ସରକାରରେ ସାମିଲ ହେବାକୁ ଉଦ୍ଧବ ରାଜି ନହେଲେ ସେନାରେ ହେବ ଫାଟ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ନିର୍ଭୟ ମିଡ଼ିଆ : ମୁମ୍ବାଇ

ସରକାର ଗଠନକୁ ନେଇ ମହାରାଷ୍ଟ୍ରରେ ଶିବସେନା ଓ ଭାଜପା ମଧ୍ୟରେ ଟଣାଓଟରା ଶେଷ ହେବାର ନାମ ନେଉନାହିଁ । ନୂଆ ସରକାର ଗଠନ ସମୟ ପାଖେଇ ଆସୁଥିଲା ବେଳେ ଦୂର ହେଉନାହିଁ ଅନିଶ୍ଚିତତା । ମୁଖ୍ୟମନ୍ତ୍ରୀ ପଦ ସହ ଅଢ଼େଇ ବର୍ଷ ଶାସନ ଦାବି କରୁଛି ଶିବସେନା । ସରକାର ଗଠନ ବାବଦରେ ଭାଜପା ସହ ହେବାକୁ ଥିବା ଆଲୋଚନାକୁ ସ୍ଥଗିତ କରିଦେଇଛି ଶିବସେନା । କୁହାଯାଉଛି ଫଡନାଭିସ୍‌ କ୍ଷମତା ଭାଗ କରିବା ବାବଦରେ ଯେଉଁ ମନ୍ତବ୍ୟ ଦେଇଥିଲେ ସେଥିରେ ସେନା ନେତୃମନ୍ଦଳି କ୍ଷୁବ୍ଧ ଅଛନ୍ତି । କେନ୍ଦ୍ରମନ୍ତ୍ରୀ ପ୍ରକାଶ ଜାଭଡେକର ଏବଂ ଭାଜପା ବରିଷ୍ଠ ନେତା ଉପେନ୍ଦ୍ର ଯାଦବ ଶିବସେନା ସହ ସରକାର ଗଠନ ବାବଦରେ ଆଲୋଚନା କରିବା ଥିଲା । ସେନା ପକ୍ଷରୁ ସଂଜୟ ରାଉତ ଏବଂ ସୁବାସ ଦେଶାୟୀ ସେହି ବୈଠକରେ ଯୋଗ ଦେଇଥା’ନ୍ତେ । ୫୦-୫୦ ଫର୍ମୁଲାକୁ ନେଇ ଫଡ୍‌ନାଭିସ୍‌ ମୁଁ ଜାଣିନାହିଁ ବୋଲି କହିବା ଶିବସେନାକୁ ବାଧିଥିବା କୁହାଯାଉଛି । ତେଣୁ ଦଳ ସେଇ ଫର୍ମୁଲା ଉପରେ ମନୋଭାବକୁ କଠୋର କରିଛି । ତେବେ ଦଳର ଏହି କଡ଼ା ଆଭିମୁଖ୍ୟ ଦଳରେ ଫାଟ ସୃଷ୍ଟି କରିବାର କାରଣ ବନିବାକୁ ଯାଉଛି ବୋଲି ଚର୍ଚ୍ଚା ଏଠାରେ ଜୋର ଧରିଛି । ଯଦି ଶିବସେନା ସୁପ୍ରିମୋ ଉଦ୍ଧବ ଥାକ୍‌ରେ ସରକାର ଗଠନ ପାଇଁ ଭାଜପାକୁ ସମର୍ଥନ ନ ଦିଅନ୍ତି ତା’ହେଲେ ଦଳ ଭାଗଭାଗ ହୋଇଯିବ ବୋଲି ମଙ୍ଗଳବାର ଦିନ ତମାମ ଏଠାରେ ଚର୍ଚ୍ଚା ବେଶ୍‌ ହେଉଥିଲା । ଏକ ସୂଚନା ଅନୁସାରେ ନୂଆ କରି ବିଧାୟକ ହୋଇଥିବା ଶିବସେନାର ୨୪ ବିଧାୟକ ଭାଜପାକୁ ଯିବା ପାଇଁ ମନୋ ବଳାଉଛନ୍ତି । ଗତ ୨୩ ତାରିଖରୁ ଫଳାଫଳ ଘୋଷିତ ହୋଇସାରିଥିଲା ବେଳେ ପାଖାପାଖି ୬ଦିନ ବିତିଯାଇଥିଲେ ମଧ୍ୟ ସରକାର ଗଠନକୁ ନେଇ କୌଣସି ପକ୍କା ନିଷ୍ପତ୍ତି ଏପର୍ଯ୍ୟନ୍ତ ଦୁଇ ଦଳ ପାଖରୁ ଆସିପାରିନାହିଁ । ମେଣ୍ଟ ଗଠନ କରି ନିର୍ବାଚନ ଲଢ଼ିଥିଲେ ମଧ୍ୟ ଫଳାଫଳ ଘୋଷଣା ପରେ ଦୁଇ ଦଳ ମଧ୍ୟରେ ଫାଟ ବେଶ୍‌ ବାରି ହୋଇପଡୁଛି । (ଶେଷଭାଗ) ମହାରାଷ୍ଟ୍ର ରାଜ୍ୟପାଳଙ୍କୁ ଅଲଗା ଅଲଗା ଭାବେ ଦୁଇ ଦଳର ନେତା ଭେଟି ରାଜନୈତିକ ସ୍ଥିତି ବାବଦରେ ଅବଗତ କରାଇଛନ୍ତି । ଯାହାଙ୍କ ପାଖକୁ ମିଳିତ ଭାବରେ ଯିବା କଥା ତାଙ୍କ ପାଖକୁ ଅଲଗା ଅଲଗା ଯିବା ଭାଜପା ଓ ଶିବସେନା ଭିତରେ ସୃଷ୍ଟି ହୋଇସାରିଥିବା ଫାଙ୍କ ଅବସ୍ଥାକୁ ଉଜାଗର କରିଛି । ୨୮୮ ଆସନ ବିଶିଷ୍ଟ ମହାରାଷ୍ଟ୍ର ବିଧାନସଭା ନିର୍ବାଚନରେ ଭାଜପା ୧୦୫ ଆସନ ଜିତି ସବୁଠାରୁ ବଡ଼ ଦଳ ହୋଇଛି । ହେଲେ ଏଯାଏ ସରକାର ଗଠନ ବାବଦରେ ଭାଜପା ପକ୍ଷରୁ ଘୋଷଣା କରାଯାଇପାରୁ ନାହିଁ, କାରଣ ସେନା ଅଢ଼େଇ ଅଢ଼େଇ ବର୍ଷ ଶାସନ କରିବାର ଫର୍ମୁଲା ଲାଗୁ କରିବାକୁ ଅଡି ବସିଛି । ୫୬ ଆସନ ଜିତିଥିବା ଶିବସେନା ଭାଜପା ପକ୍ଷରୁ ଲିଖିତ ପ୍ରତିଶ୍ରୁତି ଚାହୁଁଛି ୫୦-୫୦ ଫର୍ମୁଲା ପାଳନ ବାବଦରେ । ଲୋକସଭା ନିର୍ବାଚନ ପୂର୍ବରୁ ଏଭଳି ଫର୍ମୁଲା ବିଧାନସଭା ନିର୍ବାଚନ ପରେ ଲାଗୁ କରାଯିବା ବିଷୟ ନିଷ୍ପତ୍ତି ହୋଇଥିଲା ବୋଲି ଶିବସେନା ଦାବି କରୁଛି । ହେଲେ ଦାୟିତ୍ୱ ଛାଡ଼ିବାକୁ ଥିବା ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ୍‌ ଏପରି କୌଣସି ପ୍ରତିଶ୍ରୁତି ଭାଜପା ଦେଇନାହିଁ ବୋଲି କହିସାରିଛନ୍ତି ।
