“ମୁଁ ବଞ୍ଚିଥିବା ପର୍ଯ୍ୟନ୍ତ କାଳିଆକୁ କେହି ବନ୍ଦ କରିପାରିବେ ନାହିଁ” ନବୀନ ଅଛନ୍ତି, କାଳିଆ କିନ୍ତୁ ବନ୍ଦ ହେବାକୁ ଯାଉଛି

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ନିର୍ଭୟ ମିଡିଆ : ଭୁବନେଶ୍ୱର

୨୦୧୯ ନିର୍ବାଚନ ସମୟରେ ସୁନ୍ଦରଗଡ଼କୁ ପ୍ରଚାରକୁ ଯାଇଥିବା ବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ କହିଥିଲେ ‘ମୁଁ ବଞ୍ଚôଥିବା ଯାଏଁ କେହି ସରକାରଙ୍କର ଫ୍ଲାଗ୍‌ସିପ୍‌ କାଳିଆ ଯୋଜନାକୁ ବନ୍ଦ କରିପାରିବେ ନାହିଁ ।’
ଏହାର ଦିନକ ପୂର୍ବରୁ ମୁଖ୍ୟମନ୍ତ୍ରୀ ପ୍ରଥମ ଥର ସକାଶେ ଯାଇଥିଲେ ସିଇଓଙ୍କୁ ଭେଟି କାଳିଆ ଯୋଜନା ପାଇଁ କେନ୍ଦ୍ର ଉପରେ ଦୋଷ ଲଦିଥିଲେ । ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟିବା ପରେ ନବୀନ କହିଥିଲେ, ‘ଆପଣ କାଳିଆ ଯୋଜନା ବାବଦରେ ଜାଣିଛନ୍ତି । ଏପର୍ଯ୍ୟନ୍ତ ଏହି ଯୋଜନାରେ ୪୦ଲକ୍ଷ ଚାଷୀ ଉପକୃତ ହୋଇସାରିଲେଣି । ଭାଜପା ଚାହୁଁଛି ଏହି ଯୋଜନା ବନ୍ଦ ହେଇଯାଉ ।’
ଏବେ ବି ମୁଖ୍ୟମନ୍ତ୍ରୀ ଅଛନ୍ତି ନବୀନ ପଟନାୟକ । କିନ୍ତୁ କାଳିଆ ଯୋଜନା ବନ୍ଦ ହେବାକୁ ଯାଉଛି । ଭାଜପା ନୁହେଁ, ବିଜୁ ଜନତା ଦଳ ହିଁ ବନ୍ଦ କରିବା ପାଇଁ ଅଣ୍ଟା ଭିଡ଼ିଛି । କିସ ଦେଖା ନଯାଏ ଜିଇଁଥିଲେ ମହୀରେ!
ଗତ ନିର୍ବାଚନରେ କାଳିଆ ଅସମ୍ଭବ ସଫଳତା ଦେଇଥିଲା ବିଜୁ ଜନତା ଦଳକୁ । ଯୋଗ୍ୟ ଅଯୋଗ୍ୟକୁ ମିଶାଇ ପ୍ରଥମ କିସ୍ତିରେ ୫ହଜାର ଟଙ୍କା ବାଣ୍ଟି ଦେଇଥିଲେ ସରକାର । ବଜେଟ୍‌ ବ୍ୟବସ୍ଥା ନଥାଇ ଆକସ୍ମିକ ପାଣ୍ଠିରୁ ଟଙ୍କା ଉଠାଇ ନେଇ ପାଣି ପରି ଉଡ଼େଇ ଦେଇଥିଲେ । କାଳିଆ ନିଶାରେ ନିୟନ୍ତ୍ରଣ ବଜାର କମିଟିଗୁଡ଼ିକୁ ମଧ୍ୟ ଦେବାଳିଆ କରିଦେଇଥିଲେ ସରକାର ।
