ବିଶୁସାରଙ୍କ ବିଶିକେଶନ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ପ୍ରଥମ ରଜନୀର ଦୁଇନାଟକ ମଞ୍ଚସ୍ଥ ହେଲା । ସମର ନୁହେଁ ତ ମହାସମର ଆରମ୍ଭ । ସମୟ ଭୋର । ସିଧା ସିଧା ବିଶୁସାର୍ ଚାଲିଲେ କ୍ଲବ ଘର ଆଡ଼କୁ । କାହିଁକି? ୟେ ଅନନ୍ତା, ତା ଭାରିଜା, ମିନତୀ, ମୀନତୀର ବାପା ମାଆ ଓ ଗେର ସମସ୍ତେ ପୁରା କ୍ଲବ ଘରେ ରାତି ପୁହାଇଛନ୍ତି । ଅନ୍ୟ ବୟୋଜ୍ୟେଷ୍ଠ ବ୍ୟକ୍ତିମାନେ ବି ଆସିଲେ । ପରକୀୟା ପ୍ରୀତିର ବିଚାର ହେବ । ହେଲେ ଆଇନକୁ ଡ଼ରି କେହି କିଛି କହିପାରୁନଥାନ୍ତି । ଶେଷରେ ବିଶୁସାର୍ ସିଦ୍ଧାନ୍ତ ଦେଲେ ଯେ ଅନନ୍ତା, ମିନତୀକୁ ପୁଣି ବାହା ହେଉ । ଅନନ୍ତା ମୋଟର ସାଇକେଲ ଦୋକାନ କରିଛି; କଉ ସରକାରୀ ଚାକିରୀ କରିଛି ଯେ! ହେଲେ ତା ସ୍ତ୍ରୀ ଜିଦ୍ ଧରିଲା, ଜମାରୁ ରାଜି ହେଲାନି । ମିନତୀର ବାପା ମାଆ ବୁଝେଇଲେ; ଦେଖ୍ ମା’ ଝିଅର ବଦନାମ୍ ହେଇ ସାରିଲାଣି । ତାକୁ ପୁଣି କିଏ ବାହା ହବ । ହଉ, ସେ ତ ସିଲେଇ ପତ୍ର କରି କିଛି ତ ରୋଜଗାର କରୁଛି । ତୋ ସମ୍ପତ୍ତିରେ ଭାଗ ବସେଇବନି । ତା ଛଡ଼ା ଆମର ତ ଏହି ଝିଅ ବକଟକ । ଆମେ ଦୁଇଜଣ ମଲେ ସବୁତାର । ଅନନ୍ତାର ସ୍ତ୍ରୀ କହିଲା ସେ କିନ୍ତୁ ମୋ ଘରକୁ ଯାଇପାରିବନି । ହଉ ହେଲା, ସେ ମୋ ଘରେ ରହିବ, ମିନତୀର ବାପା କହିଲେ । ଫଇସଲା ହେଇଗଲା । ଅନନ୍ତା, ମିନତୀକୁ ବାହା ହେବ । ମିନତୀ କିନ୍ତୁ ବାପ ଘରେ ରହିବ । ବାଃରେ ଅନନ୍ତା । ଗୋଟେ ଘରେ ଯୋଇଁ ଆଉ ଗୋଟେ ଘରେ ଘର ଯୋଇଁଆ । କପାଳ ପାଇଚି ବୋଲି କ୍ଲବ ଟୋକାଏ ଟିଟିକାରି ମାରିଲେ ।
