ଦକ୍ଷିଣ ଏସୀୟ କ୍ରୀଡ଼ା: ଶୀର୍ଷରେ ରହିଛି ଭାରତ ଦେଶ ପାଇଁ ୨ ସ୍ୱର୍ଣ୍ଣ ଜିତି ଆଣିଲେ ଝିଲ୍ଲି ଓ ସ୍ନେହା

FacebooktwitterredditpinterestlinkedinmailFacebooktwitterredditpinterestlinkedinmail


ନିର୍ଭୟ ମିଡ଼ିଆ : ଭୁବନେଶ୍ୱର

ନେପାଳର ରାଜଧାନୀ କାଠମାନ୍ଦୁ ଏବଂ ପୋଖରା ଠାରେ ଏବେ ୧୩ତମ ଦକ୍ଷିଣ ଏସିଆ କ୍ରୀଡ଼ା ଅନୁଷ୍ଠିତ ହେଉଛି । ଗୁରୁବାର ଦିନ ଦେଶ ପାଇଁ ୨ଟି ସ୍ୱର୍ଣ୍ଣ ପଦକ ଆଣି ଦେଇଛନ୍ତି ୨ ଜଣ ଓଡ଼ିଆ ଖେଳାଳି । ମହିଳା ଭାରୋତ୍ତଳନରେ ଓଡ଼ିଶାର ସ୍ନେହା ସୋରେନ ଏବଂ ଝିଲ୍ଲୀ ଦଳବେହେରା ନିଜ ନିଜ ବର୍ଗରେ ପ୍ରଥମ ହୋଇ ଜିତିଛନ୍ତି ସ୍ୱର୍ଣ୍ଣ ପଦକ । ଗୁରୁବାର ମହିଳା ୪୫ କେଜି ବର୍ଗରେ ଝିଲ୍ଲୀ ସ୍ୱର୍ଣ୍ଣ ପଦକ ଜିତିଛନ୍ତି । ସ୍ନାଚ୍‌ରେ ୬୬ ଏବଂ କ୍ଳିନ୍‌ ଆନ୍ଦ ଜର୍କରେ ୮୫ କେଜି ଏପରି ମୋଟ ୧୫୧ କେଜି ଭାର ଉଠାଇ ସେ ସ୍ୱର୍ଣ୍ଣ ପଦକ ପାଇଛନ୍ତି । ଏହି ବର୍ଗରେ ଶ୍ରୀଲଙ୍କାର ଖେଳାଳି ଦିବଶେଖରା ୧୩୯ କେଜି ଏବଂ ନେପାଳର ଖେଳାଳି ସଙ୍ଗୀତା ରାୟ ୧୨୭ କେଜି ଭାର ଉଠାଇ ଯଥାକ୍ରମେ ରୌପ୍ୟ ଓ ବ୍ରୋଞ୍ଜ ପଦକ ପାଇଛନ୍ତି । ଝିଲ୍ଲୀ ସ୍ୱର୍ଣ୍ଣ ପାଇବାର କିଛି ସମୟ ପରେ ମୟୂରଭଞ୍ଜର ସ୍ନେହା ସୋରେନ୍‌ ଦେଶ ପାଇଁ ଆଣି ଦେଇଥିଲେ ଆଉ ଏକ ସ୍ୱର୍ଣ୍ଣ ପଦକ ମହିଳା ୪୯ କେଜି ବର୍ଗରେ ସ୍ନେହା ସ୍ନାଚରେ ୬୮ ଏବଂ କ୍ଳିନ୍‌ ଆନ୍ଦ ଜର୍କରେ ୮୯ କେଜି ଏପରି ମୋଟ ୧୫୭ କେଜି ଭାର ଉଠାଇ ସ୍ୱର୍ଣ୍ଣ ଜିଣିଛନ୍ତି । ଶ୍ରୀଲଙ୍କାର ଦିନୁସା ଏବଂ ବାଂଲାଦେଶର ସାବିରା ଯଥାକ୍ରମେ ରୌପ୍ୟ ଓ ବ୍ରୋଞ୍ଜ ପଦକ ଏହି ବର୍ଗରେ ହାସଲ କରିଛନ୍ତି । ଏହି ଦୁଇ ଖେଳାଳିଙ୍କ ପୂର୍ବରୁ ମହିଳା ସୁଟିଂରେ ଓଡ଼ିଆ ଝିଅ ଶ୍ରୀୟଙ୍କା ଷଡ଼ଙ୍ଗୀ ରୌପ୍ୟ ପଦକ ହାସଲ କରିସାରିଛନ୍ତି ।
