କାହିଁକି ଅଜିତଙ୍କୁ ଭରସା କଲା ଭାଜପା? ଦଳ ଭିତରେ ପ୍ରଶ୍ନ, ଉତ୍ତର ରଖିଲେ ଅମିତ୍‌

FacebooktwitterredditpinterestlinkedinmailFacebooktwitterredditpinterestlinkedinmail


ଏଜେନ୍ସୀ : ନୂଆଦିଲ୍ଲୀ/ମୁମ୍ବାଇ

ମହାରାଷ୍ଟ୍ରରେ ନୂଆ ସରକାର ବୁଧବାର ନେବ ଶପଥ । ଆଉ ଏବେ ରାଜନୀତିର ଚଳଚଞ୍ଚଳତା ଭିତରେ ଚର୍ଚ୍ଚା ଚାଲିଛି ସେହି ଗୋଟିଏ ପ୍ରଶ୍ନ କାହିଁକି ଅଜିତ ପାୱାରଙ୍କ ଉପରେ ଏତେବଡ଼ ଭରସା କଲା ଭାଜପା । ଦଳର କିଛି ବରିଷ୍ଠ ନେତାମାନେ ମଧ୍ୟ ଖୋଲାଖୋଲି ଏନେଇ ପ୍ରଶ୍ନ କଲେଣି । ଦଳର ନେତା ଏକନାଥ ଖଡସେ ଦଳର ରଣନୀତି ନେଇ ପ୍ରଶ୍ନ ଉଠାଇବା ସହ କହିଛନ୍ତି ଯେ, ଜଳସେଚନ ଘୋଟାଲାରେ ଅଜିତ୍‌ ଅଭିଯୁକ୍ତ ଥିଲା ବେଳେ ତାଙ୍କୁ ଭାଜପା ସମର୍ଥନ ଦେବାର ନଥିଲା । ଅନ୍ୟ ନେତାମାନେ ମଧ୍ୟ ବୁଲାଇ ବଙ୍କାଇ ଏହାର ଉତ୍ତର ରଖିଥିଲା ବେଳେ ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା କହିଛନ୍ତି ଯେ, ବିଧାୟକ ଦଳର ନେତା ହେବା କାରଣରୁ ଦଳ ତାଙ୍କ ଉପରେ ଭରସା କରିଥିଲା ।
ବୁଧବାର ଏକ ନୁ୍ୟଜ୍‌ ଚ୍ୟାନେଲ ସହ ଆଲୋଚନା ବେଳେ ଏହି ପ୍ରଶ୍ନର ଉତ୍ତର ରଖି ଶାହା କହିଛନ୍ତି ଯେ, ଅଜିତ ପାୱାରଙ୍କୁ ରାକପା ବିଧାୟକ ଦଳର ନେତା ଭାବେ ମନୋନୀତ କରାଯାଇଥିଲା । ସରକାର ଗଠନ ପାଇଁ ତାଙ୍କୁ ଅଧିକୃତ କରାଯାଇଥିଲା । ରାଜ୍ୟପାଳ ମଧ୍ୟ ସରକାର ଗଠନ ନେଇ ତାଙ୍କ ସହ କଥାବାର୍ତ୍ତା କରିଥିଲେ । ରାକପା ଯେତେବେଳେ ପ୍ରଥମ ଥର ପାଇଁ ସରକାର ଗଠନ ନିମନ୍ତେ ଅସମର୍ଥତା ଜାହିର କରିଥିଲା ସେତେବେଳେ ମଧ୍ୟ ସେହି ପତ୍ରରେ ଅଜିତଙ୍କ ଦସ୍ତଖତ ଥିଲା । ଆମ ନିକଟକୁ ଯେଉଁ ପତ୍ର ଆସିଥିଲା ସେଥିରେ ମଧ୍ୟ ଅଜିତ ପାୱାରଙ୍କ ଦସ୍ତଖତ ଥିଲା । ଏହି ଆଲୋଚନା ବେଳେ ଅଜିତ ପାୱାରଙ୍କ ସମ୍ବନ୍ଧୀୟ ମାମଲା ପ୍ରତ୍ୟାହାର ପ୍ରଶ୍ନର ଉତ୍ତରରେ ଶାହା କହିଥିଲେ ଯେ, ତାଙ୍କ ବିରୋଧରେ ଥିବା କୌଣସି ମାମଲାକୁ ପ୍ରତ୍ୟାହାର କରାଯାଇନାହିଁ ।