କ୍ଲବ ଘରକୁ ବିଶୁସାର୍ଙ୍କ ଘରୁ ଜଣେ ଖୋଜି ଖୋଜି ଆସିଲା । କଥା କ’ଣ? ବୁଝୁ ବୁଝୁ ବିଶୁସାର୍ଙ୍କ ପୁଅ ଏକୋଇରବଳା ବିଶିକେଶନ ଆଉ ଘରକୁ ଫେରିନି । ଏଁ କ’ଣ ହେଲା…ଚମକି ପଡ଼ିଲେ ବିଶୁସାର୍ । ବିଶିକେଶନ ଗଲା କୁଆଡେ? ବିଶୁସାର୍ଙ୍କ ଘରେ ଭାବୁଛନ୍ତି ସିଏ ତାଙ୍କ ସହିତ ଅଛି ବୋଲି । କଳା ତ ତା ରକ୍ତରେ ନା । ଘରେ ଯେତେ ମନା କଲେ ବି ଲୁଚି ଲୁଚି ଚାଲି ଆସୁଛି ଅପେରା ଦେଖିବାକୁ । ସପ୍ତମରେ ପଢୁଛି । ପୁଣି ଗାଁରେ ଅପେରା । ଜେଜେ ଅନୁମତି ଦେଇଛନ୍ତି ପରା । ଆକଟ କରିବାକୁ ଅନ୍ୟମାନେ କିଏ? କହୁ କହୁ କହିଦେଲେ ‘ଯାର ବାପା ଚଢ଼େ ଘୋଡ଼ା ତା ପୁଅ ଥୋଡା ଥୋଡା… । ବିଶୁସାର୍ ବିବ୍ରତ ହେଇ କହିଲେ କଉ ସାଙ୍ଗ ଘରେ ଶୋଇପଡ଼ିଥିବ । ନାଇଁମ । ସବୁ ସାଙ୍ଗଙ୍କ ଘର ଖୋଜା ସରିଲାଣି । ଏଥର କ୍ଲବ ଟୋକାଙ୍କ ସହ ବିଶୁସାର୍ ପେନ୍ଦାଲ ପାଖକୁ ଗଲେ । ଯାହା ଦେଖିଲେ ସମସ୍ତେ ତାଜୁବ ।
ଷ୍ଟେଜଟା ମେଲା ମୁକୁଳା ପଡ଼ିଛି । ମଞ୍ଚ ଉପରେ ବିଶିକେଶନ ଗତ ରାତ୍ରୀର ଦୁଇ ନାଟକରୁ କିଛି କିଛି ସଂଳାପ କହି ଅଭିନୟ କରୁଛି । ପୁଣି ଶିଖେଇବା ଢ଼ଙ୍ଗରେ ବା ନିଦେ୍ର୍ଦଶନା ଦେବା ପରି କହି ହଉଛି ‘ନାଇମ ଏ ଡାଇଲଗ୍ କ’ଣ ଏମିତି କୁହାଯାଏ । ଓ ହୋ ବୁଢା ରୋଲ କରୁଛ ମାନେ ବୁଢାଙ୍କ ପରି ଥରେଇକି ଟିକେ କହିବନା । ଏମିତି କେତେ କ’ଣ । ଗତ ରାତ୍ରୀର ନାଟକମାନଙ୍କର ଭୂଲ ଭଟକା ବିଚାରକ ପରି ବିଶିକେଶନ ଗୋଟେ ଟିପା ଖାତାରେ ଟିପି ରଖିଛି । ବିଶୁ ସାର୍ ଡାକିବାକୁ ଯାଉଥିଲେ । ହେଲେ ଅନ୍ୟମାନେ ମନା କଲେ । କେତେ ଆଗ୍ରହରେ ବିଶିକେଶନ ନାଟକ ଭିତରେ ମଜ୍ଜି ଯାଇଛି, ତାହା ହିଁ ଦେଖିବାକୁ । ମନେ ମନେ ବିଶୁସାର୍ ଖୁସି ବି ହେଉଥାଆନ୍ତି ।
