ପ୍ରହସନ ପାଲଟିଛି ସର୍ବଶିକ୍ଷା ଅଭିଯାନ ବିନା ଗୃହରେ ଚାଲିଛି ପାଠପଢା: ୧୧ବର୍ଷ ପରେବି ସରୁନି ନିର୍ମାଣ କାର୍ଯ୍ୟ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail


ନିର୍ଭୟ ମିଡିଆ : ଭଦ୍ରକ

ପ୍ରାଥମିକ ଶିକ୍ଷା ବ୍ୟବସ୍ଥାକୁ ସୁଦୃଢ କରିବା ପାଇଁ ସରକାର ବିଭିନ୍ନ ପ୍ରକାର ଯୋଜନା ପ୍ରଣୟନ କରୁଥିଲେ ସୁଦ୍ଧା ନିଜର ଦୂର ଦୃଷ୍ଟିର ଅଭାବ ଯୋଗୁଁ ଏହାର ସଫଳ ରୂପାୟନ ହୋଇ ନପାରି ଏହା ପ୍ରହସନରେ ପରିଣତ ହେବାକୁ ଯାଉଛି । । ଏହିପରି ଏକ ଦୃଷ୍ଟାନ୍ତ ଦେଖିବାକୁ ମିଳିଛି ଭଦ୍ରକ ଜିଲ୍ଲା ବନ୍ତ ବ୍ଲକ ଅର୍ନ୍ତଗତ ଧାନଘର ପ୍ରକଳ୍ପ ପ୍ରାଥମିକ ବିଦ୍ୟାଳୟ ଠାରେ ।
ବିଭିନ୍ନ ପ୍ରକାର ଝଡ଼ ଝଞ୍ଜା ମଧ୍ୟରେ ଗତି କରିବା ପରେ ୨୦୦୮ ମସିହାରେ ଗ୍ରାମବାସୀଙ୍କ ଉଦ୍ୟମ କ୍ରମେ ଏକ ପ୍ରକଳ୍ପ ପ୍ରାଥମିକ ବିଦ୍ୟାଳୟ ଏଠାରେ ପ୍ରତିଷ୍ଠା ହୋଇଥିଲା । ସେଥି ପାଇଁ ଜାଗା ମଧ୍ୟ ନିରୂପଣ କରାଯାଇଥିଲା । ପ୍ରତିଷ୍ଠା ହେବାର ୧୧ ବର୍ଷ ବିତିଯାଇଥିଲେ ସୁଦ୍ଧା ନିର୍ଦ୍ଦାରିତ ସ୍ଥାନରେ ଆଜି ପର୍ଯ୍ୟନ୍ତ ବିଦ୍ୟାଳୟଟିର ନିର୍ମାଣ କାର୍ଯ୍ୟ ସଂପୂର୍ଣ୍ଣ ହୋଇ ନପାରିବା ବଡ଼ ଦୁଃଖ ଓ ଅନୁତାପର ବିଷୟ । କହିବାକୁ ଗଲେ ବିନା ଗୃହରେ ଚାଲିଛି ବିଦ୍ୟାଳୟଟିର ପାଠପଢା । ବିଲ ମଝିରେ ଥିବା ସ୍କୁଲ ଗୃହର ୧୦ ବର୍ଷ ପରେ ଛାତ ପଡ଼ିଥିଲା କିନ୍ତୁ ଇତି ମଧ୍ୟରେ ୧ ବର୍ଷ ବିତିବାକୁ ବସିଲାଣି ତଥାପି ବିଦ୍ୟାଳୟଟି ଅସଂପୂର୍ଣ୍ଣ ଅବସ୍ଥାରେ ଅଛି । ଗାଁର ଶେଷ ମୁନ୍ଦରୁ ଏକ ଅଣଓସାରିଆ ମାଟି ରାସ୍ତାରେ ପାଖାପାଖି ୧ କି.ମି. ଗଲା ପରେ ବିଲ ମଝିରେ ପ୍ରକଳ୍ପ ପ୍ରାଥମିକ ବିଦ୍ୟାଳୟଟି ଦନ୍ଦାୟମାନ । ବିଭିନ୍ନ ପ୍ରକାର ପରିବେଶକୁ ଆକଳନକୁ ନେଲେ ଯେଉଁ ସ୍ଥାନରେ ଗୃହ ନିର୍ମାଣ ଚାଲିଛି ପ୍ରକୃତରେ ସେ ସ୍ଥାନଟି ଶିକ୍ଷା ଲାଭ କରିବା ପାଇଁ ଉପଯୁକ୍ତ କି ନୁହେଁ ତାହା ପ୍ରତିଷ୍ଠା ବେଳେ ସରକାର ଦୃଷ୍ଟି ଦେଇ ନଥିବାରୁ ବିଦ୍ୟାଳୟଟି ୧୧ ବର୍ଷ ପରେ ମଧ୍ୟ ସଂପୂର୍ଣ୍ଣ ହୋଇ ପାରୁ ନାହିଁ । ଯଦ୍ୱାରା ବିଦ୍ୟାଳୟଟିରେ ଅଧ୍ୟୟନ କରୁଥିବା ପିଲାମାନେ ଘୋର ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ବିଦ୍ୟାଳୟରେ ପିଲା ଅଛନ୍ତି, ପଢାଇବା ପାଇଁ ଶିକ୍ଷକ ବି ନିଯୁକ୍ତି ପାଇଛନ୍ତି କିନ୍ତୁ ନିଜସ୍ୱ ଗୃହ ନଥିବାରୁ ଧାନଘର ଠାରେ ଥିବା ଏକାଦଶୀ ଏମଇ ସ୍କୁଲର ଶ୍ରେଣୀ ଗୃହରେ ୫ଟି ଶ୍ରେଣୀ ର ପାଠ ପଢା ଚାଲିଛି । ଯେଉଁ ଏମଇ ସ୍କୁଲରେ ପିଲାମାନେ ଶିକ୍ଷାଲାଭ କରୁଛନ୍ତି ସେହି ସ୍କୁଲର ଜରାଜୀର୍ଣ୍ଣ ଅବସ୍ଥାକୁ ଦେଖିଲେ ଏଠାରେ ଉକ୍ତ ସ୍କୁଲର ୨ଟି ଶ୍ରେଣୀ ଯଥା ଷଷ୍ଠ ଓ ସପ୍ତମ ଶ୍ରେଣୀର ପିଲାମାନେ କେଉଁ ଅବସ୍ଥାରେ ଶିକ୍ଷା ଲାଭ କରୁଥିବେ ତାହା ସହଜରେ ଅନୁମେୟ । ଏହି ସ୍କୁଲଟି ଏକ ବ୍ଲକଗ୍ରାଣ୍ଟ ସ୍କୁଲ ହୋଇଥିବାରୁ ସର୍ବଶିକ୍ଷା ଅଭିଯାନ ଯୋଜନାରୁ ସ୍ଥାୟୀ ଗୃହ ପାଇଁ କୌଣସି ଅନୁଦାନ ମିଳିପାରୁ ନାହିଁ । କେବଳ ମଧ୍ୟାହ୍ନ ଭୋଜନ ଓ ବହି ପତ୍ର ମୁଳୁଛି ଆଉ ଅନ୍ୟାନ୍ୟ ସୁବିଧା କିଛି ମିଳିପାରୁ ନାହିଁ । ୧୯୯୬ ମସିହାରେ ଏକାଦଶୀ ଜେନାଙ୍କ ଦାନ ଜମିରେ ଓ ଆରମ୍ଭରୁ କାର୍ଯ୍ୟରତ ପ୍ରଧାନ ଶିକ୍ଷକଙ୍କ ପ୍ରଚେଷ୍ଠାରେ ନିର୍ମିତ ଦୁଇଟି ଟିଣ ଛପର ଘରେ ଚାଲିଛି ପାଠ ପଢା । ମଇ ସ୍କୁଲର ଶୈକ୍ଷିକ ପରିବେଶ ଠିକ୍ ନଥିବା ସ୍ଥଳେ ପ୍ରକଳ୍ପ ପ୍ରାଥମିକ ସ୍କୁଲଟି ଏଠାରେ କିପରି ଚାଲୁଥିବ ତାହା ସହଜରେ ଅନୁମେୟ । ଗୋଟିଏ କୋଠରୀରେ ମଇ ସ୍କୁଲର ଦୁଇଟି ଶ୍ରେଣୀ ଓ ଅନ୍ୟ ଏକ କୋଠରୀରେ ପ୍ରକଳ୍ପ ସ୍କୁଲର ୫ଟି ଶ୍ରେଣୀ ଚାଲିଛି ।
ସ୍ଥାୟୀ ପାଚେରୀ ନଥିବାରୁ ଗୋରୁ ଗାଈ ସମେତ ଅସାମାଜିକ ବ୍ୟକ୍ତିମାନଙ୍କର ବିଦ୍ୟାଳୟ ପରିସରକୁ ଅବାଧ ପ୍ରବେଶ ଘଟୁଛି । ଏଥି ସହିତ ମୁଖ୍ୟ ରାସ୍ତା ପାଶ୍ୱର୍ରେ ସ୍କୁଲଟି ଥିବାରୁ ଏହା ପିଲାମାନଙ୍କ ପାଇଁ ବିପଦ ସୃଷ୍ଟି କରୁଛି । ୫୦ରୁ ୧୦୦ ମିଟର ଦୂରରେ ଆଉ ଏକ ପ୍ରାଥମିକ ସ୍କୁଲ ଥିବା ବେଳେ ଧାନଘର ପ୍ରକଳ୍ପ ସ୍କୁଲଟି ଖୋଲା ଯିବା କେତେ ଦୂର ଯଥାର୍ଥ, ଯଦିବି ଖୋଲା ଗଲା ତାର ଶୈକ୍ଷିକ ପରିବେଶରେ ଉନ୍ନତି ଆଣିବାକୁ ଚେଷ୍ଟିତ ହେବାକୁ ବୁଦ୍ଧିଜୀବୀ ମହଲରେ ଦାବି ହେଉଛି । ପିଲାମାନଙ୍କ ସ୍ୱାର୍ଥ ଦୃଷ୍ଟିରୁ ଯାହାବି ସମସ୍ୟା ଥାଉ ବିଦ୍ୟାଳୟଟିକୁ ସଂପୂର୍ଣ୍ଣ କରିବା ପାଇଁ ଗ୍ରାମବାସୀମାନେ ବିଭାଗୀୟ ଅଧିକାରୀଙ୍କ ନିକଟରେ ଦାବି କରିଛନ୍ତି ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*