ମହା ଟୁଇଷ୍ଟ : ୮୦ ଘଣ୍ଟାରେ ଭାଜପା ସ୍ୱପ୍ନ ଶେଷ ଗୁରୁବାର ମୁଖ୍ୟମନ୍ତ୍ରୀ ଭାବେ ଉଦ୍ଧବ ନେବେ ଶପଥ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ମୁମ୍ବାଇ

ମହାରାଷ୍ଟ୍ରର ମହାନାଟକ ଦେବେନ୍ଦ୍ର ଫଡ୍‌ନାଭିସ୍‌ଙ୍କ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବା ସହ ମଙ୍ଗଳବାର ଶେଷ ହୋଇଛି । ମଙ୍ଗଳବାର ସକାଳେ ସୁପ୍ରିମ୍‌କୋର୍ଟ ଫଡ୍‌ନାଭିସ୍‌ ସରକାରକୁ ଅଧିକ ସମୟ ନ ଦେଇ ବୁଧବାର ସନ୍ଧ୍ୟା ୫ଟା ସୁଦ୍ଧା ପ୍ରୋଟେମ୍‌ ସ୍ପିକରଙ୍କ ତତ୍ତ୍ୱାବଧାନରେ ବହୁମତ ପରୀକ୍ଷା ଦେବାକୁ ନିଦେ୍ର୍ଦଶ ଦେବା ପରେ ପରେ ଦ୍ରୁତଗତିରେ ରାଜନୈତିକ ଘଟଣାକ୍ରମ ଆରମ୍ଭ ହୋଇଯାଇଥିଲା । ବହୁମତ ଆମ ପାଖରେ ଅଛି ବୋଲି ଗତ ଦୁଇଦିନ ଧରି ଦମ୍ଭ ଦେଖାଉଥିବା ଭାଜପା ବ୍ୟାକ୍‌ଫୁଟ୍‌ରେ ଆସିଯାଇଥିଲା । ଆଉ ଉପମୁଖ୍ୟମନ୍ତ୍ରୀ ବନିଥିବା ରାକପାର ଅଜିତ୍‌ ପାୱାର ଇସ୍ତଫା ଦେଇଦେବା ପରେ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ୍‌ନାଭିସ୍‌ଙ୍କ ଲାଗି ଆଉ ଚାରା ନଥିଲା । ବଡ଼ ଅସହାୟ ସ୍ଥିତିରେ ପଡ଼ିଯାଇଥିଲା ଭାଜପା । ମାତ୍ର ୮୦ ଘଣ୍ଟା ସକାଶେ ମୁଖ୍ୟମନ୍ତ୍ରୀ ପଦରେ ରହିବା ପରେ ବହୁମତ ଯୋଗାଡ଼ ନକରିବା ନିଶ୍ଚିତ ହୋଇଯିବା ପରେ ବିଧାନସଭାରେ ବହୁମତ ସାବ୍ୟସ୍ତ କରିବା ପୂର୍ବରୁ ପଛଘୁଞ୍ଚା ଦେଇ ଦେବେନ୍ଦ୍ର ଫଡ୍‌ନାଭିସ୍‌ ପ୍ରଦାନ କରିଥିଲେ ଇସ୍ତଫା । ଫଳରେ ଶନିବାର ସକାଳୁ ମହାରାଷ୍ଟ୍ର ସହ ପୂରା ଜାତୀୟ ରାଜନୀତିରେ ଯେଉଁ ହଟଚମଟ ସୃଷ୍ଟି ହୋଇଥିଲା ତାହାର ପରିସମାପ୍ତି ହେଲା ବୋଲି ମନେହେଉଛି । ଶିବସେନା ନେତୃତ୍ୱରେ ରାକପା ଓ କଂଗ୍ରେସ ସହ ମିଳିତ ତ୍ରି-ଦଳୀୟ ସରକାର ଶାସନଭାର ନେବାର ବାଟ ଫିଟିଯାଇଛି । ଶିବସେନା ସୁପ୍ରିମୋ ଉଦ୍ଧବ ଥାକ୍‌ରେଙ୍କ ନେତୃତ୍ୱରେ ମେଣ୍ଟ ସରକାର ଗଢ଼ାଯିବାକୁ ଯାଉଛି । ମେଣ୍ଟର ମୁଖିଆ ଭାବେ ମଙ୍ଗଳବାର ରାତିରେ ଉଦ୍ଧବ ଥାକ୍‌ରେଙ୍କୁ ମନୋନୀତ କରାଯାଇଛି ଆନୁଷ୍ଠାନିକ ଭାବରେ । ଉଦ୍ଧବ ଥାକ୍‌ରେଙ୍କ ନେତୃତ୍ୱରେ ୩ଦଳର ଛାମୁଆ ନେତାମାନେ ମଙ୍ଗଳବାର ଡେରି ରାତିରେ ରାଜଭବନକୁ ଯାଇ ରାଜ୍ୟପାଳ କୋଶିୟାରୀଙ୍କୁ ସାକ୍ଷାତ କରି ସରକାର ଗଠନର ଦାବିପତ୍ର ପ୍ରଦାନ କରିଛନ୍ତି । ତିନି ଦଳର ଯୁଗ୍ମ ବୟାନ ସହ ସମର୍ଥନ ଦେଉଥିବା ତିନି ଦଳର ସବୁ ବିଧାୟକମାନଙ୍କର ସୂଚୀ ମଧ୍ୟ ରାଜ୍ୟପାଳଙ୍କୁ ସେମାନେ ପ୍ରଦାନ କରିଛନ୍ତି । ଏହି ରିପୋର୍ଟ ଲେଖାଗଲା ବେଳକୁ ମିଳିଥିବା ସୂଚନା ଅନୁସାରେ ଆସନ୍ତା ଗୁରୁବାର, ୨୮ ତାରିଖ ସନ୍ଧ୍ୟା ସାଢ଼େ୫ଟାରେ ସ୍ଥାନୀୟ ଶିବାଜୀ ପାର୍କରେ ମହାରାଷ୍ଟ୍ର ମନ୍ତ୍ରିମନ୍ଦଳର ଶପଥ ଗ୍ରହଣ ଉତ୍ସବ ଅନୁଷ୍ଠିତ ହେବ । ଉଦ୍ଧବଙ୍କ ସହ ସଂଖ୍ୟାଧିକ କ୍ୟାବିନେଟ୍‌ ମନ୍ତ୍ରୀ ସେଦିନ ଶପଥ ନେବେ ବୋଲି ଜଣାପଡ଼ିଛି । ଦେବେନ୍ଦ୍ର ଇସ୍ତଫା ଦେବା ଖବର ଆସିବା ପରେ ମେଣ୍ଟ ସରକାର ଗଠନର ଧାରା ଆରମ୍ଭ ହୋଇଥିଲା । ହୋଟେଲ୍‌ ଟ୍ରାଇଡେଣ୍ଟଠାରେ ମେଣ୍ଟର ନେତା ନିର୍ବାଚନ ସକାଶେ ଅନୁଷ୍ଠିତ ହୋଇଥିଲା ବିଶେଷ ବୈଠକ । ଯେଉଁଥିରେ ଶିବସେନା, କଂଗ୍ରେସ ଏବଂ ରାଷ୍ଟ୍ରବାଦୀ କଂଗ୍ରେସର ବିଧାୟକମାନେ ଉପସ୍ଥିତ ଥିଲେ ସେହି ବୈଠକରେ ଉଦ୍ଧବଙ୍କୁ ମହାବିକାଶ ଅଗାଡ଼ି ମେଣ୍ଟର ନେତା ଭାବରେ ବାଛିବା ପାଇଁ ପ୍ରସ୍ତାବ ଆଗତ କରିଥିଲେ ଶିବସେନା ନେତା ଏକନାଥ ସିନେ୍ଦ । ଏହାକୁ ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟିର ନବାବ ମଲିକ ଏବଂ କଂଗ୍ରେସର ନୀତିନ ରାଉତ ସମର୍ଥନ କରିଥିଲେ । ଉପସ୍ଥିତ ଥିବା ସମସ୍ତ ବିଧାୟକ ହର୍ଷଧ୍ୱନି ସହ ହାତ ଉପରକୁ ଉଠାଇ ପ୍ରସ୍ତାବ ପ୍ରତି ନିଜ ସମର୍ଥନ ପ୍ରଦାନ କରିଥିଲେ । ଅନ୍ୟ ଏକ ସୂଚନା ଅନୁସାରେ ରାକପା ବିଧାୟକ ଦଳର ନେତା ଜୟନ୍ତ ପାଟିଲ ମହାରାଷ୍ଟ୍ରର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ଭାବରେ ଉଦ୍ଧବ ଥାକ୍‌ରେଙ୍କ ନାଁ ବୈଠକରେ ପ୍ରସ୍ତାବ ଆକାର ରଖିଥିଲେ । ଯାହାକୁ କଂଗ୍ରେସର ବରିଷ୍ଠ ନେତା ବାଲାସାହେବ ଥୋରାଟ ସମର୍ଥନ କରି ଉଦ୍ଧବଙ୍କ ନାଁରେ ଲଗାଇଥିଲେ ମୋହର । ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟିର ବିଧାୟକ ଦଳ ନେତା ଜୟନ୍ତ ପାଟିଲ କହିଥିଲେ ଆମେ ସମସ୍ତେ ସମସ୍ୱରରେ ଉଦ୍ଧବ ଥାକ୍‌ରେଙ୍କୁ ମୁଖ୍ୟମନ୍ତ୍ରୀ ଭାବେ ମନୋନୀତ କରିଥିଲୁ । ସରକାର ଗଠନ ଏବଂ କାର୍ଯ୍ୟଧାରା ଆଗକୁ ବଢ଼ାଇବା ସକାଶେ ମହାବିକାଶ ଅଗାଡ଼ି ମେଣ୍ଟର ଏକ ସମନ୍ୱୟ କମିଟି ଖୁବ୍‌ଶୀଘ୍ର ଗଠିତ ହେବ ବୋଲି ଶିବସେନା ନେତା ଅନିଲ ଦେଶାଇ ସେହି ବୈଠକରେ ଘୋଷଣା କରିଥିଲେ । ଯେଉଁ ସୂଚନା ହସ୍ତଗତ ହୋଇଛି ତା’ ଅନୁସାରେ ଉଦ୍ଧବ ମୁଖ୍ୟମନ୍ତ୍ରୀ ବନିବେ ଏବଂ କଂଗ୍ରେସର ବାଲାସାହେବ ଥୋରାଟ ଏବଂ ରାକପାର ଜୟନ୍ତ ପାଟିଲ ଉପମୁଖ୍ୟମନ୍ତ୍ରୀ ଭାବେ ୨୮ରେ ଶପଥ ନେବେ । ତିନି ଦଳର ବିଧାୟକମାନଙ୍କ ବୈଠକରେ ନେତା ନିର୍ବାଚିତ ହେବା ପରେ ଶିବସେନା ସୁପ୍ରିମୋ ଉଦ୍ଧବ ଥାକ୍‌ରେ ଶରଦ ପାୱାରଙ୍କ ସହ କଂଗ୍ରେସ ସଭାନେତ୍ରୀ ସୋନିଆ ଗାନ୍ଧୀଙ୍କୁ ଧନ୍ୟବାଦ ଦେଇଥିଲେ । ଯେଉଁମାନେ ଆମ ସହ ୩୦ ବର୍ଷ ବନ୍ଧୁତା କରିଥିଲେ ସେମାନେ ଆମକୁ ବିଶ୍ୱାସ କଲେ ନାହିଁ । ହେଲେ ଯେଉଁମାନେ ଆମ ବିରୋଧରେ ୩୦ ବର୍ଷ ଲଢ଼ିଥିଲେ ଶେଷରେ ସେମାନେ ଆମକୁ ବିଶ୍ୱାସ କଲେ ବୋଲି ଉଦ୍ଧବ କହିଥିଲେ ।
