ମୁମ୍ବାଇ ଲଢ଼େଇ ପୂର୍ବରୁ ଅଧିନାୟକ ପଦ ଛାଡ଼ିଲେ କାର୍ତ୍ତିକ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail


ଏଜେନ୍ସୀ : ଦୁବାଇ

ପଏଣ୍ଟ ତାଲିକାରେ ଉପରେ ଥିବା ଗତବର୍ଷର ଚମ୍ପିଆନ୍‌ ମୁମ୍ବାଇ ଇନ୍ଦିଆନ୍ସ ବିପକ୍ଷ ମ୍ୟାଚ୍‌ ଆରମ୍ଭ ହେବାର ମାତ୍ର କିଛି ଘଣ୍ଟା ଆଗରୁ ଶୁକ୍ରବାର ଦିନ ଦିନେଶ କାର୍ତ୍ତିକ କୋଲକାତା ନାଇଟ୍‌ ରାଇଡର୍ସର ଦଳର ଅଧିନାୟକ ପଦ ଛାଡ଼ି ଦେଇଛନ୍ତି । ଇଂଲନ୍ଦର ସୀମିତ ଓଭର ଅଧିନାୟକ ଇଆନ୍‌ ମୋର୍ଗାନଙ୍କ ହାତରେ ସେ ନେତୃତ୍ୱ ଭାର ଦେଇ ପଦ ଛାଡ଼ିଛନ୍ତି ବୋଲି ଟିମ୍‌ ମ୍ୟାନେଜମେଣ୍ଟକୁ ଜଣାଇଛନ୍ତି ଦିନେଶ । ନିଜ ବ୍ୟାଟିଂରେ ଅଧିକ ଫୋକସ କରିବା ଓ ଦଳୀୟ ଆବଶ୍ୟକତାରେ ନିଜ ଯୋଗଦାନ ସକାଶେ ସେ ଅଧିନାୟକ ପଦ ଛାଡ଼ିବାକୁ ଯାଉଥିବା ବତାଇଛନ୍ତି କାର୍ତ୍ତିକ । ତାଙ୍କର ଏହି ଅପ୍ରତ୍ୟାଶିତ ନିଷ୍ପତ୍ତି ହଇଚଇ ସୃଷ୍ଟି କରିଛି ।
କେକେଆର ଦଳର ସିଇଓ ଭେଙ୍କି ମହିଶୂର ଦଳର ୱେବସାଇଟରେ ଏକ ବକ୍ତବ୍ୟ ଅପଲୋଡ୍‌ କରିଛନ୍ତି । ଏଥିରେ ସେ କହିଛନ୍ତି- ଆମେ ଅତ୍ୟନ୍ତ ଭାଗ୍ୟଶାଳୀ ଯେ, ଆମ ସହିତ ଡିକେ(ଦିନେଶ କାର୍ତ୍ତିକ)ଙ୍କ ଭଳି ଲିଡର୍ସ ଅଛନ୍ତି । ଯେ ସବୁବେଳେ ଦଳକୁ ସବାଗ୍ରେ ରଖନ୍ତି । ପ୍ରତିଯୋଗିତାର ଏ ଅବସ୍ଥାରେ ଏପରି ନିଷ୍ପତ୍ତିି ନେବା ବଡ଼ ସାହସିକ କାମ । ଆମେ ତାଙ୍କ ନିଷ୍ପତ୍ତିରେ ଅତ୍ୟନ୍ତ ଆଶ୍ଚର୍ଯ୍ୟ ହୋଇଛୁ ତା ସହ ତାଙ୍କ ଭାବନାକୁ ସମ୍ମାନ ଜଣାଉଛୁ । ଆମେ ମଧ୍ୟ ଭାଗ୍ୟଶାଳୀ ଯେ, ୨୦୧୯ ବିଶ୍ୱକପ୍‌ ବିଜୟୀ ଅଧିନାୟକ ଇଆନ୍‌ ମୋର୍ଗାନ୍‌ ଦଳର ଉପ ଅଧିନାୟକ ଥିଲେ । ସେ ନେତୃତ୍ୱ ନେବା ପାଇଁ ରାଜି ହୋଇଯାଇଛନ୍ତି । ଡିକେ ଓ ଇଆନ ଏକାଠି ବଢ଼ିଆ ଭାବରେ କାମ କରିଛନ୍ତି ଆଗରୁ । ତେଣୁ ଅଧିନାୟକ ଭାର ବଦଳ ଦଳ ଉପରେ କିଛି ପ୍ରଭାବ ପଡ଼ିବ ନାହିଁ । ଗତ ଅଢ଼େଇ ବର୍ଷ ଭିତରେ ଅଧିନାୟକ ଭାବରେ ଡିକେଙ୍କ ଯୋଗଦାନ ସକାଶେ ଆମେ ଧନ୍ୟବାଦ ଜଣାଉଛୁ ଏବଂ ଇଆନଙ୍କୁ ଆଗାମୀ ଦାୟିତ୍ୱ ପାଇଁ ଶୁଭେଚ୍ଛା ଜଣାଉଛୁ ବୋଲି ଭେଙ୍କି ଲେଖିଛନ୍ତି ଦଳୀୟ ୱେବସାଇଟରେ ।
ଚାପରେ ଥିଲେ କାର୍ତ୍ତିକ
୨୦୧୮ ଆଇପିଏଲ ସିଜିନର ଠିକ୍‌ ପୂର୍ବରୁ ଦିନେଶ କାର୍ତ୍ତିକ କୋଲକାତା ଦଳର ଅଧିନାୟକ ନିଯୁକ୍ତ ହୋଇଥିଲେ । ଦଳର ଲମ୍ବା ସମୟର ଅଧିନାୟକ ଗୌତମ ଗମ୍ଭୀରଙ୍କୁ ୨୦୧୮ ସିଜିନ ଆଗରୁ କେକେଆର ଅନୁବନ୍ଧିତ ନ କରିବାରୁ ସେ ଦିଲ୍ଲୀ ଦଳକୁ ଚାଲି ଯାଇଥିଲେ । କାର୍ତ୍ତିକ ୨୦୧୮ ଓ ୨୦୧୯ ସିଜିନରେ ପୁରା ଥିଲେ କେକେଆରର କ୍ୟାପଟେନ୍‌ ୨୦୧୮ରେ କେକେଆର ନକ୍‌-ଆଉଟକୁ ଯାଇଥିଲା ବେଳେ ୨୦୧୯ ଅର୍ଥାତ୍‌ ଗତ ପ୍ରତିଯୋଗିତାର ୫ମ ସ୍ଥାନରେ ରହିଥିଲା । ଶୁକ୍ରବାର ମ୍ୟାଚ୍‌ ଆରମ୍ଭ ଆଗରୁ କେକେଆର ୭ ମ୍ୟାଚ୍‌ ପରେ ୮ ପଏଣ୍ଟ ସହ ପଏଣ୍ଟ ତାଲିକାରେ ୪ର୍ଥରେ ଅଛି ।
ଦଳର ସ୍ଥିତି ଉପର-ତଳ ହୋଇଥିଲା ବେଳେ ବ୍ୟାଟ୍ସମ୍ୟାନ୍‌ ଭାବରେ ବି ଖୁବ୍‌ ଭଲ ଯାଇନି ଏଥର କାର୍ତ୍ତିକଙ୍କ ଲାଗି ଆଇପିଏଲ । ୭ ମ୍ୟାଚରେ ସେ ସ୍କୋର କରିଛନ୍ତି ମୋଟ ୧୦୮ ରନ୍‌ । ସେଥିରେ ଗୋଟିଏ ମାତ୍ର ଅର୍ଦ୍ଧଶତକ ସାମିଲ ଅଛି । ଏଥର ଆଇପିଏଲରେ ପ୍ରଥମରୁ କାର୍ତ୍ତିକଙ୍କ ଅଧିନାୟକତ୍ୱକୁ ନେଇ ପ୍ରଶ୍ନ ଉଠିଛି । ମ୍ୟାଚ୍‌ ପାଇଁ ୧୧ ଖେଳାଳି ବାଛିବା , ବୋଲିଂରେ ପରିବର୍ତ୍ତନ, ବ୍ୟାଟିଂକ୍ରମ ସ୍ଥିର ଏମିତି ଏକାଧିକ ବିଷୟକୁ ନେଇ କାଠଗଡ଼ାରେ ଥିଲେ କାର୍ତ୍ତିକ । ତେବେ କାର୍ତ୍ତିକ ଶୁକ୍ରବାର ମ୍ୟାଚ ଆଗରୁ ଅଧିନାୟକ ପଦ ଛାଡ଼ୁଥିବାର ବକ୍ତବ୍ୟ ଜାରି କରିଛନ୍ତି ସତ । ହେଲେ ତାଙ୍କୁ ଏପରି କରିବାକୁ ଦଳୀୟ ଚାପ ଥିଲା ବୋଲି ଚର୍ଚ୍ଚା ବି ଜୋର ଅଛି ।
୫ ଭାରତୀୟ
୮ଟି ଦଳକୁ ନେଇ ଖେଳାଯାଉଥିବା ଆଇପିଏଲରେ ଆଉ ଜଣେ ବିଦେଶୀ ଖେଳାଳି କ୍ୟାପଟେନ୍‌ ବନିଛନ୍ତି । କାର୍ତ୍ତିକଙ୍କ ସ୍ଥାନରେ ମୋର୍ଗାନ୍‌ ଦାୟିତ୍ୱ ପାଇବା ଫଳରେ ବିଦେଶୀ ଅଧିନାୟକଙ୍କ ସଂଖ୍ୟା ଏଥର ୩ ହୋଇଛି । ସନରାଇଜର୍ସ ଦଳର ନେତୃତ୍ୱ ଡେଭିଡ୍‌ ୱର୍ଣ୍ଣର କରୁଥିଲା ବେଳେ ତାଙ୍କରି ଦେଶର ଖେଳାଳି ଷ୍ଟିଭ୍‌ ସ୍ମିଥ୍‌ ଅଛନ୍ତି ରାଜସ୍ଥାନ ରୟାଲ୍ସର ଅଧିନାୟକ । ଏବେ ୫ ଭାରତୀୟ ଅଛନ୍ତି କ୍ୟାପଟେନ୍‌ ଭାବରେ । ସେମାନେ ହେଲେ-ରୋହିତ ଶର୍ମା, ମହେନ୍ଦ୍ର ସିଂ ଧୋନୀ, କେଏଲ୍‌ ରାହୁଳ, ଶ୍ରେୟାସ ଆୟାର ଏବଂ ବିରାଟ କୋହଲି ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*