ଗୋଲାପି ଟେଷ୍ଟର ଭବ୍ୟ ଆରମ୍ଭ: ଈଶାନ୍ତଙ୍କୁ ୫ ୱିକେଟ ପେସ୍‌, ଝଡ଼ରେ ଉଡ଼ିଗଲା ବାଂଲାଦେଶ: ଭାରତର ଦମ୍‌ଦାର ଆରମ୍ଭ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ଏଜେନ୍ସୀ : କୋଲକାତା

ବୋଲିଂ ଓ ବ୍ୟାଟିଂରେ ଦମ୍‌ଦାର ପ୍ରଦର୍ଶନ କରି ଐତିହାସିକ ଗୋଲାପି ବଲ୍‌ ଦିବାରାତ୍ର ଟେଷ୍ଟ ମ୍ୟାଚ୍‌ର ପ୍ରଥମ ଦିନ ଟିମ୍‌ ଇନ୍ଦିଆ କରିଛି ରାଜ । ଶୁକ୍ରବାର ରାତି ପ୍ରାୟ ସାଢ଼େ ୮ଟା ବେଳେ ପ୍ରଥମ ଦିନର ଖେଳ ଶେଷ ହେଲା ବେଳକୁ ଭାରତ ପ୍ରଥମ ଇନିଂସରେ ୬୮ ରନ୍‌ର ଲିଡ୍‌ ନେଇସାରିଥିଲା । ୪୬ ଓଭରରେ ୩ ୱିକେଟ୍‌ ହରାଇ ୧୭୪ ରନ୍‌ କରିଥିଲା ଭାରତ ପ୍ରଥମ ଦିନର ଷ୍ଟମ୍ପ ଅପସାରଣ ହେଲାବେଳକୁ । ଅଧିନାୟକ ବିରାଟ କୋହଲି ୯୩ ବଲ୍‌ରୁ ୮ ଚୌକା ସହ ୫୯ ଏବଂ ଉପ-ଅଧିନାୟକ ରାହାଣେ ୩ ଚୌକା ସହ ୨୨ ବଲ୍‌ରୁ ୨୩ ରନ୍‌ କରି ଅପରାଜିତ ଥିଲେ । ପୂର୍ବରୁ ବାଂଲାଦେଶ ଭାରତୀୟ ପେସ୍‌ ଝଡ଼ର ସାମ୍ନା କରିନପାରି କେବଳ ୧୦୬ ରନ୍‌ କରି ଅଲ୍‌ଆଉଟ୍‌ ହୋଇଥିଲା । କେବଳ ୩୦.୩ ଓଭରରେ ବାଂଲାଦେଶ ଅଲ୍‌ଆଉଟ୍‌ ହୋଇଯିବା ପରେ ଭାରତ ଆରମ୍ଭ କରିଥିଲା ନିଜ ପ୍ରଥମ ଇନିଂସ । ଇନେ୍ଦାର ଠାରେ ଡବଲ ସେଞ୍ଚୁରି ମାରିଥିବା ମୟଙ୍କ ଅଗ୍ରୱାଲ ୩ ଚୌକା ସହ ୧୪ ରନ୍‌ କରି ଲୟରେ ଥିବାର ସଂକେତ ଦେଇଥିବା ବେଳେ କିନ୍ତୁ ଆଉଟ୍‌ ହୋଇଯାଇଥିଲେ । ସେହିପରି ରୋହିତ ଶର୍ମା ୧ ଛକା ଓ ୨ ଚୌକା ସହ ୩୫ ବଲ୍‌ରୁ ୨୧ ରନ୍‌ କରି ଆଉଟ୍‌ ହୋଇଥିଲେ । ୪୩ ରନ୍‌ରେ ଭାରତର ପ୍ରଥମ ୨ ୱିକେଟ୍‌ ପଡ଼ିଯାଇଥିଲା । ସେଇଠୁ ଅଧିନାୟକ ବିରାଟ କୋହଲିଙ୍କ ସହ ମିଶି ଦୃଢ଼ ଚେତେଶ୍ୱର ପୂଜାରା ଆରମ୍ଭ କରିଥିଲେ ଫାଇଟ୍‌ ବ୍ୟାକ୍‌ । ଦୁହେଁ ତୃତୀୟ ୱିକେଟ୍‌ ୯୪ ରନ୍‌ ଯୋଗ କରିଥିଲେ । ଚେତେଶ୍ୱର ପୂଜାରା ବଡ଼ ଜମାଣିଆ ଭଙ୍ଗିରେ ଖେଳି ୮ ଚୌକା ସହ ୧୦୫ ବଲ୍‌ରୁ ୫୫ ରନ୍‌ କରି ସେଟ୍‌ ହୋଇଯାଇଥିôବା ଅବସ୍ଥାରେ ହରାଇଥିଲେ ୱିକେଟ୍‌ । ଇବାଦତ୍ତଙ୍କ ଏକ ଅଧିକ ବାଉନ୍ସ ହୋଇଥିବା ବଲ୍‌ରେ ସେ ସ୍ଲିପ୍‌ରେ ଦେଇଥିଲେ କ୍ୟାଚ । ୬୮ ରନ୍‌ର ଅଗ୍ରଣୀ ଭାରତ ନେଇସାରିଥିବାରୁ ଯଦି ଶନିବାର ଦିନ ଭାରତୀୟ ବ୍ୟାଟିଂ ଏପରି ଜୋରଦାର ଚାଲେ ତା’ହେଲେ ତୃତୀୟ ଦିନ ଭିତରେ ମ୍ୟାଚ୍‌ ସରିଯିବାର ଆଶା ସୃଷ୍ଟି ହୋଇଛି ।
ଐତିହାସିକ ଗୋଲାପୀ ବଲ ଟେଷ୍ଟ ମ୍ୟାଚର ପ୍ରଥମ ଦିନ ଭାରତର ଲମ୍ବା ପେସ୍‌ ବୋଲର ଇଶାନ୍ତ ଶର୍ମା ଗୋଲାପୀ ରଙ୍ଗର ବଲରୁ ନାଲି ରଙ୍ଗର ନିଆଁ ଝୁଲା ବାହାର କରିବାରେ ବାଂଲାଦେଶ ସମ୍ପୂର୍ଣ୍ଣ ଧରାଶାୟୀ ହୋଇପଡ଼ିଥିଲା । ବିଶ୍ୱ ବିଖ୍ୟାତ ଇଡେନ୍‌ ମାଟିରେ ଶୁକ୍ରବାର ଦିବାରାତ୍ର ଟେଷ୍ଟ ମ୍ୟାଚର ପ୍ରଥମ ଦିନ ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିଥିବା ବାଂଲାଦେଶ ଇଶାନ୍ତ ଓ ସାଥୀଙ୍କ ଝଡ଼ପୂର୍ଣ୍ଣ ବୋଲିଂ ଆଗରେ ରହି ପାରିନଥିଲା ତିଷ୍ଠି । ମହାବାତ୍ୟାରେ ଯେପରି କଚ୍ଚା ଘରର ଛାତ ଉଡ଼ିଯାଏ ଠିକ୍‌ ସେପରି ଭାରତୀୟ ପେସରଙ୍କ ଆକ୍ରମଣରେ ବାଂଲାଦେଶ ବ୍ୟାଟିଂ ବିଭାଗ ତାସ୍‌ ପତି ଭଳି ଉଡ଼ିଯାଇଥିଲା । କେବଳ ୧୦୬ ରନ୍‌ କରି ବାଂଲାଦେଶର ପ୍ରଥମ ଇନିଂସ ଶେଷ ହୋଇଯାଇଛି । ଇଶାନ୍ତ ଚମକ୍ରାର ବୋଲିଂ କରି କେବଳ ୨୨ ରନ୍‌ ଦେଇ ୫ ୱିକେଟ ଦଖଲ କରିଛନ୍ତି । ଉମେଶ ଯାଦବ ୨୯ ରନ୍‌ ଦେଇ ୩ ଏବଂ ମହମ୍ମଦ ସାମି ୩୬ ରନ୍‌ ଦେଇ ୨ ୱିକେଟ ପାଇଥିଲେ । ବାଂଲାଦେଶର ପ୍ରଥମ ଇନିଂସ ଶେଷ କରିବାକୁ ଭାରତୀୟ ବୋଲର କେବଳ ୩୦.