ଧାନ ବିକିଲେ ୪୮ଘଣ୍ଟା ଭିତରେ ମିଳିବ ଧନ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ନିର୍ଭୟ ମିଡିଆ : ଭୁବନେଶ୍ୱର

ଚଳିତ ଖରିଫ୍‌ ଓ ରବି ଋତୁ ପାଇଁ ରାଜ୍ୟ ସରକାର କୃଷକମାନଙ୍କ ଠାରୁ ୬୦ ଲକ୍ଷ ମେଟି୍ରକ୍‌ ଟନ୍‌ ଧାନ କିଣିବାକୁ ଲକ୍ଷ୍ୟଧାର୍ଯ୍ୟ ରଖିଛନ୍ତି । ରାଜ୍ୟର ପଞ୍ଜିକୃତ ୧୨ଲକ୍ଷ ୪୦ହଜାର ଚାଷୀଙ୍କ ଠାରୁ ଏହି ଧାନ ସଂଗ୍ରହ କରାଯିବ । ସଂଗୃହୀତ ଧାନରୁ ୪୧ଲକ୍ଷ ମେଟି୍ରକ୍‌ ଟନ୍‌ ଚାଉଳ ସଂଗ୍ରହ କରାଯିବା ପ୍ରସ୍ତାବକୁ ରାଜ୍ୟ କ୍ୟାବିନେଟ୍‌ ମଞ୍ଜୁରୀ ଦେଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟନାୟକଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନରେ ଗୁରୁବାର ଦିନ ଅନୁଷ୍ଠିତ କ୍ୟାବିନେଟ୍‌ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି । କ୍ୟାବିନେଟ୍‌ ବୈଠକ ସମ୍ପର୍କରେ ସୂଚନା ଦେଇ ମୁଖ୍ୟ ଶାସନ ସଚିବ ଅସୀତ୍‌ ତ୍ରିପାଠୀ ଗଣମାଧ୍ୟମରେ କ୍ୟାବିନେଟ୍‌ ପ୍ରସ୍ତାବ ସମ୍ପର୍କରେ ଅବଗତ କରାଇଛନ୍ତି ।
କ୍ୟାବିନେଟ୍‌ ବୈଠକ ସମ୍ପର୍କରେ ସୂଚନା ଦେଇ ମୁଖ୍ୟ ଶାସନ ସଚିବ କହିଛନ୍ତି ଯେ, ଚଳିତବର୍ଷ ଖରିଫ୍‌ ଓ ରବି ଋତୁରେ ରାଜ୍ୟର ଚାଷୀମାନଙ୍କ ଠାରୁ ଲ୍ୟାମ୍ପ୍‌ସ, ପ୍ୟାକ୍ସ, ଏସ୍‌ଏସ୍‌ଜି ଓ ପାଣି ପଞ୍ଚାୟତ ମାଧ୍ୟମରେ ଧାନ କିଣାଯିବାକୁ ଲକ୍ଷ୍ୟ ରଖାଯାଇଛି । ଚାଷୀମାନେ ଧାନ ବିକି୍ର କରିବାର ୭୨ ଘଣ୍ଟା ମଧ୍ୟରେ ଗତବର୍ଷ ଅର୍ଥ ପାଇଥିଲେ । କ୍ୟାବିନେଟ୍‌ ନିଷ୍ପତ୍ତି ଅନୁସାରେ ଚଳିତବର୍ଷ ଧାନ ବିକୁଥିବା ଚାଷୀଙ୍କୁ ୨୪ରୁ ୪୮ ଘଣ୍ଟା ମଧ୍ୟରେ ଟଙ୍କା ଦିଆଯିବ ବୋଲି ମୁଖ୍ୟ ଶାସନ ସଚିବ କହିଛନ୍ତି ।

କ୍ୟାବିନେଟ୍‌ ବୈଠକରେ ସମୁଦାୟ ୧୦ଟି ପ୍ରସ୍ତାବ ପାରିତ ହୋଇଥିବା ବେଳେ ବରମୁନ୍ଦା ବସ୍‌ଷ୍ଟାନ୍ଦର ନବୀକରଣ ଓ ଏହାକୁ ଆନ୍ତଃ ରାଜ୍ୟ ବସ୍‌ ଟର୍ମିନାଲରେ ପରିଣତ ପାଇଁ ଆସିଥିବା ପ୍ରସ୍ତାବକୁ ମଞ୍ଜୁରୀ ଦିଆଯାଇଛି । ବରମୁନ୍ଦା ବସ୍‌ ଟର୍ମିନାଲର ନିର୍ମାଣ ୨୪ ମାସ ମଧ୍ୟରେ ଶେଷ କରିବାକୁ ବୁଝାମଣା ହୋଇଛି । ସମୁଦାୟ ୧୬୦.୬୬ କୋଟି ଟଙ୍କା ବ୍ୟୟରେ ଅତ୍ୟାଧୁନିକ ବସ୍‌ ଟର୍ମିନାଲ ନିର୍ମାଣ କରାଯିବ । ବରମୁନ୍ଦାଠାରେ ଓଏସ୍‌ଆର୍‌ଟିସିର ଥିବା ବସ୍‌ ଡିପୋକୁ ଖନ୍ଦଗିରି ସ୍ଥାନାନ୍ତର ପାଇଁ ଏଠାରେ ନିର୍ମାଣ କାର୍ଯ୍ୟ କରାଯିବ ।