ଅନ୍ୟମାନେ କହିଲେ, ‘ଫୁଲ୍ କଳା ଅଛି ୟା ଦିହରେ ଆଉ’ । ବୟସ୍କ ଲୋକ ଜଣେ କହିଲେ ହଇରେ ବିଶୁ, ପୁଅକୁ କହ ହୋଲି ବେଳକୁ ଛୁଆଙ୍କୁ ନେଇ ଗୋଟେ ନାଟକ କରୁ । ତୁ ତ ଛୋଟ ନାଟକାଟେ ଲେଖି ଦେଲେ ହେଲା । ଅନ୍ୟ ଜଣେ କହିଲେ ୟେ ବିଶିକେଶନ ପରା ଓଳିଆରୁ ଗଜା, ବିଶୁସାର୍ଙ୍କ ପୁଅଟି । ତାକୁ କୁହ ସେ ନିଜେ ଲେଖୁ । ବରଂ ବିଶୁସାର୍ ଠିକ୍ଠାକ୍୍‌ କରି ବାଗେଇ ଦେବେ ।
ଏଥର ମୁହଁ ଖୋଲିଲେ ବିଶୁସାର୍ । ନାଇଁମ ସପ୍ତମ ଶ୍ରେଣୀର ପିଲା, ଆଗ ପାଠପଢୁ, ତା ପରେ କଳା ସଂସ୍କୃତି । ସବୁ କିଛି ସାଥିରେ ଚାଲିବ ସାର୍ । ସେତ ଶ୍ରେଣୀରେ ପ୍ରଥମ ହଉଚି । ଏଥକୁ ବି ରୁଚି ଅଛି । ଦେଖିବେ ଆପଣଙ୍କ ନାଆଁ କେମିତି ଉଚ୍ଚାରେ ରଖିବ । ଯାହା ହେଉ ଷ୍ଟେଜକୁ ଗଲେ ବିଶୁସାର । ବିଶିକେଶନ ଡରିଯାଇଥାଏ । ବାପା ପାଟି କରିବେ କି କ’ଣ । ଆପେ ଆପେ କାନ ଧରିଲା ବେଳକୁ ବିଶୁସାର କୋଳେଇ ନେଇ ସାବାସୀ ଦେଲେ । ଆଉ କହିଲେ ତୁ ହୋଲି ବେଳକୁ ଛୁଆଙ୍କୁ ନେଇ ଗୋଟେ ନାଟକ କର । ବିଶିକେଶନର ଖୁସିର ସୀମା ନାହିଁ । ଖୁସିରେ ଖୁସିରେ ସମସ୍ତେ ଘରକୁ ଫେରିବେ ।
ଯେଉଁ ମଞ୍ଚ ସନ୍ଧ୍ୟାରୁ ସକାଳ ଯାଏ ଇନ୍ଦ୍ରଙ୍କ ରଂଗଶାଳା ପରି ଲାଗେ । ସେହି ମଞ୍ଚ ସାରା ଦିନ ଖାଁ ଖାଁ ଲାଗେ । ଆଉ ଦର୍ଶକ ଗ୍ୟାଲେରୀ ତ ଗୋଟେ ଅପନ୍ତରା ଜାଗା ପାଲଟି ଯାଏ । ଚାରିଆଡ଼େ ଛଡ଼ା ବାଦାମ ଚୋପା ସାଥିରେ କାଗଜର ଲୋଚା କୋଚା ରୂପ ଜୀବନ ବିହୀନ, ଆତ୍ମା ବିହୀନ ଶବ ପରି ଲାଗୁଥାଏ । ଅସଜଡ଼ା ଲାଲ୍ ଚେୟାର ସବୁ ଦିଗ ବଦଳାଇ ଥାଆନ୍ତି । ସତରେ ଯାତ୍ରା ପରର ଦୃଶ୍ୟ ମହାଯାତ୍ରା ପରି ମନେ ହୁଏ । ପୁଣି ସବୁର ପୁନର୍ଜନ୍ମ ହୁଏ ସନ୍ଧ୍ୟାକୁ । ଭାବାବେଗ, ଭାବାନ୍ତର ଛାଡ଼ି ଆସନ୍ତୁ ଆଗକୁ ବଢ଼ିବା ।
ସମୟ ଅପରାହ୍ନ । ଡାକ ବାଜି ଯନ୍ତ୍ର ବା ମାଇକିର ପ୍ରଚାର ଆରମ୍ଭ ହୋଇ ସାରିଥାଏ । ଗୋଟିଏ ଅଟୋରିକ୍ସାରେ ଭଜନା ଭୋଇର ଚିକôାର ଶୁଭୁଥାଏ । ‘ହେଇଲୋ ଆଇଲା…ଆଇଲା… ଆଜିର ନାଟକ ହସ ଲୁହ ଭରା ରୋମାଞ୍ଚକର ନାଟକ ଦୁଇଟିର ଏନାଉନ୍ସମେଣ୍ଟ ଖୁବ୍ ନିଆରା ଢ଼ଙ୍ଗରେ ବିଶେଷ ଶୈଳୀରେ ଉପସ୍ଥାପନ କରୁଥାଏ ଭଜନା । ମଝିରେ ମଝିରେ ପୁରୁଣା ଓଡ଼ିଆ ଗୀତ ବି ଛାଡି ଦେଉଥାଏ କୌଶଳ କରି । ମଞ୍ଚକୁ ମଧ୍ୟ ମାଇକରୁ ଗୀତ ଶୁଭୁଥାଏ । ଧନ୍ୟ ୟେ ଡାକ ବାଜି ଯନ୍ତ୍ର । ଶଦ୍ଦର ଯାଦୁରେ ଆକର୍ଷିତ କରିବାର ମନ୍ତ୍ର ପରା ଅଛି । ଟିକେଟ କାଉଣ୍ଟର ପାଖରେ ଭିଡ଼ ଜମିଥାଏ । ଟିକଟର ଦାମ୍ ବି କମ୍ । ଏଣୁ ସାରା ପରିବାର ପାଇଁ ବି ଟିକେଟ କାଟୁ ଥାଆନ୍ତି ଲୋକେ । ଆଲୋକ ସଂପାତ କରୁଥିବା ଭାଇ ଜଣକ ପରଖି ନଉଥାଆନ୍ତି ଲାଇଟ୍ ସରଞ୍ଜାମଗୁଡାକୁ । ଶଦ୍ଦ ବାବୁ ମିକ୍ସର ବାକ୍ସ ଧରି ମାଇକ୍ରେଫୋନ୍ ଟେଷ୍ଟ କରି ନଉ ଥାଆନ୍ତି । ସାଇକ୍ଲୋମା ସେଟିରେ ଲାଗି ପଡିଥାଆନ୍ତି ମଲ୍ଲିକ ବାବୁ ।
ଏଥକୁ ପ୍ରଥମ ନାଟକର ନିଦେ୍ଦର୍ଶକ ପହଁଞ୍ଚôଲେ । ଯେମିତି ହେଉ ପ୍ରଥମ ଦୃଶ୍ୟ ଆମକୁ ପାହାଡ ସହିତ ଝରଣା ଦେଖେଇବାକୁ ହବ । ତା ସହିତ ପୁଣି ମନ୍ଦିରର ସେଟ୍ । ପ୍ରଥମ ଦୃଶ୍ୟରେ ନାୟିକା ପାହାଡରୁ ଡେଇଁବ ଝରଣାକୁ । ନାୟକ ତାକୁ ଉଦ୍ଧାର କରି ନେଇ ଆସିବ ମନ୍ଦିର ବେଢ଼ାକୁ । କଳା ନିଦେ୍ର୍ଦଶକ ମଲ୍ଲିକ ବାବୁ ଏଥିରେ ମାହିର, କହିଲେ ଚିନ୍ତା କରନି ସାର୍ । ଝରଣାରେ ପୁରା ପାଣି ବହିବ…ଦେଖିବେନିକି.. ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*