ସାଇତିଛନ୍ତି ସ୍ମୃତି, ନିତି କରୁଛନ୍ତି ପୂଜା

FacebooktwitterredditpinterestlinkedinmailFacebooktwitterredditpinterestlinkedinmail


ବରୀରୁ ହିମାଂଶୁ ଶେଖର ଦାଶ

ସ୍ମୃତି କହିଲେ ମଣିଷ ନିଜର ପୁରୁଣା ଇତିହାସକୁ ବୁଝେ । ନିଜର ଅଥବା, ନିଜ ସଂପର୍କୀୟ ମାନଙ୍କ ଅତୀତକୁ ବଖାଣିବାକୁ ଚେଷ୍ଟା କରେ । ମାତ୍ର ଏ ଜଣେ ନିଆରା ମଣିଷ ଯିଏ ନିଜର ତଥା ଆତ୍ମୀୟଙ୍କ ସ୍ମୃତିଚାରଣ ଅନ୍ୟ ମଣିଷ କରୁଥିବାବେଳେ ଏ କିନ୍ତୁ ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ସବୁ ସ୍ମୃତିକୁ ସାଉଁଟି ଧରି ସଂଗ୍ରହାଳୟ ସୃଷ୍ଟି କରିବାରେ ଆନନ୍ଦିତ ହୁଏ, ଆତ୍ମ ସନ୍ତୋଷ ଲାଭ କରେ । ଛୋଟ ବୟସରେ ପିଲାଟି ସେଦିନ ଶୁଣିଥିଲା ଜାତିର ପିତା ମହାତ୍ମା ଗାନ୍ଧୀଙ୍କ କଥା । ନିଜ ଅଂଚଳ ବରୀ ଦେଇ ସେହି ମହାପୁରୁଷ ପଦଯାତ୍ରା କରିଥିବାର କଥା ଯେତେବେଳେ ଜାଣିଲା, ସେବେଠୁ ଗାନ୍ଧି ସ୍ମୃତିର ଅନୁଧାବକ ପାଲଟିଗଲା ସେ । ଏମିତି ଏହି ଗାନ୍ଧୀ ସ୍ମୃତି ଅନୁଧାବକ ଆଜିର ଯୁବକ ଅଶୋକ କୁମାର ସାହୁ ।
ସେ ଏକ ବ୍ୟତିକ୍ରମ, ନିଜର ଜୀବନ ଜୀବିକା ପାଇଁ ବ୍ୟବସାୟ କରୁଥିବାବେଳେ ତାଙ୍କ ନିଶା ତାଙ୍କୁ ଅନ୍ୟମାନଙ୍କ ଠାରୁ ଭିନ୍ନ କରି ତୋଳିଛି । ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ସମ୍ପର୍କିତ ବିଭିନ୍ନ ଜିନିଷର ସେ ସଂଗ୍ରାହକ ପାଲିଟିଯାଇଛନ୍ତି ଓ ସେଥିପାଇଁ ଲିମକା ବୁକ ଅଫ୍ ରେକର୍ଡସ, ଇନ୍ଦିଆ ବୁକ୍ ଅଫ୍ ରେକର୍ଡସ ଓ ୟୁନିକ୍ ୱାଲର୍ଡ ରେକର୍ଡସରେ ସ୍ଥାନ ପାଇଛନ୍ତି । ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଥିବା ସେ ଯୁବକ ହେଉଛନ୍ତି ଯାଜପୁର ଜିଲ୍ଲ୍ା ବରୀ ବ୍ଲକ୍ ଅନ୍ତର୍ଗତ ଓଉପଡା ଗ୍ରାମର ଅଶୋକ କୁମାର ସାହୁ । ପିତା ଗୁରୁଚରଣ ସାହୁ ମାତା ମନୋରମା ସାହୁ । ୧୯୭୬ ମସିହା ନଭେମ୍ବର ୧୫ ତାରିଖରେ ଅଶୋକଙ୍କର ଜନ୍ମ । ସ୍ତ୍ରୀ ରୀନା ରାଣୀ ଓ ଦୁଇ ପୁତ୍ର ବିକାଶ, ଦିବ୍ୟପ୍ରକାଶଙ୍କୁ ନେଇ ଏକ ଛୋଟିଆ ସଂସାର । ପିଲାଟି ଦିନରୁ ନିଜର ଅବସର ସମୟକୁ ପରଚର୍ଚ୍ଚା, ଖେଳ ବା ରାଜନୀତି ଚର୍ଚ୍ଚା କରିବାରେ ନକଟାଇ ଭିନ୍ନ ଉପାୟରେ ସଂଗ୍ରହ କରିଛନ୍ତି ଗାନ୍ଧୀ ସମ୍ପର୍କୀତ ବିଭିନ୍ନ ଜିନିଷ ।
ପିଲାଟି ଦିନରୁ ଜେଜେମାଆ-ବାପାଙ୍କ ଠାରୁ ସେ ବହୁ ମହାମନିଷୀଙ୍କ ସଂପର୍କରେ ଶୁଣିଥିଲେ । ସେହି ମହାପୁରୁଷମାନେ ତାଙ୍କ ପିଲାଦିନେ କିପରି ଭିନ୍ନଧରଣର କାର୍ଯ୍ୟ କରୁଥିଲେ ତାହା ମଧ୍ୟ ସେ ଶୁଣିଥିଲେ ଓ ତାହାକୁ ମନେ ରଖିଥିଲେ । ଏହି ଘଟଣାରୁ ମହାପୁରୁଷମାନଙ୍କ ସଂପର୍କରେ ପଢିବା ଓ ଜାଣିବାକୁ ତାଙ୍କର ଆଗ୍ରହ ବଢିଥିଲା । ଧୀରେ ଧୀରେ ପିଲାଟି ବଡ଼ ହେଲା ଓ ମହାପୁରୁଷଙ୍କ ସଂପର୍କିତ ଘଟଣାବଳୀକୁ ସଂଗ୍ରହ କରିବାକୁ ଲାଗିଲା ।
ନିଶା ତାଙ୍କର ଗାନ୍ଧୀ ସଂଗ୍ରାହକ ହୋଇଥିବାବେଳେ ପେଶା ତାଙ୍କର ବ୍ୟବସାୟ । ଜୀବନଜୀବିକା ପାଇଁ ବରୀ ବଜାରରେ ଖୋଲିଛନ୍ତି ଏକ ବ୍ୟବସାୟ ପ୍ରତିଷ୍ଠାନ । “ଯେଉଁ ବ୍ୟବସାୟ ପ୍ରତିଷ୍ଠାନରେ ପ୍ରତ୍ୟେକ ଦିନ ଗାନ୍ଧୀ ପୂଜା ପାଇଥାନ୍ତି” । ଶ୍ରୀ ସାହୁ ବର୍ତ୍ତମାନ ଏକ ଦୈନିକ ଖବର କାଗଜର ବରୀ ପ୍ରତିନିଧି ଭାବେ କାର୍ଯ୍ୟ କରିବା ସହ ଦାମୋଦର ଜିୟୁ ସୋସିଆଲ ଆନ୍ଦ ଏଜୁକେସନାଲ ଟ୍ରଷ୍ଟର ମୁଖ୍ୟ ଭାବେ ବିଭିନ୍ନ ସାମାଜିକ କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ ଜାରିରଖିଛନ୍ତି ।