ପାକିସ୍ତାନର ସାହାରା ଏବେ କେବଳ ଚୀନ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ମୁସ୍‌ଲିମ୍‌ ରାଷ୍ଟ୍ରଙ୍କ ସମର୍ଥନ ପାଇବାରେ ବିଫଳ ହେବା ପରେ ପାକ୍‌ ବୈଦେଶିକ ମନ୍ତ୍ରୀ କ୍ୟୁରେସୀ ପହଞ୍ଚିଛନ୍ତି ବେଜିଂରେ । ଏବେ ଚୀନ ହିଁ ଏକମାତ୍ର ଭରସା ପାକିସ୍ତାନର । ଭାରତର ଉତ୍ଥାନରେ ଚୀନ ସାମାନ୍ୟ ଆତଙ୍କିତ ।

ଏଜେନ୍ସୀ: ନୂଆଦିଲ୍ଲୀ

ଆମେରିକାରୁ ଫେରିବା ପରେ ପାକ୍‌ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁଙ୍କ ଗୋଡ଼ ମାଟିରେ ଲାଗୁନଥିଲା । ରାଷ୍ଟ୍ରପତି ଟ୍ରମ୍ପ କାଶ୍ମୀର ବ୍ୟାପାରରେ ବିବାଦୀୟ ବୟାନ ଦେଇ ଇମ୍ରାନ ଓ ପାକ୍‌ବାସୀଙ୍କ ମନରେ ନୂଆ ଉତ୍ସାହ ସୃଷ୍ଟି କରିଦେଇଥିଲେ । ନିଜ ଖୁସିକୁ ଚାପି ନପାରି ଇମ୍ରାନ କହିଥିଲେ ଯେ ସେ ଦ୍ୱିତୀୟ ବିଶ୍ୱକପ କ୍ରିକେଟ ଜିଣି ଆସିଛନ୍ତି । ପାକିସ୍ତାନର ଆର୍ଥିକ ସ୍ଥିିତି ଅତି ଶୋଚନୀୟ । ସେଥିପାଇଁ ଟ୍ରମ୍ପଙ୍କ ବିବୃତିକୁ ନେଇ ନୂଆ ବାତାବରଣ ସୃଷ୍ଟି କରିବା ପାଇଁ ଇମ୍ରାନ ଓ ଅନ୍ୟମାନେ ଲାଗିପଡ଼ିଥିବା ବେଳେ ଜବରଦସ୍ତ ଧକ୍କା ଦେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ।
ମୋଦୀ ୩୭୦ ଧାରା ଉଚ୍ଛେଦ ସହ ଲାଦାଖକୁ ଜମ୍ମୁ-କାଶ୍ମୀରରୁ ଅଲଗା କରିଦେବା ଯୋଗୁଁ ଏବେ ପାକିସ୍ତାନ ପାଗଳଙ୍କ ପରି ବାଉଳିଚାଉଳି ହେଉଛି । କିନ୍ତୁ ଆମେରିକାର ସାହାଯ୍ୟ ମିଳିବ ବୋଲି ଇମ୍ରାନ ଯେଉଁ ଆଶା ରଖିଥିଲେ ସେଥିରେ ପାଣି ପଡ଼ିଯାଇଛି । କୌଣସି ମୁସ୍‌ଲିମ୍‌ ରାଷ୍ଟ୍ର ଖୋଲାଖୋଲି ପାକିସ୍ତାନକୁ କାଶ୍ମୀର ପ୍ରସଙ୍ଗରେ ସମର୍ଥନ କରିବା ଦେଖିବାକୁ ମିଳିଲା ନାହିଁ । ଓଲଟି ବିଶ୍ୱ ଇସ୍‌ଲାମିକ୍‌ ରାଷ୍ଟ୍ର ସଂଗଠନର ଅଧ୍ୟକ୍ଷ ୟୁଏଇ ଭାରତକୁ ସମର୍ଥନ ଜଣାଇବା ପାକିସ୍ତାନକୁ ଭାରି ଆଘାତ ଦେଇଛି । ଏହା ସହିତ ଭାରତୀୟ ଉପ ମହାଦେଶର ରାଷ୍ଟ୍ରଗୁଡ଼ିକ ମଧ୍ୟ ପାକିସ୍ତାନ ପାଇଁ ବାହାରକୁ ଆସୁନାହାନ୍ତି । ବରଂ ସେମାନେ ଭାରତକୁ ସମର୍ଥନ ଜଣାଇଛନ୍ତି । ସେମାନଙ୍କର ଗୋଟିଏ କଥା ଯେ କାଶ୍ମୀର ଭାରତର ଆଭ୍ୟନ୍ତରୀଣ ବ୍ୟାପାର । ତେଣୁ ଏଥିରେ କୌଣସି ତୃତୀୟ ପକ୍ଷ ମୁଣ୍ଡ ପୁରାଇବା ଉଚିତ ନୁହେଁ ।
