ଥମୁନି ତଣ୍ଟିଆ ବିବାଦ:ଜୁଏଲ୍‌ କହିଲେ, ମୋତେ କେହି ଧକ୍କା ମାରି ନାହାନ୍ତ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ନିର୍ଭୟ ମିଡିଆ : ଭୁବନେଶ୍ୱର

ନିଆଳି ରତନପୁରର ଶହୀଦ ମନୋଜ ବେହେରାଙ୍କ ଅତି ଦୂର ସମ୍ପର୍କୀୟ ଦାଦା ଚୈତନ୍ୟଙ୍କ ସାର୍ଟିଫିକେଟ୍‌ ମଧ୍ୟ ବିଜୁ ଜନତା ଦଳ ବିଧାୟକ ଦେବାଶିଷ ସାମନ୍ତରାୟଙ୍କୁ ବିପଦମୁକ୍ତ କରିପାରି ନାହିଁ । ତାଙ୍କ ନାମରେ କଟକ ବାଦାମବାଡ଼ି ଥାନାରେ ରୁଜୁ ହୋଇଥିବା ଏତଲାକୁ ଗ୍ରହଣ କରିଛି ପୁଲିସ ଏବଂ ଏହାକୁ ନିଆଳି ଥାନାକୁ ପଠାଇ ଦିଆଯାଇଛି । ସରକାର ଏବଂ ସରକାରୀ ଦଳ ଦୃଷ୍ଟିରୁ ହୁଏତ ପୁଲିସ କାର୍ଯ୍ୟାନୁଷ୍ଠାନ ହୋଇ ନପାରେ ଦେବାଶିଷଙ୍କ ବିରୋଧରେ ।

କିନ୍ତୁ ନିଜକୁ ବଞ୍ଚାଇବାକୁ ଯାଇ କଟକ-ବାରବାଟୀ ବିଧାୟକ ଭାଜପାର କେନ୍ଦ୍ରମନ୍ତ୍ରୀ ଜୁଏଲ୍‌ ଓରାମ୍‌ଙ୍କୁ ବିବାଦ ଭିତରକୁ ଭିଡ଼ିବା ପାଇଁ ଯେଉଁ ଚେଷ୍ଟା କରିଥିଲେ, ତାହା ବୁମେରାଂ ହୋଇଛି । ଜୁଏଲ୍‌ ସ୍ପଷ୍ଟ କରିଦେଇଛନ୍ତି ଯେ, ତାଙ୍କୁ କେହି ଧକ୍କା ମାରି ନାହାନ୍ତି ।
୧୬ ତାରିଖ ଦିନ ଶହୀଦ ମନୋଜଙ୍କ ପାର୍ଥୀବ ଶରୀର ପହଞ୍ଚô ଥିଲା ନିଜ ଗାଁ ରତନପୁରରେ । ଶେଷ ସମ୍ମାନ ଦେଖାଇବାକୁ ଉପସ୍ଥିତ ଥିଲେ ସଶସ୍ତ୍ର ପୁଲିସ । ଆଖପାଖ ଗାଁର ବହୁ ଲୋକ ଗଭୀର ରାତିରେ ବି ଠୁଳ ହୋଇଥିଲେ ସେଠାରେ । ସ୍ଥାନୀୟ ବିଧାୟକ ପ୍ରମୋଦ ମଲ୍ଲିକ, କଟକ-ବାରବାଟୀ ବିଧାୟକ ଦେବାଶିଷ ସାମନ୍ତରାୟ, ଜିଲା ମନ୍ତ୍ରୀ ପ୍ରତାପ ଜେନା, ଭାଜପା ସଭାପତି ବସନ୍ତ ପନ୍ଦା ଏବଂ କେନ୍ଦ୍ରମନ୍ତ୍ରୀ ଜୁଏଲ୍‌ ଓରାମ୍‌ ମଧ୍ୟ ପହଞ୍ଚô ଥିଲେ ସେଠାରେ । ଜଣେ ବ୍ୟକ୍ତି ଭିଡ଼ ଭିତରୁ ଆଗକୁ ଆସିବା ପାଇଁ ଚେଷ୍ଟା କରିଥିଲେ । ଏତେ ବିଧାୟକ ଓ ନେତା ଥାଉଥାଉ ଦେବାଶିଷ ପ୍ରଥମେ ଜୁଏଲ୍‌ଙ୍କ ସାମ୍ନାକୁ ଆସିଯାଇଥିବା ସେହି ଭଦ୍ରବ୍ୟକ୍ତିଙ୍କୁ ଧକ୍କାଏ ପକାଇ ଥିଲେ । ପରେ ଟାଣିଆଣି ତଣ୍ଟିଆ ଦେଇ ଶହୀଦଙ୍କ ମରଶରୀର ପାଖରେ ବସାଇ ଦେଇଥିଲେ । ବିଧାୟକ ଜୋର୍‌ରେ ପାଟି କରୁଥିବା ମଧ୍ୟ ଦେଖିବାକୁ ମିଳିଥିଲା । ଏହି ସମୁଦାୟ ଦୃଶ୍ୟଟି ପ୍ରଥମେ ଚ୍ୟାନେଲ୍‌ରେ ପ୍ରଦର୍ଶିତ ହେବା ପରେ ସାମାଜିକ ଗଣମାଧ୍ୟମରେ ଭାଇରାଲ୍‌ ହୋଇଗଲା । ସେତେବେଳେ ଜଣାପଡ଼ିଲା ଯେ, ତଣ୍ଟିଆ ଖାଇଥିବା ଭଦ୍ରବ୍ୟକ୍ତି ଜଣଙ୍କ ହେଲେ ମନୋଜଙ୍କ ଦାଦା ଚୈତନ୍ୟ ବେହେରା ।
ଏହି ଭିଡିଓଟି ଭାଇରାଲ୍‌ ହେବା ପରେ ଦେବାଶିଷ ଚାରିଆଡ଼ୁ ସମାଲୋଚିତ ହେଲେ । କିନ୍ତୁ ସାମ୍ନାକୁ ଆସି କିଛି ସ୍ପଷ୍ଟୀକରଣ ଦେଲେ ନାହିଁ । ଓଲଟି ତାଙ୍କରି ଦଳର ମୁଖପାତ୍ର ସସ୍ମିତ୍‌ ପାତ୍ର ଏହାକୁ ବାଏଁବାଏଁ ଉଡ଼ାଇ ଦେଲେ । କିନ୍ତୁ ଚାରିଆଡ଼ୁ ଭର୍ତ୍ସିତ ହେବା ପରେ ଦେବାଶିଷ ୧୯ ତାରିଖ ଦିନ କ୍ଷମା ପ୍ରାର୍ଥନା କଲେ । କହିଲେ ଯେ, ସେ ଜାଣି ନଥିଲେ ଚୈତନ୍ୟ ହେଉଛନ୍ତି ମନୋଜଙ୍କ ସମ୍ପର୍କୀୟ ଦାଦା । ଏହାକୁ ନେଇ ଆଉ କେହି ରାଜନୀତି ନକରିବାକୁ ବିଜଦ ବିଧାୟକ ନିବେଦନ କରିଥିଲେ ।
କିନ୍ତୁ ଜାତୀୟ ଗଣମାଧ୍ୟମରେ ଏହି ଘଟଣା ଓ ଭିଡିଓ ପ୍ରକାଶ ପାଇଯାଇଥିଲା । ଦେବାଶିଷଙ୍କ କ୍ଷମା ପ୍ରାର୍ଥନାକୁ ସାମାଜିକ ଗଣମାଧ୍ୟମରେ ମଧ୍ୟ ସମାଲୋଚନା କରାଗଲା । ୨୦ ତାରିଖ ରାତିରେ ପାକ୍‌ ଟେଲିଭିଜନ୍‌ରେ ଦେବାଶିଷଙ୍କ କାରନାମା ସମ୍ବଳିତ ଭିଡିଓଟି ବାରମ୍ବାର ପ୍ରସାରିତ ହେଲା । ପାକିସ୍ତାନ ମିଡିଆ ଏହାକୁ ଦେଖାଇ ଭାରତ କୁମ୍ଭୀର କାନ୍ଦଣା କାନ୍ଦୁଛି ବୋଲି ପ୍ରମାଣିତ କରିବାକୁ ଚେଷ୍ଟା କରିଥିଲା । ୧୯ ତାରିଖ କ୍ଷମା ପ୍ରାର୍ଥନା ପରେ ସବୁକିଛି ଥମିଯିବ ବୋଲି ଧରି ନେଇଥିଲେ ଦେବାଶିଷ । କିନ୍ତୁ ପାକ୍‌ ଟେଲିଭିଜନ ତାଙ୍କ ହିସାବକିତାବକୁ ବିଗିଡ଼ାଇ ଦେଲା । ଏବେ ଆହୁରି ଜୋର୍‌ରେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନର