କରୋନା ରୋକିବାକୁ ମୋଦୀ ଦେଲେ ୭୨ ଘଣ୍ଟିଆ ଫର୍ମୁଲା

FacebooktwitterredditpinterestlinkedinmailFacebooktwitterredditpinterestlinkedinmail


ଏଜେନ୍ସୀ : ନୂଆଦିଲ୍ଲୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଙ୍ଗଳବାର କରୋନା ସ୍ଥିତି ନେଇ ମହାରାଷ୍ଟ୍ର, ପଶ୍ଚିମବଙ୍ଗ, ଉତ୍ତରପ୍ରଦେଶ, ତେଲେଙ୍ଗାନା, କର୍ଣ୍ଣାଟକ, ଆନ୍ଧ୍ରପ୍ରଦେଶ, ବିହାର, ଗୁଜରାଟ, ପଞ୍ଜାବ, ତାମିଲନାଡୁ ଏବଂ କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିଛନ୍ତି । ଏହି ଅବସରରେ ସେ କହିଥିଲେ ଯେ, ଅଧିକ ଟେଷ୍ଟିଂ ଯୋଗୁ କରୋନା ସଂକ୍ରମଣକୁ ଚିହ୍ନଟ କରିବା ଏବଂ ରୋକିବାରେ ସାହାଯ୍ୟ ମିଳୁଛି । ଆକ୍ଟିଭ୍ କେସ୍ ପ୍ରତିଶତ କମିଛି । ରିକଭରୀ ରେଟ୍ ଲଗାତାର ବୃଦ୍ଧି ପାଉଛି । ଯାହାର ଅର୍ଥ ହେଉଛି ଆମର ପ୍ରୟାସ ସଫଳ ହେବାରେ ଲାଗିଛି । ଆଉ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଲୋକଙ୍କ ମଧ୍ୟରେ ଭରସା ଏବଂ ଆତ୍ମବିଶ୍ୱାସ ବଢୁଛି ଓ ଭୟର ମାହୋଲ ବି କମ୍ ହୋଇଛି ।
୭୨ ଘଣ୍ଟା ଫର୍ମୁଲା କ’ଣ?
ବିଶେଷଜ୍ଞଙ୍କ ଅନୁଯାୟୀ, ଯଦି ଆମେ ସଂକ୍ରମଣକୁ ପ୍ରଥମ ୭୨ ଘଣ୍ଟାରେ ଚିହ୍ନଟ କରିନିଅନ୍ତି, ତେବେ ସଂକ୍ରମଣର ଗତି ମନ୍ଥର ହୋଇଯାଇଥାଏ । ଆଉ ଏହି ୭୨ ଘଣ୍ଟା ମଧ୍ୟରେ ସଂକ୍ରମିତଙ୍କ ଆଖପାଖ ଲୋକଙ୍କର ମଧ୍ୟ ଟେଷ୍ଟ ହୋଇଯିବା ଦରକାର ବୋଲି ପ୍ରଧାନମନ୍ତ୍ରୀ କହିଥିଲେ । ଏହାଛଡା ହାତ ଧୋଇବା, ମାସ୍କ ପିନ୍ଧିବା ଏବଂ କେଉଁଠାରେ ବି ନଥୁଙ୍କିବା ବିଷୟରେ ପ୍ରତ୍ୟେକ ଲୋକଙ୍କୁ ସଚେତନ କରାଯିବା ଉଚିତ୍ । ଏହାକୁ ନେଇ ଲୋକଙ୍କ ମଧ୍ୟରେ ଏକ ନୂଆ ମନ୍ତ୍ରୀ ପହଁଞ୍ଚାଇବା ଉଚିତ୍ । କେବଳ ଏହା କରିବା ଦ୍ୱାରା ହିଁ ଆମେ ଦେଶର ସର୍ବାଧିକ ସଂକ୍ରମିତ ୧୦ ରାଜ୍ୟର ସ୍ଥିତିକୁ ସୁଧାରି ପାରିବା ବୋଲି ପ୍ରଧାନମନ୍ତ୍ରୀ କହିଥିଲେ । ପ୍ରକାଶ ଥାଉ କି, ମହାରାଷ୍ଟ୍ରରେ ଏବେ ସଂକ୍ରମିତଙ୍କ ସଂଖ୍ୟା ୫.୨୪ଲକ୍ଷ ଥିବାବେଳେ ତାମିଲନାଡୁରେ ୩.୦୨ଲକ୍ଷ, ଆନ୍ଧ୍ରପ୍ରଦେଶରେ ୨.