ଶୀତଳ ଭଣ୍ଡାର ନାହିଁ, ବଜାରରେ ଦର ନାହିଁ:ମୁଣ୍ଡ ଗଡ଼ାଉଛନ୍ତି ବିଲାତି ଚାଷୀ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ନିର୍ଭୟ ମିଡିଆ : କେଉଁଝର

ଚାଷୀଙ୍କୁ ଭୂଅାଁବୁଲାଇ ଚାଲିଛି ବିଜଦ ସରକାର । ପ୍ରତିଶ୍ରୁତି କେବଳ ଭାଷଣରେ ସୀମିତ ରହୁଛି । ଆର୍ଥିକ ଅଭାବରୁ ରାଜ୍ୟରେ ଚାଷୀ ଆତ୍ମହତ୍ୟା ହାର ବୃଦ୍ଧି ପାଉଥିଲା ବେଳେ ଏହାକୁ ମାନିବାକୁ ନାରାଜ ମଧ୍ୟ ସରକାର । ହେଲେ ବଜେଟ୍‌ରେ, ସଭାସମିତିରେ ଚାଷୀଙ୍କ ପାଇଁ ବଡ଼ ବଡ଼ ଘୋଷଣା କରାଯାଉଛି । ମାତ୍ର ବାସ୍ତବତା ଭିନ୍ନ । କେଉଁଝର ଜିଲାରେ ଏବେ ବିଲାତି ଚାଷ କରିଥିବା ଚାଷୀମାନେ ଚିନ୍ତାରେ । ଶୀତଳ ଭନ୍ଦାର ବ୍ୟବସ୍ଥା ନାହିଁ, ବଜାରରେ ମଧ୍ୟ ରେଟ୍‌ ନାହିଁ । ବିଲରୁ ବିଲାତି ଆଣିବାକୁ ମଧ୍ୟ ସାହସ ଯୁଟାଇ ପାରୁନାହାନ୍ତି ଚାଷୀ । ଫଳରେ ବିଲରେ ହିଁ ସଢୁଛି ଟନ୍‌ ଟନ୍‌ ବିଲାତି ।
ରାଜ୍ୟ ସରକାର ପ୍ରତି ବ୍ଲକ୍‌ରେ ଶୀତଳ ଭନ୍ଦାର ଖୋଲାଯିବାର ବଡ଼ ଡିନ୍ଦିମ ପିଟିଥିଲେ । ମାତ୍ର ଏହା କାର୍ଯ୍ୟକାରୀ ହୋଇପାରିନାହିଁ । କେଉଁଝର ଜିଲାରେ ଶୀତଳ ଭନ୍ଦାର ଅଭାବ କାରଣରୁ ବର୍ତ୍ତମାନ ବଡ଼ ସମସ୍ୟାରେ ପଡ଼ିଛନ୍ତି ବିଲାତି ଚାଷୀ । ସଦର ବ୍ଲକ୍‌ ବଳଦାପାଳ ପଞ୍ଚାୟତର ତଳକୁସୁମିତା ଗ୍ରାମର ଅନେକ ଚାଷୀ ଏବେ ତାଙ୍କ ଉତ୍ପାଦିତ ବିଲାତିକୁ ନେଇ ଚିନ୍ତାରେ । ଶୀତଳ ଭନ୍ଦାର ନଥିବାରୁ ରଖିପାରୁନାହାନ୍ତି ବିଲାତିକୁ । ବଜାରରେ ରେଟ୍‌ କମ୍‌ ଥିବାରୁ ନେବା ଆଣିବା ଖର୍ଚ୍ଚ ବି ଉଠୁନାହିଁ ତାଙ୍କର । ଚାଷୀ ସୁନୀଲ ସୋରେନ୍‌, ଶୁକଲାଲ ସୋରେନ୍‌, ଏହି ବ୍ଲକ୍‌ର ଶିମିଳିସାହିର କୁଅାଁରା ସୋରେନ୍‌, ଚୈତନ୍ୟ ପ୍ରସାଦ ସୋରେନ୍‌ ପ୍ରମୁଖ ଅଭିଯୋଗ କରିଛନ୍ତି ଯେ ବିଲରେ ଏବେ ଆମେ ଗଦା ଗଦା ବିଲାତି ପକାଇ ରଖିଛୁ । ପଚାଶ ପ୍ରତିଶତ ବିଲାତି ନଷ୍ଟହେବା ଉପରେ । ତୋଳିବାକୁ ମଜୁରି ଦେବାକୁ ପଡ଼ୁଛି, ବଜାରକୁ ନେବାକୁ ହେଲେ ଗାଡ଼ିଭଡ଼ା ଦେବାକୁ ପଡ଼ୁଛି । ୬ଟଙ୍କାର ଘୋଡ଼ାକୁ ୯ ଟଙ୍କାର ଦାନା ନ୍ୟାୟରେ ଆମେ ଚାଲିଛୁ । ବର୍ତ୍ତମାନ ବଜାରରେ ଗୋଟିଏ ଟ୍ରେ ବିଲାତିର ଦର ୫୦ରୁ ୬୦ ଟଙ୍କା ରହିଛି । ଗୋଟିଏ ଟ୍ରେ’ରେ ୨୫ରୁ ୨୮ କେଜି ବିଲାତି ରହୁଥିବାରୁ କିଲୋଗ୍ରାମ୍‌ ପିଛା ପଡୁଛି ପାଖାପାଖି ୨ ଟଙ୍କା । ବିଲାତି ତୋଳିବା ପାଇଁ ମଜୁରି, ଗାଡ଼ିଭଡ଼ା ମିଶିଲେ ଆମକୁ କିଲୋ ପିଛା ଆଉ ୨ ଟଙ୍କା ହାତରୁ ଦେବାକୁ ପଡ଼ୁଛି । ସରକାର ଚାଷୀଙ୍କ ପାଇଁ ବଡ଼ ବଡ଼ ଘୋଷଣା କରୁଥିଲା ବେଳେ ଏହା କେତେ ସଫଳ ହୋଇଛି ତାହା ଆମ ବିଲରେ ପଡ଼ିଥିବା ବିଲାତିକୁ ଦେଖିଲେ ଜଣାପଡ଼ିବ । ବର୍ଷକର ପରିବାର ଖର୍ଚ୍ଚ ଆମେ ଏହି ବିଲାତିରୁ ପାଇବୁ ବୋଲି ଆଶା କରିଥିଲା ବେଳେ ଏବେ ଚଳିବୁ କିପରି ସେହି ଚିନ୍ତାରେ ଅଛୁ ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*