କୃଷିମନ୍ତ୍ରୀଙ୍କୁ ଭେଟିଲେ ୫ ଭାଜପା ସାଂସଦ ପିଏମ୍‌ କିଷାନ ନିଧି ତ୍ରୁଟିର କେନ୍ଦ୍ରୀୟ ତଦନ୍ତ ପାଇଁ କଲେ ଦାବି

FacebooktwitterredditpinterestlinkedinmailFacebooktwitterredditpinterestlinkedinmail


ନିର୍ଭୟ ମିଡିଆ : ନୂଆଦିଲ୍ଲୀ

ଓଡ଼ିଶାର ବିଜୁ ଜନତା ଦଳ ସରକାର କୃଷି ଅଧ୍ୟାଦେଶ ଆଣିଥିବା ସତ୍ତ୍ୱେ ମୋଦୀ ସରକାରଙ୍କୁ ରାଜ୍ୟସଭାରେ ଅପଦସ୍ତ କରିବା ପାଇଁ ଯେଭଳି ଉଦ୍ୟମ କଲା, ତାହାକୁ ଭାଜପା ହାଇକମାନ୍ଦ ଆଦୌ ଭଲ ଦୃଷ୍ଟିରେ ଦେଖୁନାହାଁନ୍ତି । ସିବିଆଇ ଚଢାଉ ରୋକିବା ପାଇଁ ବିଜଦ ହୀନ କୌଶଳ କରିଥିଲା ବୋଲି ବରଗଡ଼ ସାଂସଦ ସୁରେଶ ପୂଜାରୀ ଖୋଲା ଅଭିଯୋଗ କରିବା ପଛରେ ହାଇକମାନ୍ଦଙ୍କ ସମ୍ମତି ଥିବା ସ୍ପଷ୍ଟ ହୋଇଥିଲା । ମଙ୍ଗଳବାର ଦିନ ରାଜ୍ୟର ଭାଜପା ସାଂସଦମାନେ ଭେଟିଥିଲେ କୃଷିମନ୍ତ୍ରୀ ନରେନ୍ଦ୍ର ସିଂ ତୋମରଙ୍କୁ । ଅଭିଯୋଗ କରିଥିଲେ ରାଜ୍ୟ ସରକାରଙ୍କ ବିରୋଧରେ । ପିଏମ୍‌ କିଷାନ ନିଧି ଯୋଜନାରେ ରାଜ୍ୟ ସରକାର କିଭଳି ଯୋଗ୍ୟ ହିତାଧିକାରୀଙ୍କୁ ବଞ୍ଚôତ କରୁଛନ୍ତି ସେ ନେଇ ଏକ ସ୍ମାରକପତ୍ର ଦିଆଯାଇଥିଲା ମନ୍ତ୍ରୀ ସିଂ ତୋମରଙ୍କୁ ।
ଓଡ଼ିଶା ୮ଜଣ ଭାଜପା ସାଂସଦଙ୍କୁ ନିର୍ବାଚିତ କରିଛି । ମଙ୍ଗଳବାର ୫ଜଣ ଭେଟିଥିଲେ କୃଷି ଓ କୃଷକ କଲ୍ୟାଣ, ତଥା ଗ୍ରାମ୍ୟ ଉନ୍ନୟନ ଓ ପଞ୍ଚାୟତରାଜ ମନ୍ତ୍ରୀ ନରେନ୍ଦ୍ର ସିଂ ତୋମରଙ୍କୁ । ସେମାନେ ଥିଲେ ବିଜଦ ସରକାରଙ୍କ ବିରୋଧରେ ପ୍ରଥମେ ମୋର୍ଚ୍ଚା ଖୋଲିଥିବା ସୁରେଶ ପୂଜାରୀ, ନବୀନ ସରକାରଙ୍କ ସବୁଠୁ ବଡ଼ ସମାଲୋଚକ ଅପରାଜିତା ଷଡ଼ଙ୍ଗୀ, ପୂର୍ବତନ ରାଜ୍ୟ ସଭାପତି ବସନ୍ତ ପନ୍ଦା, ବଲାଙ୍ଗୀର ସାଂସଦ ସଙ୍ଗିତା ସିଂହଦେଓ ଏବଂ ମୟୂରଭଞ୍ଜ ସାଂସଦ ବିଶ୍ୱେଶ୍ୱର ଟୁଡୁ । କେବଳ ଯାଇନଥିଲେ ସୁନ୍ଦରଗଡ଼ ସାଂସଦ ଜୁଏଲ୍‌ ଓରାମ ଏବଂ ସମ୍ବଲପୁର ସାଂସଦ ନୀତିଶ ଗଙ୍ଗଦେବ । ତେବେ ଏହି ଦୁଇ ଭାଜପା ସାଂସଦଙ୍କର ସମର୍ଥନ ଥିଲା ଏହି ପଦକ୍ଷେପକୁ ।
ନବୀନ ସରକାର କାଳିଆ ଯୋଜନା ଘୋଷଣା କରି ଓଡ଼ିଶାର ଚାଷୀଙ୍କୁ ପ୍ରତାରିତ କରିସାରିଛନ୍ତି । ପ୍ରଥମ କିସ୍ତି ଟଙ୍କା ଦେବା ପରେ ଆଉ କିସ୍ତି ଦେବାର ନାମ ଗନ୍ଧ ଧରୁନାହାନ୍ତି । ଏବେ ସୁଦ୍ଧା ଯୋଗ୍ୟ ଲାଭାର୍ଥୀଙ୍କ ତାଲିକା ପ୍ରକାଶ କରୁନାହାନ୍ତି ସରକାର । ଅଥଚ ୫୧ଲକ୍ଷରୁ ୫୫ଲକ୍ଷ ହିତାଧିକାରୀ ବଢିଥିବା ପ୍ରକାଶ କରିଛନ୍ତି ।