ବିଶ୍ୱର କୋଣ ଅନୁକୋଣରେ ଗାନ୍ଧିଙ୍କ ସମ୍ପର୍କରେ ପ୍ରକାଶ ପାଇଥିବା ବିଭିନ୍ନ ଦୁର୍ମୁଲ୍ୟ ସାମଗ୍ରୀ ସେ ନିଜ ସଂଗ୍ରହାଳୟରେ ସଂଗ୍ରହ କରିଛନ୍ତି । ତାଙ୍କ ନିକଟରେ ସଂଗ୍ରହ ହୋଇଥିବା ସାମଗ୍ରୀର ତାଲିକା ଅତ୍ୟନ୍ତ ଲମ୍ବା ମାତ୍ର ସଂଗ୍ରହର ଅନ୍ତ ନାହିଁ । ଗତ ୨୦୧୨ ଅକ୍ଟୋବର ୨ ତାରିଖ ପୂଜ୍ୟ ମୋହନ ଦାସ କରମଚାନ୍ଦ ଗାନ୍ଧିଙ୍କ ଜନ୍ମ ଦିନରେ ସେ ସଂଗ୍ରହ କରିଛନ୍ତି ୪୫୦ଟି ଦୈନିକ ଖବରକାଗଜ । ଯାହାକି ୧୫ଟି ଭାଷାର ହୋଇଥିବାବେଳେ ଏହା ଭାରତର ୧୯ଟି ରାଜ୍ୟରୁ ସଂଗ୍ରହ କରାଯାଇଛି । ଏଥିପାଇଁ ଫରିଦାବାଦର ଇନ୍ଦିଆ ବୁକ୍ ଅଫ୍ ରେକର୍ଡ଼ସ, ଲିମକା ବୁକ ଅଫ ରେକର୍ଡ଼ସ ଓ ୟୁନିକ ୱାଲ୍ଡ ରେକର୍ଡ଼ସ ଶ୍ରୀ ସାହୁଙ୍କୁ ସମ୍ମାନିତ କରିଛନ୍ତି । ଗାନ୍ଧୀ ଜୟନ୍ତୀରେ ଗୋଟିଏ ଦିନରେ ସର୍ବାଧିକ ଖବରକାଗଜ ସଂଗ୍ରହ କରି ସେ ଏହି ରେକର୍ଡ଼ କରିଛନ୍ତି ।
ଆଜି ତାଙ୍କ ନିକଟରେ ରହିଥିବା ଗାନ୍ଧୀଙ୍କ ସମ୍ପର୍କିତ ଜିନିଷଗୁଡ଼ିକ ମଧ୍ୟରେ ଖବରକାଗଜ, ଖବରକାଗଜ କଟିଙ୍ଗ, ଚିତ୍ର, ଡ଼ାକଟିକଟ, ଲଫାପା, ବହି, ଅଡିଓ, ଭିଡିଓ ଇତ୍ୟାଦି ପ୍ରଧାନ । ସେ ଆଜି ପର୍ଯ୍ୟନ୍ତ ଗାନ୍ଧୀଙ୍କ ଲେଖା ଓ ତାଙ୍କ ସଂପର୍କରେ ଅନ୍ୟମାନେ ଲେଖିଥିବା ମୋଟ ୨୭୦ଟି ବହି ସଂଗ୍ରହ କରିଛନ୍ତି । ଏହାଛଡ଼ା ସେ ଗାନ୍ଧୀଙ୍କ ସମ୍ପର୍କରେ ପ୍ରକାଶ ପାଇଥିବା ପାଖାପାଖି ୧୦,୦୦୦ଟି ଅନ୍ୟ ଖବରକାଗଜ ସଂଗ୍ରହ କରିଛନ୍ତି । ତାଙ୍କ ସଂଗ୍ରହରେ ରହିଛି ଭାରତ ଓ ଭାରତ ବାହାରେ ଥିବା ଗାନ୍ଧୀଙ୍କ ବହୁ ପ୍ରତିମୂର୍ତୀ ମଧ୍ୟରୁ ୨୮୫ଟିର ଫଟୋ । ଏହାଛଡ଼ା ସେ ରଖିଛନ୍ତି ଗାନ୍ଧିଙ୍କର ୧୯୦ଟି ଅନ୍ୟାନ୍ୟ ଫଟୋ । ଗାନ୍ଧୀଙ୍କ ଉପରେ ବିଶ୍ୱର ସମସ୍ତ ଦେଶ ଡ଼ାକଟିକଟ ପ୍ରକାଶ କରିଥିବାର ରେକର୍ଡ ରହିଛି ଏବଂ ସେଗୁଡ଼ିକ ମଧ୍ୟରୁ ଶ୍ରୀ ସାହୁ ୯୧ଟି ସଂଗ୍ରହ କରିପାରିଛନ୍ତି । ଏହାଛଡ଼ା ସେ ଗାନ୍ଧୀଙ୍କ ସମ୍ପର୍କରେ ଅନ୍ୟାନ୍ୟ ବହୁ ଜିନିଷ ସଂଗ୍ରହ କରି ରଖିଛନ୍ତି । ସେଗୁଡ଼ିକ ହେଲା ବିଭିନ୍ନ ସମୟରେ ଗାନ୍ଧୀ ପ୍ରଦାନ କରିଥିବା ୪ଟି ବକ୍ତବ୍ୟ, ୧୯ ପ୍ରକାରର ପୋଷ୍ଟକାର୍ଡ଼, ୫ ଟଙ୍କିଆ ଗାନ୍ଧୀ ସ୍ମାରକ ନିଧି, କିଛି ପୁରୁଣା ଭିଡ଼ିଓ, ୪୧ଟି ପ୍ରଥମ ଦିନ ଲଫାପା, ୧ରୁ ଆରମ୍ଭ କରି ୨୦୦୦ ଟଙ୍କିଆ ନୋଟ, ଗାନ୍ଧୀଙ୍କ ମୁନ୍ଦ ଥିବା ବିଭିନ୍ନ ପ୍ରକାର ମୁଦ୍ରା, ଗାନ୍ଧୀଙ୍କ ଚିିତ୍ର ଥିବା ପାଞ୍ଜି ।
ଗାନ୍ଧୀଙ୍କ ସମ୍ପର୍କିତ ବିଭିନ୍ନ ପ୍ରକାର ସାମଗ୍ରୀ ସଂଗ୍ରହ କରିବା ପରେ ବହୁ ଶୁଭେଚ୍ଛୁ ତାଙ୍କୁ ଏକ ସଂଗ୍ରହାଳୟ ପ୍ରତିଷ୍ଠା କରିବା ପାଇଁ ପରାମର୍ଶ ଦେଇଛନ୍ତି । ସେମାନଙ୍କର ପରାମର୍ଶ ପରେ ଶ୍ରୀ ସାହୁ ଏ ଦିଗରେ ନିଜର ଉଦ୍ୟମ ଆରମ୍ଭ କରିଛନ୍ତି । ଯାଜପୁର ଜିଲ୍ଲା ପ୍ରଶାସନ ସହ ସେ ଏଥି ନିମନ୍ତେ ଯୋଗାଯୋଗ କରିଛନ୍ତି । ଆଗାମୀ ଦିନରେ ସରକାର ତାଙ୍କୁ ସବୁ ପ୍ରକାର ସହଯୋଗ ଦେବେ ବୋଲି ସେ ଆଶା ରଖିଛନ୍ତି ।
ଏହାଛଡ଼ା ସେ ଆହୁରି ଅନେକ ଜିନିଷ ସଂଗ୍ରହ କରିଛନ୍ତି । ସେଗୁଡ଼ିକ ହେଲା ଭାରତର ସବୁ ରାଜ୍ୟର ରେଭେନୁ୍ୟ ଷ୍ଟାମ୍ପ, ହାଇଦ୍ରାବାଦର ସମସ୍ତ ରାଜାଙ୍କ ଷ୍ଟାମ୍ପ, ଭାରତରେ ବିଭିନ୍ନ ସମୟରେ ପ୍ରକାଶ ପାଇଥିବା ପ୍ରାୟ ସବୁ ଡାକଟିକଟ, ୨୦୨ଟି ଦେଶର ବିଭିନ୍ନ ଡ଼ାକଟିକଟ ଓ ୨୧୦ଟି ପ୍ରଥମ ଦିନର ଲଫାପା ।
ସତରେ ଆଣ୍ଠୁ ଲୁଚୁନଥିବା ଲୁଗା ପିନ୍ଧି ସାରା ଦେଶ ପାଦରେ ଚାଲିଥିବା ଜାତିର ପିତା ମହାତ୍ମା ଗାନ୍ଧୀ ଏଦେଶ ଓ ଜାତି ପାଇଁ ଏକମାତ୍ର ଆଦର୍ଶ । ତାଙ୍କୁ ଆଦର୍ଶ ମାନୁଥିବା ଯୁବକ ମଧ୍ୟ ଦେଶ ପାଇଁ ଏକ ବଡ଼ ସମ୍ପତ୍ତି । ତେଣୁ ସେମାନଙ୍କ କାର୍ଯ୍ୟ ପ୍ରଶଂସାର ପାତ୍ର । ସମସ୍ତଙ୍କ ସହଯୋଗ ଏହି ମହାନ କାର୍ଯ୍ୟ ପାଇଁ ଆବଶ୍ୟକ ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*