ସୁର କହିଥିଲେ ବଦଳିବେ, ଗୋପୀ କହିଲେ ରହିବେ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ନିର୍ଭୟ ମିଡିଆ : ଭୁବନେଶ୍ୱର

ପ୍ରକୃତରେ ରାଜ୍ୟ କଂଗ୍ରେସର ନେତାମାନେ ବାଉଳା ହୋଇଗଲେଣି । କେଉଁ ନେତା କ’ଣ କହୁଛନ୍ତି, ଜାଣିବା ବି ମୁସ୍କିଲ୍‌ । ସଭାପତି ପରିବର୍ତ୍ତନ ପ୍ରସଙ୍ଗକୁ ନେଇ ନେତାମାନଙ୍କର ଏହି ବାଉଳା ବିବୃତ୍ତି ଯୋଗୁଁ କର୍ମୀମାନେ ବି ବାଉଳିବା ଆରମ୍ଭ କଲେଣି । ଏହାର ଫାଇଦା ବିଜୁ ଜନତା ଦଳ ଓ ଭାରତୀୟ ଜନତା ପାର୍ଟି ଅବଶ୍ୟ ନେବେ ।
୩ଦିନ ପୂର୍ବରୁ ହଠାତ୍‌ ବରିଷ୍ଠ ବିଧାୟକ ସୁରେଶ କୁମାର ରାଉତରାୟ ପ୍ରଦେଶ କଂଗ୍ରେସ ସଭାପତି ବଦଳୁଛନ୍ତି ବୋଲି ବୟାନ ଦେଲେ । ସେ ଏହା ମଧ୍ୟ ଘୋଷଣା କରିଦେଲେ ଯେ, ଏଥର ଜଣେ ଯୁବନେତା ଦାୟିତ୍ୱ ପାଇବେ ଏବଂ ଆଶାୟୀଙ୍କ ଏକ ଲମ୍ବା ତାଲିକା ଲୋକଙ୍କ ସାମ୍ନାରେ ପଢ଼ିଦେଲେ ।
କେଉଁ ସୂତ୍ରରୁ ଖବର ପାଇ ସୁରଙ୍କ ପରି ଜଣେ ବରିଷ୍ଠ ନେତା ନେତୃତ୍ୱ ପରିବର୍ତ୍ତନର ସୂଚନା ଦେଲେ, ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲା । ମାତ୍ର ଏହା ଦଳ ଭିତରେ ତୁରନ୍ତ ଚର୍ଚ୍ଚାର ବଡ଼ ଖୋରାକ ସୃଷ୍ଟି କରିଥିଲା । ଯେଉଁମାନେ ଆପାତତଃ ନିରବ ରହିଥିଲେ, ସେମାନେ ବାହାରିପଡ଼ି ମତ ଦେବା ଆରମ୍ଭ କରିଦେଇଥିଲେ ।
କିନ୍ତୁ ବୁଧବାର ଦିନ ପୂର୍ବତନ ସାଂସଦ ରଞ୍ଜୀବ ବିଶ୍ୱାଳ (ଗୋପୀ) ଆସିଥିଲେ ସାମ୍ନାକୁ । ସଭାପତି ବଦଳୁ ନାହାନ୍ତି । ଯାହା ପ୍ରଚାର ହେଉଛି, ତାହା ନିରୁତା କଳ୍ପନାଜଳ୍ପନା ଏବଂ ସେ ସଭାପତି ଦୌଡ଼ରେ ନାହାନ୍ତି ବୋଲି କହିଥିଲେ ରଞ୍ଜୀବ । ସଭାପତି ବଦଳିବେ ନାହିଁ ବୋଲି କେଉଁ ସୂତ୍ରରୁ ରଞ୍ଜୀବ ଖବର ପାଇଲେ, ତାହା ମଧ୍ୟ ଅଜଣା । ସୁର ରାଉତରାୟ ବଦଳିବେ ବୋଲି କେଉଁ ସୂତ୍ରରୁ ଖବର ପାଇଁ ପ୍ରଚାର କଲେ, ତାହା ଯେମିତି ଆଶ୍ଚର୍ଯ୍ୟ କରିଥିଲା, ନିରଞ୍ଜନ ବାବୁ ବଦଳୁ ନାହାନ୍ତି ବୋଲି କେଉଁ ସୂତ୍ରରୁ ରଞ୍ଜୀବ ଜାଣିଲେ, ତାହା ମଧ୍ୟ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି ।

