କଦଳୀ ପଟୁଆରୁ ଅର୍ଗାନିକ ଶାଢ଼ି:ପୁଦିନା, ତୁଳସୀ ମୋହରେ ଲୋକେ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ବର୍ତ୍ତମାନ ସମୟରେ ସବୁକିଛି ଅର୍ଗାନିକ୍ ହେଉଛି । ଏହି ଶବ୍ଦଟିକୁ ନେଇ ମାର୍କେଟ ପୂରା ଗରମ । ବଜାରରେ ଖାଦ୍ୟ ପଦାର୍ଥ, ପ୍ରସାଧନ ସାମଗ୍ରୀ ଆଦି ଅନେକ ଜିନିଷ ଏବେ ଅର୍ଗାନିକ ନାମରେ ଚାହିଦା ବଢ଼ାଉଛି । ହର୍ବାଲ ବ୍ରାନ୍ଦ ପରେ ଯଦି କୌଣସି ଦେଶୀ ଚିଜ ଲୋକଙ୍କୁ ବାୟା କରିଛି ତାହା ହେଲା ଅର୍ଗାନିକ୍ । ଆମ ବ୍ୟବହାରର ପ୍ରାୟ ଜିନିଷ ବଜାରକୁ ଅର୍ଗାନିକ୍ ହୋଇ ଆସିସାରିଥିଲା ବେଳେ ଅପେକ୍ଷା ଥିଲା ପୋଷାକ କେବେ ଆସିବ । ଆଉ ଏହି ଅର୍ଗାନିକ୍ ପୋଷାକ ସାମାଜିକ ଗଣମାଧ୍ୟର ଟ୍ରଲ ସେକ୍ସନରେ ଖୁବ୍ ପ୍ରିୟ ହୋଇଥିଲା । ଯାହା ବଜାରକୁ ଆସିନଥିଲା ସତ ହେଲେ ଟ୍ରଲ୍ ସେକ୍ସନରେ ଧୁମ୍ ମଚାଇଥିଲା । ଲୋକେ ବି ଅପେକ୍ଷା କରିଥିଲେ ହର୍ବାଲ ବା ଅର୍ଗାନିକ୍ ପୋଷାକ ବଜାରକୁ ଆସିବ କେବେ? ତାମିଲନାଡୁର ଜଣେ ଉଦ୍ୟୋଗୀ ଏବେ ଅର୍ଗାନିକ ଶାଢ଼ି ପ୍ରସ୍ତୁତ କରିଛନ୍ତି । ସି ଶେଖର ନାମକ ଏହି ସଫଳ ଉଦ୍ୟୋଗୀ କଦଳୀ ଗଛରୁ ଶାଢ଼ି ତିଆରି କରିବାର ଉପାୟ କାଢ଼ିଛନ୍ତି । ଆଉ ଏହି ଉପାୟରେ ସେ ୧୦୦ ଜଣ ବୁଣାକାରଙ୍କୁ ରୋଜଗାରକ୍ଷମ କରେଇଛନ୍ତି । ଯେଉଁମାନେ ପୂର୍ବରୁ ନିଜର କୌଳିକ ବୃତ୍ତିକୁ ବଞ୍ଚାଇ ନପାରି ରୋଜଗାର ହରେଇଥିଲେ । ଏହି ଉପାୟକୁ ଶେଖର ତାମିଲ ରାମାୟଣରୁ କାଢ଼ିଥିଲେ । ଯେଉଁଥିରେ ସୀତା ଅଶୋକବନରେ ଥିବା ସମୟରେ କଦଳୀ ଗଛରୁ ବସ୍ତ୍ର ତିଆରି କରି ପିନ୍ଧୁଥିଲେ । ତାଙ୍କ ଅପହରଣକାରୀ ରାବଣକୁ ସେ କୌଣସି ସାହାଯ୍ୟ ମାଗିବାକୁ ଚାହୁଁନଥିଲେ । ଯେତେବେଳେ ହନୁମାନ ସୀତାଙ୍କୁ ଭେଟିବାକୁ ଆସିଥିଲେ, ସୀତା ଅଶୋକ ବନରୁ କଦଳୀ ଗଛର ପଟୁଆକୁ ଆଣିବାକୁ କହିଥିଲେ । ହନୁମାନଙ୍କ ସାହାଯ୍ୟ ପରେ ସୀତା ସେହି ପଟୁଆରୁ ବସ୍ତ୍ର ତିଆରି କରି ପରିଧାନ କରୁଥିଲେ । ତାମିଲ ଭାଷାରେ ଲିଖିତ ରାମାୟଣରୁ ଅର୍ଗାନିକ ଶାଢ଼ିର ଉପାୟ ପାଇଥିଲେ ଶେଖର ।
