କାନାଡ଼ା ପରେ ଅଲିମ୍ପିକ୍‌ରୁ ଓହରିବା ଘୋଷଣା କଲା ଅଷ୍ଟ୍ରେଲିଆ ୨୦୨୧ରେ ଟୋକିଓ ଅଲିମ୍ପିକ୍‌ କରିବା ପାଇଁ ଆରମ୍ଭ ଚର୍ଚ୍ଚା

FacebooktwitterredditpinterestlinkedinmailFacebooktwitterredditpinterestlinkedinmail


ଏଜେନ୍ସୀ : ନୂଆଦିଲ୍ଲୀ

କରୋନା ଭୂତାଣୁ ସଂକ୍ରମଣ ସାରା ଦୁନିଆରେ ମହାମାରୀର ରୂପ ନେଇସାରିଥିଲା ବେଳେ ଖେଳ ଆଉ ପ୍ରାଧାନ୍ୟ ବିଷୟ ହୋଇରହିନାହିଁ । ମଣିଷ ବଞ୍ଚିବା ଏବେ କେବଳ ପ୍ରାଥମିକତା ବନିଛି । ତେଣୁ ଟୋକିଓ ଅଲିମ୍ପିକର ବର୍ଷ ଏହା ହୋଇଥିଲେ ମଧ୍ୟ କେହି ଆଉ ଏଭଳି ପରିସ୍ଥିତିରେ ଏହାର ଆୟୋଜନ ବାବଦରେ ଚର୍ଚ୍ଚା କରିବାକୁ ଆଦୌ ଚାହୁଁନାହାଁନ୍ତି । ସବୁଠୁ ଉଠୁଛି ଏହାକୁ ବନ୍ଦ କର ସ୍ୱର । କାନାଡ଼ା ଅଲିମ୍ପିକ୍‌ କମିଟି ଟୋକିଓ ଅଲିମ୍ପିକ୍‌ ଜୁଲାଇରେ ହେବା ଅବସ୍ଥାରେ ଭାଗ ନେବ ନାହିଁ ବୋଲି ଘୋଷଣା କରିବା ପରେ ସେଥିରେ ଅଷ୍ଟ୍ରେଲିଆ ସାମିଲ ହେବା ଏକ ବଡ଼ ଘଟଣା ହୋଇଛି । ସୋମବାର ଦିନ ଅଷ୍ଟ୍ରେଲିଆ ଅଲିମ୍ପିକ୍‌ କମିଟି ସ୍ପଷ୍ଟ ଭାବରେ କହିଛି କରୋନା ସଂକ୍ରମଣ ପରିସ୍ଥିତିରେ ୨୦୨୦ ଟୋକିଓ ଅଲିମ୍ପିକ୍‌ ସକାଶେ ଦଳ ଗଠନ କରିବା ଅବସ୍ଥାରେ ସେ ନାହିଁ । ଏହି ଟୋକିଓ କ୍ରୀଡ଼ାକୁ ୨୦୨୧ ମସିହାରେ ଆୟୋଜନ କରିବା ଲାଗି କହିଛି ଅଷ୍ଟ୍ରେଲିଆ ଅଲିମ୍ପିକ୍‌ କମିଟି । ଏହାର ମୁଖ୍ୟ କାର୍ଯ୍ୟନିର୍ବାହୀ ମ୍ୟାଟ୍‌ କାରେଲ ସୋମବାର ଦିନ କହିଛନ୍ତି ଆମ ଅଲିମ୍ପିକ୍‌ କମିଟିର କାର୍ଯ୍ୟନିର୍ବାହୀ ବୋର୍ଡ ବୈଠକ ବସି ଆମେ ଅଲିମ୍ପିକୁ ଯିବୁ ନାହିଁର ନିଷ୍ପତ୍ତି ନେଇଛୁ । ବର୍ତ୍ତମାନ ଯେପରି ଭାବରେ କରୋନା ଭୂତାଣୁ ସାରା ଦୁନିଆରେ ଲୋକଙ୍କୁ ମୃତୁ୍ୟ ମୁଖକୁ ଟାଣି ନେଉଛି ସେଭଳି ଅବସ୍ଥାରେ ଆମେ ଆନ୍ତର୍ଜାତିକ ଅଲିମ୍ପିକ୍‌ କମିଟିର ପରାମର୍ଶକୁ ଅପେକ୍ଷା ନକରି ନିଜେ ନେଇଛୁ ନିଷ୍ପତ୍ତି । ଆମ ଅଷ୍ଟ୍ରେଲିଆ ଏବଂ ବିଶ୍ୱର ଅନ୍ୟାନ୍ୟ ଭାଗରେ ଯେଉଁ ପରିସ୍ଥିତି ଉପୁଜିଛି ତାହାକୁ ଦେଖି ଆମେ ଏହି ନିଷ୍ପତ୍ତି ନେଇଛୁ । ଏଥିସହ ସେ କହିଛନ୍ତି ଟୋକିଓ ଅଲିମ୍ପିକ୍‌ କ୍ରୀଡ଼ାକୁ ୨୦୨୧ ପର୍ଯ୍ୟନ୍ତ ସ୍ଥଗିତ ରଖିବାକୁ । ଗ୍ରୀଷ୍ମକାଳୀନ ଅବସ୍ଥାରେ ଏହାର ଆୟୋଜନ ହେବା ଉଚିତ୍‌ । ତେଣୁ ୨୦୨୦ର କାର୍ଯ୍ୟସୂଚୀ ଅନୁସାରେ ୧୨ ମାସ ପରେ ଏହାର ଆୟୋଜନ କରାଯିବା ଉପରେ ଅଷ୍ଟ୍ରେଲିଆ ଅଲିମ୍ପିକ୍‌ କମିଟି ଜୋର ଦେଇଛି । ଆମେ ଖେଳାଳିମାନଙ୍କ ସ୍ୱାସ୍ଥ୍ୟଗତ ସୁରକ୍ଷାକୁ ଅନ୍ୟ ସବୁ ଜିନିଷ ଠାରୁ ଆଗରେ ରଖୁଛୁ । ଯାହା ଖେଳର ଭବିଷ୍ୟତ ସକାଶେ ନିହାତି କରାଯିବା ଦରକାର । ଗତ ୪୮ ଘଣ୍ଟା ଭିତରେ ଜୁଲାଇ ମାସରେ ଅଲିମ୍ପିକ କରିବାକୁ ନେଇ ସାରା ବିଶ୍ୱରୁ ଜୋରଦାର ବିରୋଧ ଆରମ୍ଭ ହୋଇଯାଇଛି । ବହୁ ଜାତୀୟ ଅଲିମ୍ପିକ୍‌ କମିଟି ସହ ଆମେରିକାର ଟ୍ରାକ୍‌ ଏବଂ ଫିଲ୍ଡ ଏବଂ ବି୍ରଟେନର ଆଥଲେଟିକ୍ସ ସଂଘ ଅଲିମ୍ପିକକୁ ଘୁଞ୍ଚାଇବା ପାଇଁ ଦାବି କରିସାରିଛନ୍ତି ।
କାନାଡା ଅଲିମ୍ପିକ୍‌ କମିଟି ଏବଂ କାନାଡାର ପାରା ଅଲିମ୍ପିକ୍‌ କମିଟି କରୋନା ଭାଇରସ ଅବସ୍ଥାରେ ୨୦୨୦ ଟୋକିଓରେ ଅଲିମ୍ପିକ୍‌ କରିବା ସମ୍ଭବ ନୁହେଁ ବୋଲି କହିବା ଏଥିରେ ତାଙ୍କ ଦଳ ଭାଗ ନେବ ନାହିଁ ବୋଲି ଘୋଷଣା କରିଛି । ପ୍ରଥମ ଦେଶ ଭାବେ ବର୍ତ୍ତମାନର କାର୍ଯ୍ୟସୂଚୀର ଟୋକିଓ ଅଲିମ୍ପିକ୍‌ ହେଲେ ନଖେଳିବାର ନିଷ୍ପତ୍ତି ନେଇଛି କାନାଡା । ପ୍ରାୟ ୧୩ହଜାରରୁ ବେଶି ଲୋକ କରୋନାରେ ପ୍ରାଣ ହରାଇସାରିଥିଲା ବେଳେ ଅଲିମ୍ପିକ୍‌ ବନ୍ଦ ରଖିବା ବର୍ତ୍ତମାନ ସମୟର ଆବଶ୍ୟକତା ବୋଲି ସମସ୍ତେ କହୁଛନ୍ତି । ଏଥିସହ କାନାଡା ଅଲିମ୍ପିକ୍‌ କମିଟି ବିଶ୍ୱ ସ୍ୱାସ୍ଥ୍ୟ ସଗଠନ କରିଛି ଅଲିମ୍ପିକକୁ ବନ୍ଦ କରିବାର ଘୋଷଣା କରିବା ସକାଶେ ।
ସ୍ଥଗିତର ମିଳିଲା ସଙ୍କେତ