ଅଜିତ୍‌ଙ୍କ ଘରବାହୁଡ଼ା
ଶନିବାର ଦେବେନ୍ଦ୍ର ଫଡ୍‌ନାଭିସ୍‌ଙ୍କ ସହ ଶପଥ ନେଇ ଅଜିତ୍‌ ପାୱାର କେବଳ ରାକପା ନୁହେଁ ପାୱାର ପରିବାରରେ ବଡ଼ ବିସ୍ଫୋରଣ ଘଟାଇଥିଲେ । ପରିବାର ଏବଂ ଦଳ ଭାଗ ହୋଇଗଲା ବୋଲି କୁହାଯାଇଥିଲା । ବହୁ ବିଧାୟକଙ୍କ ସମର୍ଥନ ତାଙ୍କ ପାଖରେ ଅଛି ବୋଲି ଉପ-ମୁଖ୍ୟମନ୍ତ୍ରୀ ବନିବା ପରଠାରୁ ଅଜିତ୍‌ ଦାବି କରିଆସୁଥିଲେ ମଧ୍ୟ ଶେଷରେ ତାହା ଭୁଲ୍‌ ଥିଲା ବୋଲି ପ୍ରମାଣିତ ହୋଇଥିଲା । ଶେଷରେ ମଙ୍ଗଳବାର ଦିନ ଅଜିତ୍‌ ଉପ-ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ । ଦଳ ଓ ପରିବାରରେ ଫାଟ ସୃଷ୍ଟି କରିଥିଲେ ମଧ୍ୟ ଅଜିତ୍‌ ପାୱାରଙ୍କୁ ଦଳରୁ ବିଦା କରାଯାଇନଥିଲା । ଶେଷରେ ମଙ୍ଗଳବାର ରାତିରେ ଦାଦା ଶରଦ ପାୱାରଙ୍କ ଘରେ ପହଞ୍ଚି ଅଜିତ୍‌ ତାଙ୍କ ସହ କଥା ହେବା ପରେ ତାଙ୍କର ଘରକୁ ପ୍ରତ୍ୟାବର୍ତ୍ତନ ଘଟିଛି ବୋଲି ଧରାଯାଇଛି । ନିଜ ବଡ଼ଭାଇ ଶ୍ରୀନିବାସ ପାୱାରଙ୍କ ଘରୁ ରାତିରେ ବାହାରି ଅଜିତ୍‌ ଶରଦଙ୍କ ସିଲଭର ଓକ୍‌ ବାସଭବନରେ ପହଞ୍ଚିଥିଲେ । ସେଠାରେ ଶରଦଙ୍କ ବ୍ୟତୀତ ଝିଅ ସୁପ୍ରିୟା ସୁଲେ ଓ ପରିବାରର ଅନ୍ୟ ସଦସ୍ୟମାନେ ଉପସ୍ଥିତ ଥିଲେ । ଏବେ ଦେଖିବାର କଥା ଉଦ୍ଧବ ମନ୍ତ୍ରିମନ୍ଦଳରେ ଅଜିତ୍‌ଙ୍କୁ କୌଣସି ପଦବୀ ମିଳୁଛି ନା ନାହିଁ ।
ଫ୍ଲୋର ଟେଷ୍ଟ ହେବନି
