କଂଗ୍ରେସକୁ ଦରକାର ନବୀନ ବାବୁ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ବେଳେବେଳେ ପ୍ରଦୀପ ମାଝି ଠିକ୍‌ କଥା କହନ୍ତି । ଲାଗୁଚି ଆଉ ସଭାପତି ହବାକୁ ଲୋଭ ନାହିଁ ତାଙ୍କର । ୨୦୧୮ରେ ସଭାପତି ହବା ଦୌଡ଼ରେ ଥିଲେ । କିନ୍ତୁ ହାଇକମାନ୍ଦଙ୍କ ମର୍ଜି ଅଲଗା । ଯାହାକୁ ଚାହିଁବେ ନେତା ପଦରୁ ହଟେଇ ଦେବେ । ପୁଣି ପରେ ଭଲ ଲାଗିଲେ ତାଙ୍କୁ ବସେଇ ଦେବେ । ପରୀକ୍ଷା ନିରୀକ୍ଷା କରିବା ପାଇଁ ଓଡ଼ିଶା ଭଳି ଭଲ ରାଜ୍ୟ ଆଉ କଉଁଠି ନାହିଁ କଂଗ୍ରେସ ଲାଗି । ତିନିତିନିଟା କାର୍ଯ୍ୟକାରୀ ସଭାପତି କଲାପରେ ବି ଫଳଘର ଶୂନ୍‌ । ୨୦ବର୍ଷ ହେଲା ଦଳ ଆଉଟ୍‌ । ବଢିବା ତ ଦୂରର କଥା, ଛିଡିଛିଡି ବକୁଟେ ଲାଗି ହେଇଗଲାଣି ।
ଓଡ଼ିଶାରେ ଏବେ ସଭାପତି କିଏ ହବ ତାକୁ ନେଇ ଚର୍ଚ୍ଚା । ଏଣେ ଉପନିର୍ବାଚନ ମୁନ୍ଦ ଉପରେ । ନିର୍ବାଚନ କମିଶନଙ୍କ ଘୋଷଣା ବାକି । କରୋନା ଭୟ ତୁଟିବା ପରେ ଘୋଷଣା ହେଇପାରେ ତାରିଖ । ସିଏ ତ ବହୁ ଦୂରର କଥା । ହେଲେ ପ୍ରଦୀପ ଦଳ ଅବସ୍ଥାକୁ ନେଇ ଯଉଁ ମତ ଦେଇଚନ୍ତି, ଲାଗୁଚି ବୁଦ୍ଧି ଥିଲେ ହାଇକମାନ୍ଦ ଏହା ଉପରେ ବିଚାର କରିବେ ।
ଦି’ଦିଟା ରାଜ୍ୟ କଂଗ୍ରେସ ହାତରୁ ଖସିଗଲା । ପ୍ରଥମେ କର୍ଣ୍ଣାଟକ ତା’ପରେ ମଧ୍ୟପ୍ରଦେଶ । ଏବେ ଯିବାଯିବା ହଉଚି ରାଜସ୍ଥାନ । ଦଳର ଦି’ଜଣ ଟାଣୁଆ ୟଙ୍ଗ୍‌ ଲିଡ଼ର ଜ୍ୟୋତିରାଦିତ୍ୟ ସିନ୍ଧିଆ ଏବଂ ସଚିନ ପାଇଲଟ୍‌ ଦଳ ଉପରେ ବିମୁଖ ହେଇପଡିଲେ । ଯୁବ ନେତୃତ୍ୱକୁ ସୁଯୋଗ ନମିଳିବାରୁ ବରଂ ସେମାନଙ୍କୁ ଅପମାନିତ କରାଯିବା କାରଣରୁ ସିନ୍ଧିଆ କଂଗ୍ରେସ ଛାଡି ପଦ୍ମ ଧରିଲେଣି କଉଁ ଦିନରୁ । ପଦ୍ମ ଟିକଟରେ ରାଜ୍ୟସଭାକୁ ବି ଗଲେଣି । ସଚିନ ଯିବାଯିବା ହଉଚନ୍ତି । ରାଜସ୍ଥାନରେ ଦଳକୁ ଜିତେଇବାରେ ବଡ଼ଭୂମିକା ନେଇଥିଲେ ସଚିନ । କିନ୍ତୁ ତାଙ୍କୁ ଭାରି ବାଧିଲା ପରି କାମ କଲେ ହାଇକମାନ୍ଦ ।