ସୋମବାର ଜାପାନର ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେ ସଦନରେ ଯେଉଁ ବୟାନ ଦେଇଛନ୍ତି ସେଥିରୁ ଟୋକିଓ ଅଲିମ୍ପିକ୍‌ ସ୍ଥଗିତ ରହିବାର ସଂକେତ ମିଳୁଛି । ସେ ନିଜ ଭାଷଣ ରଖିଲା ବେଳେ କହିଥିଲେ ବର୍ତ୍ତମାନର ସ୍ଥିତିରେ ସମ୍ପୂର୍ଣ୍ଣ ଭାବେ ଅଲିମ୍ପିକ୍‌ର ଆୟୋଜନ ଅସମ୍ଭବ । ତେଣୁ ସ୍ଥଗିତ ରଖିବା ଏକ ବାଟ ହୋଇପାରେ ବୋଲି ଆବେ କହିଥିଲେ । ଅଲିମ୍ପିକର ମହାନ ଭାବ ଧାରାରେ କୁହାଯାଇଛି ଖେଳାଳିମାନଙ୍କ ସ୍ୱାସ୍ଥ୍ୟ ସୁରକ୍ଷା ଏହାର ପ୍ରାଥମିକତା । ତେଣୁ ବର୍ତ୍ତମାନର ସ୍ଥିତିରେ ସୁରକ୍ଷିତ ଭାବେ ଆୟୋଜନ କରିବା ସମ୍ଭବ ନଥିବାରୁ ଏହି କ୍ରୀଡ଼ାକୁ କିଛି ଦିନ ସ୍ଥଗିତ ରଖିବାର ଆବଶ୍ୟକତା ବିଷୟ ଆବେ କହିଥିଲେ । କାନାଡା ଏବଂ ଅଷ୍ଟ୍ରେଲିଆ ଓହରି ଯିବା ପରେ ଜାପାନ ଆୟୋଜକଙ୍କ ଉପରେ ଏହାକୁ ସ୍ଥଗିତ ରଖିବା ପାଇଁ ପଡୁଛି ଚାପ ।
ଆଗେ ସୁରକ୍ଷା ପରେ
ଅଲିମ୍ପିକ୍‌ : ବଜରଙ୍ଗ
ଭାରତର ପ୍ରମୁଖ ରେସଲର ତଥା ଏସିଆନ୍‌ ଗେମ୍ସରେ ସ୍ୱର୍ଣ୍ଣପଦକ ପାଇସାରିଥିବା ବଜରଙ୍ଗ ପୁନିଆ ସୋମବାର କହିଛନ୍ତି । ମଣିଷଙ୍କ ସ୍ୱାସ୍ଥ୍ୟ ସୁରକ୍ଷା ପ୍ରାଥମିକତା ପାଉ ଏହା ପଛକୁ ଯାଉ ଅଲିମ୍ପିକ୍‌ ଆୟୋଜନ । ଆମେ ବର୍ତ୍ତମାନ କରୋନା ବିରୁଦ୍ଧରେ ଲଢେଇ କରିବା ଦରକାର ଏକାଠି ହୋଇ । ପରେ ଅଲିମ୍ପିକ୍‌ ହେଲେ ଭଲ ହେବ । ପ୍ରଥମେ ଆମକୁ କରୋନା ଭୂତାଣୁ ଉପରେ ନିୟନ୍ତ୍ରଣ ଆଣିବାକୁ ପଡିବ ବୋଲି ବଜରଙ୍ଗ କହିଛନ୍ତି । ରେସଲର ପୁନିଆ କହିଛନ୍ତି ଆମ ଖେଳରେ ବ୍ୟବଧାନ ରଖି ଖେଳିବା ସମ୍ଭବ ନୁହେଁ । ତେଣୁ ବର୍ତ୍ତମାନ ସମୟରେ ପ୍ରତିଯୋଗିତା ଆୟୋଜନ କ’ଣ ଅଭ୍ୟାସ କରିବା ମଧ୍ୟ ରେସଲରମାନଙ୍କ ଲାଗି ସହଜ ନୁହେଁ । ସେହିପରି ଆଉ ଜଣେ ମହାନ ଭାରତୀୟ ରେସଲର ସୁଶୀଲ କୁମାର କହିଛନ୍ତି ଯଦି ସବୁ ଦେଶ ଅଲିମ୍ପିକ୍‌ରେ ଭାଗ ନେବେ ନାହିଁ ବୋଲି ତା’ହେଲେ ତାହାକୁ କରି କ’ଣ ଲାଭ?

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*