ପାରା ସ୍ପୋର୍ଟ୍ସ ଓ ପାରା ଖେଳାଳିଙ୍କୁ ରାଜ୍ୟ ସରକାରଙ୍କ ଅସମ୍ମାନ ପାଣିରେ ପକାଇଲେ ୧.୭୦ କୋଟି

FacebooktwitterredditpinterestlinkedinmailFacebooktwitterredditpinterestlinkedinmail


ନିର୍ଭୟ ମିଡିଆ : ଭୁବନେଶ୍ୱର
ଦେଶର କ୍ରୀଡ଼ା ରାଜଧାନୀ ଭାବେ ଦେଖାଯାଉଛି ଓଡ଼ିଶାକୁ । ହକି ବିଶ୍ୱକପ୍‌ ଲଗାତାର ଦ୍ୱିତୀୟ ଥର ଆସିବାକୁ ଥିବାର ଘୋଷଣା ସରିଛି । ଏସିଆନ୍‌ ଆଥଲେଟିକ୍ସ ସାଙ୍ଗକୁ ଗଦାଗଦା କ୍ରୀଡ଼ା ପ୍ରତିଯୋଗିତା ରାଜ୍ୟ ସରକାରଙ୍କ ଅର୍ଥରେ ଏଠାରେ ଆୟୋଜିତ ହେଉଛି । ହେଲେ ଅସଲରେ ଓଡ଼ିଶାର ଖେଳାଳିଙ୍କ ପ୍ରତି ଏହା କେତେ ଯେ ଲାଭପ୍ରଦ ହେଉଛି ତାହା ହିସାବ କରିବାର ସମୟ । ଏଭଳି ଏକ ମାହୋଲ ଭିତରେ ଶୁକ୍ରବାର ରାଜ୍ୟର ପାରା ଖେଳ ଓ ଖେଳାଳିମାନଙ୍କୁ ବଡ଼ ଅପମାନ କରିଛନ୍ତି ରାଜ୍ୟ ସରକାର । ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ଯେଉଁଭଳି ଭାବରେ ଶୁକ୍ରବାର ରାଜ୍ୟ ସ୍ତରୀୟ ପାରା କ୍ରୀଡ଼ା ପ୍ରତିଯୋଗିତାର ଆୟୋଜନ କଲେ ସେଥିରେ ପାରା ଖେଳାଳି ଖୁସି ହେବେ କ’ଣ ନିଜକୁ ବଡ଼ ଲଜ୍ଜିତ ମନେ କରିଛନ୍ତି । ଓଡ଼ିଶାରେ ପାରା ଷ୍ଟାର୍‌ମାନଙ୍କର ଅଭାବ ନାହିଁ । ବିଶ୍ୱ ପାରା ବ୍ୟାଡ୍‌ମିଣ୍ଟନରେ ଓଡ଼ିଆ ପ୍ରମୋଦ ଭଗତ ଜଣେ ଆଗୁଆ ଖେଳାଳି । ବିଶ୍ୱ ଚମ୍ପିଆନ ସେ ହୋଇସାରିଛନ୍ତି । ୨୦୦୮ ବେଜିଂ ପାରା ଅଲମ୍ପିକ୍‌ରେ ଭାରତ ପକ୍ଷରୁ ଖେଳି ପାରା ଆଥଲେଟ୍‌ ମାର୍କନ୍ଦ ରେ‡ି ନୂଆ ଇତିହାସ ରଚନା କରିଥିଲେ । ଜୟନ୍ତୀ ବେହେରା, ସୌନ୍ଦର୍ଯ୍ୟ ପ୍ରଧାନ, ପଙ୍କଜ ଭୁଏ, ବଙ୍କିମ ମହାନ୍ତି ଏମିତି ଅନେକ ନାଁ ମନକୁ ଆସେ ସଫଳ ପାରା ଖେଳାଳିମାନଙ୍କ ତାଲିକା ତିଆରି କଲାବେଳେ । ହେଲେ ଶୁକ୍ରବାର ଦିନ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ପକ୍ଷରୁ କଳିଙ୍ଗ ଷ୍ଟାଡିୟମ୍‌ ପରିସରରେ ପାରା କ୍ରୀଡ଼ା ପ୍ରତିଯୋଗିତା ନାଁ’ରେ ଯେଉଁ ଆୟୋଜନ ହେଲା ତାହା କ’ଣ ଥିଲା ବୋଲି ପାରା ଖେଳାଳିମାନେ ପ୍ରଶ୍ନ କରିଛନ୍ତି । ଭିନ୍ନକ୍ଷମ ସଶକ୍ତିକରଣ ମନ୍ତ୍ରୀ ଅଶୋକ ଚନ୍ଦ୍ର ପନ୍ଦା ଏବଂ ବିଭାଗର ସଚିବ ଭାସ୍କର ଶର୍ମା ଏହାର ଉଦ୍‌ଘାଟନୀ ଉତ୍ସବରେ ଅତିଥି ଥିଲେ । ଓଡ଼ିଶା ପାରା ଖେଳାଳି ସଂଘ ପକ୍ଷରୁ ଶୁକ୍ରବାରର ଆୟୋଜନକୁ ନେଇ ବଡ଼ କ୍ଷୋଭ ପ୍ରକାଶ କରାଯାଇଛି । ଯେଉଁ ରାଜ୍ୟର ଖେଳାଳି ପାରା ବ୍ୟାଡ୍‌ମିଣ୍ଟନ, ପାରା ଆଥଲେଟିକ୍ସ ଏବଂ ପାରା ଚେସ୍‌ ଭଳି ଏକାଧିକ ଖେଳରେ ନାମ କମାଇ ସାରିଛନ୍ତି, ସେତେବେଳେ ପାରା କ୍ରୀଡ଼ା ନାଁ’ରେ ମୁ୍ୟଜିକ୍‌ ଚେୟାର, ବବଲ ବଲ୍‌ ଏବଂ ଅନ୍ୟ କୌତୁକିଆ ଖେଳ ଆୟୋଜନ କରାଯିବାର କ’ଣ ଆବଶ୍ୟକତା ବୋଲି ସେମାନେ ପ୍ରଶ୍ନ କରିଛନ୍ତି । ପାରା ଖେଳକୁ ବଦ୍‌ନାମ କରିବା ଏବଂ ପାରା ଖେଳାଳିମାନଙ୍କୁ ଲଜ୍ଜିତ କରିବା ଲାଗି ଏହା ଏକ ଷଡ଼ଯନ୍ତ୍ର ବୋଲି ବହୁ ଖେଳାଳି ଏହି ପ୍ରତିନିଧିଙ୍କୁ କହିଛନ୍ତି । ପାରା ଖେଳାଳି କିମ୍ବା ପାରା ଖେଳ ସହ ଜଡ଼ିତ ବ୍ୟକ୍ତିମାନଙ୍କର ପରାମର୍ଶ ନନେଇ ଏକ ସ୍ୱେଚ୍ଛାସେବୀ ସଂଗଠନକୁ ଆୟୋଜନର ଭାର ଟେକିଦିଆଯାଇ ଅର୍ଥ ପାଣିରେ ପକାଯାଇଛି ବୋଲି ସେମାନେ ଅଭିଯୋଗ କରିଛନ୍ତି । ଶୁକ୍ରବାର ଏହି ପ୍ରତିଯୋଗିତାକୁ ଦେଖିବା ଲାଗି ବହୁ ପାରା ଖେଳାଳି ଓ ସଂଗଠକ କଳିଙ୍ଗ ଷ୍ଟାଡିୟମ୍‌ ଯାଇଥିଲା ବେଳେ ଏପରି ଫନ୍‌ ସ୍ପୋର୍ଟ୍ସ ଆୟୋଜନକୁ ଦେଖି ହତଚକିତ ହୋଇଥିଲେ । ସେମାନେ ଏହାର ବଡ଼ ପ୍ରତିବାଦ ସେଠାରେ କରିବାରୁ ଭିନ୍ନକ୍ଷମ ସଶକ୍ତିକରଣର ସଚିବ ସେଠାରେ ପହଞ୍ଚି ଖେଳାଳିମାନଙ୍କୁ ବୁଝାସୁଝା କରିଥିଲେ । ଯେଉଁ ରାଜ୍ୟର ପାରା ଖେଳାଳି ପ୍ରମୋଦ ଅର୍ଜୁନ ପୁରସ୍କାର ଜିତି ଆଣିସାରିଛନ୍ତି ସେହି ରାଜ୍ୟରେ ପାରା କ୍ରୀଡ଼ାର ଆୟୋଜନ ବେଳେ ଟିକିଏ ପାରା ଖେଳ ଉପରେ ଜ୍ଞାନ ରଖିଥିବା ବ୍ୟକ୍ତିମାନଙ୍କୁ ପଚରାନଯିବା ବଡ଼ ସାଂଘାତିକ କଥା । ଶୁକ୍ରବାରର ଖେଳ ଦେଖି ପାରା ଖେଳାଳି ସଂଘର ସଭାପତି ଦିଲେଶ୍ୱର ରାଓ ଏବଂ ସମ୍ପାଦକ ରାଖାଲ ସେଠୀ ପାରା କ୍ରୀଡ଼ାରେ ଏମିତି କିଛି ଖେଳ ଆୟୋଜିତ ହୁଏନାହିଁ ବୋଲି ଅଭିଯୋଗ କରିଥିଲେ । ଶୁକ୍ରବାରର ଇଭେଣ୍ଟରେ ଟ୍ରାଇ-ସାଇକେଲ ରେସ୍‌ ଅବଶ୍ୟ ଆୟୋଜିତ ହୋଇଥିଲା । ହେଲେ ଏକ ଅସମତଳ ପଡ଼ିଆରେ ପ୍ଳାଷ୍ଟିକ୍‌ ଚାଦର ବିଛାଯାଇଥିବା ଅବସ୍ଥାରେ ଟ୍ରାଇ-ସାଇକେଲ ରେସ୍‌ କରିବା ଅତ୍ୟନ୍ତ ବିପଜ୍ଜନକ ଥିଲା ବୋଲି ବହୁ ଖେଳାଳି ଅଭିଯୋଗ କରିଥିଲେ । ମୁଖ୍ୟ ଷ୍ଟାଡିୟମ୍‌ରେ ସିନ୍ଥେଟିକ୍‌ ଟ୍ରାକ୍‌ ଥିଲାବେଳେ ସେଠାରେ ଏକାଧିକ ପାରା ଆଥଲେଟିକ୍ସ ପ୍ରତିଯୋଗିତା ଆୟୋଜିତ ହୋଇପାରିଥା’ନ୍ତା ବୋଲି ଖେଳାଳିମାନେ କହିଛନ୍ତି । ତରବରିଆ ଭାବରେ ୩୦ଟି ଜିଲାରେ ଜିଲାସ୍ତରୀୟ ପାରା ଖେଳ କରି ଶୁକ୍ରବାର ରାଜ୍ୟସ୍ତରୀୟ ପ୍ରତିଯୋଗିତା କାମଚଳା ଢଙ୍ଗରେ କରାଇ ସରକାର ୧.୭୦ କୋଟି ଟଙ୍କା ପାଣିରେ ପକାଇଛନ୍ତି ବୋଲି ଓଡ଼ିଶା ପାରା ଖେଳାଳି ସଂଘ ପକ୍ଷରୁ ଏକ ପ୍ରେସ୍‌ ବିବୃତ୍ତିରେ ଅଭିଯୋଗ ଲଗାଯାଇଛି । ଏହା କରି କିଛି ଲୋକଙ୍କ ହାତ ବଡ଼ ଚିକ୍କଣ ହୋଇଛି ବୋଲି ମଧ୍ୟ ସେମାନେ କରିଛନ୍ତି ଅଭିଯୋଗ ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*