ବ୍ୟାଡ଼ମିଣ୍ଟନରେ
୨ ସ୍ୱର୍ଣ୍ଣ ନିଶ୍ଚିତ
ଏଠାରେ ଓ ପୋଖରା ଠାରେ ମିଳିତ ଭାବେ ଅନୁଷ୍ଠିତ ହେଉଥିବା ୧୩ତମ ଦକ୍ଷିଣ ଏସୀୟ କ୍ରୀଡ଼ାରେ ଗୁରୁବାର ମହିଳା ସିଙ୍ଗଲ୍ସ ବର୍ଗ ଫାଇନାଲରେ ପ୍ରବେଶ କରିଛନ୍ତି ଭାରିତୀୟ ଖେଳାଳି ଅସ୍ମିତା ଚଲିହା ଏବଂ ଗାୟତ୍ରୀ ଗୋପିଚାନ୍ଦ । ଅସ୍ମିତା ଶ୍ରୀଲଙ୍କାର ଅଚିନି ରତ୍ନସିରିଙ୍କ ବିପକ୍ଷରେ ୨୧-୧୫, ୨୧-୭ ଏବଂ ଗାୟତ୍ରୀ ଶ୍ରୀଲଙ୍କାର ଦିଲ୍ମି ଦିୟାସ୍ଙ୍କ ବିପକ୍ଷରେ ୨୧-୧୭, ୨୧-୧୪ରେ ମ୍ୟାଚ୍ ଜିତିଯାଇଛନ୍ତି । ପୁରୁଷ ସିଙ୍ଗଲ୍ସ ବର୍ଗରେ ଆର୍ଯ୍ୟମାନ ଟନ୍ଦନ ଏବଂ ସିରିଲ ବର୍ମା ମଧ୍ୟ ଫାଇନାଲ୍ରେ ପ୍ରବେଶ କରିଛନ୍ତି । ସିରିଲ୍ ଶ୍ରୀଲଙ୍କାର ଦିନୁକା କରୁଣାରତ୍ନେଙ୍କୁ ୨୧-୯, ୨୧-୧୨ରେ ପରାସ୍ତ କରିଛନ୍ତି । ଆର୍ଯ୍ୟମାନ ନେପାଳର ରତନଜୀତ ତମାଙ୍ଗଙ୍କୁ ୨୧-୧୮, ୧୪-୨୧, ୨୧-୧୮ରେ ପରାସ୍ତ କରି ଫାଇନାଲ୍ରେ ପ୍ରବେଶ କରିଛନ୍ତି । ପୁରୁଷ ଡ଼ବଲ୍ସ ବର୍ଗରେ କ୍ରିଷ୍ଣା ଗାରଗା ଏବଂ ଧ୍ରୁବ କପିଲା ପାକିସ୍ତାନର ମହମ୍ମଦ ଅତିକ ଏବଂ ରାଜା ମହମ୍ମଦଙ୍କୁ ୨୧-୧୫, ୨୧-୭ରେ ପରାସ୍ତ କରିଛନ୍ତି । ଫାଇନାଲ୍ରେ କ୍ରିଷ୍ଣା ଏବଂ ଧ୍ରୁବ ଶ୍ରୀଳଙ୍କାର ଏସ୍ ଡ଼ିଆସ୍ ଆଙ୍ଗୋଦା ବିଦାନଲଗେ ଏବଂ ବି ଥରିନ୍ଦୁ ଡ଼ୁଲେୟୁଙ୍କୁ ଭେଟିବେ ।