ଦୁଇ ଦଳ ମଧ୍ୟରେ ସରକାର ଗଠନକୁ ନେଇ ସହମତି ହେଉନଥିବାରୁ ଉଭୟ ଭାଜପା ଓ ଶିବସେନା ବିଧାୟକମାନଙ୍କ ମଧ୍ୟରେ ଅସନ୍ତୋଷ ବଢ଼ିବାରେ ଲାଗିଛି । ଶିବସେନାର ଅନେକ ବିଧାୟକମାନେ ବିରକ୍ତ ହେଉଛନ୍ତି କାରଣ ସେମାନେ ମନେକରୁଛନ୍ତି ଦଳର ମୁଖିଆ ତାଙ୍କର ଏହି ଡିମାନ୍ଦରୁ ଆଜି ନହେଲେ କାଲି ତଳକୁ ଖସିବେ । ଉଦ୍ଧବଜୀ ଭଲଭାବରେ ଜାଣନ୍ତି ତାଙ୍କୁ ଦାବିରୁ ବାହାରି ଆସି ଭାଜପାକୁ ଶେଷରେ ସମର୍ଥନ ଦେବାକୁ ପଡ଼ିବ । ତେଣୁ କାହିଁକି ଏହି ବିଳମ୍ବ ବୋଲି ଶିବସେନାର ଜଣେ ନେତା ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି । ଯଦି ଉଦ୍ଧବ ଜୀ କ୍ଷମତାରୁ ଦୂରେଇ ରହିବାକୁ ଚାହାନ୍ତି ତା’ହେଲେ ଅତିକମ୍‌ରେ ୨୪ ବିଧାୟକ ଭାଜପାରେ ଯୋଗ ଦେଇଦେବେ । ଆମେ ବିରୋଧୀ ଦଳରେ ବସିବାର ମୁଡ୍‌ରେ ହିଁ ନାହୁଁ ବୋଲି ସେହି ନେତାଜଣକ କହିଛନ୍ତି । ୨୦୧୪ରେ ଭାଜପା ସେନା ସରକାର ଗଠନ ହେବା ବେଳେ ଶିବସେନାର ବେଶ୍‌ କିଛି ବିଧାୟକ ବର୍ତ୍ତମାନର ପରିସ୍ଥିତି ଭଳି ଭାଜପାରେ ଯୋଗଦେବାକୁ ଆଗ୍ରହ କରିଥିଲେ । ଆମେ ସେତେବେଳେ ମଧ୍ୟ ସ୍ପଷ୍ଟ ଥିଲୁ, ଏଥର ମଧ୍ୟ ଆମେ ସ୍ପଷ୍ଟ ଅଛୁ ବୋଲି ବିଦ୍ରୋହର ନେତୃତ୍ୱ ନେବାର ସମ୍ଭାବନା ଥିବା ସେହି ନେତାଜଣକ କହିଛନ୍ତି ।
ନଭେମ୍ବର ୧୦ ତାରିଖ ସୁଦ୍ଧା ମହାରାଷ୍ଟ୍ରରେ ସରକାର ଗଠନ ହୋଇଯିବା ଆବଶ୍ୟକ । ବିଧିବ୍ୟବସ୍ଥା ଅନୁସାରେ ନଭେମ୍ବର ୧୦ କିମ୍ବା ତା’ ପୂର୍ବରୁ ସରକାର ଶପଥ ନେବା ଆବଶ୍ୟକ । ହେଲେ ଭାଜପା ଓ ଶିବସେନା ମଧ୍ୟରେ ସହମତି ହେଉନଥିବାରୁ ଦୁଇ ଦଳରେ ଆଶା ଓ ଆଶଙ୍କାର ମାହୋଲ ବନିଯାଇଛି । ସୋମବାର ଦିନ ଦେବେନ୍ଦ୍ର ଫଡନାଭିସ୍‌ ରାଜ୍ୟପାଳ ଭଗତ ସିଂ କୋଶିହାରିଙ୍କୁ ସାକ୍ଷାତ କରିଥିଲେ । ସେହିଦିନ ମଧ୍ୟ ଶିବସେନା ନେତା ତଥା ଗତ ସରକାରରେ ମନ୍ତ୍ରୀ ଥିବା ଦିବାକର ରାଓତେ ମଧ୍ୟ ରାଜ୍ୟପାଳଙ୍କୁ ଭେଟିଥିଲେ । ଏହାପରେ ସେ ମିଡିଆକୁ କହିଥିଲେ ୫୦-୫୦ ଫର୍ମୁଲା ବିନା ଆମେ ମାନିବାକୁ ପ୍ରସ୍ତୁତ ନୁହେଁ । ଦିବାକର ରାଜ୍ୟପାଳଙ୍କୁ ଭେଟିବା ପରେ ଚର୍ଚ୍ଚା ଆରମ୍ଭ ହୋଇଥିଲା ଯେ, ଶରଦ ପାୱାରଙ୍କ ଦଳ ପାଖରୁ ସମର୍ଥନ ନେଇ ତଥା କିଛି ସ୍ୱାଧୀନ ବିଧାୟକଙ୍କୁ ନିଜ ଆଡକୁ ଆଣି ଶିବସେନା ସରକାର ଗଠନ ପାଇଁ ଦାବି ଉପସ୍ଥାପିତ କରିବ । ହେଲେ ମଙ୍ଗଳବାର ସନ୍ଧ୍ୟା ଯାଏ ବା ଏହି ରିପୋର୍ଟ ଲେଖାଗଲା ପର୍ଯ୍ୟନ୍ତ ସେପରି କିଛି ହୋଇନାହିଁ । ବୁଧବାର ଦିନ ଅମିତ ଶାହା ଉଦ୍ଧବ ଥାକ୍‌ରେଙ୍କୁ ଭେଟିବାର କାର୍ଯ୍ୟକ୍ରମ ଅଛି ବୋଲି କିଛିଦିନ ତଳେ କୁହାଯାଉଥିଲା । ହେଲେ ସେ ଭେଟ୍‌ଭାଟ୍‌ ବାବଦରେ ବି କୌଣସି ଠୋସ୍‌ ଖବର ଆସିନାହିଁ । ସବୁବେଳେ ଶିବସେନା ଭାଜପାର କୌଣସି ବରିଷ୍ଠ ନେତା ଦଳର ମୁଖ୍ୟାଳୟ ମାତୋଶ୍ରୀକୁ ଆସି ମନାଇବା ପାଇଁ ଚାହିଁଥାଏ । ପ୍ରମୋଦ ମହାଜନ ଅତୀତରେ ସେଇ ଦାୟିତ୍ୱ ନିର୍ବାହ କରୁଥିଲେ । ମାତୋଶ୍ରୀକୁ ଯାଇ ସେ ବାଲାସାହେବଙ୍କୁ ଭେଟିବା ପରେ ସବୁ ଅଡୁଆ ଦୂର ହେଉଥିଲା । ତାଙ୍କ ପରଲୋକ ପରେ ନୀତିନ ଗଡକରୀ ସେହି ଦାୟିତ୍ୱ ତୁଲାଉଥିଲେ । ତେବେ ଦେବେନ୍ଦ୍ର ଫଡନାଭିସ୍‌ଙ୍କୁ ଶିବସେନା ବଡ଼ ଭାଜପା ନେତା ଭାବେ ଗ୍ରହଣ କରୁନାହିଁ । ଅତୀତରେ ଦୁଇଥର ଭାଜପାର ରାଷ୍ଟ୍ରୀୟ ଅଧ୍ୟକ୍ଷ ତଥା କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ମାତୋଶ୍ରୀକୁ ଯାଇ ଉଦ୍ଧବଙ୍କୁ ଭେଟିଥିଲେ । ଶିବସେନା କର୍ମୀମାନେ ଏହି ଗସ୍ତକୁ ଦଳର ବିଜୟ ବୋଲି କହି ମନାଇଥିଲେ ଉତ୍ସବ । ସେପରି କିଛି ବଡ଼ ନେତା ମାତୋଶ୍ରୀ ଆସିବାକୁ ଅପେକ୍ଷା କରାଯାଉଛି ବୋଲି ରାଜନୈତିକ ବିଶ୍ଲେଷକମାନେ କହୁଛନ୍ତି । ତେବେ ମହାରାଷ୍ଟ୍ର ରାଜନୀତି ଉପରେ ତୀକ୍ଷ୍ଣ ନଜର ରଖୁଥିବା ଜଣେ ବିଶେଷଜ୍ଞ କହିଛନ୍ତି, ଶିବସେନାର ବିଧାୟକମାନେ ଚାହୁଁଛନ୍ତି କ୍ଷମତା । ତେଣୁ ଉଦ୍ଧବଙ୍କୁ କ୍ଷମତାକୁ ହିଁ ବାଛିବାକୁ ପଡିବ । ଯଦି ସେ ତାହା ନକରନ୍ତି ତା’ହେଲେ ଶିବସେନା ନିଶ୍ଚିତ ଦୁଇଭାଗ ହୋଇଯିବ ବୋଲି ତାଙ୍କ ମତ ।
ଘିଅ ଢାଳିଲେ ଚଭନ
ପୂର୍ବତନ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ପୃଥ୍ୱୀରାଜ ଚଭନ ମଙ୍ଗଳବାର ଦିନ ଭାଜପା-ଶିବସେନା ଟଣାଟଣିରେ ଘିଅ ଢାଳିଛନ୍ତି । ଯଦି ଶିବସେନା ପକ୍ଷରୁ ମହାରାଷ୍ଟ୍ରରେ ସରକାର ଗଠନ ପାଇଁ କିଛି ଠୋସ୍‌ ପ୍ରସ୍ତାବ ଆମ ପାଖକୁ ଆସେ ତା’ହେଲେ ଆମ ଦଳ ସେ ବାବଦରେ ଚିନ୍ତା କରିବ ବୋଲି ଚଭନ କହି ରାଜନୈତିକ ମହଲରେ ହଲଚଲ ସୃଷ୍ଟି କରିଦେଇଛନ୍ତି । ସେ କହିଛନ୍ତି ଆମେ ଏପର୍ଯ୍ୟନ୍ତ ଶିବସେନା ପାଖରୁ କୌଣସି ନିର୍ଦ୍ଦିଷ୍ଟ ପ୍ରସ୍ତାବ ପାଇନାହୁଁ । ଏ ବାବଦରେ ଆମଆଡୁ କିଛି ପଦକ୍ଷେପ ଆଗୁଆ ନିଆଯିବ ନାହିଁ । ହେଲେ ଯଦି ସେନା ଆଡ଼ୁ କିଛି ଠୋସ୍‌ ପ୍ରସ୍ତାବ ଆସେ ତା’ହେଲେ ଆମେ ହାଇକମାନ୍ଦଙ୍କ ସହ ଏ ବାବଦରେ ଆଲୋଚନା କରିବୁ । ଏହା କହିଲା ବେଳେ ଚଭନ ମଧ୍ୟ ସ୍ପଷ୍ଟ କରିଥିଲେ ଯେ ଶିବସେନାର ଯେଉଁ ପ୍ରସ୍ତାବ ଆସିବ ସେଥିରେ କଂଗ୍ରେସ ସହ ରାକପାର କଥା ମଧ୍ୟ ଉଲ୍ଲେଖ ଥିବା ଆବଶ୍ୟକ । ସଦ୍ୟ ବିଧାନସଭା ନିର୍ବାଚନରେ ରାକପା ୫୪ ଏବଂ କଂଗ୍ରେସ ୪୪ଟି ଆସନରେ ବିଜୟୀ ହୋଇଛି । ନିଜେ ପୃଥ୍ୱୀରାଜ ଦକ୍ଷିଣ କରଡ଼ ବିଧାନସଭା ଆସନରୁ ବିଜୟୀ ହୋଇଛନ୍ତି ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*