୩ ଓଭର ଲୋଡ଼ା କରିଥିଲେ । ସବୁତକ ୱିକେଟ ପେସ୍‌ ବୋଲର ଦଖଲ କରିଥିଲା ବେଳେ ଏହି ଇନିଂସରେ କେବଳ ଗୋଟିଏ ଓଭର ସ୍ପିନ୍‌ ୍‌ପକାଇଥିଲେ ବାମହାତି ରବିନ୍ଦ୍ର ଜାଦେଜା । ଇଶାନ୍ତ ନିଜ ସୁଇଂ ଦ୍ୱାରା ବ୍ୟାଟସମ୍ୟାନଙ୍କୁ ହଇରାଣରେ ପକାଇଥିଲା ବେଳେ ସାମି ବାଉନ୍ସର ତଥା ଉମେଶ ଯାଦବ ପ୍ରଚନ୍ଦ ଗତିରେ ବଲ କରି ବାଂଲାଦେଶ ଖେଳାଳିମାନଙ୍କୁ ହଡ଼ବଡ଼େଇ ଦେଇଥିଲେ । ଟସ୍‌ ଜିତିବା ପରଠାରୁ ବ୍ୟାଟିଂ ଆରମ୍ଭ କରିଥିବା ବାଂଲାଦେଶ ନିୟମିତ ୱିକେଟ ହରାଇବାରେ କୌଣସି ବ୍ୟାଟସମ୍ୟାନ୍‌ ଦମ୍ଭର ସହ ଗୋଲାପୀ ବଲ ବୋଲିଂର ସାମ୍ନା କରିପାରି ନଥିଲେ । ଦଳ ସକାଶେ ଆଉ ଏକ ଅସୁବିଧା ଖବର ହେଉଛି ପ୍ରଥମ ଇନିଂସରେ ୨୪ ରନ୍‌ କରିଥିବା ଲିଟନ୍‌ ଦାସ ସାମିଙ୍କ ବଲରେ ହୋଇଛନ୍ତି ଆହତ । ସାମିଙ୍କ ବାଉନ୍ସର ତାଙ୍କ ହେଲମେଟରେ ବାଜିଥିଲା । ଖେଳିବାରେ ଅସୁବିଧା ହେବାରୁ ସେ ପ୍ୟାଭିଲିଆନକୁ ଫେରିଛନ୍ତି । ତାଙ୍କ ସ୍ଥାନରେ ମେହିଦି ହାସନ ବଦଳ ଖେଳାଳି ଭାବରେ ଖେଳିଛନ୍ତି ମ୍ୟାଚ୍‌ । ବାଂଲାଦେଶ ପକ୍ଷରୁ ସର୍ବାଧିକ ସ୍କୋର -୨୯ ଓପନର ସାଦମାନ୍‌ ଇସଲାମ ସ୍କୋର କରିଥିଲେ ।
ଦିନ ୧ଟା ବେଳେ ଆରମ୍ଭ ହୋଇଥିଲା ମ୍ୟାଚ୍‌ । କିଛି ବିଲ ପରେ ପରେ ବାଂଲାଦେଶ ହରାଇଥିଲା ନିଜ ପ୍ରଥମ ୱିକେଟ । ଇଶାନ୍ତଙ୍କ ବଲରେ ଲାଇନ୍‌ ମିସ୍‌ କରି କାଏସ୍‌ ଏଲବିଡବ୍ଲୁ୍ୟ ହୋଇ ଯାଇଥିଲେ । ଭାରତର ପ୍ରଥମ ଗୋଲାପୀ ବଲ ଟେଷ୍ଟରେ ପ୍ରଥମ ୱିକେଟ ଦଖଲ କରିବାର ରେକର୍ଡ ଇଶାନ୍ତଙ୍କ ପାଖକୁ ଯାଇଛି । ୧୫ ରନରେ ପ୍ରଥମ ୱିକେଟ ପଡ଼ିବା ପରେ ଆଉ ୨ ରନ୍‌ ଯୋଗଦାନ ପରେ ଅଧିନାୟକ ମୋମିନୁଲ ବିନା ଖାତା ଖୋଲି ବିଦା ହୋଇଥିଲେ ରୋହିତଙ୍କ ଚମକ୍ରାର କ୍ୟାଚ୍‌ କାରଣରୁ । ଉମେଶଙ୍କ ବଲରେ ଲାଗିଥିବା ଏଜ୍‌ ପରେ ବଲ ସ୍ଲିପ୍‌ ଆଡକୁ ଆସୁଥିବା ଅବସ୍ଥାରେ ରୋହିତ ଗୋଟିଏ ହାତରେ କ୍ୟାଚ୍‌ କରିଥିଲେ ଡାଇଭ୍‌ ଲଗାଇ । ମିଥୁନ୍‌ ଏବଂ ରହିମ୍‌ ମଧ୍ୟ ଆଉଟ୍‌ ହୋଇଯାଇଥିଲେ ଖାତା ନ ଖୋଲି । ଅନୁଭବୀ ରହିମ୍‌ ସାମିଙ୍କ ବଲରେ ହୋଇଥିଲେ ପ୍ଳେଡ୍‌ଅନ୍‌ । ବାଂଲାଦେଶ ପକ୍ଷରୁ କେବଳ ୩ ଜଣ ବ୍ୟାଟସମ୍ୟାନ୍‌ ହାସନ-୧୯, ଲିଟନ୍‌-୨୪ ଏବଂ ଇସଲାମ୍‌-୨୯ ଦୁଇ ଅଙ୍କରେ ପହଞ୍ଚିପାରିଥିଲେ । ଇନେ୍ଦାର ଠାରେ ଭାରତ ଯେଉଁ ଏକାଦଶ ନେଇ ଖେଳିଥିଲା ସେହି ସମାନ ଏକାଦଶ ଏଠାରେ ଖେଳିବା ପାଇଁ ଉତାରିଛି । କୂଲଦୀପ ଯାଦବଙ୍କୁ ସୁଯୋଗ ମିଳିବ ବୋଲି ଯେଉଁ ଅନୁମାନ ମିଳିଥିଲା ତାହା କିନ୍ତୁ ହୋଇନାହିଁ ।
ସାହାଯ୍ୟ ପାଇ ଆସିଲେ ଭାରତୀୟ ଫିଜିଓ
ବଡ଼ ବନ୍ଧୁତ୍ୱପୂର୍ଣ୍ଣ ପରିବେଶରେ ଏହି ପ୍ରଥମ ଦିବାରାତ୍ର ଗୋଲାପୀ ବଲ ଟେଷ୍ଟ ମ୍ୟାଚ୍‌ ଆୟୋଜିତ ହେଉଛି । ସେହି ବନ୍ଧୁତ୍ୱପୂର୍ଣ୍ଣ ପରିବେଶରେ କ୍ରିକେଟର ମହାନ୍‌ ଚେତନା ଶୁକ୍ରବାର ଦେଖିବାକୁ ମିଳିଥିଲା । ବାଂଲାଦେଶ ଖେଳାଳିଙ୍କୁ ସାହାଯ୍ୟ କରିବାକୁ ପଡ଼ିଆକୁ ଆସିଥିଲେ ଟିମ୍‌ ଇନ୍ଦିଆର ଫିଜିଓ ନୀତିନ୍‌ ପଟେଲ । ସାମିଙ୍କ ବଲ ହାସନଙ୍କ ହେଲମେଟରେ ଜୋରଦାର ଭାବରେ ଲାଗିଥିଲା । ତୁରନ୍ତ ଭାରତ ଅଧିନାୟକ ବିରାଟ କୋହଲି ଦୌଡ଼ି ଆସିଥିଲେ ହାସନଙ୍କ ପାଖକୁ । ଅବସ୍ଥା ପଚାରିବା ସହ ହାତରେ ଇସାରା କରି ଡକାଇଥିଲେ ଫିଜିଓ ନୀତିନଙ୍କୁ ।
ମ୍ୟାଚ୍‌ ଆରମ୍ଭ କରାଇଲେ ହସିନା-ମମତା
