ମେ’ବେଳକୁ ଅବସ୍ଥା ସାଂଘାତିକ, ନବାହାରିବାକୁ ନବୀନ ପକାଇଲେ ରାଣ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ନିର୍ଭୟ ମିଡିଆ : ଭୁବନେଶ୍ୱର
ମହାମାରୀ କରୋନା ଭୟଙ୍କର ପରିସ୍ଥିତି ସୃଷ୍ଟି କରିବାକୁ ଯାଉଛି । ଆସନ୍ତା ମେ’ ମାସ ଭିତରେ ଅତିକମ୍‌ରେ ରାଜ୍ୟରେ ୨୩୪୫ ଓ ଅତିବେଶୀରେ ୩୬ହଜାର ପାଖାପାଖି ଲୋକ ଏଥିରେ ଆକ୍ରାନ୍ତ ହେବାର ସମ୍ଭାବନା ରହିଛି । ଦେଶରେ ଅତିକମ୍‌ରେ ୫୮,୬୪୩ ଓ ଅତିବେଶୀରେ ୧୦ଲକ୍ଷ ଲୋକ ଆକ୍ରାନ୍ତ ହେବାର ସୂଚନା ମିଳୁଛି ।
କରୋନାର ଭୟାବହତାକୁ ଦୃଷ୍ଟିରେ ରଖି ମୁକାବିଲା ପାଇଁ ରାଜ୍ୟ ସରକାର ଜନସାଧାରଣଙ୍କୁ ଘର ଭିତରୁ ନବାହାରିବାକୁ ମଙ୍ଗଳବାର ଦିନ ସାନି ନିବେଦନ କରିଛନ୍ତି । ରାଜ୍ୟ ସରକାରଙ୍କ ପକ୍ଷରୁ ମଙ୍ଗଳବାର ମଧ୍ୟରାତ୍ରିରୁ ମାର୍ଚ୍ଚ ୨୯ ତାରିଖ ମଧ୍ୟରାତ୍ରି ପର୍ଯ୍ୟନ୍ତ ଓଡ଼ିଶାର ସମସ୍ତ ୩୦ ଜିଲ୍ଲାରେ ଲକ୍‌ଡାଉନ ଲାଗୁ କରାଯାଇଛି । କରୋନା ଭୂତାଣୁର ମୁକାବିଲା ପାଇଁ ସରକାର ଏଭଳି କଠିନ ପଦକ୍ଷେପ ନେଉଥିବାରୁ ଲୋକମାନେ ସହଯୋଗ ରକ୍ଷା କରିବାକୁ ସରକାର ନିବେଦନ କରିଛନ୍ତି ।
ରାଜ୍ୟର ୩୦ ଜିଲ୍ଲାରେ ମଙ୍ଗଳବାର ମଧ୍ୟରାତିଠାରୁ ଲକ୍‌ ଡାଉନ ଲାଗୁ ହୋଇଯିବା ପରେ ମୁଖ୍ୟମନ୍ତ୍ରୀ ରାଜ୍ୟବାସୀଙ୍କୁ ପୁନର୍ବାର ନିବେଦନ କରିଛନ୍ତି । କରୋନା ଭୂତାଣୁର ଭୟଙ୍କର ରୂପକୁ ନେଇ ସାରା ବିଶ୍ୱବାସୀ ଏବେ ଆତଙ୍କିତ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ଏହି ମହାମାରୀ ଭୂତାଣୁ ଚୀନ୍‌ରୁ ବାହାରି ଥିଲା । ଏହା ଆମ ଓଡ଼ିଶାଠାରୁ ଅନେକ ଦୂରରେ ଥିଲା । ଧୀରେଧୀରେ ଏହା ଇଟାଲୀ, ଇରାନ, ଫ୍ରାନ୍ସ, ଯୁକ୍ତରାଷ୍ଟ୍ର ଆମେରିକା ଭଳି ରାଷ୍ଟ୍ରଗୁଡ଼ିକରେ ନିଜର କରାଳ ରୂପ ପ୍ରଦର୍ଶନ କରିଛି । ଏବେ ଏହି