କେନ୍ଦ୍ର ସରକାର ମଧ୍ୟ ଭୋଟରଙ୍କୁ ଆଖିରେ ରଖି ବଜେଟ୍‌ ବ୍ୟବସ୍ଥା ସହ ପିଏମ୍‌ କିଷାନ ନିଧି ଯୋଜନା ଆରମ୍ଭ କରିଥିଲେ । ଦୁଇ କିସ୍ତିରେ ୬ହଜାର ଟଙ୍କା ନିରୁତା ଚାଷୀମାନଙ୍କୁ ଦେବାଲାଗି ଏହି ଯୋଜନାରେ ବ୍ୟବସ୍ଥା ଥିଲା । କିନ୍ତୁ ନବୀନ ସରକାର ଓଡ଼ିଶାରେ ଏହାକୁ କାର୍ଯ୍ୟକାରୀ କରାଇ ଦେଲେ ନାହିଁ । ଓଲଟି କାଳିଆ ସର୍ବୋତ୍ତମ ଯୋଜନା ବୋଲି କହିଚାଲିଲେ । ଫଳସ୍ୱରୂପ ଓଡ଼ିଶାର ଚାଷୀ ଏହି କେନ୍ଦ୍ରୀୟ ଯୋଜନାର ଲାଭ ପାଇଲେ ନାହିଁ ।
ଏପ୍ରିଲ ମାସରେ ନବୀନ ପଟନାୟକ କହିଥିଲେ ଯେ, ୪୦ଲକ୍ଷ ଚାଷୀ କାଳିଆ ଟଙ୍କା ପାଉଛନ୍ତି । ସରକାର ବନିବା ପରେ କୁହାଗଲା ଯେ, ୫୧ଲକ୍ଷ ୫ହଜାର ୨୯ ଜଣ ଚାଷୀ କାଳିଆ ଯୋଜନାର ଉପଭୋକ୍ତା । ହଠାତ ଏହି ସଂଖ୍ୟା କେମିତି ଓ କାହିଁକି ବଢ଼ିଗଲା, ତାହା ମଧ୍ୟ ଏକ ବିତର୍କର ବିଷୟ । ତେବେ କେନ୍ଦ୍ର ସରକାର ଚାଷୀ ତାଲିକା ମାଗିବା ଆରମ୍ଭ କରିବାରୁ କାଳିଆ ତାଲିକାରୁ ଅଯୋଗ୍ୟଙ୍କୁ ବାଦ୍‌ ଦେବାକୁ ଲାଗିପଡ଼ିଲେ ସରକାର ।
ଗତ ସେପ୍ଟେମ୍ବର ମାସରେ ସରକାରଙ୍କ ପକ୍ଷରୁ କୁହାଯାଇଥିଲା ଯେ, ୩ଲକ୍ଷ ୪୧ହଜାର ଅଯୋଗ୍ୟ ଯାଞ୍ଚ ବେଳେ ଧରାପଡ଼ିଛନ୍ତି । କିନ୍ତୁ ବିଧାନସଭା ବେଳେ ଏହି ସଂଖ୍ୟାରୁ ମଧ୍ୟ ଓହରି ଯାଇଥିଲେ ସରକାର । ଏହାକୁ ୪୫ହଜାରକୁ ଖସାଇ ଆଣିଥିଲେ । ନବୀନ ସରକାରଙ୍କ କାଳିଆ ଯୋଜନା ଅତ୍ୟନ୍ତ ବିବାଦୀୟ ଏବଂ ଏଥିରେ ବ୍ୟାପକ ଅର୍ଥ ହେର୍‌ଫେର୍‌ ହୋଇଛି । କାଗ୍‌ ମଧ୍ୟ କାଳିଆ ଲାଭାର୍ଥୀ ଓ ବିନିଯୁକ୍ତ ଅର୍ଥର ଯାଞ୍ଚ କରୁଛନ୍ତି । ସରକାର ମଧ୍ୟ ଏପର୍ଯ୍ୟନ୍ତ ପୂର୍ଣ୍ଣାଙ୍ଗ କାଳିଆ ଲାଭାର୍ଥୀ ତାଲିକା ପ୍ରକାଶ କରିନାହାନ୍ତି । ଏଭଳି ସ୍ଥିତିରେ କେନ୍ଦ୍ରର ପିଏମ୍‌ କିଷାନ ନିଧି ଯୋଜନା ସହ କାଳିଆକୁ ମିଶାଇ ଦେବା ପାଇଁ ନବୀନ ସରକାର ନିଷ୍ପତ୍ତି ନେବାକୁ ଯାଉଛନ୍ତି ।