ମହାରାଷ୍ଟ୍ର ରାଜନୀତିରେ ସରକାର ଗଠନକୁ ନେଇ ଜାରି ଘମାସନ ମଧ୍ୟରେ ମଙ୍ଗଳବାର ସମସ୍ତଙ୍କ ନଜର ରହିଥିଲା ସୁପ୍ରିମକୋର୍ଟଙ୍କ ରାୟ ଉପରେ । ଆଉ ପ୍ରାୟ ସକାଳ ୧୦.୪୫ ମିନିଟ୍‌ ସମୟରେ ସୁପ୍ରିମକୋର୍ଟ ରାକପା-କଂଗ୍ରେସ-ଶିବସେନା କରିଥିବା ଆବେଦନ ଉପରେ ରାୟ ଶୁଣାଇଥିଲେ । କୋର୍ଟ ବୁଧବାର ତଥା ନଭେମ୍ବର ୨୭ ତାରିଖ ସଂଧ୍ୟାରେ ନବଗଠିତ ଫଡନଭିସ୍‌ ସରକାରଙ୍କୁ ବହୁମତ ସାବ୍ୟସ୍ତ କରିବାକୁ ନିଦେ୍ର୍ଦଶ ଦେଇଥିଲେ । ଏହା ପୂର୍ବରୁ ସଂଧ୍ୟା ୫ଟା ସୁଦ୍ଧା ସବୁ ବିଧାୟକଙ୍କ ଶପଥଗ୍ରହଣ ପ୍ରକ୍ରିୟା ଶେଷ କରିବାକୁ କହିଥିଲେ ଜଷ୍ଟିସ୍‌ ଏନଭି ରମଣ, ଜଷ୍ଟିସ୍‌ ଅଶୋକ ଭୂଷଣ ଏବଂ ଜଷ୍ଟିସ୍‌ ସଞ୍ଜୀବ ଖାନ୍ନାଙ୍କୁ ନେଇ ଗଠିତ ଖନ୍ଦପୀଠ । ସେହିପରି ପ୍ରୋଟେମ ସ୍ପିକରଙ୍କ ଦ୍ୱାରା ଫ୍ଲୋର୍‌ ଟେଷ୍ଟ ଓପନ୍‌ ବାଲଟ ଦ୍ୱାରା କରାଯିବାକୁ ମଧ୍ୟ ସୁପ୍ରିମକୋର୍ଟ କହିଥିଲେ । କ୍ରସ୍‌ ଭୋଟିଂ ଭୟରେ ଆବେଦନକାରୀ ରାକପା-ଶିବସେନା-କଂଗ୍ରେସ ଫ୍ଲୋର୍‌ ଟେଷ୍ଟ ଓପନ୍‌ ବାଲଟରେ କରାଯାଉ ବୋଲି ଚାହୁଁଥିଲେ । ୨୮୭ ଜଣ ବିଧାୟକଙ୍କ ଶପଥ ଗ୍ରହଣ ଏବଂ ଫ୍ଲୋର ଟେଷ୍ଟ ପ୍ରକ୍ରିୟାର ଲାଇଭ୍‌ ଟେଲିକାଷ୍ଟ କରାଯିବାକୁ ସୁପ୍ରିମକୋର୍ଟ କହିଥିଲେ । ହେଲେ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ୍‌ଙ୍କ ଇସ୍ତଫା ପରେ ଏହି ଫ୍ଲୋର୍‌ ଟେଷ୍ଟ ଆଉ ହେବ ନାହିଁ ବୋଲି ଜଣାପଡିଛି ।
ଏହା ପୂର୍ବରୁ ସୋମବାର ସୁପ୍ରିମକୋର୍ଟ ନିକଟରେ ସଲିସିଟର ଜେନେରାଲ ତୁଷାର ମେହେଟା କୋର୍ଟ ମାଗିଥିବା ୨ଟି ଚିଠି ଦାଖଲ କରିଥିଲେ । କୋର୍ଟ ଉଭୟ ପକ୍ଷର ଯୁକ୍ତିତର୍କ ଶୁଣିବା ପରେ ମାମଲାର ରାୟକୁ ମଙ୍ଗଳବାରକୁ ସଂରକ୍ଷିତ ରଖିଥିଲେ । ଦେବେନ୍ଦ୍ର ଫଡନାଭିସ୍‌ଙ୍କୁ ମୁଖ୍ୟମନ୍ତ୍ରୀ ଏବଂ ଅଜିତ୍‌ ପାୱାରଙ୍କୁ ଉପ-ମୁଖ୍ୟମନ୍ତ୍ରୀଭାବେ ଶପଥ ଗ୍ରହଣ କରାଇଥିବା ରାଜ୍ୟପାଳ ଭଗତ ସିଂହ କୋଶିୟାରୀଙ୍କ ନିଷ୍ପତ୍ତିକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିଥିଲେ ରାକପା-ଶିବସେନା-କଂଗ୍ରେସ । ଅଜିତ୍‌ ପାୱାରଙ୍କ ଭୁଲ ତଥ୍ୟ ଆଧାରରେ ରାଜ୍ୟପାଳ ଏହି ନିଷ୍ପତ୍ତି ନେଇଛନ୍ତି ବୋଲି ୩ ଦଳ ଅଭିଯୋଗ କରିଥିଲେ । ଏହାପରେ ୩ ଦିନ ସେମାନଙ୍କ ପାଖରେ ସରକାର ଗଡନ ନେଇ ବହୁମତ ଥିବା ଦର୍ଶାଇବାକୁ ମୁମ୍ବାଇର ହୟାତ୍‌ ହୋଟେଲରେ ୧୬୨ ଜଣ ବିଧାୟକଙ୍କ ପରେଡ କରିଥିଲେ । ଏଥିରେ ୩ ଦଳର ବିଧାୟକମାନେ ନିଜ ଦଳର ମୁଖିଆଙ୍କ ନାମରେ ଏଜୁଟ ହୋଇ ରହିବାର ଶପଥ କରିଥିଲେ । ଏହା କର୍ଣ୍ଣାଟକ ରାଜନୀତିକୁ ଏକ ନୂଆ ମୋଡ ଦେଇଥିଲା ।
ପ୍ରୋଟେମ ସ୍ପିକର
ମଙ୍ଗଳବାର ସୁପ୍ରିମକୋର୍ଟ ମହାରାଷ୍ଟ୍ର ରାଜ୍ୟପାଳଙ୍କୁ ପ୍ରୋଟେମ ସ୍ପିକର ନିଯୁକ୍ତ କରି ବିଧାୟକଙ୍କ ଶପଥ ଗ୍ରହଣ ପ୍ରକ୍ରିୟା, ଫ୍ଲୋର ଟେଷ୍ଟ ସଂପାଦନ କରିବା ପ୍ରକ୍ରିୟା ସୁନିଶ୍ଚିତ କରିବାକୁ ନିଦେ୍ର୍ଦଶ ଦେଇଥିଲେ । ଏହାପରେ ରାଜ୍ୟପାଳ ଭଗତ ସିଂହ କୋଶିୟାରୀ ଭାଜପାର ବିଧାୟକ କାଳିଦାସ କୋଲମ୍ବକରଙ୍କୁ ବିଧାନସଭାର ପ୍ରୋଟେମ୍‌ ସ୍ପିକରଭାବେ ନିଯୁକ୍ତ କରିଛନ୍ତି । କାଳିଦାସ କୋଲମ୍ବକର ରାଜଭବନରେ ପହଞ୍ଚô ରାଜ୍ୟପାଳଙ୍କ ଦ୍ୱାରା ପଦ ଏବଂ ଗୋପନୀୟତାର ଶପଥ ନେଇଥିଲେ ।
ସ୍ୱତନ୍ତ୍ର ଅଧିବେଶନ
ମହାରାଷ୍ଟ୍ରର ପ୍ରୋଟେମ ସ୍ପିକର କାଳିଦାସ କୋଲମ୍ବକର ବୁଧବାର ବିଧାନସଭା ବିଶେଷ ଅଧିବେଶନ ଡକାଇଛନ୍ତି । ସକାଳ ୮ଟା ବେଳେ ଏହି ଅଧିବେଶନ ଅନୁଷ୍ଠିତ ହେବ । ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ୍‌ଙ୍କ ଇସ୍ତଫା ପରେ ମହାରାଷ୍ଟ୍ରରେ ରାକପା-ଶିବସେନା-କଂଗ୍ରେସ ଗଠବନ୍ଧନ ସରକାର ଗଢିବାର ରାସ୍ତା ସଫା ହୋଇଯାଇଛି । ଆଜି ସୁପ୍ରିମକୋର୍ଟ ମଧ୍ୟ ରାଜ୍ୟପାଳ କୋଶିୟାରୀଙ୍କୁ ବୁଧବାର ସଂଧ୍ୟା ୫ଟା ସୁଦ୍ଧା ସମସ୍ତ ବିଧାୟକଙ୍କ ଶପଥ ଗ୍ରହଣ ଏବଂ ଶକ୍ତି ପ୍ରଦର୍ଶନ ପ୍ରକ୍ରିୟା ଶେଷ କରିବା ନିଦେ୍ର୍ଦଶ ଦେଇଛନ୍ତି । ତେଣୁ ଏହାକୁ କାର୍ଯ୍ୟକାରୀ କରିବା ସକାଶେ ରାଜ୍ୟପାଳ ପୋଟେମ ସ୍ପିକରଙ୍କୁ ନିଯୁକ୍ତ କରିଥିଲେ ।
୮୦ ଘଣ୍ଟାର ମୁଖ୍ୟମନ୍ତ୍ରୀ
ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ୍‌ ମଙ୍ଗଳବାର ପଦରୁ ଇସ୍ତଫା ଦେଇଛନ୍ତି । ସେ ଶନିବାର ସକାଳ ୭.୩୦ ସମୟରେ ରାଜ୍ୟର ୨୮ତମ ମୁଖ୍ୟମନ୍ତ୍ରୀଭାବେ ଶପଥ ଗ୍ରହଣ କରିଥିଲେ । ଫଡନାଭିସ୍‌ଙ୍କ କାର୍ଯ୍ୟକାଳ ମାତ୍ର ୮୦ ଘଣ୍ଟାର ଥିଲା । ଶପଥ ଗ୍ରହଣ କରିବାର ଚତୁର୍ଥ ଦିନରେ ହିଁ ସେ ଇସ୍ତଫା ଦେଇଦେଇଛନ୍ତି । ଅବଶ୍ୟ ୫ ବର୍ଷ କାର୍ଯ୍ୟକାଳ ପୂରଣ କରିବାରେ ସେ ହେଉଛନ୍ତି ମହାରାଷ୍ଟ୍ରର ଦ୍ୱିତୀୟ ମୁଖ୍ୟମନ୍ତ୍ରୀ । ଏହା ପୂର୍ବରୁ ମହାରାଷ୍ଟ୍ରରେ ସବୁଠୁ କମ୍‌ ସମୟ ମୁଖ୍ୟମନ୍ତ୍ରୀ ପଦରେ ରହିଥିବା ନେତା ଥିଲେ କଂଗ୍ରେସର ପିକେ ସାୱନ୍ତ । ସେ ରାଜ୍ୟରେ ୯ ଦିନ ମୁଖ୍ୟମନ୍ତ୍ରୀଭାବେ କାର୍ଯ୍ୟ କରିଥିଲେ । ମହାରାଷ୍ଟ୍ରରେ ସବୁଠାରୁ କମ୍‌ ସମୟ ମୁଖ୍ୟମନ୍ତ୍ରୀ ହୋଇଥିବା ତୃତୀୟ ନେତା ହେଲେ କଂଗ୍ରେସର ଶିବାଜୀ ରାଓ ପାଟିଲ୍‌ । ସେ ୨୭୬ ଦିନ ମୁଖ୍ୟମନ୍ତ୍ରୀ ପଦ ସମ୍ଭାଳିଥିଲେ ।
ପରିବାରର ଚାପରେ
ମହାରାଷ୍ଟ୍ରରେ ଶରଦ ପାୱାରଙ୍କ ପୁତୁରା ଅଜିତ୍‌ ପାୱାର ନିଜ ଦାଦାଙ୍କଠାରୁ ଅଲଗା ହୋଇ ଭାଜପାକୁ ସମର୍ଥନ କରିଥିଲେ ଏବଂ ରାଜ୍ୟର ଉପ-ମୁଖ୍ୟମନ୍ତ୍ରୀ ବନିଥିଲେ । ହେଲେ ଏହା ପରଠାରୁ ଦଳ ସମେତ ପରିବାର ଲୋମେ ତାଙ୍କ ଉପରେ ଚାପ ପକାଇବା ଆରମ୍ଭ କରିଦେଇଥିଲେ । ପରିବାରର ଲଗାତାର ଚାପ ଏବଂ ମହାରାଷ୍ଟ୍ରର ରାଜନୈତିକ ପରିସ୍ଥିତିକୁ ଦୃଷ୍ଟିରେ ରଖି ଅଜିତ୍‌ ଶେଷରେ ମଙ୍ଗଳବାର ପଦରୁ ଇସ୍ତଫା ଦେଇଥିବା ଜଣାପଡିଛି ।