ସ୍ୱର ଉଠିଲା । ୨୧ ତାରିଖ ଦିନ ଦେବାଶିଷ ଦ୍ୱିତୀୟ ଥର କ୍ଷମା ପ୍ରାର୍ଥନା କଲେ । କିନ୍ତୁ ଏଥିରେ ସେ ଟାଣିଲେ ଭାଜପା କେନ୍ଦ୍ରମନ୍ତ୍ରୀ ଜୁଏଲ୍‌ ଓରାମ୍‌ଙ୍କୁ । କହିଲେ, ପରେ ଜାଣିଲି ଯେ, ଏହି ଲୋକ ଜଣଙ୍କ ଶହୀଦ୍‌ଙ୍କ ନିଜ ଦାଦା ନୁହଁନ୍ତି । ଅତି ଦୂର ସମ୍ପର୍କୀୟ । ସେ କେନ୍ଦ୍ରମନ୍ତ୍ରୀଙ୍କୁ ଧକ୍କା ମାରିବାରୁ ମୁଁ ତାଙ୍କ ହାତ ଧରି ବସାଇ ଦେଇଥିଲି । ଏହାଦ୍ୱାରା ଦେବାଶିଷ ଦେଖାଇବାକୁ ଚାହୁଁଥିଲେ ଯେ, ଜଣେ କେନ୍ଦ୍ରମନ୍ତ୍ରୀଙ୍କୁ ଅସମ୍ମାନିତ କରୁଥିବା କାରଣରୁ ସେ ଏମିତି କରିଥିଲେ । କିନ୍ତୁ ତଣ୍ଟିଆ ମାରିବା କଥାକୁ ସମ୍ପୂର୍ଣ୍ଣ ଅଗ୍ରାହ୍ୟ କରିଦେଇଥିଲେ ।
୨୧ ତାରିଖ ଦିନ ଏକ ନିର୍ଦ୍ଦିଷ୍ଟ ଚ୍ୟାନେଲ୍‌ରେ ଶହୀଦ୍‌ଙ୍କ ସମ୍ପର୍କୀୟ କୁହାଯାଉଥିବା ଚୈତନ୍ୟ ବିଧାୟକଙ୍କୁ ବଜେଇବେ ବୋଲି କହୁଥିବା ଶୁଣିବାକୁ ମିଳିଥିଲା । କିନ୍ତୁ ୨୨ ତାରିଖ ଦିନ ସେ ଦେବାଶିଷଙ୍କୁ କ୍ଲିନ୍‌ଚିଟ୍‌ ଦେଇଥିଲେ । ଅନ୍ୟ ଏକ ସାକ୍ଷାତକାରରେ ସେ କହିଥିଲେ ଯେ, ଦେବାଶିଷଙ୍କର ଭୁଲ୍‌ ନାହିଁ କି ତାଙ୍କର ମଧ୍ୟ ଭୁଲ୍‌ ନାହିଁ । ଦେବାଶିଷଙ୍କ ଭାଷାରେ ଏହି ଦୂର ସମ୍ପର୍କୀୟ ଚୈତନ୍ୟ ବେହେରା କେବଳ ଏତିକି କହିଥିଲେ ଯେ, ବିଧାୟକ ଜଣେ ଭଲ ଲୋକ । ସେ ତାଙ୍କୁ ବସିବାକୁ କହିଥିଲେ ଏବଂ ସେ ବସି ଯାଇଥିଲେ । ଚୈତନ୍ୟଙ୍କ ଏଭଳି ମନ୍ତବ୍ୟ ଓ ସାର୍ଟିଫିକେଟ୍‌ ବିବାଦ ଥମାଇବା ପରିବର୍ତ୍ତେ ଆହୁରି ଘଟଣାକୁ ଜଟିଳ କରିଥିଲା । କେଉଁ ପରିସ୍ଥିତିରେ ଏବଂ କି ଲୋଭରେ ଚୈତନ୍ୟ ଦେବାଶିଷଙ୍କୁ ଏଭଳି କ୍ଲିନ୍‌ଚିଟ୍‌ ଦେଲେ, ତାହାକୁ ନେଇ ସୋସିଆଲ୍‌ ମିଡିଆରେ ନାନାଦି କଟୁ ଆଲୋଚନା ହେଲା । ଦେବାଶିଷ କହିଥିଲେ ଯେ, ଚୈତନ୍ୟ ଜୁଏଲ୍‌ଙ୍କୁ ଧକ୍କା ମାରିଥିଲେ । କିନ୍ତୁ ଏ ସମ୍ପର୍କରେ ଚୈତନ୍ୟ କିଛି ସଫେଇ ଦେଲେ ନାହିଁ ।
