ଭୋଟ୍‌ କେ ଲିଏ କୁଛ୍‌ ଭି କରେଙ୍ଗା ବର୍ଷକରେ ବିଜୁ ଯୁବବାହିନୀ ପାଇଁ ୧୦୧ କୋଟି

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ନିର୍ଭୟ ମିଡିଆ : ଭୁବନେଶ୍ୱର

ଭୋଟ୍‌ ପାଇଁ ରାଜକୋଷ ଲୁଟାଇ ଦେଇପାରନ୍ତି ନବୀନ ପଟନାୟକ । ୨୦୧୭ରୁ ୧୯ ଭିତରେ ନିର୍ବାଚନ ପୂର୍ବରୁ ଭୋଟରଙ୍କୁ ଆଖିରେ ରଖି ଅନେକ ଯୋଜନା ଓ ଖଇରାତ କରିଛନ୍ତି ନବୀନ ସରକାର । ସେଥିମଧ୍ୟରୁ ଗୋଟିଏ ଥିଲା ବିଜୁ ଯୁବବାହିନୀ ଗଠନ । ଏହି ବାହିନୀ ସକାଶେ ମାତ୍ର ବର୍ଷକରେ ସରକାର ଖର୍ଚ୍ଚ କରିଛନ୍ତି ୧୦୦ କୋଟିରୁ ଅଧିକ । ଯୁବ ଭୋଟରଙ୍କୁ ବିଜୁ ଜନତା ଦଳ ଆଡକୁ ଟାଣିବା ସକାଶେ ଏକ ବୃହତ ସରକାରୀ ପ୍ରାୟୋଜିତ ଲାଞ୍ଚ ଯୋଜନା ଭାବେ ଏହାକୁ କାର୍ଯ୍ୟକାରୀ କରାଯାଇଥିଲା । ଯେତେବେଳେ ସବୁଠୁ ବେଶୀ ଆବଶ୍ୟକତା ଅନୁଭୂତ ହୋଇଥିଲା ଫନି ବାତ୍ୟା ସମୟରେ, ଠିକ୍‌ ସେତିକି ବେଳେ ବିଜୁ ଯୁବବାହିନୀ ହୋଇଯାଇଥିଲା ଅନ୍ତର୍ଦ୍ଧାନ । କାରଣ ସେତେବେଳକୁ ସରିଯାଇଥିଲା ଭୋଟ୍‌ ।
ରାଜ୍ୟର ଋଣଭାର ୮୭ କୋଟି ଟପିଯାଇଥିବା ସରକାର ନିଜେ ସ୍ୱୀକାର କରିଛନ୍ତି । ଋଣ ଯନ୍ତାରେ ପଡ଼ିବାକୁ ଯାଉଛି ରାଜ୍ୟ । ଅଥଚ କେବଳ ଯୁବକମାନଙ୍କୁ ଶାସକ ଦଳର ଭୋଟ୍‌ ଏଜେଣ୍ଟ ଭାବେ ବ୍ୟବହାର କରିବା ନିମନ୍ତେ ସରକାରୀ ଭତ୍ତାରେ ଗଢ଼ାଯାଇଥିବା ବିଜୁ ଯୁବବାହିନୀ ସକାଶେ ସରକାର ୧୦୦ କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ କରିଥିବା ଭାଜପା ବିଧାୟକ ମୋହନ ମାଝୀଙ୍କ ପ୍ରଶ୍ନର ଉତ୍ତରରେ କହିଛନ୍ତି ଯୁବ ବ୍ୟାପାର ମନ୍ତ୍ରୀ ତୁଷାରକାନ୍ତି ବେହେରା । ଯେଉଁସବୁ କାର୍ଯ୍ୟ ସକାଶେ ବିଜୁ ଯୁବବାହିନୀ ପ୍ରତି ଏତେ ମେହେରବାନ ହୋଇଥିଲେ ସରକାର, ତାହା ଦେଖିଲେ ଆଶ୍ଚର୍ଯ୍ୟ ହେବାକୁ ପଡ଼ୁଛି । ସାମାଜିକ ସେବା ଚଳାଇବାକୁ ଏହି ଯୁବବାହିନୀକୁ ମିଳିଛି ପ୍ରାୟ ୨୩ କୋଟି ଟଙ୍କା । ମୁଁ ହିରୋ କାର୍ଯ୍ୟକ୍ରମ ପାଇଁ ଖର୍ଚ୍ଚ ହୋଇଛି ୧୯ କୋଟି ୩୫ଲକ୍ଷ ଟଙ୍କା । ବିଭିନ୍ନ କ୍ରୀଡ଼ା ଆୟୋଜନ କରିବା ପାଇଁ ବିଜୁ ଯୁବବାହିନୀ ଖର୍ଚ୍ଚ କରିଛି ୩କୋଟି ୩୮ଲକ୍ଷ ଟଙ୍କା । କ୍ରୀଡ଼ା ଉପକରଣ ବାଣ୍ଟିବାରେ ଯୁବବାହିନୀ ସରକାରୀ ତହବିଲରୁ ଖର୍ଚ୍ଚ କରିଛି ୩୭କୋଟି ୨୮ଲକ୍ଷ ଟଙ୍କା । ଯୁବ ସମାବେଶରେ ଖର୍ଚ୍ଚ କରାଯାଇଛି ପ୍ରାୟ ୧୮ କୋଟି ଟଙ୍କା ।
କେତେ ହିରୋ ସୃଷ୍ଟି ହୋଇଛନ୍ତି ତାହା ଓଡ଼ିଶାବାସୀ ଜାଣିଛନ୍ତି । କିନ୍ତୁ ଏହି ବର୍ଷକ ଭିତରେ କେତେ ବେକାର ବଢ଼ିଛନ୍ତି ତାହାର ହିସାବ ମଧ୍ୟ ଦିଅନ୍ତୁ ସରକାର । ବିଭିନ୍ନ କ୍ଳବକୁ ଅର୍ଥ ଏବଂ ଖେଳ ଉପକରଣ ଦେବା ଲାଗି ହାତଖୋଲା ଅର୍ଥ ବାଣ୍ଟିଛନ୍ତି ସରକାର । ନାଁ ବିଜୁ ଯୁବବାହିନୀର । ମାତ୍ର ଉଦେ୍ଦଶ୍ୟ କ୍ଳବ୍‌ ମାଧ୍ୟମରେ ଯୁବ ଭୋଟ୍‌ ହାତେଇବା । ଆଉ ମୁଁ ହିରୋ, ପିଠା, ଯୁବ ସମାବେଶ ହେଉନାହିଁ । ଫନି ଯୋଗୁଁ ଉପକୂଳ ଓଡ଼ିଶା ଉଜୁଡିଯିବା ସମୟରେ ବିଜୁ ଯୁବବାହିନୀ ସ୍ୱେଚ୍ଛା ସେବକମାନଙ୍କୁ ଦେଖିବାକୁ ମିଳିଲା ନାହିଁ । ଓଡ଼ିଶା ଉପୁଡ଼ିପଡ଼ିଥିବା ଗଛ ଏବଂ ବିଦୁ୍ୟତ୍‌ ଖୁଣ୍ଟ ହଟାଇବା ପାଇଁ ଆନ୍ଧ୍ର, ତାମିଲନାଡୁ, କର୍ଣ୍ଣାଟକ, ପଶ୍ଚିମବଙ୍ଗ, ବିହାର ଏବଂ କେରଳରୁ ଲୋକ ଜୁଟାଇଲା । ଏବେ ବୁଲ୍‌ବୁଲ୍‌ ଯୋଗୁଁ ଯେଉଁ ୫ଟି ଜିଲାରେ ବିଶେଷ କ୍ଷତି ଘଟିଛି ସେଠାରେ ମଧ୍ୟ ଯୁବ ବାହିନୀକୁ କେହି ଦେଖିନାହାନ୍ତି । କେବଳ ଭୋଟ୍‌ ଆଗରୁ ପୋଖରୀ ସଫା କରିବା, ଗଛ ଲଗାଇବା ଭଳି କାର୍ଯ୍ୟକ୍ରମ ଆୟୋଜନ କରି ଫେସ୍‌ବୁକ୍‌ରେ ଫଟୋ ଛାଡ଼ିବା ଏହି ବାହିନୀର ଏକ ଅଭ୍ୟାସ ହୋଇଯାଇଥିଲା ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*