ସୋନିଆଙ୍କ ମୁଣ୍ଡରେ ଝୁଲୁଛି ତିନି ରାଜ୍ୟର ନିର୍ବାଚନ ଖଣ୍ଡା

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ଆଣ୍ଟୋନି ଠିକ୍‌ କହିଛନ୍ତି । ବୟସ୍କା ସୋନିଆଙ୍କ ଉପରେ ଅଧ୍ୟକ୍ଷ ଭାର ଲଦି ଦେବା ଠିକ୍‌ ନୁହେଁ ବୋଲି ତାଙ୍କ ଯୁକ୍ତିକୁ ଚଳିତ ବର୍ଷ ଶେଷ ସୁଦ୍ଧା ଦଳର ଅନ୍ୟ ନେତାମାନେ ମଧ୍ୟ ବୁଝି ଯିବେ ।

ଏଜେନ୍ସୀ:ନୂଆଦିଲ୍ଲୀ

୧୨-୧୩ ଘଣ୍ଟାର ମାନସ ମନ୍ଥନ ପରେ କଂଗ୍ରେସ ୱାର୍କିଂ କମିଟି ପୁଣି ସେହି ପୁରୁଣା ରାସ୍ତାକୁ ଫେରି ଆସିଲା । ଯେଉଁ ସୋନିଆ ଦୁଇ ବର୍ଷ ଆଗରୁ କଂଗ୍ରେସ ଅଧ୍ୟକ୍ଷ ପଦ ପୁତ୍ର ରାହୁଳଙ୍କୁ ଟେକି ଦେଇଥିଲେ, ସେହି ସୋନିଆ ପୁଣି ହେଲେ ଅଧ୍ୟକ୍ଷ । ଏହାକୁ ଅନ୍ତରୀଣ ବ୍ୟବସ୍ଥା କୁହାଯାଉଥିଲେ ହେଁ ନିକଟ ଭବିଷ୍ୟତରେ କିମ୍ବା ବର୍ଷେ ଦି’ ବର୍ଷ ଭିତରେ ଆଉ କେହି ନୂଆ ସଭାପତି ହେବାର ନାହିଁ । କିନ୍ତୁ ସ୍ୱାସ୍ଥ୍ୟଗତ କାରଣରୁ ଅଧ୍ୟକ୍ଷ ପଦ ଛାଡ଼ିଥିବା ସୋନିଆଙ୍କ ମୁନ୍ଦ ଉପରେ ଏବେ ଝୁଲୁଛି ତିନି ରାଜ୍ୟର ବିଧାନସଭା ନିର୍ବାଚନ ଖନ୍ଦା । ଏହି ତିନି ରାଜ୍ୟ ହେଲା ମହାରାଷ୍ଟ୍ର, ହରିୟାଣା ଓ ଝାରଖଣ୍ଡ । ଆସନ୍ତା ବର୍ଷ ଆହୁରି ଦୁଇ ରାଜ୍ୟ ଦିଲ୍ଲୀ ଓ ଜମ୍ମୁ-କାଶ୍ମୀର ନିର୍ବାଚନ ଅଛି ।
ସେଥି ଲାଗି ଗାନ୍ଧୀ ପରିବାରର ଘନିଷ୍ଠ ପୂର୍ବତନ ପ୍ରତିରକ୍ଷା ମନ୍ତ୍ରୀ ଏ.କେ, ଆଣ୍ଟୋନି ସୋନିଆଙ୍କୁ ପୁନର୍ବାର ଅଧ୍ୟକ୍ଷ କରାଯିବା ପ୍ରସ୍ତାବକୁ ୱାର୍କିଂ କମିଟି ବୈଠକରେ ବିରୋଧ କରିଥିଲେ । ସେ କହିଥିଲେ ଯେ, ୭୨ ବର୍ଷିୟା ସୋନିଆଙ୍କ ଉପରେ ଅଧିକ ଚାପ ଲଦି ଦିଆଯିବା ଉଚିତ ନୁହେଁ । ନିଜେ ସୋନିଆ ମଧ୍ୟ ଆଣ୍ଟୋନିଙ୍କ ଯୁକ୍ତିକୁ ସମର୍ଥନ କରିଥିଲେ । କିନ୍ତୁ ଅନ୍ୟ ସଦସ୍ୟମାନେ ବର୍ତ୍ତମାନ ପରିସ୍ଥିତିରେ ସୋନିଆଙ୍କ ଛଡ଼ା ଆଉ କେହି ଦଳକୁ ସମ୍ଭାଳି ପାରିବେ ନାହିଁ ବୋଲି ଯୁକ୍ତି ବାଢିଥିଲେ । ଫଳରେ ଆଣ୍ଟୋନିଙ୍କ ପ୍ରସ୍ତାବ ଖାରଜ ହୋଇଯାଇଥିଲା । ସୋନିଆ ପରବର୍ତ୍ତୀ ଅଧ୍ୟକ୍ଷ ମନୋନୀତ ହେବା ପର୍ଯ୍ୟନ୍ତ ଦାୟିତ୍ୱ ତୁଲାଇବାକୁ ରାଜି ହୋଇଥିଲେ । ସମସ୍ତେ ଜାଣନ୍ତି ଯେ ପରବର୍ତ୍ତୀ ଅଧ୍ୟକ୍ଷ ଏତେ ସହଜରେ ବାଛି ପାରିବ ନାହିଁ କଂଗ୍ରେସ ।
ଚଳିତ ବର୍ଷ ତିନିଟି ଗୁରୁତ୍ୱପୂର୍ଣ୍ଣ ରାଜ୍ୟରେ ନିର୍ବାଚନ ହେବ । ପଶ୍ଚିମରେ ମହାରାଷ୍ଟ୍ର । ଉତ୍ତରରେ ହରିୟାଣା ଏବଂ ପୂର୍ବରେ ଝାରଖଣ୍ଡ । ଏହି ତିନି ରାଜ୍ୟରେ ବର୍ତ୍ତମାନ ଭାଜପା ଶାସନ ଅଛି । ମହାରାଷ୍ଟ୍ରରେ ଭାଜପା ଓ ଶିବସେନା ଏକାଠି ଲଢିବେ ଏଥର । ଅନ୍ୟପଟେ କଂଗ୍ରେସ ଓ ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟିର ବହୁ ନେତା ଦଳ ଛାଡ଼ି ଭାଜପା ଓ ଶିବସେନାକୁ ଚାଲିଗଲେଣି । ହରିୟାଣାରେ କଂଗ୍ରେସ ଅବସ୍ଥା ଅତି ଖରାପ । ଉଭୟ ଭୁପିନ୍ଦର ହୁଡ଼ା ଓ ପୁତ୍ର ଦୀପିନ୍ଦର ଦଳ ଛାଡ଼ିବା ମତ୍‌ଲବରେ ଅଛନ୍ତି । ଝାରଖଣ୍ଡରେ ରାଜ୍ୟ କଂଗ୍ରେସ ସଭାପତି ନିକଟରେ ଦଳ ଛାଡ଼ିଛନ୍ତି । ଗତ ଲୋକସଭା ନିର୍ବାଚନରେ ଝାରଖଣ୍ଡ ଓ ହରିୟାଣାରେ କଂଗ୍ରେସ ଖାତା ଖୋଲିପାରି ନଥିଲା ।
ଆସନ୍ତା ବର୍ଷ ପ୍ରାରମ୍ଭରେ ଦିଲ୍ଲୀ ଓ ସ୍ଥଗିତ ରହିଥିବା ଜମ୍ମୁ-କାଶ୍ମୀର ବିଧାନସଭାର ନିର୍ବାଚନ ହେବ । ଲୋକସଭା ନିର୍ବାଚନରେ ଦିଲ୍ଲୀରେ ଗୋଟିଏ ବି ଆସନ ଜିଣି ପାରିନଥିଲା କଂଗ୍ରେସ । ଇତି ମଧ୍ୟରେ ପୂର୍ବତନ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଶୀଲା ଦୀକ୍ଷିତଙ୍କର ପରଲୋକ ଘଟିଛି । ଜମ୍ମୁ-କାଶ୍ମୀରରେ ୩୭୦ ଧାରା ଉଚ୍ଛେଦ ପରେ ନିର୍ବାଚନ ହେବାକୁ ଯାଉଥିବାରୁ କଂଗ୍ରେସ ପାଇଁ ଏହାର ଗୁରୁତ୍ୱ କେତେ ସୋନିଆ ଓ ଅନ୍ୟ ନେତାମାନେ ଭଲ ଭାବେ ଜାଣିଛନ୍ତି ।
