମ୍‌ ୪୫୯.୯ ଏବଂ ଚୀନର ଝାଓ ୪୫୯.୧ ପଏଣ୍ଟ ସହ ଯଥାକ୍ରମେ ପ୍ରଥମ ଓ ଦ୍ୱିତୀୟ ହୋଇଥିଲେ । ଭାରତର ୧୮ବର୍ଷିୟ ତୋମର ଯୋଗ୍ୟତା ରାଉନ୍ଦରେ ୧୧୬୮ ପଏଣ୍ଟ ସହ ଫାଇନାଲକୁ ଉଠିଥିଲେ । ଏହି ଇଭେଣ୍ଟରେ ଖେଳିଥିବା ଭାରତର ଚୈନ ସିଂ ୧୭ ଏବଂ ପାରୁଲ କୁମାର ୨୦ତମ ସ୍ଥାନରେ ରହିଥିଲେ । ତୋମର ଦେଶ ପାଇଁ ୧୩ତମ କୋଟା ଟିକେଟ୍‌ ଆଣିବା ପରେ ପୁରୁଷ ସ୍କିଟ୍‌ ଇଭେଣ୍ଟରେ ଭାରତର ୨ ଖେଳାଳି ଅଙ୍ଗଦବୀର ସିଂହ ବଜୱା ଏବଂ ମୈରାଜ ଅହମ୍ମଦ ଖାଁ ସ୍ୱର୍ଣ୍ଣ ଓ ରୌପ୍ୟ ପଦକ ଜିତି ଯଥାକ୍ରମେ ୧୪ ଓ ୧୫ତମ ଅଲିମ୍ପିକ୍‌ କୋଟା ଟିକେଟ୍‌ ହାତେଇ ନେଇଥିଲେ । ଭାରତ ଆହୁରି ପ୍ରାୟ ୯ ମାସ ଟୋକିଓକୁ ରହିଥିଲା ବେଳେ ୧୩ଜଣ ଯିବା ନିଶ୍ଚିତ ହୋଇଗଲାଣି । ୨୦୧୨ ଲନ୍ଦନରେ ଭାରତର ୧୧ ଏବଂ ୨୦୧୬ ରିଓରେ ଭାରତର ୧୨ଜଣ ସୁଟର ଭାଗ ନେଇଥିଲେ । ୩ ପୋଜିସନ୍‌ ଇଭେଣ୍ଟରେ ସଂଜୀବ ରାଜପୁତଙ୍କ ପରେ ତୋମର ହେଉଛନ୍ତି ଦ୍ୱିତୀୟ ଖେଳାଳି ଭାରତର ଯିଏ ଟୋକିଓ ଟିକେଟ ପାଇଲେ ।
ମିକ୍ସ ଟିମରେ ୨ ପଦକ
ରବିବାର ମିକ୍ସ ଟିମ୍‌ ଇଭେଣ୍ଟରେ ଭାରତକୁ ୨ଟି ମେଡ଼ାଲ ଆସିଛି । ସ୍ୱର୍ଣ୍ଣ ଓ ରୌପ୍ୟ ପଦକ ଭାରତୀୟ ଯୋଡ଼ି ଜିତିଛନ୍ତି । ମନୁ ଭାକର ଏବଂ ଅଭିଷେକ ବର୍ମାଙ୍କ ଯୋଡ଼ି ସ୍ୱର୍ଣ୍ଣ ପଦକ ପାଇଥିଲା ବେଳେ ସେହି ୧୦ ମିଟର ଏୟାର ପିସ୍ତଲ ମିକ୍ସ ଟିମ୍‌ ଇଭେଣ୍ଟରେ ସୌରଭ ଚୌଧୁରୀ ଏବଂ ଯଶସ୍ୱୀ ଦେଶୱାଲ ରୌପ୍ୟ ପଦକ ଜିତିଛନ୍ତି ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*