ଭୂତାଣୁ ଓଡ଼ିଶାରେ ଓ ଆମ ଘର ନିକଟରେ ପହଞ୍ଚି ସାରିଛି । ଏଭଳି ସ୍ଥିତିକୁ ଦେଖି ସରକାର ପ୍ରତିଷେଧକମୂଳକ ବ୍ୟବସ୍ଥା ଗ୍ରହଣ କରିଛନ୍ତି । ଏହି ଭୂତାଣୁର ମୁକାବିଲା ପାଇଁ ଆମମାନଙ୍କୁ ଘର ଭିତରେ ରହିବାକୁ ପଡ଼ିବ । ଘରୁ ବାହାରକୁ ନଆସିଲେ ଆମର କିଛି କ୍ଷତି ହେବ ନାହିଁ । ଯେଉଁମାନେ ଏହି ନିଦେ୍ର୍ଦଶକୁ ଅମାନ୍ୟ କରି ବାହାରକୁ ଆସୁଛନ୍ତି, ସେମାନେ ଘରକୁ ଫେରି ନିଜ ପରିବାରର କ୍ଷତି କରୁଛନ୍ତି । ବାହାରୁ କରୋନା ଭୂତାଣୁକୁ ସାଥିରେ ଆଣି ପରିବାରରେ ନପହଞ୍ଚାଇବାକୁ ମୁଖ୍ୟମନ୍ତ୍ରୀ ନିବେଦନ କରିଛନ୍ତି ।

ଏହି ଭୂତାଣୁ ଠାରୁ ଦୂରରେ ରହିବା ପାଇଁ ଆପଣମାନେ ନିଜ ପୁଅ, ଝିଅ, ବାପ-ମାଆ ଓ ଆତ୍ମୀୟଙ୍କ ନାମରେ ଶପଥ କରି ଘରୁ ନବାହାରିବାକୁ ପ୍ରସ୍ତୁତ ହୁଅନ୍ତୁ । ୨୦ ବର୍ଷ ଶାସନ କାଳରେ ଯେତେବେଳେ ଯେଉଁ ଅନୁରୋଧ କରିଛି, ରାଜ୍ୟବାସୀ ତାହାକୁ ଗ୍ରହଣ କରି କାର୍ଯ୍ୟରେ ଦେଖାଇଛନ୍ତି । କରୋନା ଭୂତାଣୁରୁ ରକ୍ଷା ପାଇବା ପାଇଁ ଆମମାନଙ୍କୁ ଘର ଭିତରେ ରହିବା ଏକମାତ୍ର ବିଧେୟ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ଲକ୍‌ ଡାଉନ୍‌ ଚାଲିଥିବା ସମୟରେ ଲୋକେ ସରକାରଙ୍କ ନିଦେ୍ର୍ଦଶ ଅନୁସାରେ ନିଜକୁ ସତର୍କ କରାଇ ନେବାକୁ ମୁଖ୍ୟମନ୍ତ୍ରୀ ଓଡ଼ିଶାବାସୀଙ୍କୁ ମଙ୍ଗଳବାର ଦିନ ଭିଡିଓ ବାର୍ତ୍ତା ଦେଇ ନିବେଦନ କରିଛନ୍ତି ।
ରାଜ୍ୟର କରୋନା ସ୍ଥିତି ନେଇ ଓଡ଼ିଶା କରୋନା ମୁକାବିଲା କମିଟି ମୁଖ୍ୟ ମୁଖପାତ୍ର ସୁବ୍ରତ ବାଗ୍‌ଚୀ ଗଣମାଧ୍ୟମରେ ସରକାରଙ୍କ ନିଷ୍ପତ୍ତି ସମ୍ପର୍କରେ ଜଣାଇଛନ୍ତି । ମୁଖ୍ୟ ଶାସନ ସଚିବ ଅସୀତ୍‌ ତି୍ରପାଠୀଙ୍କ ଅଧ୍ୟକ୍ଷତାରେ ଉଚ୍ଚସ୍ତରୀୟ ବୈଠକ ବସି ମଙ୍ଗଳବାର ରାତି ୧୨ଟା ଠାରୁ ୨୯ ତାରିଖ ମଧ୍ୟରାତି୍ର ପର୍ଯ୍ୟନ୍ତ ଲକ୍‌ ଡାଉନ୍‌ ଲାଗୁ କରାଇବାକୁ ନିଷ୍ପତ୍ତି ନିଆଯାଇଛି । ଏହି ସମୟରେ ଜନସାଧାରଣ ଅଯଥାରେ ରାସ୍ତା ଉପରକୁ ନଆସିବାକୁ କଡ଼ା ନିଦେ୍ର୍ଦଶ ଦିଆଯାଇଛି । ସରକାରୀ କର୍ମଚାରୀମାନଙ୍କୁ ଆବଶ୍ୟକୀୟ ଅନୁମତି ମିଳିବା ପରେ ସେମାନେ କେବଳ କାର୍ଯ୍ୟାଳୟକୁ ଆସିବାକୁ ନିଦେ୍ର୍ଦଶ ଦିଆଯାଇଛି । ଲକ୍‌ ଡାଉନ୍‌କୁ ଦୃଷ୍ଟିରେ ରଖି ରାଜ୍ୟ ସରକାର କେତେକ ପଦକ୍ଷେପ ନେଇଛନ୍ତି । ବଦଳି ହୋଇଥିବା କର୍ମଚାରୀଙ୍କୁ ୪୮ ଘଣ୍ଟା ମଧ୍ୟରେ ବଦଳି ସ୍ଥାନରେ ଯୋଗ ଦେବାକୁ ନିଦେ୍ର୍ଦଶ ଦେବାକୁ ନିଦେ୍ର୍ଦଶ ଦିଆଯାଇଛି । ଏହା ଖିଲାପରେ କାର୍ଯ୍ୟାନୁଷ୍ଠାନର ସଙ୍କେତ ଦେଇଛନ୍ତି ସୁବ୍ରତ ।
ଲକ୍‌ ଡାଉନ୍‌ ଚାଲିଥିବା ସମୟରେ ଦୋକାନ, ବଜାର, ଶିଳ୍ପ ସଂସ୍ଥା ଓ ନିର୍ମାଣ କାର୍ଯ୍ୟ ସ୍ଥଗିତ ରଖିବାକୁ ନିଦେ୍ର୍ଦଶ ଦିଆଯାଇଛି । ଏହି ସମୟରେ ହସ୍ପିଟାଲ, ବ୍ଲଡ୍‌ ବ୍ୟାଙ୍କ, ପାଥଲୋଜି, ବ୍ୟାଙ୍କ, ଏଟିଏମ୍‌ ଖୋଲା ରହିବ । ସମସ୍ତ ଏଟିଏମ୍‌ରେ ପର୍ଯ୍ୟାପ୍ତ ଅର୍ଥ ଗଛିତ ରଖାଯିବ । ଗ୍ରୋସରୀ ଦୋକାନ, ମାଛ, କୁକୁଡ଼ା ଅନ୍ଦା, ମାଂସ, ଫଳ ଦୋକାନ, କ୍ଷୀର ଦୋକାନ ଓ ପନିପରିବା ଦୋକାନ ଖୋଲା ରଖିବାକୁ ନିଦେ୍ର୍ଦଶ ଦିଆଯାଇଛି । ଏହି ସମୟରେ ଅନ୍ୟ ଦୋକାନଗୁଡ଼ିକ ନଖୋଲିବାକୁ କୁହାଯାଇଛି । ପେଟ୍ରୋଲ୍‌ ପମ୍ପଗୁଡ଼ିକ ଏହି ସମୟରେ କାର୍ଯ୍ୟ କରିବାକୁ କୁହାଯାଇଛି । ମଙ୍ଗଳବାର ସନ୍ଧ୍ୟା ସୁଦ୍ଧା ଅନୁସୂଚିତ ଜାତି ଓ ଜନଜାତି ବିଭାଗର ଛାତ୍ରାବାସଗୁଡ଼ିକ ଖାଲି କରିଦିଆଯାଇଛି । ଲୋକେ ଯେପରି ଅନାବଶ୍ୟକ ଭାବେ ଘରୁ ନବାହାରିବେ, ସେଥିପାଇଁ ଜନସାଧାରଣଙ୍କୁ ସରକାର ସତର୍କ କରାଇଛନ୍ତି । ଏହି ଭୟାବହ ମହାମାରୀର ମୁକାବିଲା କେବଳ ଘରେ ପୃଥକ ବାସରେ ରହିଲେ ଏହାକୁ ଟାଳି ହେବ ବୋଲି ବାଗ୍‌ଚୀ ଗଣମାଧ୍ୟମକୁ କହିଛନ୍ତି ।