ଦଳର ଦୁଇ ନେତାଙ୍କ କଥାବାର୍ତ୍ତାରେ ଏଭଳି ଆକାଶ ପାତାଳ ପ୍ରଭେଦ ନେତାଠୁ ଆରମ୍ଭ କରି କର୍ମୀଯାଏ ସମସ୍ତଙ୍କୁ ଆହୁରି ବଡ଼ ଦ୍ୱନ୍ଦ୍ୱରେ ପକାଇବ । ସେମାନେ ବିଶ୍ୱାସ କରିବେ କାହାକୁ?
ରାଜ୍ୟରେ କଂଗ୍ରେସର ଅବସ୍ଥା ଅତି ଶୋଚନୀୟ, ଏଥିରେ କାହାର ସନେ୍ଦହ ନାହିଁ । ସମସ୍ତ କାର୍ଯ୍ୟକ୍ରମ କେବଳ ସୋସିଆଲ୍‌ ମିଡିଆରେ ସୀମିତ ଅଛି । କଂଗ୍ରେସ ଭବନ ଏବେ ମାଡ଼ପିଟ୍‌ର କେନ୍ଦ୍ର ହୋଇଗଲାଣି । ରାଜ୍ୟ ସରକାରଙ୍କ ବିରୋଧରେ କୌଣସି ବଡ଼ କାର୍ଯ୍ୟକ୍ରମ ଗତ ବର୍ଷକ ଭିତରେ ଅନୁଷ୍ଠିତ ହୋଇପାରି ନାହିଁ ।
ଗଲା ନିର୍ବାଚନର ବିପର୍ଯ୍ୟୟ ପରେ ନିରଞ୍ଜନ ପଟନାୟକ ସଭାପତି ପଦରୁ ଇସ୍ତଫା ଦେଇଥିଲେ । କିନ୍ତୁ ଦଳର କାମଚଳା ଅଧ୍ୟକ୍ଷା ସୋନିଆ ଗାନ୍ଧୀ ପିସିସିର ସବୁ କମିଟିକୁ ଭାଙ୍ଗିଦେଲେ ହେଁ ନିରଞ୍ଜନଙ୍କ ଇସ୍ତଫାପତ୍ର ଅଗ୍ରାହ୍ୟ କରିଦେଇଥିଲେ । ଗତ ୮ମାସ ହେଲା ନିରଞ୍ଜନ ବାବୁ ଦୁଇଜଣ କାର୍ଯ୍ୟକାରୀ ଅଧ୍ୟକ୍ଷ ଚିରଞ୍ଜୀବ ବିଶ୍ୱାଳ ଓ ପ୍ରଦୀପ ମାଝୀଙ୍କୁ ନେଇ ରାଜ୍ୟରେ ଦଳ ଚଳାଉଛନ୍ତି । ହାଲକୁ ପିସିସିର ସମ୍ପୂର୍ଣ୍ଣ ଅଗୋଚରରେ ହାଇକମାନ୍ଦ ନୂଆ ଯୁବ କଂଗ୍ରେସ ସଭାପତି ନିଯୁକ୍ତ କରିଛନ୍ତି ।
ନିରଞ୍ଜନ ବାବୁ ପଠାଇଥିବା ଡିସିସି ଓ ପିସିସି କମିଟି ଏପର୍ଯ୍ୟନ୍ତ ହାଇକମାନ୍ଦଙ୍କ ମଞ୍ଜୁରୀ ଲାଭ କରିନାହିଁ । ଏଭଳି ପରିସ୍ଥିତିରେ ଆଗକୁ ଉପନିର୍ବାଚନ ମଧ୍ୟ ଆସୁଛି । ଠିକ୍‌ ଏହି ସମୟରେ ନିରଞ୍ଜନ ବଦଳିବେ ବା ରହିବେ, ଏହାକୁ ନେଇ କଂଗ୍ରେସ ଭିତରେ ଯେଉଁ ତର୍କ ଆରମ୍ଭ ହୋଇଛି, ତାହା ଦଳକୁ ଅଧିକ କ୍ଷତି ପହଞ୍ଚାଇ ସାରିଲାଣି ।
ସଭାପତି ବଦଳିବା ଚର୍ଚ୍ଚା ଭିତରେ ରାଜସ୍ଥାନରେ କଂଗ୍ରେସ ସରକାର ବଡ଼ ସଂକଟର ସାମ୍ନା କରୁଛି । ଗତଥର ସଭାପତି ପଦ ଆଶାୟୀ ପ୍ରଦୀପ ମାଝୀ ଅଚାନକ ପାଇଲଟ୍‌ ପ୍ରସଙ୍ଗରେ ସୋନିଆ ଏବଂ ରାହୁଲଙ୍କୁ ସମାଲୋଚନା କରିବା ପରେ ସେ ଦଳ ଛାଡ଼ୁଛନ୍ତି ବୋଲି ଚର୍ଚ୍ଚା ବଢ଼ୁଥିବା ବେଳେ କେହି ସୁର ଏବଂ ରଞ୍ଜୀବଙ୍କୁ ପାଣି ଗୋଳିଆ କରିବା ସକାଶେ ନିୟୋଜିତ କରିନାହାନ୍ତି ତ?

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*