ଗେଷ୍ଟ ହାଉସ୍‌ରେ ଥିଲେ କି ରାମ୍‌କୋ ଅଧିକାରୀ?

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ନିର୍ଭୟ ମିଡିଆ : ଯାଜପୁର/ଧର୍ମଶାଳା/ଭୁବନେଶ୍ୱର

ପିଇଓ ସ୍ମିତାରାଣୀଙ୍କ ସନେ୍ଦହଜନକ ମୃତୁ୍ୟ ଘଟଣାକୁ ୪୮ ଘଣ୍ଟା ବିତିଗଲାଣି । ଏହା ସତ୍ତ୍ୱେ ପୁଲିସ କାହାରିକୁ ଗିରଫ କରିନାହିଁ । ଅଟକ ରଖି ଯାଞ୍ଚ କରୁଥିବାର ସୂଚନା ଦେଉଛି । ପୋଷ୍ଟମର୍ଟମ ରିପୋର୍ଟରେ କ’ଣ ଉଲ୍ଲେଖ ରହିଛି ତାହା ମଧ୍ୟ ଜଣାଉନାହିଁ ପୁଲିସ । ‘ନିର୍ଭୟ’ ଶୁକ୍ରବାର ସଂସ୍କରଣରେ ଏହି ଘଟଣାକୁ ଚପାଦେବା ପାଇଁ ବଡ଼ବଡ଼ ମୁନ୍ଦ ଲାଗିଥିବା ଉଲ୍ଲେଖ କରିଥିଲା । ଆଉ ଏବେ ଉଭୟ ଭାଜପା ଓ କଂଗ୍ରେସ ଏହି ବଡ଼ ମୁନ୍ଦ କଥା ଉଲ୍ଲେଖ କରିଛନ୍ତି । ଅନ୍ୟମାନଙ୍କ ମଧ୍ୟରେ ଏହି ବଡ଼ମୁନ୍ଦ ଭିତରୁ ବିଜଦ ନେତା ତଥା ସ୍ଥାନୀୟ ବିଧାୟକଙ୍କ ଭୂମିକାକୁ ନେଇ ମଧ୍ୟ ଭାଜପା ଓ କଂଗ୍ରେସ ପ୍ରଶ୍ନ ଉଠାଇଛି । ଉପଯୁକ୍ତ ତଦନ୍ତର ଦାବି କରାଯାଉଥିଲା ବେଳେ ‘ମୋ ସରକାର’କୁ ନେଇ ମଧ୍ୟ ପ୍ରଶ୍ନ ଉଠାଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।
ଏହି ଘଟଣାରେ ଏକାଧିକ ବ୍ୟକ୍ତିଙ୍କ ହାତ ଥିବା କୁହାଯାଉଛି । ତେବେ ବଡ଼ କଥା ହେଉଛି ଯେଉଁ ଗେଷ୍ଟ ହାଉସ୍‌ରେ ସ୍ମିତାରାଣୀଙ୍କ ମୃତଦେହ ମିଳିଥିଲା ସେହି ଗେଷ୍ଟ ହାଉସ୍‌ରେ ଉକ୍ତ ଦିନ ସରପଞ୍ଚ ମଧୁସ୍ମିତା ଭଦ୍ରଙ୍କ ସ୍ୱାମୀ ରୂପେଶ ଭଦ୍ରଙ୍କ ସମେତ ଅନ୍ୟ କିଛି ବ୍ୟକ୍ତି ରହିଥିଲେ । ଆଉ ତା’ ମଧ୍ୟରେ ଥିଲେ ରାମକୋ ସିମେଣ୍ଟର ଜଣେ ବରିଷ୍ଠ ଅଧିକାରୀ । ଏହି ବିଷୟ ଏବେ ବଡ଼ ଚର୍ଚ୍ଚା ସୃଷ୍ଟି କରିଛି ଯାଜପୁର ଜିଲାରେ । ଘଟଣାରେ କାହିଁକି ଏହି କମ୍ପାନୀର ବରିଷ୍ଠ ଅଧିକାରୀଙ୍କୁ ଗିରଫ କରାଯାଉନାହିଁ ସେ ନେଇ ମଧ୍ୟ ଧର୍ମଶାଳା ଅଞ୍ଚଳରେ ଆଲୋଚନା ହେଉଛି ।
ରାମକୋ କମ୍ପାନୀର ଅଧିକାରୀଙ୍କୁ ନେଇ ଚର୍ଚ୍ଚା ହେବାର କାରଣ ପଛରେ ରହିଛି ମୋଟା ମୁନାଫା । ସରପଞ୍ଚ ମଧୁସ୍ମିତାଙ୍କ ସ୍ୱାମୀ ରୂପେଶ ଭଦ୍ର ସାମାନ୍ୟ ବ୍ୟବସାୟରୁ କୋଟିପତି ବ୍ୟବସାୟୀ ପାଲଟିଛନ୍ତି । ପଞ୍ଚାୟତ ନିର୍ବାଚନ ସମୟରେ ସେ ସ୍ଥାନୀୟ ନେତୃତ୍ୱ ବିରୋଧରେ ଯାଇ ନିଜ ପତ୍ନୀଙ୍କୁ ସରପଞ୍ଚ ଭାବେ ଜିତାଇଥିଲେ । ଏହାମଧ୍ୟ କୁହାଯାଉଛି ଯେ, ସରପଞ୍ଚ ନିର୍ବାଚନରେ ରୂପେଶ ୪୦ରୁ ୪୫ ଲକ୍ଷ ଟଙ୍କା ଖର୍ଚ୍ଚ କରିଥିଲେ । ମାତ୍ର ନିର୍ବାଚନ ସରିବା ପରେ ରୂପେଶ ସ୍ଥାନୀୟ ବିଧାୟକଙ୍କର ନିକଟତର ହୋଇଥିଲେ । ବଡ଼ ନେତାଙ୍କ ହାତ ମୁନ୍ଦ ଉପରେ ରହିବା ପରେ ରୂପେଶ ଖଣିଠାରୁ ଆରମ୍ଭ କରି ସ୍କ୍ରାପ୍‌, ପରିବହନ ଆଦି ବ୍ୟବସାୟରୁ ବେଶ୍‌ ଲାଭ ହାସଲ କରିଚାଲିଥିଲେ । ଆଉ ଏହି ସମୟରେ ତାଙ୍କର ନଜର ପଡ଼ିଥିଲା ରାମକୋ ସିମେଣ୍ଟ ଉପରେ । ସେଠାରେ ସେ ସ୍ଥାନୀୟ ବିଧାୟକଙ୍କ ସହଯୋଗରେ ଟ୍ରେଡ୍‌ ୟୁନିଅନ୍‌ କରି ନିଜର ଏବଂ ନିଜ ସମର୍ଥକଙ୍କ ଟ୍ରକ୍‌କୁ ଲଗାଇଥିଲେ ।
ଏଥିପାଇଁ ହରାଇଲେ କି ମୁଖ୍ୟ ସଚେତକ ପଦ?
ବେଳେବେଳେ ଭୁଲ୍‌ ଜାଗାରେ ହାତ ମାରିଦେଲେ ପଦ ପଦବୀ ଚାଲିଯାଏ । ଧର୍ମଶାଳା ଅଞ୍ଚଳରେ ସ୍ଥାନୀୟ ବିଧାୟକଙ୍କୁ ମିଳିଥିବା ମୁଖ୍ୟ ସଚେତକ ପଦ କାହିଁକି ହଟାଯାଇଥିଲା ତାହାର ଗୁମର ଏବେ ସ୍ମିତାରାଣୀ ମୃତୁ୍ୟ ମାମଲା ପରେ ଚର୍ଚ୍ଚାକୁ ଆସୁଛି । କିଛି ବିରୋଧୀ ବିଜଦ ଗୋଷ୍ଠୀ ଏହା କହିଛନ୍ତି ଯେ, ରାମକୋ ରାଜ୍ୟ ବାହାରର କମ୍ପାନୀ । ଏଥିରେ ତୃତୀୟ ମହଲାର ବଡ଼ ସହମତି ଓ ସହଯୋଗ ରହିଛି । ଯେହେତୁ ବିଧାୟକଙ୍କ ଇଙ୍ଗିତରେ ରାମକୋ ଭିତରେ ଟ୍ରେଡ୍‌ ୟୁନିଅନ୍‌ ଗଠନ ହୋଇପାରିଲା ସେହି କାରଣରୁ ତୃତୀୟ ମହଲାର କଡ଼ା ନଜରକୁ ଆସିଥିଲେ ସ୍ଥାନୀୟ ବିଧାୟକ ଓ ହରାଇଥିଲେ ପଦ ।
ରାମ୍‌କୋ ଅଧିକାରୀଙ୍କୁ ଖୁସି କରିବା ପାଇଁ!
ଏହା ମଧ୍ୟ ଚର୍ଚ୍ଚା ହେଉଛି ଯେ ତୃତୀୟ ମହଲାର ନଜରକୁ ଏହି ଟ୍ରେଡ୍‌ ୟୁନିଅନ ଆସିବା ପରେ ରୂପେଶଙ୍କ ବ୍ୟବସାୟ ମଧ୍ୟ ମାନ୍ଦା ପଡ଼ିଥିଲା । ତେଣୁ ସେ ରାମ୍‌କୋର କିଛି ଅଧିକାରୀଙ୍କୁ ନିଜ ସହ ନେବାର ଚେଷ୍ଟାରେ ଥିଲେ । ଏହା ମଧ୍ୟ କୁହାଯାଉଛି ଯେ ପିଇଓ ସ୍ମିତାରାଣୀ ଭତ୍ତା ବାଣ୍ଟି ଫେରିବା ପରେ ତାଙ୍କୁ ରୂପେଶ ଗେଷ୍ଟ ହାଉସ୍‌କୁ ଆସିବା ପାଇଁ ଫୋନ୍‌ରେ କହିଥିଲେ । ଆଉ ସେତେବେଳେ ରାମ୍‌କୋର ଜଣେ ବରିଷ୍ଠ ଅଧିକାରୀ ଗେଷ୍ଟ ହାଉସ୍‌ରେ ମଧ୍ୟ ଥିଲେ । ଅଧିକାରୀଙ୍କୁ ଖୁସି କରିବା ପାଇଁ ରୂପେଶ ସ୍ମିତାରାଣୀଙ୍କୁ ନିଜ ଗେଷ୍ଟ ହାଉସ୍‌କୁ ଡକାଇଥିଲେ ବୋଲି କୁହାଯାଉଛି । ଶୁକ୍ରବାର ‘ନିର୍ଭୟ’ ଏହି ପ୍ରସଙ୍ଗକୁ ଉଲ୍ଲେଖ କରିଥିଲା ଯେ ସ୍ମିତାରାଣୀ କାହିଁକି ଯାଇଥିଲେ ଗେଷ୍ଟ ହାଉସ୍‌, ଅନୈତିକ କାର୍ଯ୍ୟ ସହ ଭିଡିଓ ଭାଇରାଲର ଦିଆଯାଇଥିଲା କି ଧମକ? ଏବେ ନଜରକୁ ରାମ୍‌କୋର ଅଧିକାରୀ ଆସିଥିଲା ବେଳେ ପୁଲିସ ତାଙ୍କୁ ଗିରଫ କରିବ ନା ନାହିଁ ତା’ ଉପରେ ରହିଛି ସମସ୍ତଙ୍କ ନଜର । କାରଣ ରାମ୍‌କୋ ଏକ ଅଣଓଡ଼ିଆ ମୁଖିଆଙ୍କ ଦ୍ୱାରା ପରୋକ୍ଷ ଭାବେ ପରିଚାଳିତ କମ୍ପାନୀ ଅଟେ ।
ସିବିଆଇ ତଦନ୍ତ ଦାବି କଲା କଂଗ୍ରେସ
ଯାଜପୁର ଧର୍ମଶାଳା ବ୍ଲକ ହରିଦାସପୁର ପଞ୍ଚାୟତରେ ଭତ୍ତା ଟଙ୍କା ବାଣ୍ଟିବାକୁ ଯାଇଥିବା ଭିଏଲଡବ୍ଲୁ୍ୟ ସ୍ମିତାରାଣୀ ବିଶ୍ୱାଳଙ୍କ ରହସ୍ୟଜନକ ମୃତୁ୍ୟକୁ ନେଇ ଅଭିଯୋଗ ବଢିବାରେ ଲାଗିଛି । ମୃତା ସ୍ମିତାରାଣୀଙ୍କ ସ୍ୱାମୀ ଦେଇଥିôବା ବୟାନରୁ ଏହା ଏକ ହତ୍ୟାକାନ୍ଦ ବୋଲି ସନେ୍ଦହ ଦୃଢୀଭୂତ ହେଉଛି । ଘଟଣାର ତଦନ୍ତରେ ପୁଲିସର ଶିଥିଳତାକୁ ନେଇ ଏହା ପଛରେ ଶାସକ ବିଜଦର ହାତ ରହିଥିବା କଂଗ୍ରେସ ଅଭିଯୋଗ କରିଛି । ଶୁକ୍ରବାର ଦିନ କଂଗ୍ରେସ ଭବନରେ ଦଳ ପକ୍ଷରୁ ସତ୍ୟ ନାୟକ ଓ ସ୍ମୃତିରେଖା ପହି ସାମ୍ବାଦିକ ସମ୍ମିଳନୀରେ ଏହି ମୃତୁ୍ୟ ଘଟଣା ପଛରେ ବହୁ ରହସ୍ୟ ଛପି ରହିଛି ବୋଲି ଅଭିଯୋଗ ଆଣିଛନ୍ତି । ଘଟଣାକୁ ଚପାଇ ଦେବା ପାଇଁ ଜୋରଦାର ଉଦ୍ୟମ ହେଉଥିବାରୁ ଏହାର ତଦନ୍ତ ଭାର ସିବିଆଇ ହାତରେ ଦେବା ପାଇଁ ଦଳ ଦାବି ରଖିଛି ।
କଂଗ୍ରେସ ଭବନରେ ସାମ୍ବାଦିକ ସମ୍ମିଳନୀରେ ଦଳ ଅଭିଯୋଗ କରିଛି, ଘଟଣା ସମ୍ପର୍କରେ ପୁଲିସରେ ଏତଲା ଦେବା ପରେ ତଦନ୍ତ ପ୍ରକ୍ରିୟା ସମସ୍ତଙ୍କୁ ବିସ୍ମିତ କରୁଛି । ସରପଞ୍ଚଙ୍କ ସ୍ୱାମୀ ରୂପେଶ ଭଦ୍ର ଓ ତାଙ୍କ ୫ ଜଣ ସହଯୋଗୀଙ୍କୁ ଗିରଫ ନକରି ଅଟକ ରଖାଯାଇଥିବା କୁହାଯାଉଛି । ରୁପେଶ ଜଣେ ବିତଶାଳୀ ରେଳବାଈ ଠିକାଦାର ଅଟନ୍ତି । ଅର୍ଥ ଓ ବାହୁବଳ ପ୍ରୟୋଗ କରି ସ୍ମିତାରାଣୀ ହତ୍ୟା ଘଟଣାରେ ପରଦା ଢାଙ୍କିବାକୁ ଉଦ୍ୟମ ହେଉଛି । କେଉଁ ପରିସ୍ଥିତିରେ ସ୍ମିତାରାଣୀ ପଞ୍ଚାୟତ ଅଫିସରୁ ଗେଷ୍ଟ ହାଉସ୍‌ ଯାଇଥିଲେ ତାହା ଏହି ଅଭିଯୋଗକୁ ଅଧିକ ଖୋରାକ ଯୋଗାଉଛି । ମୁଖ୍ୟମନ୍ତ୍ରୀ ଓ ୫-ଟି ସଚିବ ମୋ ସରକାରର ସଫଳତା ବଖାଣୁଛନ୍ତି । ଜଣେ ମହିଳା ଅଧିକାରୀଙ୍କ ରହସ୍ୟଜନକ ମୃତୁ୍ୟ ହୋଇଥିଲେ ମଧ୍ୟ ଏ ସମ୍ପର୍କରେ ମୁଖ୍ୟମନ୍ତ୍ରୀ ଓ ବିଭାଗ ନିରବ ରହିଛି ।
ଏହି ଘଟଣା ପଛରେ ଶାସକ ବିଜଦର ଅନେକ ପ୍ରଭାବଶାଳୀ ବ୍ୟକ୍ତି ସମ୍ପୃକ୍ତ ଥିବା କଂଗ୍ରେସ ଆଶଙ୍କା କରିଛି । ଜାଣିଶୁଣି ଶାସକ ଦଳ ନିଦେ୍ର୍ଦଶରେ ପୁଲିସ ତଦନ୍ତ ଆଗକୁ ଯାଉନାହିଁ । କଂଗ୍ରେସ ପକ୍ଷରୁ ୧୧ ଜଣିଆ ପ୍ରତିନିଧି ଦଳ ଘଟଣା ସ୍ଥଳ ପରିଦର୍ଶନ କରି ପିସିସି ସଭାପତିଙ୍କୁ ରିପୋର୍ଟ ଦେବେ । ଏହି ରହସ୍ୟମୟ ଘଟଣା ଉପରୁ ପରଦା ଉଠାଇବା ପାଇଁ କାଳ ବିଳମ୍ବ ନକରି ମାମଲା ସିବିଆଇକୁ ଦିଆଯାଉ । ସିବିଆଇ ତଦନ୍ତ କରାଗଲେ ଏହା ହତ୍ୟା ନା ଆତ୍ମହତ୍ୟା ସବୁ ସ୍ପଷ୍ଟ ହୋଇଯିବ ବୋଲି କଂଗ୍ରେସ କହିଛି । ସିବିଆଇ ତଦନ୍ତ ନିଦେ୍ର୍ଦଶ ଦିଆନଗଲେ ସି୍ମତାରାଣୀଙ୍କ ମାମଲା ନେଇ କଂଗ୍ରେସ ରାଜରାସ୍ତାକୁ ଓହ୍ଲାଇବ । ମହିଳା କଂଗ୍ରେସ ପକ୍ଷରୁ ସାରା ରାଜ୍ୟରେ ଆନେ୍ଦାଳନ କରାଯିବ ବୋଲି ଦଳ ପକ୍ଷରୁ ଚେତାବନୀ ଦିଆଯାଇଛି ।
ଭାଜପା-କଂଗ୍ରେର ସରଜମିନ ତଦନ୍ତ