ବିଧାନସଭା ନିର୍ବାଚନର ଠିକ୍‌ ପୂର୍ବରୁ ଶରଦ ପାୱାରଙ୍କୁ ଇଡି ନୋଟିସ୍‌ ମିଳିଥିଲା । ସେତେବେଳେ ମଧ୍ୟ ଅଜିତ୍‌ ପାୱାର ବିଧାୟକ ପଦରୁ ଇସ୍ତଫା ଦେଇଥିଲେ । ଏହାପରେ ସେ ନିଜ ପୁଅ ପାର୍ଥ ପାୱାରଙ୍କୁ କହିଥିଲେ-ଚାଷବାସ କର, ରାଜନୀତିରେ ବେଶୀ ଫାଇଦା ନାହିଁ । ଏଥର ଯେତେବେଳେ ପରିବାର ତାଙ୍କ ଉପରେ ଲଗାତାର ଚାପ ପକାଇଲା, ସେତେବେଳେ ସେ ରାଜନୀତି ସନ୍ୟାସ ନେବା ସର୍ତ୍ତରେ ସରକାରରୁ ଇସ୍ତଫା ଦେଇଥିବା ଜଣାପଡିଛି । ରିପୋର୍ଟ ଅନୁଯାୟୀ, ଅଜିତ୍‌ ପାୱାର ଉପ-ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବା ପରେ ଶରଦ ପାୱାରଙ୍କ ଝିଅ ସୁପ୍ରିୟା ସୁଲେ ତାଙ୍କୁ ଦଳକୁ ଫେରିବା ପାଇଁ କହିଥିଲେ । ଏହାପରେ ରାକପାର ବଡ ବଡ ନେତାମାନେ ତାଙ୍କୁ ଫେରିବାକୁ ନିବେଦନ କରିଥିଲେ । ସୋମବାର ଛଗନ ଭୁଜବଳ, ଦିଲିପ ବଲସେ ପାଟିଲ ୪ ଘଣ୍ଟା ଯାଏ ବିଧାନସଭାରେ ଅଜିତଙ୍କ ସହ ଆଲୋଚନା କରିଥିଲେ । ମଙ୍ଗଳବାର ସକାଳୁ ସୁପ୍ରିୟା ଏବଂ ତାଙ୍କ ସ୍ୱାମୀ ସଦାନନ୍ଦ ସୁଲେ ପୁଣିଥରେ ଅଜିତ ପାୱାର ରହୁଥିବା ହୋଟେଲରେ ପହଞ୍ଚôଥିଲେ । ସୁପ୍ରିୟା, ଶରଦଙ୍କ ସହ ଅଜିତ୍‌ଙ୍କର ଫୋନ୍‌ରେ କଥା କରାଇଥିଲେ । ଏହାପରେ ଅଜିତ୍‌ ଟିକେ ଶାନ୍ତ ପଡିଥିଲେ । ପରେ ନିଜ ମା’ ସମାନ ଖୁଡୀ ପ୍ରତିଭା ବାଈଙ୍କ ସହ କଥା ହେବା ପରେ ଅଜିତ୍‌ ଉପ-ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*