ପାକିସ୍ତାନର ନୂଆ ଟି୍ରକ୍‌ ଉଡ଼ାଇଲା ମସୁଦ୍‌ ଆଝାରର ମୁତ୍ୟୁ ଖବର

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ଏଜେନ୍ସୀ
ନୂଆଦିଲ୍ଲୀ

ଗୋଟିଏ ପରେ ଗୋଟିଏ ମିଛ ପାକିସ୍ଥାନର ଧରା ପଡି ଯାଉଥିଲାବେଳେ ସେ କିନ୍ତୁ ନୂଆ ନୂଆ ଚାଲ ଖେଳିବାରୁ ପଛକୁ ହଟୁନାହିଁ । ବାଲାକୋଟ୍‌ ଉପରେ ଭାରତୀୟ ବାୟୁସେନାର ଲକ୍ଷ୍ୟଭେଦୀ ଆଟାକ୍‌ ପରଠାରୁ ଭୟଭୀତ ଓ ବିଚଳିତ ହୋଇପଡିଥିବା ପାକିସ୍ତାନ ନିଜକୁ ବଞ୍ଚାଇବା ଲାଗି ମିଛର ସାହାରା ନେଉଛି । ଆଉ ମିଛ ଧରା ପଡିଯାଉଥିବା ଅବସ୍ଥାରେ ମୁହଁ ଲୁଚାଇବାର ବାଟ ଖୋଜୁଛି । ଆତଙ୍କବାଦୀଙ୍କ କେନ୍ଦ୍ର ଉପରେ ସଫଳ ଆକ୍ରମଣ ତଥା ଆତଙ୍କବାଦର ଗୁରୁତ୍ୱକୁ ନେଇ ସାରା ବିଶ୍ୱରେ ନିଜ ସପକ୍ଷରେ ଭାରତ ମାହୋଲ୍‌ ବନାଇବା ପରେ ବଡ଼ ଅଡ଼ୁଆରେ ପଡ଼ିଛି ପାକିସ୍ତାନ । ଘରେ ନିଜ ଜନତା ଆଗରେ ସମ୍ମାନ ରଖିବାର ଅଛି ତା ସହ ବିଶ୍ୱଦରବାରରେ ନିଜର ଇଜ୍ଜତ ବଞ୍ଚାଇ ରଖିବାର ବି ପ୍ରଶ୍ନ ରହିଛି । ଏଭଳି ଚାପ ଭିତରେ ଥିବା ପାକିସ୍ତାନ ବଡ଼ କାରସାଦି ଖେଳିବାର ଚେଷ୍ଟା କରୁଛି । ଜୈଶ ଇ ମହମ୍ମଦର ମୁଖ୍ୟ ମୌଲାନ୍‌ ମୁସଦ୍‌ ଆଝାରକୁ ବିଶ୍ୱର ଆତଙ୍କବାଦୀ ଭାବରେ ବତାଇ ତା ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଲଗାଇବାର ପ୍ରସ୍ତାବ ମିଳିତ ଜାତିସଂଘରେ ଆସି ସାରିଥିବା ଅବସ୍ଥାରେ ହଠାତ୍‌ ରବିବାର ଦିନ ପାକିସ୍ତାନରୁ ଉଡ଼ାଯାଇଥିଲା ଏକ ଖବର । ରବିବାର ଅପରାହ୍ନରେ ପାକିସ୍ତାନର କିଛି ମିଡିଆ ହାଉସ୍‌ ଏବଂ ସୋସିଆଲ୍‌ ମିଡିଆରେ ଘୁରି ବୁଲିଲା ଯେ, ମୌଲାନ୍‌ ମସୁଦ୍‌ ଆଝାରର ପରଲୋକ ହୋଇଯାଇଛି । ଭାରତର ସବୁଠାରୁ ବଡ଼ ଶତ୍ରୁ ଭାବେ ପରିଗଣିତ ମୌଲାନ୍‌ ମସୁଦ୍‌ର ମୃତୁ୍ୟ ଖବର ସ୍ୱାଭାବିକ ଭାବରେ ଭାରତୀୟ ମିଡିଆରେ ମଧ୍ୟ ପ୍ରଚାର ହେଲା । ତେବେ ଅଳ୍ପ ସମୟ ମଧ୍ୟରେ ପାକିସ୍ତାନର ଏହା ଏକ ନୂଆ ଟି୍ରକ୍‌ ବୋଲି ବୁଝାପଡିଯାଇଥିଲା । କାରଣ କୌଣସି ଫଟୋ, ଭିଡିଓ କିମ୍ବା ବୟାନ ଆଧିକାରୀକ ଭାବରେ ଜାରି ହେଲା ନାହିଁ । ମସୁଦର ମୃତୁ୍ୟ ବାବଦରେ ତେଣୁ ରବିବାର ସନ୍ଧ୍ୟା ଆସୁଆସୁ ବୁଝାପଡିଗଲା ପାକିସ୍ତାନ ବିଶ୍ୱବାସୀଙ୍କ ଦୃଷ୍ଟି ହଟେଇବା ଲାଗି ଏଭଳି ଚାଲ୍‌ ଖେଳିଛି ବୋଲି ।
ମସୁଦର ମୃତୁ୍ୟକୁ ନେଇ ବଡ଼ ରୋଚକ ତଥ୍ୟ ପାକିସ୍ତାନ ମିଡ଼ିଆ ମାଧ୍ୟମରେ ବଜାରରେ ଖେଳି ବୁଲିଥିଲା । କ୍ୟାନସରରେ ଆକ୍ରାନ୍ତ ହୋଇ ତାର ମୃତୁ୍ୟ ହୋଇଥିବା କଥା କିଛି ରିପୋର୍ଟରେ କୁହାଯାଇଥିବାବେଳେ ଆଉ କିଛି ତ ଭାରତୀୟ ବାୟୁସେନାର ବାଲାକୋଟ୍‌ ଆକ୍ରମଣରେ ସେ ଗୁରୁତର ଆହତ ହୋଇ ଚିକିତ୍ସାଧୀନ ଅବସ୍ଥାରେ ପ୍ରାଣ ହରାଇଛି ବୋଲି କୁହାଯାଇଥିଲା । ଏପରିକି ରବିବାର ନୁହେଁ, ଶନିବାରରୁ ମସୁଦର ମୃତୁ୍ୟ ହୋଇସାରିଥିବା ବିଷୟ ମଧ୍ୟ କୁହାଯାଇଥିଲା କିଛି ରିପୋର୍ଟରେ । ଏସବୁ କାହିଁକି କରାଯାଇଥିଲା ବୋଲି ସ୍ୱାଭାବିକ ପ୍ରଶ୍ନ ଆସେ । ଏହା ପଛରେ ଦୁଇଟି କାରଣ ଥାଇପାରେ ବୋଲି କୁହାଯାଉଛି । ଆମେରିକା, ବି୍ରଟେନ, ଫ୍ରାନ୍ସ ଭଳି ବଡ଼ ଶକ୍ତିମାନେ ମସୁଦ ଓ ତାହାର ସଂଗଠନ ଉପରେ ବଡ଼ଧରଣର କାର୍ଯ୍ୟାନୁଷ୍ଠାନ ସକାଶେ ପାକିସ୍ତାନ ଉପରେ ଚାପ ପକାଉଛନ୍ତି । ହେଲେ ପାକିସ୍ତାନ ସେନା ଓ ଏହାର ଗୁପ୍ତଚର ସଂସ୍ଥା ମସୁଦକୁ ପାଳିତ ପୁଅ କରି ରଖିଛି । ତା ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନେବାରୁ ନିଜକୁ ବଞ୍ଚାଇବା ପାଇଁ ଏଭଳି ଟି୍ରକ୍‌ ଖେଳିଛି ପାକିସ୍ତାନ । ମସୁଦକୁ ଗୁରୁତର ଅସୁସ୍ଥ ଏବଂ ମୃତ ବୋଲି କୁହାଇ ପ୍ରଚାର କରିଦେଲେ ତା’ ଉପରେ ଆଉ କାର୍ଯ୍ୟାନୁଷ୍ଠାନର କଥା ଆସିବ ନାହିଁ ବୋଲି ପାକିସ୍ତାନ ସରକାର ଭାବୁଛନ୍ତି । ଅନ୍ୟ ଏକ ଧାରଣା ହେଲା ଯେ ମସୁଦକୁ କେଉଁ ଏକ ଅଜଣା ସ୍ଥାନକୁ ନେଇଯିବା ସକାଶେ ଏପରି ଭ୍ରମିତ କରିବାର ଖବର ଜାଣିଶୁଣି ଛଡ଼ାଯାଇଛି ।
ମସୁଦ ଆଝାର ବାବଦରେ ପାକିସ୍ତାନ ସରକାରଙ୍କ ବୟାନ ଦୁଇଦିନ ତଳେ ଜଣେ ବରିଷ୍ଠ ମନ୍ତ୍ରୀଙ୍କ ପାଖରୁ ଆସିଥିଲା । ପାକିସ୍ତାନର ବୈଦେଶିକ ମନ୍ତ୍ରୀ ସାହାମସୁଦ କୁରେସି ଏକ ଆମେରିକୀୟ ଟିିଭି ଚ୍ୟାନେଲ ସହ କଥା ହେଲାବେଳେ ହଠାତ୍‌ ସ୍ୱୀକାର କରିଥିଲେ ଯେ ଜୈଶ୍‌ର ମୁଖିଆ କୁଖ୍ୟାତ ଆତଙ୍କବାଦୀ ମସୁଦ ଆଝାର ପାକିସ୍ତାନରେ ଅଛି । ରାୱଲପିନ୍ଦିର ଏକ ସାମରିକ ଡାକ୍ତରଖାନାରେ ତାର ନିୟମିତ ଡାଏଲିସିସ୍‌ ହେଉଛି । ଏ ବୟାନ ବଡ଼ ଚକିତ କଲା ଭଳି । ଜଣେ କୁଖ୍ୟାତ ଆତଙ୍କବାଦୀ ଯାହା ଉପରେ କାର୍ଯ୍ୟାନୁଷ୍ଠାନ ସକାଶେ ସମଗ୍ର ବିଶ୍ୱ ଦାବି କରୁଛି, ତାହାକୁ ପାକିସ୍ତାନ ସେନା ନିଜ ଡାକ୍ତରଖାନାରେ ରଖି କରୁଛି ଚିକିତ୍ସା । ରବିବାରର ଭ୍ରମିତ ଖବର ବେଶ କିଛି ସମୟ ବୁଲିବା ପରେ ଉଠିଥିଲା ପରଦା । ଭାରତର ପ୍ରତିରକ୍ଷା ବିଶେଷଜ୍ଞମାନେ ଏହା ଏକ ରଣନୀତି ଭରା ଟି୍ରକ୍‌ ବୋଲି କହି ସମ୍ପୂର୍ଣ୍ଣ ଖାରଜ କରିଥିଲେ ଖବରକୁ । ଯଦି ସେ ମୃତ ପାକ୍‌ ସେନା ଓ ସରକାର ପ୍ରମାଣ ରଖନ୍ତୁ ବୋଲି ଦାବି କରାଯାଇଥିଲା । ଏହି ରିପୋର୍ଟ ଲେଖାଗଲା ବେଳକୁ ମିଳିଥିବା ଶେଷ ସୂଚନାନୁସାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପ୍ରତିରକ୍ଷା ପରିଷଦର ବିଶେଷ ବୈଠକ ନିଜ ଘରେ ଡାକିଥିଲେ । ଯେଉଁଥିରେ ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ୍‌ ଡୋଭାଲ୍‌, ପ୍ରତିରକ୍ଷା, ଗୃହ ଓ ବୈଦେଶିକ ମନ୍ତ୍ରୀ ସାମିଲ ଥିଲେ । ଏଥିରେ ପାକିସ୍ତାନ ବାବଦରେ ପରବର୍ତ୍ତୀ ରଣନୀତି ଉପରେ ଚର୍ଚ୍ଚା କରାଯାଇଥିବା କୁହାଯାଉଛି ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*