କ୍ୟାବିନେଟ୍‌ର ଅନ୍ୟାନ୍ୟ ପ୍ରସ୍ତାବ ମଧ୍ୟରେ ଓଡ଼ିଶା ଟିକସ ହିସାବ ସେବା ନିୟମକୁ ସଂଶୋଧନ କରାଯିବା ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି । ନିର୍ମାଣ ବିଭାଗ ପକ୍ଷରୁ ଟମକା-ମଙ୍ଗଳପୁର ରାଜପଥକୁ ଚାରି ଥାକିଆ କରାଯିବା ପାଇଁ ଆସିଥିବା ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି । ୩୫ କିମି ରାସ୍ତା ପାଇଁ ସମୁଦାୟ ୧୧୭ କୋଟି ଟଙ୍କା ବ୍ୟୟ ବରାଦ କରାଯାଇଛି । ସେହିଭଳି ୧୩ତମ ଅର୍ଥ ଆୟୋଗଙ୍କ ସୁପାରିସ କ୍ରମେ ଜିଲା ଜଜ୍‌ମାନଙ୍କୁ ପ୍ରଶାସନିକ କ୍ଷେତ୍ରରେ ସହାୟତା ନିମନ୍ତେ ୩୨ ଜଣ କୋର୍ଟ ମ୍ୟାନେଜରଙ୍କୁ ସରକାର ଚୁକ୍ତିଭିତ୍ତିକ ନିଯୁକ୍ତି ପ୍ରଦାନ କରିବାକୁ ଆସିଥିବା ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି । ବସୁଧା ଯୋଜନାରେ ବାଲେଶ୍ୱର ଜିଲାରେ ବୃହତ୍ତ ପାନୀୟ ଜଳ ପ୍ରକଳ୍ପ ପ୍ରସ୍ତାବକୁ ମଞ୍ଜୁରୀ ଦିଆଯାଇଛି । ଏହି ପ୍ରକଳ୍ପ ଦ୍ୱାରା ୯୦ଟି ଗ୍ରାମର ୯୦୨୧୯ ଜଣଙ୍କୁ ବିଶୁଦ୍ଧ ପାନୀୟ ଜଳ ଯୋଗାଇ ଦିଆଯିବ । ୧୪୯.୧୨ କୋଟି ଟଙ୍କା ବ୍ୟୟରେ ନିର୍ମାଣ ହେବାକୁ ଥିବା ଏହି ପ୍ରକଳ୍ପ ୨୪ମାସରେ କାର୍ଯ୍ୟ ଶେଷ କରାଯିବ । କେନ୍ଦ୍ରୀୟ ବିଦ୍ୟାଳୟ ସଂଗଠନକୁ ଖୋର୍ଦ୍ଧା ଜିଲାର ଭୁବନେଶ୍ୱର ତହସିଲ ଅନ୍ତର୍ଗତ ବାଙ୍କୁଆଳ ମଉଜାରେ ୨.୪୭୮ ଏକର ଜମି ବାର୍ଷିକ ୧ଟଙ୍କାରେ ଯୋଗାଇ ଦିଆଯିବ । ଏହି ସଂଗଠନ ଏଠାରେ ଶିକ୍ଷା ଓ ତାଲିମ ଅନୁଷ୍ଠାନ ପ୍ରତିଷ୍ଠା କରିବ । ଏହାଛଡ଼ା ସ୍ୱାସ୍ଥ୍ୟ ବିଭାଗରେ ଖାଲି ପଡ଼ିଥିବା ଯୋଗ୍ୟ ଡାକ୍ତର ଆବଶ୍ୟକତା ପୂରଣ ପାଇଁ ଭେଷଜ ଶିକ୍ଷାର ପ୍ରସାର ନିମନ୍ତେ ବାଲେଶ୍ୱରଠାରେ ଡାକ୍ତରୀ ଛାତ୍ରଙ୍କ ନିମନ୍ତେ ୫୦୦ଶଯ୍ୟା ବିଶିଷ୍ଟ ମେଡିକାଲ୍‌ କଲେଜ ନିର୍ମାଣକୁ କ୍ୟାବିନେଟ୍‌ ମଞ୍ଜୁରୀ ଦେଇଛି । ଏଥିପାଇଁ ୧୪୮.୧୯ କୋଟି ଟଙ୍କା ବ୍ୟୟ କରାଯିବ । ସେହିଭଳି ବଲାଙ୍ଗୀରଠାରେ ୫୦୦ ଶଯ୍ୟା ବିଶିଷ୍ଟ ସରକାରୀ ଭେଷଜ ମହାବିଦ୍ୟାଳୟ ନିମନ୍ତେ ନୀତିଗତ ନିଷ୍ପତ୍ତି ନିଆଯାଇଛି । ଏଥିପାଇଁ ମୋଟ ୧୪୫.୬୦ କୋଟି ଟଙ୍କା ବ୍ୟୟ ଅଟକଳ କରାଯାଇଥିବା ବୈଠକ ପରେ ସୂଚନା ଦିଆଯାଇଛି ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*