ଯଦି ଚଳିତ ବର୍ଷ ଅନୁଷ୍ଠିତ ହେବାକୁ ଯାଉଥିବା ତିନି ରାଜ୍ୟ ନିର୍ବାଚନରେ କଂଗ୍ରେସ ଆଶାନୁରୂପ ପ୍ରଦର୍ଶନ ନକରେ, ତେବେ ପ୍ରଥମ ଥର ପାଇଁ ସୋନିଆଙ୍କ ନେତୃତ୍ୱ ବିରୋଧରେ ସ୍ୱର ଉଠିବା ଆଶଙ୍କା ଅଛି । ରାହୁଳଙ୍କ ନେତୃତ୍ୱ ଏବଂ ପରବର୍ତ୍ତୀକାଳରେ ସେ ଯେଭଳି ଅଧ୍ୟକ୍ଷ ପଦ ଛାଡ଼ିଲେ, ତାହା କଂଗ୍ରେସ ଭିତର ରାଜନୀତିରେ ବଡ଼ ଫାଟ ପକାଇ ଦେଇସାରିଛି । ସୋନିଆ ଅଧ୍ୟକ୍ଷ ହେଲେ ବି ରାହୁଳଙ୍କ ପ୍ରଭାବ ଦଳ ଉପରେ କାଏମ୍‌ ରହିବ । ଏଣୁ ନିର୍ବାଚନ ଫଳାଫଳ ହିଁ କଂଗ୍ରେସର ଭବିଷ୍ୟତ ଭାଗ୍ୟ ନିର୍ଦ୍ଧାରଣ କରିବ । ଏବେ ମୋଦୀ ହାୱା ପ୍ରବଳ ବହୁଛି । ଏପରି ସ୍ଥଳେ ସୋନିଆଙ୍କୁ ସାମ୍ନାକୁ ଆଣିବା ବୁଦ୍ଧିମାନର କାମ ହୋଇଛି କି ନାହିଁ ନିର୍ବାଚନ ଫଳ ହିଁ ତାହାର ପ୍ରମାଣ ଦେବ ।
ଅସୁସ୍ଥତା କାରଣରୁ ଗତ ଲୋକସଭା ନିର୍ବାଚନରେ ସୋନିଆ ବିଶେଷ ଭାବେ ପ୍ରଚାରରେ ନିଜକୁ ସାମିଲ କରିନଥିଲେ । ଏବେ ତିନି ରାଜ୍ୟ ନିର୍ବାଚନରେ ସେ ସକ୍ରିୟ ପ୍ରଚାର କରିପାରିବେ କି? ରାହୁଳ ପୁଣି ପ୍ରଚାର ମଙ୍ଗ ଧରିଲେ କଂଗ୍ରେସ ପାଇଁ ଫାଇଦା ପରିବର୍ତ୍ତେ ଅଧିକ କ୍ଷତି ହେବ ବୋଲି ଆଶଙ୍କା କରାଯାଉଛି । ଆଣ୍ଟୋନି ଠିକ୍‌ କହିଛନ୍ତି । ବୟସ୍କା ସୋନିଆଙ୍କ ଉପରେ ଅଧ୍ୟକ୍ଷ ଭାର ଲଦି ଦେବା ଠିକ୍‌ ନୁହେଁ ବୋଲି ତାଙ୍କ ଯୁକ୍ତିକୁ ଚଳିତ ବର୍ଷ ଶେଷ ସୁଦ୍ଧା ଦଳର ଅନ୍ୟ ନେତାମାନେ ମଧ୍ୟ ବୁଝି ଯିବେ ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*