ସବୁ ରାଜ୍ୟରେ ଏହି ଅବସ୍ଥା । କେହି ଖୋଲାଖୋଲି ମ୍ୟାଡମ୍‌ ଓ ପି୍ରନ୍ସଙ୍କୁ ସମାଲୋଚନା କରୁନାହାଁନ୍ତି । କିନ୍ତୁ ଏବେ ଶିବଲ, ସଂଜୟ ଝା, ନିରୂପମ ମୁହଁ ଖୋଲିଲେଣି । ମାତ୍ର ପ୍ରଦୀପ ଆମର ଦି’ପାଦ ଆଗରେ । ଏକ ଘରୋଇ ଟିଭି ଚ୍ୟାନେଲ ବିତର୍କରେ ଭାଗ ନେଲାବେଳେ ସେ କହିଥିଲେ ଯେ, ସେନାପତି ହେଇଥିବାରୁ ମାଆ-ପୁଅ ଦଳର ଅବସ୍ଥା ପାଇଁ ଦାୟୀ । ଏକଥା ସମସ୍ତେ ସ୍ୱୀକାର କରିବେ ।
ଭାରି ଭୟାନକ ମତ । ଦଳ ଭିତରେ ବୋମା ଫୁଟେଇ ସାରିଲାଣି । କିନ୍ତୁ ତା’ଅପେକ୍ଷା ଆହୁରି ବଡ଼ ମତ ଦେଇଚନ୍ତି ପ୍ରଦୀପ । ସେ କହିଚନ୍ତି ଦଳକୁ ଲେନିନ୍‌, ଷ୍ଟାଲିନ୍‌ ଓ ନବୀନଙ୍କ ପରି ନେତା ଦରକାର । ବାପ୍‌ରେ! ନେତା ରୁଥ୍‌ଲେସ୍‌ ନହେଲେ ତୁଷ୍ଟିକରଣ ନୀତିରେ କିଛି ଚାଲିବ ନାହିଁ । ପ୍ରଦୀପଙ୍କ ଇସାରା ହେଲା ବାବୁ ନବୀନ ଯେମିତି ଦୟା ମାୟା ଶୂନ୍ୟ ହେଇ ଯାହାକୁ ଚାହିଁଲେ ତାକୁ ବିଦା କରିଦେଲେ, ଇଚ୍ଛା ହେଲା ଯାହାକୁ ମନ୍ତ୍ରୀ କଲେ, ଠିକ୍‌ ସେମିତି ଯଦି କଂଗ୍ରେସ ନେତୃତ୍ୱ କରିପାରିବ, ତେବେ ଓଡ଼ିଶାରେ କାହିଁକି ସାରା ଦେଶରେ କଂଗ୍ରେସ ପୁଣି କ୍ଷମତାକୁ ଫେରିପାରିବ ।
ପ୍ରଦୀପଙ୍କ କହିବା କଥା ହାଇକମାନ୍ଦ ତୁଷ୍ଟିକରଣ ନୀତି ଛାଡନ୍ତୁ । ଦକ୍ଷ ଓ ପ୍ରତିଭାଧର ନେତାଙ୍କୁ ରାଜ୍ୟସଭାପତି କରନ୍ତୁ । ଯିଏ ପାଟି କରିବ ନବୀନଙ୍କ ପରି ସେମାନଙ୍କୁ ଫୋପାଡି ଦିଅନ୍ତୁ । ଏତିକି କରିପାରିବେ ତ ସୋନିଆ ଓ ରାହୁଲ?

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*