ମନପ୍ରୀତ ଓ ରାଣୀଙ୍କ ନେତୃତ୍ୱରେ ଟୋକିଓ ଟିକେଟ ପାଇଁ ଖେଳିବ ଭାରତ ଅଲିମ୍ପିକ୍‌ ଯୋଗ୍ୟତା ପର୍ଯ୍ୟାୟରେ ଖେଳିବେ ୪ ଓଡ଼ିଆ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail


ନିର୍ଭୟ ମିଡିଆ : ଭୁବନେଶ୍ୱର

ଆସନ୍ତା ନଭେମ୍ବର ୧ ଓ ୨ ତାରିଖ ଭାରତୀୟ ହକି ଦୁନିଆ ସକାଶେ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ହେବାକୁ ଯାଉଛି । ଭାରତୀୟ ପୁରୁଷ ଓ ମହିଳା ହକି ଦଳ ୨୦୨୦ ଟୋକିଓ ଅଲିମ୍ପିକ୍‌ରେ ଖେଳିବ କି ନାହିଁ ତାହାର ଫଇସଲା ଆମ କଳିଙ୍ଗ ଷ୍ଟାଡିୟମରେ ହୋଇଯିବ । ପୁରୁଷ ଦଳ ରୁଷିଆ ଏବଂ ମହିଳା ଦଳ ଆମେରିକା ବିପକ୍ଷରେ ଟିକେଟ ପାଇଁ ଲଢେଇ କରିବ । ଶୁକ୍ରବାର ଦିନ ସ୍ଥାନୀୟ ଏକ ତାରକା ହୋଟେଲରେ ଉଭୟ ପୁରୁଷ ଓ ମହିଳା ଦଳର ନାମ ଘୋଷଣା ଦୁଇ ଦଳର କୋଚ୍‌ ଯଥାକ୍ରମେ ରିଡ୍‌ ଏବଂ ମାରିନ୍‌ କରିଛନ୍ତି । ମନପ୍ରୀତ ସିଂଙ୍କ ନେତୃତ୍ୱରେ ଭାରତୀୟ ପୁରୁଷ ଦଳ ଏବଂ ରାଣୀ ରାମପାଲଙ୍କ ନେତୃତ୍ୱରେ ମହିଳା ଦଳ କଳିଙ୍ଗରେ ଖେଳିବ ସେହି ଗୁରୁତ୍ୱପୂର୍ଣ୍ଣ ମ୍ୟାଚ୍‌ । ଭାରତୀୟ ପୁରୁଷ ଦଳରେ ଅନୁଭବି ଶ୍ରୀଜେସଙ୍କ ସହ ଅଭିଜ୍ଞ ରୂପିନ୍ଦର ପାଲ ସିଂ, ରମଣଦୀପ ସିଂ ଏବଂ ଏସ୍‌ଭି ସୁନୀଲ ସାମିଲ ଅଛନ୍ତି । ସେହିପରି ମହିଳା ଦଳରେ ଗତ କିଛି ପ୍ରତିଯୋଗିତାଧରି ଖେଳି ଆସୁଥିବା ଖେଳାଳିମାନଙ୍କୁ ନିଆଯାଇଛି । ଦଳ ଘୋଷଣା ସମୟରେ ଗ୍ରାହମ ରିଡ୍‌ କହିଥିଲେ ସଫଳ ବେଲଜିୟମ ଗସ୍ତ ବେଳେ ୧୮ଜଣ ଖେଳାଳିଙ୍କୁ ବାଛିବା କଷ୍ଟକର ବିଷୟ ଥିଲା । ହେଲେ ଆମେ ସନ୍ତୁଳିତ ଦଳ ଶେଷରେ ଚୟନ କଲୁ । ସେହିପରି ମହିଳା ଦଳର କୋଚ୍‌ ମାରିନ୍‌ କହିଥିଲେ ପ୍ରସ୍ତୁତି ଗସ୍ତରେ ଇଂଲନ୍ଦ ଯାଇଥିବା ୧୮ଜଣ ଯାକ ଖେଳାଳିଙ୍କୁ ଆମେ ଗ୍ରହଣ କରିଛୁ ।
୪ ଓଡ଼ିଆ
ଅଲିମ୍ପିକ୍‌ ଯୋଗ୍ୟତା ପର୍ଯ୍ୟାୟ ପ୍ରତିଯୋଗିତାରେ ଏକାଠି କଳିଙ୍ଗରେ ଉଭୟ ପୁରୁଷ ଓ ମହିଳା ଦଳ ଭାରତର ଖେଳିବାକୁ ଯାଉଥିଲା ବେଳେ ଏଥିରେ ୪ଜଣ ଓଡ଼ିଆ ଦୃଶ୍ୟମାନ ହେବେ । ମହିଳା ଦଳରେ ୩ ଜଣ ଓ ପୁରୁଷ ଦଳରେ ଜଣେ ଖେଳାଳି ପାଇଛନ୍ତି ସ୍ଥାନ । ଦୀପଗ୍ରେସ ଏକ୍କା, ଲିଳିମା ମିଞ୍ଜ ଏବଂ ନମିତା ଟୋପ୍ପୋ ମହିଳା ଦଳରେ ତଥା ଅମିତ ରୋହିଦାସ ପୁରୁଷ ଦଳରେ ବଛା ହୋଇଛନ୍ତି । କାହିଁକି ବିରେନ୍ଦ୍ର ଲାକ୍ରା ବାଦ୍‌ ପଡିଲେ ବୋଲି ପ୍ରଶ୍ନ କରାଯିବାରେ ଏହାର ଉତ୍ତରରେ ରିଡ୍‌ କହିଥିଲେ ଦଳର ଚୟନ ବାବଦ ବିଷୟ ମୁଁ ପଦାରେ କହିପାରିବି ନାହିଁ । ଆମେ ଶ୍ରେଷ୍ଠ ଦଳ ବାଛିଛୁ । ସେହିପରି ଅଧିନାୟିକା ରାଣୀ କହିଥିଲେ ୩ ଜଣ ଯାକ ଓଡ଼ିଆ ଖେଳାଳି ଖୁବ୍‌ ଗୁରୁତ୍ୱ ରଖନ୍ତି ଦଳରେ । ହେଲେ ଆମେ ଯେତେବେଳେ ଭାରତ ପାଇଁ ବଛା ହେଉ ସେତେବେଳେ ଆମେ କୌଣସି ରାଜ୍ୟର ଖେଳାଳି ହୋଇନଥାଉ ।
ରୁଷିଆକୁ ସହଜ ଭାବୁନୁ
ଭାରତୀୟ ପୁରୁଷ ଦଳ ଟୋକିଓ ଟିକେଟ ପାଇଁ ରୁଷିଆ ସହ ଖେଳିବ ମ୍ୟାଚ୍‌ । ଭାରତ ୫ ନମ୍ବରରେ ଥିଲା ବେଳେ ରୁଷିଆ ଅଛି ୨୨ତମ ସ୍ଥାନରେ । ତେଣୁ ଏହାକୁ ଦେଖିଲେ ତଥା ଗତ କଳିଙ୍ଗ ଲଢେଇରେ ୧୦-୦ର ବିଜୟ ଭାରତ ପାଇଥିବାରୁ ଅଲିମ୍ପିକ୍‌ ଟିକେଟ ମ୍ୟାଚ୍‌ ସହଜ ହେବ ବୋଲି ଧାରଣା କରାଯାଉଛି । ହେଲେ ଅଧିନାୟକ ମନପ୍ରୀତ ସିଂ ଆମେ ରୁଷିଆକୁ ଆଦୌ ହାଲୁକା ଭାବେ ଗ୍ରହଣ କରୁନାହୁଁ ବୋଲି କହିଥିଲେ ସାମ୍ବାଦିକ ସମ୍ମିଳନୀରେ । ସେମାନେ ମଧ୍ୟ ଅଲିମ୍ପିକ୍‌ ଟିକେଟ ପାଇଁ ଭଲ ପ୍ରସ୍ତୁତି କରିଆସୁଛନ୍ତି । ନଭେମ୍ବରର ପାଣିପାଗ ରୁଷିଆ ଖେଳାଳିଙ୍କୁ ସାହାଯ୍ୟ କରିପାରେ । ତେଣୁ ଆମେ ଆଦୌ ସହଜ ମ୍ୟାଚର ଧାରଣା କରିଯାଉନାହୁଁ । ସେହିପରି ମହିଳା ଦଳର ଅଧିନାୟିକା ରାଣୀ କହିଥିଲେ ଆମେରିକା ଆମ ଠାରୁ ଚାରିପାଦ ତଳେ ଥିଲେ ମଧ୍ୟ ସେକଥାକୁ ବିଚାରକୁ ନନେଇ ଆମେ ନିଜ ଖେଳ ଉପରେ ଅଧିକ ଧ୍ୟାନ ଦେଇଛୁ । ପ୍ରଥମ ଥର ପାଇଁ କଳିଙ୍ଗରେ ଖେଳିବାକୁ ଯାଉଥିବାରୁ ଦର୍ଶକଙ୍କ ବିରାଟ ଉପସ୍ଥିତି ଆମ ପାଇଁ ଲାଭଦାୟକ ହେବ ବୋଲି କହିଥିଲେ ରାଣୀ ।
ଜୋହର କପ୍‌ରେ ଡ୍ର’
ସେପଟେ ମାଲେସିଆର ଜୋହର ବାରୁଠାରେ ଚାଲିଥିବା ଜୋହରଙ୍କ ଜୁନିୟର ପ୍ରତିଯୋଗିତାରେ ଭାରତୀୟ ଜୁନିୟର ହକି ଦଳ ଶୁକ୍ରବାର ଦିନ ବି୍ରଟେନ ସହ ମ୍ୟାଚ୍‌ ୩-୩ରେ ଡ୍ର’ କରିଛି । ଭାରତ ପକ୍ଷରୁ ଶିଳାନନ୍ଦ ଲାକ୍ରା, ମନଦୀପ ମୋର ଏବଂ ସାରଦା ନନ୍ଦ ତିୱାରୀ ଗୋଲ କରିଥିଲେ । ପୂର୍ବରୁ ଭାରତ ଫାଇନାଲରେ ପ୍ରବେଶ କରିସାରିଛି । ଏହି ଦୁଇଦଳ ଟ୍ରଫି ଜିତିବା ପାଇଁ ଶନିବାର ଦିନ ଲଢେଇ କରିବେ ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*