ଏହି ଐତିହାସିକ ମ୍ୟାଚର ଉଦଘାଟନୀ ସମାରୋହ ସମାନ ଭାବରେ ବଡ଼ ଆକର୍ଷଣୀୟ ଥିଲା । ବାଂଲାଦେଶର ପ୍ରଧାନମନ୍ତ୍ରୀ ଶେଖ୍‌ ହସିନା ଖାସ୍‌ ଏହି ମ୍ୟାଚ୍‌ ସକାଶେ ଶୁକ୍ରବାର ଢାକାରୁ ଆସି କୋଲକାତାରେ ପହଞ୍ଚିଥିଲେ । ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜି ବିଶେଷ ଅତିଥି ଭାବରେ ସାମିଲ ହୋଇଥିଲେ ଉଦଘାଟନ କାର୍ଯ୍ୟକ୍ରମରେ । ଭାରତରତ୍ନ ସଚିନ୍‌ ତେନ୍ଦୁଲକର ଏବଂ ବାଂଲାଦେଶ କ୍ରିକେଟ ବୋର୍ଡ ମୁଖ୍ୟ ନଜମୁଲ ହାସନ ପାପନ ମଧ୍ୟ ଉପସ୍ଥିତ ଥିଲେ ଏହି ସମାରୋହରେ । ଭାରତୀୟ ବୋର୍ଡ ସଭାପତି ସୌରଭ ଗାଙ୍ଗୁଲିଙ୍କ ସଂଯୋଜନାରେ ପୂରା ସମାରୋହ ଆୟୋଜିତ ହୋଇଥିଲା । ଦୁଇ ଦେଶର ଜାତୀୟ ସଙ୍ଗୀତ ଗାନ ପୂର୍ବରୁ ହସିନା ଓ ମମତା ଦୁଇ ଦଳର ଖେଳାଳିମାନଙ୍କୁ ପଡ଼ିଆରେ ଭେଟିଥିଲେ । ମ୍ୟାଚ୍‌ ବଲ ନେଇ ଆକାଶରୁ ଭାରତୀୟ ସେନାର ପାରାଚୁ୍ୟଟର ଆସିବାର ଥିଲା । ହେଲେ ସୁରକ୍ଷା ଦୃଷ୍ଟିକୋଣରୁ ଶେଷ ମିନିଟରେ ତାହାକୁ ବାତିଲ କରାଯାଇଥିଲା । ପ୍ରଧାନମନ୍ତ୍ରୀ ହସିନା ଏବଂ ମୁଖ୍ୟମନ୍ତ୍ରୀ ମମତା ଇଡେନରେ ଲାଗିଥିବା ବିରାଟ ଘଣ୍ଟିକୁ ବଜାଇ ଖେଳ ଆରମ୍ଭର ସଙ୍କେତ ଦେଇଥିଲେ । ଉଦଘାଟନୀ ସମାରୋହରେ ୨୦୦୦ ନଭେମ୍ବର ମାସରେ ବାଂଲାଦେଶର ପ୍ରଥମ ଟେଷ୍ଟ ମ୍ୟାଚ୍‌ ବେଳେ ଖେଳିଥିବା ଖେଳାଳିମାନଙ୍କର ମହାମିଳନ ହୋଇଥିଲା । ବାଂଲାଦେଶର ପୂର୍ବତନ ଖେଳାଳିମାନଙ୍କ ସହ ଭାରତର ବହୁ ପୂର୍ବତନ ଖେଳାଳି ଯେପରି ଫାରୁକ୍‌ ଇଞ୍ଜିନିୟର କପିଲ ଦେବ, ଭେଙ୍କେଟେସ ପ୍ରସାଦ, ଆଝାରୁଦ୍ଦିନ୍‌, ଶ୍ରୀକାନ୍ତ, ସୁନୀଲ ଯୋଶୀ, ଦିଲ୍ଲୀପ ଭେଙ୍ଗ ସରକାର, ଶିବସୁନ୍ଦର