କାଳିଆର ପ୍ରଥମ କିସ୍ତିରେ ୫୧ଲକ୍ଷ ଚାଷୀ ଓ ଅଚାଷୀ ୨୫୫୨ କୋଟି ଟଙ୍କା ପାଇଥିଲେ । ଦ୍ୱିତୀୟ କିସ୍ତି ଟଙ୍କା ନଭେମ୍ବରରେ ମିଳିବ ବୋଲି କହିଥିଲେ ସରକାର । କିନ୍ତୁ ୧୦ଲକ୍ଷ ଚାଷୀଙ୍କୁ ୫ହଜାର ଟଙ୍କା ଲେଖାଏଁ ମିଳିଛି । ଅନ୍ୟ ଚାଷୀମାନେ ଜଳକା ହୋଇ ଅନେଇ ବସିଥିବା ବେଳେ ଏଣେ ସରକାର କିଷାନ ନିଧି ଯୋଜନାରେ ଏହାକୁ ମିଶାଇ ଏକ ସୁନ୍ଦର ଝଟ୍‌କା ଦେବାକୁ ବସିଛନ୍ତି । ଏହା ଏକ ବୃହତ ପ୍ରତାରଣା ଛଡ଼ା କିଛି ନୁହେଁ ।
ଆରମ୍ଭରୁ ପିଏମ୍‌ କିଷାନ ନିଧି ଯୋଜନା ଲାଗୁ କରାଯାଇଥିଲେ ଓଡ଼ିଶାର ଚାଷୀମାନେ ୧୬ହଜାର ଟଙ୍କା ଲେଖାଏଁ କେନ୍ଦ୍ର ଓ ରାଜ୍ୟରୁ ପାଇଥାନ୍ତେ । ମାତ୍ର ଏବେ କେନ୍ଦ୍ରର ୬ହଜାର ଟଙ୍କା ସହ ରାଜ୍ୟ ନିଜଆଡ଼ୁ ଆଉ ୪ହଜାର ଟଙ୍କା ମିଶାଇ ୧୦ ହଜାର ଟଙ୍କା ଦେବେ । ତେବେ ଏଥିରେ କିଛି ଜଟିଳ ପ୍ରଶ୍ନ ସାମ୍ନାକୁ ଆସିବ ।
ଆଉ କାଳିଆ ଯୋଜନା ରହିବ ନାହିଁ । ଯେଉଁମାନେ କେନ୍ଦ୍ରୀୟ ତାଲିକାରେ କିଷାନ୍‌ ନିଧି ଟଙ୍କା ପାଇବେ ସେମାନଙ୍କୁ ରାଜ୍ୟ ୪ହଜାର ଟଙ୍କା ଦେବେ ନା ନିଜର ଯୋଗ୍ୟ ଅଯୋଗ୍ୟଙ୍କୁ ୪ହଜାର ଟଙ୍କା କାଳିଆ ନାମରେ ଦେବେ, ତାହା ମଧ୍ୟ ସ୍ପଷ୍ଟ ନୁହେଁ । ନିଜ ଯୋଜନା ସର୍ବୋତ୍ତମ ବୋଲି କହୁଥିବା ସରକାର ଏବେ କି ସଫେଇ ଦେବେ?
କାଳିଆରେ ଭୂମିହୀନ ଚାଷୀଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇପାରେ । ଏଥିରେ ପ୍ରାୟ ୧୫ ଲକ୍ଷ ଚାଷୀ ପୂର୍ବଭଳି ବର୍ଷକୁ ୧୨ହଜାର ୫୦୦ ଟଙ୍କା ପାଇବେ ।
କିନ୍ତୁ ପ୍ରଶ୍ନ ହେଉଛି, ଏତେ ଟାଣପଣ ଦେଖାଉଥିବା ନବୀନ ପଟନାୟକ ମୁଖ୍ୟମନ୍ତ୍ରୀ ଥାଉଥାଉ କିଷାନ ପାଖରେ କାଳିଆର ଆତ୍ମସମର୍ପଣ ସକାଶେ ରାଜି ହୋଇଗଲେ କାହିଁକି? ଦୁଇଟି କାରଣ ହୋଇଥାଇପାରେ । ଅଣ୍ଟାରେ ନଥାଇ ଧନ, ପୁଅ ବାହାଘରେ ମନ- ସେହି ଲାଇନରେ ଯିବାକୁ ଚାହୁଁ ନାହାନ୍ତି ନବୀନ । ଦ୍ୱିତୀୟଟି ହୋଇପାରେ- ରାତ୍‌ ଗୟୀ-ବାତ୍‌ ଗୟୀ । ନିର୍ବାଚନରେ ଯେତିକି ଫାଇଦା ମିଳିବା କଥା ମିଳିସାରିଛି କାଳିଆ ଯୋଗୁଁ । ଏବେ କାଳିଆର ଅପମୃତୁ୍ୟର ବେଳ ଆସିଛି ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*