ବଜେଟ ବ୍ୟବସ୍ଥା ଥାଇ ମୋଦୀ ସରକାର ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନା ଆରମ୍ଭ କରିଛନ୍ତି ୨୦୧୮ରୁ । ଇତି ମଧ୍ୟରେ ପଞ୍ଜିକୃତ ଚାଷୀମାନେ ୬ କିସ୍ତି କିଷାନ ନିଧି ଟଙ୍କା ପାଇଯାଇସାରିଲେଣି । କିନ୍ତୁ ଓଡ଼ିଶା ଯେଉଁ ତାଲିକା ପଠାଉଛି ତାହା କମି କମି ଯାଉଛି । ୬ଷ୍ଠ କିସ୍ତିରେ ଓଡ଼ିଶା ସରକାର ୯ଲକ୍ଷ ୮୪ହଜାର ୧୧୮ଜଣଙ୍କ ନାମ ପଠାଇଥିଲେ । ଏଥି ମଧ୍ୟରୁ ବୈଧ ହୋଇଥିଲା ୪ଲକ୍ଷ ୬୯ହଜାର ୭୨୮ଜଣ ଚାଷୀଙ୍କ ନାମ । ଅର୍ଥାତ୍‌ ରାଜ୍ୟ ପଠାଇଥିବା ଚାଷୀଙ୍କ ଭିତରୁ ଯୋଗ୍ୟ ବିବେଚିତ ହୋଇଥିଲେ ୪୮ପ୍ରତିଶତ । କାଳିଆ ଲାଭାର୍ଥୀଙ୍କ ସଂଖ୍ୟା ୫୧ଲକ୍ଷ ଦର୍ଶାଉଥିବା ସରକାର କାହିଁକି କେନ୍ଦ୍ର ଯୋଜନାରେ ଲାଭ ପାଇବାକୁ ଥିବା ଯୋଗ୍ୟ ଚାଷୀଙ୍କ ସଂଖ୍ୟା ୧୦ଲକ୍ଷରୁ କମ୍‌ କଲେ ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲା । ଏ ବାବଦରେ ପୂର୍ବରୁ ନିର୍ଭୟରେ ଏକ ବିଶଦ ରିପୋର୍ଟ ପ୍ରକାଶ ପାଇସାରିଛି । ନବୀନ ସରକାର ପିଏମ୍‌ କିଷାନ ନିଧି ଯୋଜନାକୁ ଭନ୍ଦୁର କରିବା ପାଇଁ ଚକ୍ରାନ୍ତ କରୁଥିବା ସନେ୍ଦହ କରାଯାଉଛି ।
କୃଷି ମନ୍ତ୍ରୀଙ୍କୁ ଭେଟିବା ପରେ ସୁରେଶ ପୂଜାରୀ ଟୁଇଟ୍‌ କରିଛନ୍ତି ଯେ, ‘ଆଜି ମୁଁ ଏବଂ ବିଜେପିର ମୋ ସହଯୋଗୀ ସାଂସଦମାନଙ୍କ ସହିତ ମାନ୍ୟବର କୃଷି ଓ କୃଷକ ମନ୍ତ୍ରଣାଳୟ, ଗ୍ରାମ୍ୟ ଉନ୍ନୟନ ତଥା ପଞ୍ଚାୟତରାଜ ମନ୍ତ୍ରୀ ଶ୍ରୀ ନରେନ୍ଦ୍ର ସିଂ ତୋମରଙ୍କୁ ଭେଟି ଓଡ଼ିଶାରେ ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନାରେ ଲକ୍ଷଲକ୍ଷ ଯୋଗ୍ୟ ଲାଭାର୍ଥୀ ବଞ୍ଚôତ ହୋଇଥିବାରୁ ଓ କେନ୍ଦ୍ର ସରକାରଙ୍କ କୃଷି ଏବଂ କୃଷକ ହିତକାରୀ ଯୋଜନାର ଲାଭ ନେଇପାରୁନଥିବାରୁ ଓଡ଼ିଶା ସରକାରଙ୍କ ଦ୍ୱାରା ହୋଇଥିବା ତ୍ରୁଟିର ଯାଞ୍ଚ ପାଇଁ କେନ୍ଦ୍ରୀୟ ଅନୁସନ୍ଧାନ କରିବାକୁ ଅନୁରୋଧ କରିଥିଲୁ ।
ଆଗକୁ କୃଷି ଓ କୃଷକଙ୍କୁ ନେଇ ବିଜଦ ଓ ଭାଜପା ଭିତରେ ଭଲ ଟଣାଓଟରା ଲାଗି ରହିବ ବୋଲି ଅନୁମାନ କରାଯାଉଛି ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*