ଏକକ ପ୍ରାଥମିକ ବିଦ୍ୟାଳୟ ପରୀକ୍ଷା ପ୍ରହସନ

Facebooktwittergoogle_plusredditpinterestlinkedinmailFacebooktwittergoogle_plusredditpinterestlinkedinmail

ନିର୍ଭୟ ମିଡିଆ:କେନ୍ଦ୍ରାପଡ଼ା

ସରକାର ରାଜ୍ୟବ୍ୟାପୀ ଏକକ ପରୀକ୍ଷା କରାଇବାକୁ ଘୋଷଣା କରିଥିବା ବେଳେ ପ୍ରଥମ ଦିନରୁ ଏହା ଫେଲ ମାରିଥିବା ଜଣାପଡ଼ିଛି ।
ସୂଚନା ଅନୁସାରେ ଶୁକ୍ରବାରଠାରୁ ରାଜ୍ୟରେ ଥିବା ସମସ୍ତ ପ୍ରାଥମିକ ବିଦ୍ୟାଳୟରେ ଷାଣ୍ମାସିକ ପରୀକ୍ଷା ଆରମ୍ଭ ହୋଇଛି । ସେହିପରି କେନ୍ଦ୍ରାପଡ଼ା ଜିଲ୍ଲାରେ ଥିବା ପ୍ରାଥମିକ ବିଦ୍ୟାଳୟ ଗୁଡ଼ିକରେ ଷାଣ୍ମାସିକ ପରୀକ୍ଷା ପାଇଁ ଜିଲ୍ଲାକୁ ଦୁଇଟି ପର୍ଯ୍ୟାୟରେ ପ୍ରଶ୍ନପତ୍ର ଆସିଥିଲା । ହେଲେ ଯେତିକି ସଂଖ୍ୟକ ପ୍ରଶ୍ନପତ୍ର ଆସିବା କଥା ତା’ଠାରୁ ଯଥେଷ୍ଟ କମ ଆସିଥିଲା ।ଏଣୁ ପ୍ରଶ୍ନପତ୍ରର ଅଭାବ ପୂରଣ କରି କୌଣସି ମତେ ପରୀକ୍ଷା କରାଇବାକୁ ବିଭିନ୍ନ ବିଦ୍ୟାଳୟରେ ଶିକ୍ଷକମାନେ ପ୍ରଶ୍ନପତ୍ରର ଜେରକ୍ସ କରିଥିଲେ । ଏହାପରେ ବି ଅବଶିଷ୍ଟ ପ୍ରଶ୍ନପତ୍ର ଉତ୍ତର ଖାତା ପାଇଁ ଶିକ୍ଷକମାନଙ୍କୁ ନିରାଶ ହେବାକୁ ପଡିଛି । ନଭେମ୍ବର ୧ ତାରିଖରୁ ୬ ତାରିଖ ଯାଏ ପରୀକ୍ଷା ହେବାକୁ ଥିବାବେଳେ ଗୁରୁବାର ରାତିସୁଦ୍ଧା ଅବଶିଷ୍ଟ ପ୍ରଶ୍ନପତ୍ର ଓ ଉତ୍ତର ଖାତା ଆସିପାରିନଥିଲା । ଏହି ପ୍ରଶ୍ନପତ୍ର ଓ ଉତ୍ତର ଖାତା ପାଇବାକୁ ସାରା ଜିଲ୍ଲାର ପ୍ରଧାନ ଶିକ୍ଷକମାନେ ଡିପିସି ଦାୟିତ୍ୱରେ ଥିବା ଡିଇଓଙ୍କ କାର୍ଯ୍ୟାଳୟ ଚାରିପଟେ ଗୁରୁବାର ସନ୍ଧ୍ୟା ଯାଏଁ ଅପେକ୍ଷା କରିଥିଲେ ମଧ୍ୟ କୌଣସି ସୁଫଳ ନପାଇ ଫେରିଯାଇଥିଲେ । ଡିଇଓଙ୍କର ଦେଖାଦର୍ଶନ ମିଳିନଥିଲା କି ସେ କାହାର ଫୋନ୍‌ ଉଠାଇନଥିଲେ ବୋଲି ବହୁ ଶିକ୍ଷକ ଅଭିଯୋଗ କରିଛନ୍ତି । ଏଥିନେଇ ଡିଇଓଙ୍କ ମତାମତ ନେବା ପାଇଁ ଆମ ପ୍ରତିନିଧି ଉଦ୍ୟମ କରିଥିଲେ ମଧ୍ୟ ତାଙ୍କ ସହିତ ଯୋଗାଯୋଗ ସମ୍ଭବ ହୋଇନାହିଁ । ପ୍ରକାଶଯୋଗ୍ୟ ଯେ, ସରକାର ରାଜ୍ୟବ୍ୟାପୀ ଏକକ ପରୀକ୍ଷା କରାଇବାକୁ ଘୋଷଣା କରି ଜିଲ୍ଲାସ୍ତରରେ ପ୍ରାଥମିକ ବିଦ୍ୟାଳୟ ଗୁଡିକର ଷାଣ୍ମାସିକ ଓ ବାର୍ଷିକ ପରୀକ୍ଷା ପାଇଁ ପ୍ରସ୍ତୁତ ହୋଇଥିବା ପ୍ରଶ୍ନପତ୍ରକୁ ବନ୍ଦ କରିଦେଇଥିଲେ । ରାଜ୍ୟସ୍ତରରେ ପ୍ରଶ୍ନପତ୍ର ସହ ଉତ୍ତର ଲେଖିବା ପାଇଁ ବୁକ୍‌ଲେଟ୍‌ ପ୍ରସ୍ତୁତ କରି ବିଦ୍ୟାଳୟଗୁଡ଼ିକୁ ଯୋଗାଇବାକୁ ନିଷ୍ପତ୍ତି ନେଇଥିଲେ । ତଦନୁଯାୟୀ କେନ୍ଦ୍ରାପଡା ଜିଲ୍ଲାକୁ ଗତ ୨୫ ତାରିଖରେ ଓ ୩୦ ତାରିଖରେ କିଛି ପ୍ରଶ୍ନପତ୍ର ଆସିଥିଲା । ସେଥିରେ ବିଭିନ୍ନ ଶ୍ରେଣୀର ବିଭିନ୍ନ ବିଷୟର ପ୍ରଶ୍ନତଥା ଉତ୍ତର ପତ୍ର ନଥିଲା । ଆଉ ଯେଉଁ ବିଷୟର ଥିଲା, ତାହା ସମୁଦ୍ରକୁ ଶଙ୍ଖେ ଭଳି । ଜିଲ୍ଲା ଶିକ୍ଷା ବିଭାଗ ପଦାଧିକାରୀଙ୍କଠାରୁ ଶିକ୍ଷକଙ୍କ ପର୍ଯ୍ୟନ୍ତ ବିଭାଗୀୟ ଦୁର୍ବଳତାକୁ ଘୋଡାଇବା ପାଇଁ ଯେଉଁ ବିଷୟର ପ୍ରଶ୍ନ ଓ ଉତ୍ତର ପତ୍ର ଆସିଥିଲା ତାକୁ ନେଇ ଜେରକ୍ସ କରି କାମ ଚଳାଇବାକୁ ଉଦ୍ୟମ କରିଥିଲେ । ହେଲେ ଜେରକ୍ସ କରୁକରୁ ତାହା ପିଲାଙ୍କ ପାଖକୁ ଚାଲିଯାଇଥିଲା । ଅଧିକାଂଶ ପିଲା ଆସିଥିବା ସମସ୍ତ ପ୍ରଶ୍ନ ଓ ଉତ୍ତର ପତ୍ର ଆଗୁଆ ପାଇ ନିଜ ନିଜ ଭିତରେ ଜେରକ୍ସ କରି କେବଳ ପ୍ରସାର କରାଇଛନ୍ତି ତାହା ନୁହେଁ ଏଥିରେ ଘରେ ବସି ଉତ୍ତର ଲେଖି ସାରି କେବଳ ପରୀକ୍ଷା ତାରିଖରେ ନିଜନିଜ ବିଦ୍ୟାଳୟରେ ଦାଖଲ କରିବାକୁ ଅପେକ୍ଷା କରିଛନ୍ତି । ତେବେ ରାଜ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଗତ ୨୮ ତାରିଖରେ ପ୍ରଥମେ ପରୀକ୍ଷା କରାଇବାକୁ ପ୍ରୋଗ୍ରାମ ଘୋଷଣା କରିଥିଲା ବେଳେ ଏହାକୁ ପୁଣି ନଭେମ୍ବର ୧ ତାରିଖକୁ ଘୁଞ୍ଚାଇବା ପରେ ବି ଆହୁରି ବହୁ ବିଷୟର ପ୍ରଶ୍ନ ଓ ଉତ୍ତର ପତ୍ର ଯୋଗାଇବା ସମ୍ଭବ ହେଲା ନାହିଁ । ତୃତୀୟ ଶ୍ରେଣୀର ଡ୍ରଇଁ, ଗଣିତ ଓ ମାତୃଭାଷା, ଚତୁର୍ଥ ଶ୍ରେଣୀର ମାତୃଭାଷା ଓ ଡ୍ରଇଁ, ପଞ୍ଚମ ଶ୍ରେଣୀର ଇଂରାଜୀ, ବିଜ୍ଞାନ ଓ ଗଣିତ, ଷଷ୍ଠ ଶ୍ରେଣୀର ଉର୍ଦ୍ଧୁ/ ହିନ୍ଦୀ, ବିଜ୍ଞାନ, ଗଣିତ, ଇତିହାସ ଓ ଭୂଗୋଳ, ଡ୍ରଇଁ, ସପ୍ତମ ଓ ଅଷ୍ଟମ ଶ୍ରେଣୀର ଉର୍ଦ୍ଦୁ/ ହିନ୍ଦୀ, ଇତିହାସ-ଭୂଗୋଳ, ଡ୍ରଇଁ, ବିଜ୍ଞାନ ପ୍ରଶ୍ନ ଓ ଉତ୍ତରପତ୍ର ଆସିନଥିବା କୁହାଯାଉଛି । ଏହି ସବୁ ବିଷୟରେ ପରୀକ୍ଷା କିପରି ହେବ କାହାପାଖରେ କୌଣସି ଉତ୍ତର ନାହିଁ ।ତେବେ କଳାପଟାରେ ଶିକ୍ଷକମାନେ ନିଜେ ପ୍ରଶ୍ନ ଲେଖି ପରୀକ୍ଷା କରାଇ କାମଚଳାଇ ଦେବାକୁ କୁଆଡେ ଭିତିରି ନିଦେ୍ର୍ଦଶ ଥିବା ଆଲୋଚନା ହେଉଛି । ହେଲେ ଏଥିପାଇଁ ଛାତ୍ରଛାତ୍ରୀଙ୍କୁ ଉତ୍ତର ଖାତା ଦେବାର କୌଣସି ବ୍ୟବସ୍ଥା ନଥିବାରୁ କୌଣସି ଶିକ୍ଷକ ନିଜ ପକେଟରୁ ଟଙ୍କା ଦେଇ କାଗଜ କିଣିବାକୁ ନାରାଜ । ଏଭଳି ସ୍ଥିତିରେ ଷାଣ୍ମାସିକ ପରୀକ୍ଷା ସଂପୂର୍ଣ୍ଣ ପ୍ରହସନରେ ପରିଣତ ହୋଇଥିବା ବିଭିନ୍ନ ମହଲରେ ଅଭିଯୋଗ କରାଯିବା ସହ ଶିକ୍ଷା ବିଭାଗରେ ୫-ଟି କୁଆଡେ ଗଲା ବୋଲି ପ୍ରଶ୍ନ ଉଠିଛି ।

Facebooktwittergoogle_plusredditpinterestlinkedinmailFacebooktwittergoogle_plusredditpinterestlinkedinmail

Be the first to comment

Leave a Reply

Your email address will not be published.


*