ଶନିବାର ଦିନ ସାମ୍ନାକୁ ଆସିଲେ କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ଜୁଏଲ୍‌ ଓରାମ୍‌ । ସେ ବିଜଦ ବିଧାୟକଙ୍କ ମିଥ୍ୟା ମନ୍ତବ୍ୟକୁ ସାମ୍ନାକୁ ଆଣିଥିଲେ । ଜୁଏଲ୍‌ କହିଥିଲେ ଯେ, ତାଙ୍କୁ କେହି ଧକ୍କା ମାରି ନାହାନ୍ତି କିମ୍ବା ଠେଲାପେଲା କରି ନାହାନ୍ତି । ଦେବାଶିଷ କିଭଳି କହିଲେ ତାହା ସେ ଜାଣିଥିବେ । କିନ୍ତୁ ଏହା ଆତ୍ମରକ୍ଷା ମୂଳକ ମନ୍ତବ୍ୟ ବୋଲି କହିଥିଲେ ଜୁଏଲ୍‌ ।
ଏପର୍ଯ୍ୟନ୍ତ ବିଜଦ ସଭାପତି ନବୀନ ପଟନାୟକ କୌଣସି ମୁହଁ ଖୋଲି ନାହାନ୍ତି । କିନ୍ତୁ ଦଳ ଭିତରେ ଏବଂ ବାହାରେ ଏହାକୁ ନେଇ ତୀବ୍ର ଅସନ୍ତୋଷ ପ୍ରକାଶ ପାଉଛି । ତଥାକଥିତ ବ୍ରାହ୍ମଣ ମନ୍ତବ୍ୟ ସକାଶେ ଡାକ୍ତର ଦାମୋଦର ରାଉତଙ୍କୁ ସ୍ପଷ୍ଟୀକରଣର ସୁଯୋଗ ନଦେଇ ମନ୍ତ୍ରିମନ୍ଦଳରୁ ବହିଷ୍କାର କରିଥିଲେ ନବୀନ । ଠିକ୍‌ ସେହିପରି ବେବିନା ଧର୍ଷଣ ଓ ହତ୍ୟା ମାମଲାରେ ଅଦାଲତଙ୍କ ରାୟ ଉପରେ ମନ୍ତବ୍ୟ ଦେଇ ବିବାଦରେ ଫଶିଥିଲେ ପିପିଲି ବିଧାୟକ ପ୍ରଦୀପ ମହାରଥୀ । ସେ ମଧ୍ୟ କ୍ଷମା ମାଗିଥିଲେ । କିନ୍ତୁ ତାଙ୍କୁ ମନ୍ତ୍ରିମନ୍ଦଳରୁ ବାହାର କରିଦେଇଥିଲେ ନବୀନ । ଅଥଚ ଦେବାଶିଷଙ୍କ ଔଦ୍ଧତ୍ୟପୂର୍ଣ୍ଣ କାର୍ଯ୍ୟ ଦେଶରେ ଏବଂ ଦେଶ ବାହାରେ ତୀବ୍ର ଆଲୋଡ଼ନ ସୃଷ୍ଟି କରିଥିଲେ ହେଁ ଏପର୍ଯ୍ୟନ୍ତ ନବୀନ ତାଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନର ସଙ୍କେତ ମଧ୍ୟ ଦେଇ ନାହାନ୍ତି । ବୋଧହୁଏ ନିର୍ବାଚନକୁ ଅଧିକ ଭୟ କରୁଛନ୍ତି ମୁଖ୍ୟମନ୍ତ୍ରୀ । କିମ୍ବା ଦେବାଶିଷଙ୍କ ଉପରେ ଯେଉଁ ସୁପର୍‌ ସିଏମ୍‌ଙ୍କ ଆଶୀର୍ବାଦ ଅଛି, ତାହା ବିରୋଧରେ ଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାର ଶକ୍ତି ନବୀନ ପଟନାୟକଙ୍କର ନାହିଁ ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*