ଆମେରିକା ଏକାଡେମୀକୁ ତାଲିମ୍‌ ପାଇଁ ଯିବେ ଦୂତୀ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ନିର୍ଭୟ ମିଡିଆ
ଭୁବନେଶ୍ୱର

ଓଡ଼ିଶାର ଗୌରବ ତଥା ଦେଶର ଦ୍ରୁତତମ ଧାବିକା ଦୂତୀଚାନ୍ଦଙ୍କ ଲାଗି ପରୀକ୍ଷାର ସମୟ କେବେ ସରେନାହିଁ । ସବୁବେଳେ ତାଙ୍କ ପାଇଁ ଆଗାମୀ ଦିନ ଆହ୍ୱାନ ସୃଷ୍ଟି କରିଆସିଛି । ଗତ ଏସିଆନ୍‌ ଗେମ୍ସରେ ଦୁଇଟି ମେଡାଲ ଜିତିବାକୁ ସକ୍ଷମ ହୋଇଥିଲେ ଦୂତୀ । ବର୍ତ୍ତମାନ ତାଙ୍କ ସମ୍ମୁଖରେ ସବୁଠାରୁ ବଡ଼ ଚ୍ୟାଲେଞ୍ଜ ହେଲା ପରବର୍ତ୍ତୀ ଅଲିମ୍ପିକ୍‌ ସକାଶେ ଯୋଗ୍ୟତା ଅର୍ଜନ କରିବା । ଗତ ରିଓ ଅଲିମ୍ପିକ୍‌ରେ ଦୂତୀ ଯୋଗ୍ୟତା ଅର୍ଜନ କରି ୧୦୦ ମିଟରରେ ଦୌଡ଼ି ଥିଲେ । ହେଲେ ପ୍ରାରମ୍ଭିକ ପର୍ଯ୍ୟାୟରୁ ସେ ହୋଇଯାଇଥିଲେ ଆଉଟ୍‌ । ଏଥର ସେ ଭଲ କରିବାର ପ୍ରୟାସରେ ଅଛନ୍ତି । ହେଲେ ତାହା ସମ୍ଭବ ହେବ ସେ ଅଲିମ୍ପିକ୍‌ ସକାଶେ ଯୋଗ୍ୟତା ଅର୍ଜନ କଲେ । ପରବର୍ତ୍ତୀ ଅଲିମ୍ପିକ୍‌ ସକାଶେ ଆଉ ପ୍ରାୟ ୧୭ ମାସ ସମୟ ରହିଛି । ଆଉ ଏ ସମୟ ଯୋଗ୍ୟତା ଅର୍ଜନର ହେବାକୁ ଥିବାରୁ ଦୂତୀଙ୍କ ଲାଗି ଟପ୍‌ ପ୍ରସ୍ତୁତିର ରହିଛି ଆବଶ୍ୟକତା । ଏହାକୁ ବୁଝିସାରିଥିବା ଦୂତୀ ବଡ଼ ଫୋକସ୍‌ ଆଣିସାରିଛନ୍ତି । ନିଜର ତାଲିମ ଧାରାରେ ଏକାଧିକ ବଡ଼ ପରିବର୍ତ୍ତନ ସାଙ୍ଗକୁ ବିଦେଶରେ ଖାସ୍‌ ତାଲିମ ସକାଶେ କାର୍ଯ୍ୟସୂତୀ ବନାଇସାରିଛନ୍ତି । ଆମେରିକାର ଫ୍ଲୋରିଡାରେ ଥିବା ବିଖ୍ୟାତ ଆଇଏମ୍‌ଜି ଏକାଡେମୀରେ ପାଖାପାଖି ଦୁଇମାସ ସେ କାଟିବେ । ମେ’ ମାସରେ ସେ ଯିବେ ଫ୍ଲୋରିଡା । ଅବଶ୍ୟ ତା’ପୂର୍ବରୁ ଦୂତୀ ଜାତୀୟ ଫେଡେରେସନ୍‌ କପ୍‌ ଏବଂ ଦୋହାରେ ହେବାକୁ ଥିବା ଏସିଆନ୍‌ ଆଥଲେଟିକ୍ସ୍‌ ଚମ୍ପିଆନ୍‌ସିପ୍‌ରେ ପ୍ରତିଦ୍ୱନ୍ଦ୍ୱିତା କରିବେ । ନିକଟରେ ଫ୍ଲୋରିଡା ଏକାଡେମୀର କୋଚ୍‌ ହାଇଦ୍ରାବାଦ ଆସି ପୁଲେଲା ଗୋପିଚାନ୍ଦ ଏକାଡେମୀରେ ଦୂତୀଙ୍କ ସହ କିଛି ଦିନ କଟାଇଥିଲେ । ଯେଉଁଠି ଦୂତୀ ନିଜ କୋଚ୍‌ ନାଗପୁରୀ ରମେଶଙ୍କ ସହ ନୂଆ ସିଜିନ୍‌ ସକାଶେ ଆରମ୍ଭ କରିସାରିଛନ୍ତି ତାଲିମଧାରା । ନିଜ ଆରମ୍ଭ ଓ ରେସ୍‌ ସରିବା ସମୟରେ ଟେକନିକ୍‌ରେ କିଛିଟା ତ୍ରୁଟି ହେଉଥିବାର ନିଜେ ଦୂତୀ ଅନୁମାନ କରୁଛନ୍ତି । ଗତ ଜାକର୍ତ୍ତା ଏସିଆନ୍‌ ଗେମ୍ସ ପରେପରେ ଫ୍ଲୋରିଡା ଏକାଡେମୀକୁ ଯିବା ପାଇଁ ଦୂତୀ ଚାହିଁଥିଲେ ମଧ୍ୟ ଅର୍ଥ ଅଭାବରୁ ସେଠାକୁ ଯାଇପାରିନାହାଁନ୍ତି । କେନ୍ଦ୍ର ସରକାରଙ୍କ କ୍ରୀଡ଼ା ବିଭାଗ ଖାସ୍‌ ଅଲିମ୍ପିକ୍‌ ଖେଳାଳିମାନଙ୍କ ସକାଶେ ଟପ୍ସ ଯୋଜନା ଆରମ୍ଭ କରିଥିଲେ ମଧ୍ୟ ଦୂତୀଙ୍କୁ ସେଥିରେ ଏଯାଏଁ ସାମିଲ କରାଯାଇନାହିଁ । ଆଉ ଦୂତୀ ମଧ୍ୟ ଓଡ଼ିଶା ସରକାରଙ୍କ ପାଖରୁ ଏସିଆଡର ସଫଳତା ସକାଶେ ଘୋଷିତ ୩କୋଟି ଟଙ୍କାର ପୁରସ୍କାର ପୂରା ପାଇନାହାଁନ୍ତି । ଅଳ୍ପଅଳ୍ପ କରି କ୍ରୀଡ଼ା ବିଭାଗ ସେ ପୁରସ୍କାର ପ୍ରଦାନ କରୁଛନ୍ତି । ଏକାଧିକବାର ଦୂତୀ ଟପ୍ସରେ ସାମିଲ ହେବା ସକାଶେ ଆବେଦନ କରିଥିଲେ ମଧ୍ୟ ତାହା ଏଯାଏଁ ସଫଳ ହୋଇପାରିନାହିଁ ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*