ସ୍ମିତାରାଣୀଙ୍କ ମୃତୁ୍ୟ ଘଟଣା ରହସ୍ୟ ଉପରୁ ପରଦା ହଟିବା ଯେତିକି ବିଳମ୍ବ ହେଉଛି ଏହାକୁ ନେଇ ରାଜନୀତି ମଧ୍ୟ ଜୋରଧରିଛି । ଶୁକ୍ରବାର ଭୁବନେଶ୍ୱରରେ ଏ ନେଇ କଂଗ୍ରେସ ପକ୍ଷରୁ ଘଟଣାର ସିବିଆଇ ତଦନ୍ତ ଦାବି କରାଯାଇଥିବା ବେଳେ କଂଗ୍ରେସର ବାରବାଟୀ କଟକ ବିଧାୟକ ମହମ୍ମଦ ମୋକିମଙ୍କ ନେତୃତ୍ୱରେ କଂଗ୍ରେସ ମୁଖପାତ୍ର ସତ୍ୟପ୍ରକାଶ ନାୟକ, ନିକୁଞ୍ଜ ପଶାୟତ, ବଟକୃଷ୍ଣ ତ୍ରିପାଠୀ, ବିଶ୍ୱଜିତ ଦାସ, ସୁଦର୍ଶନ ଦାସ,ନିଶିକାନ୍ତ ମହାପାତ୍ର, ବନ୍ଦିତା ପରିଡା, ମନୋଜ ରାଉତ, ଗୀତାଞ୍ଜଳି ମହାନ୍ତି,ଉମେଶ ଜେନା,ଶ୍ମୃତିରେଖା ପହି,ଶ୍ରୀନାଥ ମିଶ୍ର ପ୍ରମୁଖ ସ୍ମିତାରାଣୀଙ୍କ ଶାଶୂଘର ଭୁବନପୁର ଯାଇଁ ସମବେଦନା ଜଣାଇଛନ୍ତି ।
ସେହିପରି ରାଜ୍ୟ ଭାଜପାର ଏକ ତଥ୍ୟ ସଂଗ୍ରହକାରୀ ଦଳ ଆସି ସ୍ମିତାଙ୍କ ପରିବାରକୁ ଭେଟି ସମବେଦନା ଜ୍ଞାପନ କରିଛନ୍ତି । ବିରୋଧୀଦଳ ଉପମୁଖ୍ୟ ସଚେତକ ଭାଜପା ନେତା ବିଷ୍ଣୁସେଠୀ, ପୂର୍ବତନ ପୁଲିସ ଡିଜି ପ୍ରକାଶ ମିଶ୍ର, ପୂର୍ବତନମନ୍ତ୍ରୀ ସୁରମା ପାଢୀ, ରାଜ୍ୟ ଭାଜପା ମହିଳା ସଭାନେତ୍ରୀ ପ୍ରଭାତୀ ପରିଡା,ମୁଖପାତ୍ର ଲେଖାଶ୍ରୀ ସାମନ୍ତସଂହାର ପ୍ରମୁଖ ଦୁର୍ଘଟଣାସ୍ଥଳକୁ ଯାଇ ସ୍ଥିତି ପରଖିବା ସହିତ ଘଟଣାରେ ସିଧାସଳଖ ହରିଦାସପୁର ପଞ୍ଚାୟତର ସରପଞ୍ଚଙ୍କ ସ୍ୱାମୀଙ୍କୁ ଟାର୍ଗେଟ କରିଛନ୍ତି । ଏହା ଏକ ସୁଚିନ୍ତିତ ହତ୍ୟାକାନ୍ଦ ବୋଲି ସର୍ବସାଧାରଣରେ ଆଲୋଚନା ହେଉଥିବା ବେଳେ ଏହାର ଏକ ଉଚ୍ଚସ୍ତରୀୟ ତଦନ୍ତ ଦାବି କରିବା ସହିତ ବିଶେଷଜ୍ଞ ସାଇଣ୍ଟିପିଂକ୍ ଟିମ୍ ଦ୍ୱାରା ଅନୁସନ୍ଧାନ କରିବାକୁ ଦାବି କରିଛି ଭାଜପା ଟିମ । ଏହାକୁ ଆତ୍ମହତ୍ୟା ରୁପ ଦେବାକୁ ଚେଷ୍ଟା କରାଯାଉଛି ଏବଂ ଅଭିଯୁକ୍ତ ମାନଙ୍କୁ ତୁରନ୍ତ ଗିରଫ କରାନଗଲେ ଆନେ୍ଦାଳନକୁ ଓହ୍ଲାଇବୁ ବୋଲି ମହିଳା ମୋର୍ଚ୍ଚା ଚେତାବନି ଦେଇଛି । ସେହିପରି ସଂନ୍ଧ୍ୟାରେ କଂଗ୍ରେସ ନେତ୍ରୀ ସ୍ମୃତିରେଖା ପହିଙ୍କ ନେତୃତ୍ୱରେ ସ୍ମିତାରାଣୀଙ୍କ ଅସ୍ୱଭାବିକ ମୃତୁ୍ୟକୁ ନେଇ ଜାରକା ବଜାର ଏକ କ୍ୟାନେ୍ଦଲ ଶୋଭାଯାତ୍ରା କରାଯାଇଥିଲା ।
ଶୋକସଭା ଓ ଉଚ୍ଚସ୍ତରୀୟ ତଦନ୍ତ ଦାବି
ଧର୍ମଶାଳା ବ୍ଲକ ଅନ୍ତର୍ଗତ ହରିଦାସପୁର ଗ୍ରାମପଞ୍ଚାୟତ ପିଇଓ ସ୍ମିତାରାଣୀ ବିଶ୍ୱାଳଙ୍କ ସନେ୍ଦହ ଜନକ ମୃତୁ୍ୟରେ ଶୁକ୍ରବାର ଧର୍ମଶାଳା ପଞ୍ଚାୟତ ସମିତି ସଭାକକ୍ଷରେ ବ୍ଲକଅଧ୍ୟକ୍ଷ ପ୍ରଭାତ କୁମାର ବଳବନ୍ତରାୟଙ୍କ ଅଧ୍ୟକ୍ଷତାରେ ଏକ ଶୋକ ସଭା ଅନୁଷ୍ଠିତ ହୋଇଯାଇଛି । ପିଇଓ ସ୍ମିତାରାଣୀ ସନେ୍ଦହ ଜନକ ମୃତୁ୍ୟକୁ ନେଇ ଶୋକସଭାରେ ୨ମିନିଟ ନିରବ ପ୍ରାର୍ଥନା କରାଯାଇଥିଲା । ବିଡିଓ ହେମନ୍ତ କୁମାର ସ୍ୱାଇଁ, ଅତିରିକ୍ତ ବିଡିଓ ଉପେନ୍ଦ୍ର କୁମାର ଜେନା,ବ୍ଲକର ସମସ୍ତ କାର୍ଯ୍ୟନିର୍ବାହୀ ଅଧିକାରୀ ଯୋଗ ଦେଇ ସ୍ମିତାରାଣୀ ଆତ୍ମହତ୍ୟା କରିନଥିବେ ବୋଲି ମତ ବ୍ୟକ୍ତ କରିଥିଲେ । ଏ ନେଇ ଏକ ଉଚ୍ଚସ୍ତରୀୟ ତଦନ୍ତ ଦାବିକରିବା ସହ ଗ୍ରାମ ରୋଜଗାର ସେବାସଂଘ ସଭାପତି ନିର୍ମଳ ଚନ୍ଦ୍ର ପନ୍ଦା,ଦୁଷ୍ମନ୍ତ ଗୋଚ୍ଛାୟତ, ମହେଶ୍ୱର ମହାନ୍ତି, ପ୍ରଜ୍ଞାପରମିତା ମଲ୍ଲିକ, ଜୟଲକ୍ଷ୍ମୀ ସ୍ୱାଇଁ, ନବୀନ କୁମାର ପରିଡା, ମହେଶ୍ୱରପାତ୍ର, ଉମେଶ ଚନ୍ଦ୍ର ସାହୁ, ବିଜୟ କୁମାର ବସ୍ତିଆ ପ୍ରମୁଖ ଜିଲାପାଳଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରିଛନ୍ତି ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*