୩୫ଲକ୍ଷ, କର୍ଣ୍ଣାଟକରେ ୧.୮୨ଲକ୍ଷ, ଦିଲ୍ଲୀରେ ୧.୨୬ଲକ୍ଷ, ପଶ୍ଚିମବଙ୍ଗରେ ୯୮ହଜାର, ବିହାରରେ ୮୨ହଜାର, ତେଲେଙ୍ଗାନାରେ ୮୨ହଜାର ଏବଂ ଗୁଜରାଟରେ ସଂକ୍ରମିତଙ୍କ ସଂଖ୍ୟା ୭୨ହଜାର ରହିଛି । କରୋନା ଦ୍ୱାରା ଅତି ଭୟଙ୍କରଭାବେ ପ୍ରଭାବିତ ଏହି ରାଜ୍ୟଗୁଡିକୁ ପ୍ରଧାନମନ୍ତ୍ରୀ କରୋନା ମୁକାବିଲା ପାଇଁ କଣ୍ଟେନମେଣ୍ଟ, କଣ୍ଟାକ୍ଟ ଟ୍ରେସିଂ ଏବଂ ନିରୀକ୍ଷଣ ଉପରେ ଧ୍ୟାନକେନ୍ଦ୍ରିତ କରିବାକୁ ମଧ୍ୟ ପରାମର୍ଶ ଦେଇଛନ୍ତି । ଯେଉଁ ରାଜ୍ୟମାନଙ୍କରେ କମ୍‌ ଟେଷ୍ଟିଂ ହେଉଛି, ସେଠାରେ କରୋନା ସଂକ୍ରମଣ କେସ୍‌ ଅଧିକ ଆସୁଛି । ତେଣୁ ଉତ୍ତରପ୍ରଦେଶ, ଗୁଜରାଟ, ବିହାର, ପଶ୍ଚିମବଙ୍ଗ ଏବଂ ତେଲେଙ୍ଗାନା ଭଳି ରାଜ୍ୟଗୁଡିକ ଅଧିକ ଟେଷ୍ଟିଂ କରିବା ଦରକାର ବୋଲି ସେ କହିଥିଲେ ।
ଦେଶରେ ଏବେ ପ୍ରତିଦିନ ୭ଲକ୍ଷ ପର୍ଯ୍ୟନ୍ତ କରୋନା ଯାଞ୍ଚ ହେଉଛି । ଏହା ଲଗାତାର ବୃଦ୍ଧି ପାଉଛି ମଧ୍ୟ । ଏହାଦ୍ୱାରା ସଂକ୍ରମଣକୁ ଚିହ୍ନଟ ଏବଂ ରୋକିବାରେ ଅନେକ ସାହାଯ୍ୟ ମିଳୁଛି । ଆମର ଏଠାରେ ବିଶ୍ୱର ଅନ୍ୟ ଦେଶ ତୁଳନାରେ କରୋନାଜନିତ ମୃତୁ୍ୟହାର ମଧ୍ୟ କମ୍‌ ରହିଛି । ଏହା ଲଗାତାର କମିବାରେ ମଧ୍ୟ ଲାଗିଛି । ମୃତୁ୍ୟଦରକୁ ୧%ରୁ କମ୍‌ କରିବାକୁ ଚେଷ୍ଟା ଚାଲିଛି ବୋଲି ପ୍ରଧାନମନ୍ତ୍ରୀ କହିଥିଲେ । ଯଦି ସର୍ବାଧିକ ସଂକ୍ରମିତ ହୋଇଥିବା ୧୦ ରାଜ୍ୟ ମିଳିମିଶି କରୋନାକୁ ହରାଇ ଦିଅନ୍ତି, ତେବେ ଦେଶ ନିଶ୍ଚିତ ବିଜୟୀ ହେବ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି ଅବସରରେ କହିଥିଲେ ।
କରୋନା ନେଇ ଗତ ୫ ମାସ ମଧ୍ୟରେ ରାଜ୍ୟଙ୍କ ସହ ହେଉଛି ସପ୍ତମ ବୈଠକ । ବୈଠକରେ ପ୍ରଧାନମନ୍ତ୍ରୀଙ୍କ ସହ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଏବଂ ସ୍ୱାସ୍ଥ୍ୟ ମନ୍ତ୍ରୀ ଡ. ହର୍ଷବର୍ଦ୍ଧନ ଉପସ୍ଥିତ ଥିଲେ । ଦେଶରେ ଇତିମଧ୍ୟରେ କରୋନା ଭାଇରସ୍‌ ଯୋଗୁ ୨୨.୬୭ଲକ୍ଷ ସଂକ୍ରମିତ ହୋଇଥିବାବେଳେ ୪୫ହଜାରରୁ ଅଧିକ ଲୋକଙ୍କ ମୃତୁ୍ୟ ହୋଇସାରିଛି ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*