୧୫ ବର୍ଷ ପୂର୍ବରୁ ଶେଖରଙ୍କ ଗ୍ରାମରେ ପ୍ରାୟ ଏକ ଶତାବ୍ଦୀ ଧରି ଚାଲିଆସୁଥିବା ବୁଣାକାର ବେଉସାକୁ ସବୁ ପରିବାର ତ୍ୟାଗ କରିଦେଇଥିଲେ । ପୂରାତନ ଉପାୟରେ ଶାଢ଼ି ଓ ତାହାର ଡିଜାଇନ ଲୋକଙ୍କୁ ପସନ୍ଦ ନଆସିବାରୁ ରୋଜଗାର ବି ଯଥେଷ୍ଟ ରୋଜଗାର ହେଉନଥିଲା । ସେଥିପାଇଁ ସମୂହ ନିଷ୍ପତ୍ତି ନେଇ ଗ୍ରାମବାସୀ ଶାଢ଼ୀବୁଣା କାମ ଛାଡ଼ିଦେଇଥିଲେ । ଘରେ ଥିବା ତନ୍ତକୁ ବି ବିକ୍ରି କରିଦେଇଥିଲେ । ଅଳ୍ପକିଛି ଲୋକ ସ୍ମୃତି ପାଇଁ ସାଇତି ରଖିଥିଲେ ତନ୍ତ । ଶେଖର ରାମାୟଣରୁ ଶିଖିଥିବା ଏହି କଳାକୁ ନିଜେ ପ୍ରଥମେ ଚେଷ୍ଟା କରିଥିଲେ । ରାମାୟଣରେ ପ୍ରସ୍ତୁତି ପ୍ରକ୍ରିୟା ବି ଶେଖର ଶିଖିଥିଲେ । ସେହି ପ୍ରକ୍ରିୟାକୁ ଆଗେ ନିଜେ ଚେଷ୍ଟା କରି ସଫଳ ହେଲାପରେ ଏହାକୁ ବ୍ୟବସ୍ଥିତ ଭାବରେ କରିବାକୁ ଭାବିଥିଲେ । ଜଣେ ଦୁଇଜଣ ବୁଣାକାରଙ୍କୁ ନେଇ ସେ ପ୍ରଥମ ଶାଢ଼ି ତିଆରି କରିଥିଲେ । ସମ୍ପୂର୍ଣ୍ଣ ପ୍ରକ୍ରିୟା ସହ ଶାଢ଼ି ତିଆରି କରିବାକୁ ତାଙ୍କୁ ମାସେ ଲାଗିଯାଇଥିଲା । ମାସକ ପରେ ଯେତେବେଳ ଶାଢ଼ୀ ତିଆରି ସମ୍ପୂର୍ଣ୍ଣ ହୋଇଥିଲା, ଏହା ଅନ୍ୟ ଶାଢିରୁ ଟିକିଏ ଭିନ୍ନ ପ୍ରକାରର ଥିଲା । ଶାଢ଼ିରୁ ଏକ ବଢ଼ିଆ ମହକ ଆସୁଥିଲା, ତା ସଙ୍ଗେ ଶାଢ଼ୀର ରଙ୍ଗ ବି ପ୍ରାକୃତିକ ଅର୍ଥାତ ଅର୍ଗାନିକ ଉତ୍ପାଦରୁ ପ୍ରସ୍ତୁତ ହୋଇଥିଲା । ଯାହାକୁ ପ୍ରଥମେ ସେ ଶାଢି ଦୋକାନରେ ପ୍ରଦର୍ଶନୀ ପାଇଁ ରଖିଥିଲେ । ଲୋକଙ୍କ ନଜରରେ ଆସି ପସନ୍ଦ ଆସିବା ପରେ, ଶେଖର ଏହାକୁ ପୂର୍ଣ୍ଣ ବ୍ୟବସ୍ଥିତ ଢ଼ଙ୍ଗରେ କରିବାକୁ ସ୍ଥିର କରିଥିଲେ ।
ପରେ ପରେ ସେ ୧୦୦ ଜଣ ବୁଣାକାରଙ୍କୁ ନେଇ ଏହି ଅର୍ଗାନିକ ଶାଢ଼ି ତିଆରିରେ ଲାଗିପଡ଼ିଲେ । ଦକ୍ଷିଣଭାରତରେ କଦଳୀ ଗଛର ତ ଅଭାବ ନାହିଁ । ଶେଖରଙ୍କୁ ସହଜରେ କଦଳୀ ଗଛର ପଟୁଆ ମିଳିଯାଉଥିଲା । ସେ ଆଦୌ କୌଣସି ଗଛକୁ ନଷ୍ଟ କରୁନଥିଲେ । କଦଳୀ ଗଛର ଉପର ପଟୁଆକୁ ଆଣି ତାକୁ ଶୁଖେଇ ସୂତା କାଢ଼ିବା ପ୍ରକ୍ରିୟା କରୁଥିଲେ । ସୂତା ବାହାରିବା ପରେ ସେଥିରେ ଶାଢ଼ୀ ତିଆରି ହେଉଥିଲା । ଶୁଖିଲା କିମ୍ବା ଅର୍ଦ୍ଦ ଶୁଖିଲା ଆସ୍ତରଣକୁ ନେଇ ସୂତା କାଢ଼ିବା ପ୍ରକ୍ରିୟା କରିଥାନ୍ତି । ଶାଢ଼ୀରେ ରଙ୍ଗ ବି କୌଣସି କେମିକାଲ ବ୍ୟବହାର କରାଯାଏ ନାହିଁ । ହର୍ବାଲ ରଙ୍ଗ ତଥା ଅର୍ଗାନିକ ଉପାୟରେ ଶାଢ଼ିରେ ରଙ୍ଗ ଦିଆଯାଉଛି । ଏପରିକି ଶାଢ଼ିରେ ତୁଳସୀ ଓ ପୁଦିନା ବ୍ୟବହାର କରାଯାଉଛି । ଶାଢ଼ୀରେ ଔଷଧୀୟ ଗୁଣ ଦେବା ଲାଗି ତୁଳସୀ ଓ ପୁଦିନା ବ୍ୟବହାର କରାଯାଉଛି । ଚର୍ମଜନିତ ରୋଗ, ସୁଗନ୍ଧ ପାଇଁ ତୁଳସୀ ଶାଢ଼ିରେ ବ୍ୟବହାର କରାଯାଉଛି । ଏହି ଦୁଇ ଉପକାରୀ ଜିନିଷର ବ୍ୟବହାରରେ ଚର୍ମଜନିତ ରୋଗରୁ ବର୍ତ୍ତିହେବ ବୋଲି କିଛି ତାମିଲ କବିରାଜ ମତ ଦେଇଛନ୍ତି । ଶେଖରଙ୍କର ଗୋଟିଏ ଶାଢ଼ିର ମୂଲ୍ୟ ୧୮୦୦ରୁ ୭ ହଜାର ଟଙ୍କା ଲେଖାଏଁରେ ବିକ୍ରି ହେଉଛି । ଭାରତ ଅପେକ୍ଷା ଶେଖରଙ୍କ ଅର୍ଗାନିକ ଶାଢ଼ୀକୁ ବିଦେଶରେ ଲୋକେ ଖୁବ୍‌ ପସନ୍ଦ କରିଛନ୍ତି । ବିଶେଷକରି ନାଇଜେରିଆରେ ଏହି ଅର୍ଗାନିକ ଶାଢ଼ିର ଖୁବ୍‌ ଚାହିଦା ରହିଛି । ବିଦେଶରେ ରହୁଥିବା ପ୍ରବାସୀ ଭାରତୀୟଙ୍କୁ ବି ଏହି ଶାଢ଼ୀ ଖୁବ୍‌ ପସନ୍ଦ ଆସିଛି । ଶେଖର ଏବେ ଶାଢ଼ିର ଏକ ଷ୍ଟୋର ତାମିଲନାଡୁର ଆଦ୍ୟାଠାରେ ଖୋଲିଛନ୍ତି । ସେଠାରେ ଖୁବ୍‌ ଭିଡ଼ ଜମୁଛି ଏହି ଅର୍ଗାନିକ ଶାଢ଼ି ଲାଗି । ସତରେ ଶେଖରଙ୍କର ଏହି ଉପାୟ ନିଆରା ଓ ଶାଢ଼ିଟି ବି ହିତକର ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*