ମେ’ ବେଳକୁ ଆକ୍ରାନ୍ତ ହୋଇଥିବେ ୩୬ ହଜାର

ମହାମାରୀ କରୋନା ଭୂତାଣୁର ସଂକ୍ରମଣଙ୍କୁ ରୋକିବା ଲାଗି ରାଜ୍ୟ ସରକାର ସମସ୍ତ ସତର୍କତାମୂଳକ ପଦକ୍ଷେପ ନେଉଛନ୍ତି । ଲକ୍‌ ଡାଉନ୍‌ ଘୋଷଣା ସତ୍ତ୍ୱେ ସାଧାରଣ ଲୋକେ ଏହାକୁ ଦିନିକିଆ ବନ୍ଦ ସହ ତୁଳନା କରି ରାସ୍ତା ଉପରକୁ ଚାଲି ଆସିଛନ୍ତି । ନିୟମ ନମାନିଲେ ଆସନ୍ତା ମେ’ ମାସ ବେଳକୁ ଓଡ଼ିଶାରେ ୩୬ ହଜାରରୁ ଅଧିକ ଲୋକ କରୋନା ଭୂତାଣୁ ଦ୍ୱାରା ସଂକ୍ରମିତ ହେବା ସୂଚନା ମିଳୁଛି । ଏହାକୁ ରାଜ୍ୟବ୍ୟାପୀ ଗୁରୁତର ସହ ଗ୍ରହଣ କରିନେବାକୁ କୋଭିଡ୍‌-୧୯ ମୁଖପାତ୍ର ସୁବ୍ରତ ବାଗ୍‌ଚୀ ମଙ୍ଗଳବାର ଦିନ ଚେତାବନୀ ଶୁଣାଇଛନ୍ତି । ସାମ୍ବାଦିକ ସମ୍ମିଳନୀରେ କରୋନାର ଗତି ଓ ଆଗାମୀ ଦିନର ସ୍ଥିତିକୁ ନେଇ ଆଶଙ୍କାବ୍ୟକ୍ତ କରିବା ସହ ଲୋକେ ଆଦୈ ବାହାରନ୍ତୁ ନାହିଁ ବୋଲି ସତର୍କ କରାଇଛନ୍ତି ।
ସାମ୍ବାଦିକ ସମ୍ମିଳନୀରେ ବାଗ୍‌ଚୀ କହିଛନ୍ତି, ଚୀନର ଓହ୍ୱାନ ସହରରୁ ସୃଷ୍ଟି ହୋଇଥିବା କରୋନା ଭୂତାଣୁ ୩ ମାସ ମଧ୍ୟରେ ବିଶ୍ୱ ମହାମାରୀର ରୂପ ନେଇଛି । ଏଥିରୁ ମୁକୁଳିବା ପାଇଁ ଏହି ଦେଶର ସରକାରମାନେ ଯେଭଳି ଲକ୍‌ ଡାଉନ୍‌ ପାଳନ କରିଥିଲେ ତାହା ଆମକୁ ଗ୍ରହଣ କରିବାକୁ ପଡ଼ିବ । ଲକ୍‌ ଡାଉନ୍‌ ସମୟର ଯୁକ୍ତରାଷ୍ଟ୍ର ଆମେରିକା, ଲନ୍ଦନ ଓ ଉହ୍ୱାନ ସହରରେ ପାଳନ ହୋଇଥିବା ଲକ୍‌ ଡାଉନ୍‌ର ଶୁନଶାନ ଭିଡିଓ ଚିତ୍ରକୁ ପ୍ରଦର୍ଶନ କରିଥିଲେ । ଏହି ସହରମାନଙ୍କର ଲକ୍‌ ଡାଉନ୍‌ ସ୍ଥିତି ସମ୍ପର୍କରେ ଅବଗତ କରାଇ ସରକାରଙ୍କ ନିୟମ ମାନିନେବାକୁ ପୁନର୍ବାର ନିବେଦନ କରିଛନ୍ତି । ସ୍ଥିତି ଏତେ ଗମ୍ଭୀର ହେବାକୁ ଯାଉଛି ଯାହା କଳ୍ପନାସ୍ଥିତ । ଏହାର ଭୟାବହତାକୁ ଉପଲବ୍ଧି କରିନଥିବା ଓଡ଼ିଶାବାସୀ ରାଜନୈତିକ ବନ୍ଦ ପାଳନ ସହ ଏହାକୁ ତୁଳନା କରିବା ନିହାତି