ଦାସ ଏବଂ ଅଜିତ ଅଗରକର ପ୍ରମୁଖ ଉପସ୍ଥିତ ଥିଲେ । ଅଣ କ୍ରିକେଟରଙ୍କ ଭିତରେ ସାନିଆ ମିର୍ଜା, ପିଭି ସିନ୍ଧୁ, ଅଭିନବ ବିନ୍ଦ୍ରା, ପି ଗୋପୀଚାନ୍ଦ ଏବଂ ମ୍ୟାରିକମ୍‌ ମଧ୍ୟ ସାମିଲ ହୋଇଥିଲେ ଉଦଘାଟନୀ କାର୍ଯ୍ୟକ୍ରମରେ ।
ଦାଦାଙ୍କ ସେଲଫି
ଏହି ଐତିହାସିକ ଦିବାରାତ୍ର ଟେଷ୍ଟ ମ୍ୟାଚ୍‌ ଆୟୋଜନ କରାଇବାରେ ସବୁଠାରୁ ବଡ଼ ଭୂମିକା ସୌରଭ ଗାଙ୍ଗୁଲିଙ୍କର ରହିଛି । କୋଲକାତାରେ ମହାରାଜ୍‌ ଏବଂ ଅନ୍ୟ ମାନଙ୍କ ଲାଗି ଦାଦା ଭାବେ ପରିଚିତ ବର୍ତ୍ତମାନ କ୍ରିକେଟ ବୋର୍ଡ ସଭାପତି ସୌରଭ ବିରାଟଙ୍କୁ ରାଜି କରାଇବାରୁ ଏହି ମ୍ୟାଚ୍‌ ଏତେ ଶୀଘ୍ର ହୋଇପାରିଥିଲା । ସେ ଶୁକ୍ରବାର ଦିନ ଗ୍ୟାଲେରୀ ଭର୍ତ୍ତି ଦର୍ଶକଙ୍କ ସହ ନେଇଥିଲେ ସେଲଫି । ସେହି ଫଟୋ ସମ୍ପୂର୍ଣ୍ଣ ଭାଇରାଲ ହୋଇଯାଇଛି ।

ଜୋସ୍‌ ଭରିଲେ ଗ୍ୟାଲେରୀ ଭର୍ତ୍ତି ଦର୍ଶକ
ଏହି ଐତିହାସିକ ଟେଷ୍ଟ ମ୍ୟାଚକୁ ସତରେ ଐତିହାସିକ ସ୍ୱରୂପ ଯଦି କେହି ଦେଇ ଥାନ୍ତି ତାହେଲେ ସେମାନେ ହେଉଛନ୍ତି ଦର୍ଶକ । କୁହାଯାଉଛି ବିଗତ କେହି ଦଶନ୍ଧି ଭିତରେ ଏହା ପ୍ରଥମ ଘଟଣା ଯେତେବେଳେ ଟେଷ୍ଟ ମ୍ୟାଚର ପ୍ରଥମ ଦିନର ଖେଳ ଆରମ୍ଭ ହେବା ଆଗରୁ ଗ୍ୟାଲେରୀରେ ୫୦,୦୦୦ରୁ ବେଶୀ ଦର୍ଶକ ବସି ସାରିଥିଲେ । ଜାତୀୟ ପତାକା ଧରି ବିଭିନ୍ନ ପୋଷ୍ଟର ତିଆରି କରି ରଙ୍ଗ ବେରଙ୍ଗ ପୋଷାକରେ ଆସିଥିଲେ ସମସ୍ତେ ଇଡେନ । ଆଉ ପ୍ରାୟ ସମସ୍ତଙ୍କ ମୁହଁରେ ଥିଲା ଜୟପୁର ଆଉ ଦେଶର ଏକମାତ୍ର ପିଙ୍କ୍‌ ସିଟି ନୁହେଁ । ସିଟି ଅଫ୍‌ ଜୟ ମଧ୍ୟ ବନିଯାଇଛି ନୂଅାଁ ଗୋଲାପୀ ସହର ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*