ଝାଡ଼ଖଣ୍ଡ: ନଜର ଏବେ ସୁଦେଶ ଏବଂ ବାବୁଲାଲଙ୍କ ଉପରେ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ଏଜେନ୍ସୀ : ରାଞ୍ଚô

ଝାଡ଼ଖନ୍ଦ ବିଧାନସଭା ନିର୍ବାଚନ ପାଇଁ ସବୁ ଦଳ ଏବେ ଜୋରସୋରରେ ପ୍ରଚାରରେ ଲାଗିପଡ଼ିଛନ୍ତି । ଗତ ଲୋକସଭା ନିର୍ବାଚନରେ ୧୪ରୁ ୧୨ଟି ଆସନ ଜିତିଥିବା ଭାଜପା ଏଠାରେ ପୁନର୍ବାର ସରକାର ଗଠନର ଆଶା ରଖିଥିଲେ ମଧ୍ୟ କୁହାଯାଉଛି ଯେ, ଏଥର ରାଜ୍ୟରେ କ୍ଷମତାର ଚାବି ଆଞ୍ଚଳିକ ଦଳ ହାତରେ ରହିବ । କାରଣ ଆଞ୍ଚଳିକ ଦଳମାନେ ମଧ୍ୟ ପୁରା ଜୋରରେ ଲାଗିପଡ଼ିଛନ୍ତି ପ୍ରଚାର ଅଭିଯାନରେ ।
ଭାଜପାର ଜଣେ ବରିଷ୍ଠ ସ୍ଥାନୀୟ ନେତା କହିଛନ୍ତି ଯେ, ପୂର୍ବରୁ ଆମେ ଯେତିକି ଆସନ ଜିତିବାର ଆଶା ରଖିଥିଲୁ, ତାହା ନିର୍ବାଚନ ତାରିଖ ପାଖେଇବା ସହ କମି କମି ଯାଉଛି । ଦଳ ଅଲ୍‌ ଝାଡ଼ଖନ୍ଦ ଷ୍ଟୁଡେଣ୍ଟସ୍‌ ୟୁନିୟନ (ଏଜେଏସ୍‌ୟୁ) ସହ ଗଠବନ୍ଧନକୁ ପ୍ରତ୍ୟାଖ୍ୟାନ କରିଛି । ତେବେ ଝାଡ଼ଖନ୍ଦର ରାଜନୀତିରେ ଦୁଇ ଆଞ୍ଚଳିକ ଦଳ ସୁଦେଶ ମେହେତାଙ୍କ ନେତୃତ୍ୱରେ ପରିଚାଳିତ ଏଜେଏସ୍‌ୟୁ ଏବଂ ପୂର୍ବ ମୁଖ୍ୟମନ୍ତ୍ରୀ ବାବୁଲାଲ ମାରାନ୍ଦିଙ୍କ ନେତୃତ୍ୱରେ ପରିଚାଳିତ ଝାଡ଼ଖନ୍ଦ ବିକାଶ ମୋର୍ଚ୍ଚା (ଜେବିଏମ୍‌) ପୁରା ଦମ୍‌ରେ ଲାଗିଥିବାରୁ କିଛି ବଡ଼ ବିପର୍ଯ୍ୟୟ ଘଟିପାରେ । ରାଜନୈତିକ ବିଶେଷଜ୍ଞଙ୍କ ମତରେ ଭାଜପା କିମ୍ବା କଂଗ୍ରେସ ନୁହେଁ ଏହି ଦୁଇ ଦଳ ଭିତରୁ କୌଣସି ଏକ ଦଳ କିଙ୍ଗମେକର ବନିପାରେ ।
ଏଜେଏସ୍‌ୟୁର ପ୍ରବକ୍ତା ଦେବଶରଣ ଭଗତ ବଡ଼ ସଫଳତାର ଆଶା ରଖି କହିଛନ୍ତି ଯେ, ଲୋକେ ଆମ ସହ ଅଛନ୍ତି । ସୂଚନା ଅନୁସାରେ ଏହି ଦଳ ଖାଲି କୁର୍ମି ଭୋଟର ନୁହେଁ ଯୁବକ ଏବଂ ମହିଳାଙ୍କ ସମର୍ଥନ ହାସଲରେ ଲାଗିଛି । ୮୧ଟି ବିଧାନସଭା ଆସନରୁ ଦଳ ୫୩ଟି ଆସନରେ ପ୍ରାର୍ଥୀ ଦେଇଛି । ପୂର୍ବରୁ ଉପ ମୁଖ୍ୟମନ୍ତ୍ରୀ ଦାୟିତ୍ୱ ତୁଲାଇ ସାରିଥିବା ସୁଦେଶ ପୁଣିଥରେ ସିଲ୍ଲି ବିଧାନସଭା ଆସନରୁ ପ୍ରାର୍ଥୀ ହୋଇଛନ୍ତି । ସେ ରାଜ୍ୟର ବିଭିନ୍ନ ସ୍ଥାନ ବୁଲି ପ୍ରଚାର ଅଭିଯାନ ଚଳାଇଛନ୍ତି । ନିର୍ବାଚନରେ ଦଳର ଗୁରୁତ୍ୱ କେତେ ରହିଛି ତାହା ରାଞ୍ଚôରେ ଭାଜପାର ଏକ ସଭାରୁ ଜଣାପଡ଼ିଛି । ନିଜେ ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା କହିସାରିଛନ୍ତି ଯେ, ଏଜେଏସ୍‌ୟୁକୁ ଭାଜପା ସାଥିରେ ନେଇ ଆଗକୁ ଚାଲିବ ।
ସେହିଭଳି ପୂର୍ବ ମୁଖ୍ୟମନ୍ତ୍ରୀ ବାବୁଲାଲ ମାରାନ୍ଦିଙ୍କ ଦଳ ମଧ୍ୟ ନିର୍ବାଚନରେ ନିଜ ଦମ୍‌ରେ ଲଢୁଛି । ଦଳ ସମସ୍ତ ୮୧ଟି ଆସନରେ ପ୍ରାର୍ଥୀ ଦେଇଛି । ବାବୁଲାଲଙ୍କ ଭରସା ପୂର୍ବରୁ ଦଳ ଉପରେ ଅସନ୍ତୁଷ୍ଟ ଥିବା ଭୋଟରମାନେ ପୁଣିଥରେ ତାଙ୍କୁ ଗ୍ରହଣ କରିବେ । ସୂଚନାଯୋଗ୍ୟ ଯେ, ବାବୁଲାଲ ଝାଡ଼ଖନ୍ଦର ପ୍ରଥମ ମୁଖ୍ୟମନ୍ତ୍ରୀ ଥିଲେ । ତେବେ ଭାଜପା ସହ ଅସନ୍ତୋଷ କାରଣରୁ ସେ ନିଜର ଏକ ଦଳ ଗଠନ କରିଥିଲେ । ସ୍ୱଚ୍ଛ ଭାବମୂର୍ତ୍ତି ରଖୁଥିବା ମାରାନ୍ଦିଙ୍କ ଦଳ ଯଦି ଗତ ନିର୍ବାଚନ ଭଳି ସଫଳତା ପାଏ ତେବେ କୁହାଯାଉଛି ଯେ ରାଜ୍ୟରେ ସରକାର ଗଠନର ଚାବି ବାବୁଲାଲଙ୍କ ଦଳ ଜେବିଏମ୍‌ ପାଖରେ ରହିବ ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*