ବୋକାମୀ । ମେ’ ମାସ ବେଳକୁ ଓଡ଼ିଶାରେ ୩୬ ହଜାରରୁ ଅଧିକ ଲୋକ କରୋନା ଆକ୍ରାନ୍ତ ହେବା ସମ୍ଭବନାକୁ ଏଡାଇ ଦିଆଯାଇନପାରେ । ଲକ୍‌ ଡାଉନ୍‌କୁ ଯେଉଁଭଳି ଢଙ୍ଗରେ ପାଳନ କରିବା କଥା ତାହା ହେଉନଥିବାରୁ ଆମକୁ ଏହି ମହାମାରୀ ସହ ସାମ୍ନା କରିବାକୁ ପଡ଼ିପାରେ ବୋଲି ବାଗଚୀ କହିଛନ୍ତି । ବିଶେଷ କରି ବୃଦ୍ଧ, ବୃଦ୍ଧା ଓ ବୟସ୍କ ବ୍ୟକ୍ତିମାନେ ଏହାର ଶିକାର ହେବା ଆଶଙ୍କା କରାଯାଉଛି ।
ମଙ୍ଗଳବାର ସୁଦ୍ଧା ରାଜ୍ୟ ସରକାରଙ୍କ ୧୦୪ ଟୋଲଫ୍ରି ନମ୍ବରରେ ୩୮୬୧ ଜଣ ବିଦେଶ ଫେରନ୍ତା ନାମ ପଞ୍ଜିକରଣ କରିଛନ୍ତି । ମଙ୍ଗଳବାର ସୁଦ୍ଧା ପରୀକ୍ଷା ହୋଇଥିବା ୧୧୦ ନମୁନାରୁ ଆକ୍ରାନ୍ତଙ୍କ ସଂଖ୍ୟା ୨ରେ ରହିଛି । ଏମାନଙ୍କ ସ୍ୱାସ୍ଥ୍ୟବସ୍ଥା ସ୍ଥିର ଥିବା ବେଳେ ଖୁବଶୀଘ୍ର ଆରୋଗ୍ୟ ହୋଇ ସେମାନେ ହସ୍ପିଟାଲରୁ ମୁକ୍ତ ହେବା ଜଣାପଡ଼ିଛି । ଓଡ଼ିଶାରେ ମାତ୍ର ୨ ଜଣ କରୋନାରେ ଆକ୍ରାନ୍ତ ହୋଇଥିବା ଖବରରେ ରାଜ୍ୟବାସୀ ଖୁସି ନହୁଅନ୍ତୁ । ଗତ ଦିନଗୁଡ଼ିକର ସ୍ଥିତିକୁ ଅନୁଧ୍ୟାନ କଲେ ପ୍ରତିଦିନ ଆକ୍ରାନ୍ତଙ୍କ ସଂଖ୍ୟା ଦୁଇ ଗୁଣ ବଢିଯାଉଛି । ବିଦେଶ ଫେରନ୍ତା ବ୍ୟକ୍ତିଙ୍କ ମଧ୍ୟରେ ୧୦୦ ଜଣଙ୍କ ଶରୀରରେ କରୋନା ଲକ୍ଷଣ ଅନୁମାନ କରି ସେମାନଙ୍କୁ ନିରୀକ୍ଷଣରେ ରଖାଯାଇଛି । ୪୫ ଜଣଙ୍କୁ ବିଭିନ୍ନ ହସ୍ପିଟାଲରେ ଆଇସୋଲେସନରେ ରଖାଯାଇ ଚିକିତ୍ସା କରାଯାଉଛି । ଲକ୍‌ ଡାଉନ୍‌ ସମୟରେ ଜନସାଧାରଣ ଅଧିକ ସତର୍କ ହେବା ପାଇଁ ମୁଖ୍ୟମନ୍ତ୍ରୀ ନିଦେ୍ର୍ଦଶ ଦେଇଛନ୍ତି । ଯେଉଁ ସରକାରୀ କର୍ମଚାରୀଙ୍କ ଅନ୍ୟତ୍ର ବଦଳି ହୋଇଛି ସେମାନେ ୪୮ ଘଣ୍ଟା ମଧ୍ୟରେ ନିଜ ସ୍ଥାନରେ ଯୋଗ ଦେବାକୁ ସରକାର ନିଦେ୍ର୍ଦଶ ଦେଇଛନ୍ତି ବୋଲି ବାଗଚୀ କହିଛନ୍ତି ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*