ପ୍ରଥମ ଟେଷ୍ଟ: ଦକ୍ଷିଣ ଆଫ୍ରିକାର ପ୍ରାରମ୍ଭିକ ବିପର୍ଯ୍ୟୟ ମୟଙ୍କଙ୍କ ୨୧୫: ଭାରତ ନିୟନ୍ତ୍ରଣରେ ମ୍ୟାଚ୍‌

FacebooktwitterredditpinterestlinkedinmailFacebooktwitterredditpinterestlinkedinmail


ଏଜେନ୍ସି : ବିଶାଖାପାଟଣା

ଜୋର୍‌ଦାର୍‌ ବ୍ୟାଟିଂ ସାଙ୍ଗକୁ ବୋଲର୍‌ମାନଙ୍କର ପ୍ରାରମ୍ଭିକ ସଫଳତା କାରଣରୁ ଭାରତୀୟ ଦଳ ଦକ୍ଷିଣ ଆଫି୍ରକା ବିପକ୍ଷ ପ୍ରଥମ ଟେଷ୍ଟ ମ୍ୟାଚ୍‌ର ଦ୍ୱିତୀୟ ଦିନ ମ୍ୟାଚ୍‌କୁ ନିଜ ନିୟନ୍ତ୍ରଣ ଭିତରକୁ ନେଇଯାଇଛି । ବିଶାଳ ୫୦୨ ରନ ୭ ୱିକେଟ୍‌ରେ ସ୍କୋର୍‌ କରିବା ପରେ ଭାରତ ଇନିଂସ୍‌ ଘୋଷଣା କରିଥିଲା । ପରେ ନିଜ ପ୍ରଥମ ଇନିଂସ ଆରମ୍ଭ କରିଥିବା ଦକ୍ଷିଣ ଆଫ୍ରିକାର ମହତ୍ତ୍ୱପୂର୍ଣ୍ଣ ୩ ୱିକେଟ୍‌ ଭାରତୀୟ ସ୍ପିନର୍‌ ବାହାର କରିଦେଇ ବିଜୟର ପଥ ଖୋଲି ଦେଇଛନ୍ତି ଦଳ ସକାଶେ । ଗୁରୁବାର ଦ୍ୱିତୀୟ ଦିନର ଖେଳ ସରିଲା ବେଳକୁ ଦକ୍ଷିଣ ଆଫି୍ରକା ୩ ୱିକେଟରେ ୩୯ରନ କରିଥିଲା ।
ଓପନିଂ ବ୍ୟାଟ୍ସମ୍ୟାନ୍‌ ମୟଙ୍କ ଅଗ୍ରୱାଲ ନିଜ ପ୍ରଥମ ଶତକକୁ ଦ୍ୱିଶତକରେ ରୂପାନ୍ତରିତ କରି ନିଜ ସକାଶେ ବଡ଼ ମାଇଲ୍‌ଖୁଣ୍ଟ ସ୍ଥାପନ କରିବା ସହ ଦଳକୁ ବଡ଼ ସ୍କୋର୍‌ ଛିଡ଼ା କରିବାରେ ସହାୟକ ବନିଛନ୍ତି । ରୋହିତ ଶର୍ମା ନିଜ ନିର୍ଣ୍ଣାୟକ ଟେଷ୍ଟରେ ୧୭୬ ରନ୍‌ କରି ଆଉଟ୍‌ ହେବା ଦ୍ୱିତୀୟ ଦିନର ଅନ୍ୟ ପ୍ରମୁଖ ବିଷୟ ହୋଇଥିଲା । ରୋହିତ ଆଉଟ୍‌ ହେବା ପରେ ସ୍କୋର୍‌ କରିବାର ସବୁ ଦାୟିତ୍ୱ ନିଜ ଉପରକୁ ନେଇଯାଇଥିଲେ ମୟଙ୍କ । ସେ ୨୧୫ ରନ୍‌ ସ୍କୋର୍‌ କରିଥିଲେ ଆଉଟ୍‌ ହେବା ଆଗରୁ । ଚେତେଶ୍ୱର ପୂଜାରା ୬, ବିରାଟ କୋହଲି ୨୦ ଏବଂ ରାହାଣେ ୧୫ ରନ୍‌ କରି ଆଉଟ୍‌ ହୋଇଯାଇଥିଲେ ମଧ୍ୟ ଦୁଇ ଓପନର୍‌ଙ୍କ ପାଖରୁ ଆସିଥିବା ସ୍କୋର୍‌ ଯଥେଷ୍ଟ ଥିଲା ୫୦୦ ରନ୍‌ ପାର୍‌ କରିବାକୁ । ଗୁରୁବାର ସକାଳେ ମ୍ୟାଚ୍‌ର ଦ୍ୱିତୀୟ ଦିନ ଭାରତର ଦୁଇ ଓପନର ରୋହିତ ଓ ମୟଙ୍କ ଗତକାଲିର ସ୍କୋର୍‌ ବିନା ୱିକେଟ୍‌ରେ ୨୦୨ ରନ୍‌ରୁ ଆଗକୁ ଖେଳିବା ଆରମ୍ଭ କରିଥିଲେ । ଗୁରୁବାର ଦିନ ସେମାନେ ଆଉ ୧୧୫ ରନ୍‌ ଯୋଡ଼ିବା ପରେ ରୋହିତ ୧୭୬ ରନ୍‌ କରି ଆଉଟ୍‌ ହୋଇଥିଲେ ପ୍ରଥମ ଖେଳାଳି ଭାବରେ । ଏହାପରେ ନିୟମିତ ବ୍ୟବଧାନରେ ପଡ଼ିଥିଲା ୱିକେଟ୍‌ । ତେବେ ମୟଙ୍କ ଦୃଢ଼ତା ଦେଖାଇ ଥିଲେ ଅନ୍ୟ ପଟୁ । ତୃତୀୟ ୱିକେଟ୍‌ ପାଇଁ ବିରାଟଙ୍କ ସହ ମିଶି ୫୩ ଏବଂ ରାହାଣେଙ୍କ ସହ ମିଶି ୪ର୍ଥ ୱିକେଟ୍‌ ପାଇଁ ମୟଙ୍କ ୫୪ ରନ୍‌ ଯୋଗ କରିଥିଲେ । ଶେଷରେ ସେ ୨୧୫ ରନ୍‌ ୩୭୧ ବଲ୍‌ରୁ କରିବା ପରେ ଏଲଗାରଙ୍କ ବଲରେ ଆଉଟ ହୋଇଥିଲେ । ସେଥିରେ ୬ଛକା ଓ ୨୩ ଚୌକା ସାମିଲ ଥିଲା ।
ପ୍ରଥମରୁ ଝଟ୍‌କା
ବିଶାଳ ଭାରତୀୟ ସ୍କୋର୍‌ ପରେ ବ୍ୟାଟିଂ କରିବାକୁ ଆସିଥିବା ଦକ୍ଷିଣ ଆଫ୍ରିକା ଦଳ ପ୍ରଥମରୁ ପାଇଛି ଝଟ୍‌କା । କ୍ଷତି ଘଟାଇଛନ୍ତି ଭାରତର ଦୁଇ ସ୍ପିନର୍‌ ଅଶ୍ୱିନ ଏବଂ ଜାଡେଜା । ଇନିଂସର ୮ମ ଓଭର୍‌ର ପ୍ରଥମ ବଲ୍‌ରେ ମକ୍ରମ୍‌ ୫ ରନ୍‌ କରିଥିଲା ବେଳେ ଅଶ୍ୱିନଙ୍କ ବଲରେ ବୋଲ୍ଡ ହୋଇଥିଲେ । ଏହାପରେ ସେହି ବୋଲର ବୃୟନଙ୍କ ୱିକେଟ ନେଇଯାଇଥିଲେ ମାତ୍ର ୫ ରନ କରିଥିଲା ବେଳେ । ଆଉ ଜାଡେଜା ଅନ୍ୟ ପଟୁ ପେଡିଟ୍‌ଙ୍କ ୱିକେଟ୍‌ ନେଇଥିଲେ ବୋଲ୍ଡ କରି । ସେ ଖାତା ଖୋଲିବାକୁ ସକ୍ଷମ ହୋଇ ନଥିଲେ । ପିଚ୍‌ ଯେପରି ଖେଳିବା ଆରମ୍ଭ କରିଛି, ସେଥିରେ ଦକ୍ଷିଣ ଆଫି୍ରକା ଦଳ ପାଇଁ ବେଶୀ ସମୟ ତିଷ୍ଠିବା ଅସମ୍ଭବ ଲାଗୁଛି । ସେମାନେ ପ୍ରଥମ ଇନିଂସରେ ଆହୁରି ୪୬୩ ରନ୍‌ ପଛରେ ରହିଛନ୍ତି ।
ରେକର୍ଡ଼ ବହିରେ ଓପନର
ପ୍ରଥମ ୱିକେଟ୍‌ ପାଇଁ ୩୦୦ ରନ୍‌ରୁ ଅଧିକ ଯୋଡ଼ି ରେକର୍ଡ଼ ବହିରେ ସାମିଲ ହୋଇଛନ୍ତି ରୋହିତ ଓ ମୟଙ୍କ । ଟେଷ୍ଟ ଇତିହାସରେ ସେମାନେ ତୃତୀୟ ଭାରତୀୟ ଓପନର୍‌, ଯିଏ ୩୦୦ ଭାଗିଦାରୀରେ କଲେ । ତାଙ୍କ ପୂର୍ବରୁ ୨୦୦୬ ମସିହାରେ ପାକିସ୍ତାନ ବିପକ୍ଷରେ ଦ୍ରାବିଡ ଓ ସେହ୍ୱାଗ ୪୧୦ ରନ ଏବଂ ୧୯୫୬ ମସିହାରେ ନୁ୍ୟଜିଲାନ୍ଦ ବିପକ୍ଷରେ ୪୧୩ ରନ ଭିନୁ ମଙ୍କଡ଼ ଏବଂ ପଙ୍କଜ ରାୟଙ୍କ ଯୋଡ଼ି ବନାଇ ଥିଲେ ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*