ଅରୁଣ କହିଥିଲେ ୩.୪୧ ଲକ୍ଷ, ପ୍ରତାପ କହିଲେ ୩୨ ହଜାର

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ନିର୍ଭୟ ମିଡିଆ : ଭୁବନେଶ୍ୱର

ନିର୍ବାଚନରେ ଭୋଟ ହାତେଇବା ପାଇଁ ଶାସକ ବିଜଦ ଦଳୀୟ କର୍ମୀଙ୍କୁ ହିତାଧିକାରୀ ଭାବେ ଚିହ୍ନଟ କରି ଟଙ୍କା ବାଣ୍ଟିବା ପରେ ଏହାକୁ ନେଇ ବିରୋଧୀ ଅଭିଯୋଗ ଆଣିଥିଲେ । ଅଭିଯୋଗ ଆଧାରରେ ତଦନ୍ତ ପରେ ୩ ଲକ୍ଷ ୪୧ ହଜାର ଅଯୋଗ୍ୟ ହିତାଧିକାରୀ ଚିହ୍ନଟ ହୋଇଛନ୍ତି ବୋଲି କୃଷିମନ୍ତ୍ରୀ ଅରୁଣ ସାହୁ ମଙ୍ଗଳବାର ଘୋଷଣା କଲେ । ଏହାର ୨୪ ଘଣ୍ଟା ନପୁରୁଣୁ ଅଯୋଗ୍ୟ କାଳିଆଙ୍କ ସଂଜ୍ଞା ନେଇ ଦଳର ମୁଖପାତ୍ର ପ୍ରତାପ ଦେବ ଗଣମାଧ୍ୟମରେ ଓଲଟା ଯୁକ୍ତି ରଖିଲେ । ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ ଆଉ ପାଦେ ଆଗକୁ ଯାଇ ଅଯୋଗ୍ୟ ଚିହ୍ନଟକାରୀଙ୍କ ପରିବର୍ତ୍ତେ ହିତାଧିକାରୀଙ୍କାରୁ ଅର୍ଥ ଆଦାୟ ପାଇଁ ସୂଚନା ଦେଲେ । ବୁଧବାର ଦିନ ଏହି ପ୍ରସଙ୍ଗକୁ ନେଇ ଉଭୟ ଶାସକ ବିରୋଧୀ ମୁହାଁମୁହିଁ ହୋଇଛନ୍ତି । କୃଷିମନ୍ତ୍ରୀ ଓ ବିଜଦ ମୁଖପାତ୍ରଙ୍କ କଥାରେ ତାଳମେଳ ରହୁନଥିବାରୁ ସରକାର ଦ୍ୱନ୍ଦ୍ୱରେ ଥିବା ବିରୋଧୀ ଅଭିଯୋଗ ଆଣିଛନ୍ତି । ଏହି କେଳେଙ୍କାରୀକୁ ନେଇ ବିରୋଧୀ ରାଜରାସ୍ତାରେ ଆନେ୍ଦାଳନ ଚଳାଇବେ ବୋଲି ଚେତାବନୀ ଦେଇଛନ୍ତି ।
କୃଷିମନ୍ତ୍ରୀ ଅରୁଣ ସାହୁ ମଙ୍ଗଳବାର ଦିନ ଯାଞ୍ଚ ପ୍ରକ୍ରିୟା ଶେଷ ହେବା ପରେ ମୋଟ ୫୧ ଲକ୍ଷ ୫୨୯୦ କାଳିଆ ହିତାଧିକାରୀଙ୍କ ମଧ୍ୟରୁ ୩ ଲକ୍ଷ ୪୧ ହଜାର ଅଯୋଗ୍ୟ ବୋଲି ଘୋଷଣା କଲେ । ଏହାକୁ ନେଇ ବିରୋଧୀ ସରକାରଙ୍କ ଜାଲିଆତି କାରବାରକୁ ନିଜେ ମନ୍ତ୍ରୀ ଧରାପକାଇଛନ୍ତି ବୋଲି ଅଭିଯୋଗ ଆଣିଥିଲେ । ଏହାର ୨୪ ଘଣ୍ଟା ନପୂରୁଣୁ ବିଜଦ ମୁଖପାତ୍ର ପ୍ରତାପ ଦେବ ଗଣମାଧ୍ୟମରେ ଓଲଟା ଯୁକ୍ତି ରଖିଥିଲେ । ୩ ଲକ୍ଷ ୪୧ ହଜାର ଅଯୋଗ୍ୟ ଚିହ୍ନଟ ହୋଇଥିବା ତାଲିକା ଠିକ୍‌ ଭାବେ ଅନୁଧ୍ୟାନ ହୋଇନାହିଁ ବୋଲି ଯୁକ୍ତି ରଖିଲେ । ଏମାନଙ୍କ ମଧ୍ୟରୁ ୨୦ ହଜାର ସରକାରୀ କର୍ମଚାରୀ ଓ ୧୨ ହଜାର ବଡ଼ ଚାଷୀଙ୍କୁ ମିଶାଇ ମୋଟ ୩୨ ହଜାର ଅଯୋଗ୍ୟ ହିତାଧିକାରୀଙ୍କ ଠାରୁ ଅର୍ଥ ଫେରସ୍ତ ପାଇଁ ପଦକ୍ଷେପ ନିଆଯିବ ବୋଲି ସୂଚନା ଦେଲେ । ଅବଶିଷ୍ଟ ୩ ଲକ୍ଷ ୯ ହଜାର ହିତାଧିକାରୀଙ୍କୁ ପରବର୍ତ୍ତୀ ସମୟରେ ଯୋଗ୍ୟ ଭାବେ କିଭଳି ବିବେଚନା କରାଯିବ ତାହାର ସୂତ୍ର କହିଲେ । ଯୋଗ୍ୟ ବିବେଚିତ ହୋଇଥିବା ଏହି ୩ ଲକ୍ଷ ପରିବାରର ଏକାଧିକ ବ୍ୟକ୍ତି ସହାୟତା ନେଇଥିବାରୁ ପରବର୍ତ୍ତୀ ସମୟରେ ଏହାକୁ ଭରଣା କରାଯିବ ବୋଲି ଅଜବ ଯୁକ୍ତି ରଖିଛନ୍ତି । ଗଣମାଧ୍ୟମ ଓ ବିରୋଧୀ ଦଳ କୃଷି ବିଭାଗର ତଜର୍ମା ରିପୋର୍ଟକୁ ଠିକଣା ଢଙ୍ଗରେ ଅନୁଧ୍ୟାନ କରିନଥିବାରୁ ଏଭଳି ଅଭିଯୋଗ ହେଉଛି ବୋଲି ଶ୍ରୀ ଦେବ ସଫେଇ ରଖିଥିଲେ ।
କାଳିଆ ଯୋଜନାରେ ଅଯୋଗ୍ୟ ହିତାଧିକାରୀଙ୍କୁ ନେଇ ଯୋରଦାର ଚର୍ଚ୍ଚା ଚାଲିଥିବା ବେଳେ ନୂଆଦିଲ୍ଲୀ ଗସ୍ତରେ ଥିବା ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ ଏନେଇ ପ୍ରତିକ୍ରିୟା ରଖିଥିଲେ । ଚିହ୍ନଟ ହୋଇଥିବା ଅଯୋଗ୍ୟ କାଳିଆ ହିତାଧିକାରୀଙ୍କଠାରୁ ଅର୍ଥ ଫେରସ୍ତ ଅଣାଯିବ ବୋଲି ସୂଚନା ଦେଇଥିଲେ । ଏଥିପାଇଁ ସରକାରଙ୍କ ପକ୍ଷରୁ ପଦକ୍ଷେପ ନିଆଯାଉଥିବା ମୁଖ୍ୟମନ୍ତ୍ରୀ କହିଥିଲେ । ଏପଟେ ଅଯୋଗ୍ୟ ହିତାଧିକାରୀ ଚିହ୍ନଟ କରିଥିବା ଅଧିକାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ସମ୍ପର୍କରେ ହୋଇଥିବା ପ୍ରଶ୍ନକୁ ମୁଖ୍ୟମନ୍ତ୍ରୀ ଓ ଦଳର ମୁଖପାତ୍ର ଏଡାଇ ଦେଇଛନ୍ତି । ଯେଉଁମାନେ ହିତାଧିକାରୀ ଚିହ୍ନଟ କଲା ବେଳେ ଅଯୋଗ୍ୟଙ୍କୁ ତାଲିକାରେ ଅନ୍ତର୍ଭୁକ୍ତ କଲେ ସେମାନଙ୍କ ପାଇଁ ସରକାର କାହିଁକି ଅନୁକମ୍ପା ଦେଖାଉଛନ୍ତି ତାହା ଏବେ ବଡ଼ ପ୍ରଶ୍ନ ଭାବେ ଛିଡ଼ା ହୋଇଛି ।
ଅଯୋଗ୍ୟ ହିତାଧିକାରୀ ସଂଜ୍ଞା ନିରୂପଣରେ ସରକାରଙ୍କ ବୟାନବାଜିକୁ ଭାଜପା ଦୃଢ ସମାଲୋଚନା କରିଛି । ଦଳର ମୁଖପାତ୍ର ଗୋଲଖ ମହାପାତ୍ର ଗଣମାଧ୍ୟମରେ ପ୍ରତିକ୍ରିୟା ରଖି କହିଛନ୍ତି ଭୋଟ ହାତେଇବାକୁ ସରକାର କାଳିଆ ଯୋଜନା ଆଣିଥିଲେ । ଦଳୀୟ କର୍ମୀଙ୍କୁ ସହାୟତା ଦେଇ ଏବେ ଧରାପଡିଛନ୍ତି । ବାସ୍ତବରେ ତାଲିକାରେ କେତେ ଅଯୋଗ୍ୟ ଅଛନ୍ତି ତାହା ସାନି ତଦନ୍ତ କରାଯିବା ଦରକାର । ଲୋକଙ୍କୁ ଭୂଆଁ ବୁଲାଇ ସରକାରୀ ଅର୍ଥ ବରବାଦ ଘଟଣାକୁ ଆଗାମୀ ଦିନରେ ଭାଜପା ରାଜରାସ୍ତାକୁ ନେବ ବୋଲି ଚେତାବନୀ ଦେଇଥିଲେ । ଏପଟେ କଂଗ୍ରେସର ବରିଷ୍ଠ ନେତା ଶରତ ରାଉତ ସମାନ ଅଭିଯୋଗ ଆଣି ସରକାର ଦ୍ୱନ୍ଦ୍ୱରେ ଥିବା ଅଭିଯୋଗ କରିଛନ୍ତି । ମନ୍ତ୍ରୀ ଓ ମୁଖପାତ୍ରଙ୍କ କଥାରେ ତାଳମେଳ ରହୁନାହିଁ । କିଏ ସତ କହୁଛି ବୁଝି ହେଉନାହିଁ । ବିରୋଧୀ ପ୍ରଥମରୁ ଯେଉଁ ଆଶଙ୍କା କରି ଅଭିଯୋଗ ଆଣିଥିଲେ ତଜର୍ମା ପରେ ଏହା ସ୍ପଷ୍ଟ ହୋଇଛି । ଆଗାମୀ ଦିନରେ କଂଗ୍ରେସ ଏହି କେଳେଙ୍କାରୀକୁ ନେଇ ରାଜରାସ୍ତାରେ ଆନେ୍ଦାଳନ ଚଳାଇବ । ଲୋକଙ୍କ ଟିକସ ଅର୍ଥକୁ ନବୀନ ସରକାର କିଭଳି ଅପବ୍ୟୟ କରୁଛନ୍ତି ତାହା ଓଡ଼ିଶାବାସୀଙ୍କୁ ଜଣାଇ ଦିଆଯିବ ବୋଲି ଶ୍ରୀ ରାଉତ ଗଣମାଧ୍ୟମରେ ପ୍ରତିକ୍ରିୟା ରଖିଥିଲେ ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*