ମୁଖ୍ୟମନ୍ତ୍ରୀ ପଦ ନେଇ ଦେଇନଥିଲୁ ପ୍ରତିଶ୍ରୁତି :
ଅମିତ୍‌ ଶାହା କହିଛନ୍ତି ଯେ, ଶିବସେନା ସହ ଗଠବନ୍ଧନ ହେଲା, ଏକାଠି ଆମେ ନିର୍ବାଚନ ଲଢିଲୁ । ଆମ ଗଠବନ୍ଧନକୁ ବହୁମତ ମିଳିଲା । ଏହି ଜନମତ ମୁଖ୍ୟମନ୍ତ୍ରୀ ଥିବା ଦେବେନ୍ଦ୍ର ଫଡନାଭିସଙ୍କୁ ମିଳିଥିଲା । ଅନେକ ନିର୍ବାଚନ ରାଲିରେ ଆମେ ଫଡନାଭିସ୍‌ ମୁଖ୍ୟମନ୍ତ୍ରୀ ହେବେ ବୋଲି କହିଥିଲୁ । ସେତେବେଳେ କେହି ଏହାକୁ ବିରୋଧ କରିନଥିଲେ । ମୁଁ ସ୍ପଷ୍ଟ କରିବାକୁ ଚାହେଁ ଯେ, ନିର୍ବାଚନ ପୂର୍ବରୁ ଶିବସେନାଙ୍କୁ ଅଢେଇ ବର୍ଷ ମୁଖ୍ୟମନ୍ତ୍ରୀ ପଦ ଦେବାର କୌଣସି ପ୍ରତିଶ୍ରୁତି ଦିଆଯାଇନଥିଲା । ଶିବସେନାର ପ୍ରତି ପ୍ରାର୍ଥୀ ମୋଦୀଙ୍କ ପୋଷ୍ଟର ଲଗାଇ ଭୋଟ୍‌ ମାଗିଥିଲେ । ଆଦିତ୍ୟଙ୍କ ପୋଷ୍ଟରରେ ମଧ୍ୟ ମୋଦୀଙ୍କ ଫଟୋ ଥିଲା ।
ଶାହା ଆହୁରି କହିଛନ୍ତି ଯେ, ଲୋକଙ୍କ ଭରସାକୁ ଭାଙ୍ଗିବାର କାମ ଶିବସେନା କରିଛି । ଦଳ ବିଚାରଧାରା ଏବଂ ନିର୍ବାଚନ ପୂର୍ବର ଗଠବନ୍ଧନ ବିରୋଧରେ ଯାଇଛି । ଆମ ଉପରେ ବିଧାୟକଙ୍କୁ କିଣାବିକାର ଅଭିଯୋଗ ଲଗାଯାଉଛି । ହେଲେ ଆମେ ଜଣେ ବି ବିଧାୟକଙ୍କୁ କୌଣସି ହୋଟେଲରେ ରଖିନଥିଲୁ । ତିନି ଦଳ ମିଶି ଯେକୌଣସି ମତେ ସରକାର ଗଠନର ନିଷ୍ପତ୍ତି ନେବାକୁ ଭାଜପାର ପରାଜୟ ବୋଲି କହିବା ଆଦୌ ଠିକ୍‌ ନୁହେଁ । ଲୋକେ ଏହି ଘଟଣାକୁ ବୁଝୁଛନ୍ତି । ଶିବସେନା,ରାକପା ଓ କଂଗ୍ରେସର ମୂଳ ବିଚାରଧାରା କ’ଣ? ଆମ ଉପରେ ଘୋଡା ବେପାରର ଅଭିଯୋଗ କରାଯାଉଛି । ହେଲେ ସେମାନେ ମୁଖ୍ୟମନ୍ତ୍ରୀ ପଦ ଦେଇ ପୂରା ବିଧାନସଭାକୁ କିଣୁଛନ୍ତି । ଏହା କ’ଣ ପଦ ମୋହ ପାଇଁ କିଣାବିକା ନୁହେଁ?

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*