ମହିଳା ଡ଼ବଲ୍ସ ବର୍ଗରେ କୁହୁ ଗର୍ଗ ଏବଂ ଅନୁଷ୍କା ପାରିଖ ଶ୍ରୀଲଙ୍କାର ଅଚିନ୍ ରତ୍ନସିରି ଏବଂ ଉପୁଲି ସାମନ୍ତିକାଙ୍କ ଠାରୁ ୧୦-୨୧,୧୯-୨୧ରେ ପରାସ୍ତ ହୋଇଛନ୍ତି । ସେହିପରି ମେଘନା ଏବଂ ଏନ୍ ସିକ ରେଡ୍ଡୀ ମଧ୍ୟ ଶ୍ରୀଲଙ୍କାର ଥିଲିନ୍ ଏବଂ ସିରିମାନେଜ୍ଙ୍କ ଠାରୁ ୧୪-୨୧, ୧୮-୨୧ରେ ପରାସ୍ତ ହୋଇଛନ୍ତି । ମିକ୍ସଡ଼ ଡ଼ବଲ୍ସରେ ଧ୍ରୁବ ଏବଂ ମେଘନା ନେପାଳର ବିକାଶ ଶ୍ରେଷ୍ଟା ଏବଂ ଅନୁମାୟା ରାୟଙ୍କୁ ୨୧-୧୪, ୨୧-୧୩ରେ ପରାସ୍ତ କରି ଫାଇନାଲ୍ରେ ପ୍ରବେଶ କରିଛନ୍ତି । ଶୁକ୍ରବାର ସମସ୍ତ ଫାଇନାଲ୍ ମ୍ୟାଚ୍ ଖେଳାଯିବ ।
ଆଥଲେଟିକ୍ସରେ ମଧ୍ୟ ଗୁରୁବାର ଭାରତୀୟ ଖେଳାଳିମାନଙ୍କର ପଦକ ଜିତିବା ଅବ୍ୟାହତ ରହିଛି । ମହିଳା ଓ ପୁରୁଷ ଟ୍ରିପଲ ଜମ୍ପ ୧-୨ ସ୍ଥାନ ହାସଲ କରିଛନ୍ତି ଭାରତୀୟ ଖେଳାଳି । ମହିଳା ୪୦୦ମିଟର ଦୌଡରେ ଭାରତର ଖେଳାଳି ପି୍ରୟା ରୌପ୍ୟ ପଦକ ଜିତିଛନ୍ତି । ପୁରୁଷ ୪୦୦ମିଟରରେ ବ୍ରୋଞ୍ଜ ଜିତିଛନ୍ତି ଭାରତର ଜୀବନ । ମହିଳା ୧୦୦ମିଟର ହଡଲ୍ସରେ ଭାରତର ଅପର୍ଣ୍ଣା ରୌପ୍ୟ ପଦକ ଜିତିଥିବାବେଳେ ପୁରୁଷ ୧୧୦ମିଟର ହଡଲ୍ସରେ ସୁରେନ୍ଦ୍ର ନାୟକ ପାଇଛନ୍ତି ରୌପ୍ୟ ପଦକ । ମହିଳା ଫୁଟବଲରେ ଭାରତୀୟ ଦଳ ତାର ଦ୍ୱିତୀୟ ବିଜୟ ହାସଲ କରିଛି । ଗୁରୁବାର ନିଜ ଦ୍ୱିତୀୟ ମ୍ୟାଚରେ ଶ୍ରୀଲଙ୍କାକୁ ୬-୦ଗୋଲରେ ହରାଇ ଦେଇଛି ଭାରତ । ମେଡ଼ାଲ ତାଲିକାରେ ଭାରତ ରହିଛି ସର୍ବୋଚ୍ଚ ସ୍ଥାନରେ । ଏହି ରିପୋର୍ଟ ଗୁରୁବାର ରାତିରେ ଲେଖାଗଲା ବେଳକୁ ଭାରତ ୫୮ସ୍ୱର୍ଣ୍ଣ, ୪୧ ରୌପ୍ୟ ଏବଂ ୧୯ବ୍ରୋଞ୍ଜ ପଦକ ସହ ୧୧୮ଟି ମେଡ଼ାଲ ଜିତିସାରିଥିଲା । ଆୟୋଜକ ନେପାଳ ୩୬ସ୍ୱର୍ଣ୍ଣ ସହ ମୋଟ ୯୬ମେଡ଼ାଲ ଜିତି ଦ୍ୱିତୀୟରେ ରହିଛି ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*