ପଶ୍ଚିମଦେଶଗୁଡ଼ିକ ବିଶେଷତଃ ଇଂଲଣ୍ଡ , ଫ୍ରାନ୍ସ, ଜର୍ମାନୀ, ଇଟାଲୀ କାଶ୍ମୀର ସମ୍ପର୍କରେ ସମ୍ପୂର୍ଣ୍ଣ ନିରବତା ଅବଲମ୍ବନ କରୁଛନ୍ତି । ଋଷିଆ ମଧ୍ୟ ଚୁପ୍‌ ରହିଛି । ଏଭଳି ଅବସ୍ଥାରେ ପାକିସ୍ତାନର କେବଳ ମାତ୍ର ଭରସା ଚୀନ । ପାକିସ୍ତାନ ଚାହୁଁଛି ୩୭୦ ଧାରା ଉଚ୍ଛେଦ ଆଳରେ କାଶ୍ମୀରକୁ ଏକ ଅନ୍ତର୍ଜାତୀୟ ବିବାଦର ରୂପ ଦେବାକୁ । ମାତ୍ର ଏପର୍ଯ୍ୟନ୍ତ ସେଥିରେ ସଫଳ ହୋଇନାହିଁ । କୂଟନୈତିକ ସ୍ତରରେ ବହୁ ଉଦ୍ୟମ କଲା ପରେ ବି ବିଫଳ ହୋଇଛି ପାକିସ୍ତାନ । ଏବେ ଚୀନ ଉପରେ ଭରସା କରି ଭାରତ ସହ ମୁକାବିଲା କରିବାକୁ ଅଣ୍ଟା ଭିଡ଼ିଛି ପାକିସ୍ତାନ । ମୁସ୍‌ଲିମ୍‌ ରାଷ୍ଟ୍ର ମୁଖ୍ୟମାନଙ୍କୁ ଇମ୍ରାନ ନିଜେ ଫୋନ୍‌ କରି ସମର୍ଥନ ଆଦାୟ କରିବା ସକାଶେ ଚେଷ୍ଟା କରିଥିଲେ । କିନ୍ତୁ ସେଥିରେ ସେ ସଫଳ ହୋଇନାହାନ୍ତି । ଏହା ମୋଦୀଙ୍କର କୂଟନୈତିକ ବିଜୟ ବୋଲି କୁହାଯାଉଛି । ଗତ ୫ବର୍ଷରେ ମୋଦୀଙ୍କ ଉପ ସାଗରୀୟ ରାଷ୍ଟ୍ର ଫୋକସ୍‌ ଏବେ କାମ ଦେଉଛି ।
ପାକିସ୍ତାନର ବିଦେଶ ମନ୍ତ୍ରୀ ଶାହା ମହମ୍ମୁଦ କୁ୍ୟରେସୀ ମୁସ୍‌ଲିମ୍‌ ରାଷ୍ଟ୍ରଙ୍କର ସମର୍ଥନ ପାଇବା ପାଇଁ ଓଆଇସି ମୁଖ୍ୟ କାର୍ଯ୍ୟାଳୟ ଜିଦାହ ପହଞ୍ଚିଥିଲେ । ପୂର୍ବରୁ ଅର୍ଗାନାଇଜେସନ୍‌ ଅଫ୍‌ ଇସ୍‌ଲାମିକ୍‌ କଣ୍ଟ୍ରିଜ କାଶ୍ମୀର ବ୍ୟାପାରରେ ପାକିସ୍ତାନକୁ ସମର୍ଥନ କରିଆସୁଥିଲା । କିନ୍ତୁ ଏଥର ଏହି ସଂଗଠନ ମଧ୍ୟ କୌଣସି ଭାରତ ବିରୋଧୀ ବୟାନ ଜାରି କରିନାହିଁ । ସାଉଦିଆରବ ଓ ୟୁନାଇଟେଡ୍‌ ଆରବ ଏମିରେଟ୍ସର ସମର୍ଥନ ନପାଇ ପାକିସ୍ତାନ ବଡ଼ ହଟହଟା ସ୍ଥିତିରେ ପଡ଼ିଛି । ପାକିସ୍ତାନ ବୁଝିବା କଥା ଯେ ଆର୍ଥିକ ଦୃଷ୍ଟିରୁ ଶକ୍ତିଶାଳୀ ଭାରତର ସହ ସମ୍ପର୍କ ନିବିଡ଼ କରିବା ପାଇଁ ମୁସ୍‌ଲିମ୍‌ ରାଷ୍ଟ୍ରଗୁଡ଼ିକ ଚାହୁଁଛନ୍ତି । ପାକିସ୍ତାନ ସେ ତୁଳନାରେ ଏବେ ଋଣୀ ରାଷ୍ଟ୍ର ହୋଇସାରିଲାଣି ।
ଏପଟେ ବିଫଳ ହେବା ପରେ ପାକ୍‌ ବୈଦେଶିକ ମନ୍ତ୍ରୀ କ୍ୟୁରେସୀ ପହଞ୍ଚିଛନ୍ତି ବେଜିଂରେ । ଏବେ ଚୀନ ହିଁ ଏକମାତ୍ର ଭରସା ପାକିସ୍ତାନର । ଭାରତର ଉତ୍ଥାନରେ ଚୀନ ସାମାନ୍ୟ ଆତଙ୍କିତ । ଆମେରିକା ସହ ଛନ୍ଦିହୋଇପଡ଼ିଛି ବାଣିଜ୍ୟ ଯୁଦ୍ଧରେ । ଏଥିପାଇଁ ପାକିସ୍ତାନ ଆଶା ରଖିଛି ଯେ କାଶ୍ମୀର ପ୍ରସଙ୍ଗରେ ଚୀନର ସମର୍ଥନ ମିଳିବ । ଲାଦାଖକୁ ସ୍ୱତନ୍ତ୍ର କେନ୍ଦ୍ର ଶାସିତ ଅଞ୍ଚଳ ଘୋଷଣା କରିବା ପରେ ନୂଆଦିଲ୍ଲୀ ଉପରେ ଚୀନ କ୍ଷୁବ୍ଧ । ତେବେ କ୍ୟୁରେସୀଙ୍କ ଚୀନ ଗସ୍ତ କେତେ ସଫଳ ହେଉଛି, ତାହା ଉପରେ ଭାରତର ତୀକ୍ଷ୍ଣ ନଜର ରହିବ ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*