ଲଗାତାର ୫ମ ଥର କମିଲା ରେପୋ ରେଟ୍‌, ଶସ୍ତା ହେବ ଇଏମ୍‌ଆଇ

Facebooktwittergoogle_plusredditpinterestlinkedinmailFacebooktwittergoogle_plusredditpinterestlinkedinmail

ନିର୍ଭୟ ମିଡ଼ିଆ : ମୁମ୍ବାଇ

ଆର୍ଥିକ ମାନ୍ଦାବସ୍ଥାରୁ ଦେଶକୁ ମୁକୁଳାଇବା ପାଇଁ କେନ୍ଦ୍ର ସରକାର ଲଗାତାର ଉଦ୍ୟମ କରୁଥିଲାବେଳେ ଏଥିରେ ସହଯୋଗ କରିଛି ଆରବିଆଇ । ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ବୁଷ୍ଟରଡୋଜ୍‌ ପରେ ଏବେ ଆରବିଆଇ ଗ୍ରାହକଙ୍କୁ ଦେଇଛି ଦୀପାବଳି ଉପହାର । ଶୁକ୍ରବାର ମୁଦ୍ରାନୀତି ସମିତି ସମୀକ୍ଷା ବୈଠକ ପରେ ରୋପେ ରେଟରେ ୦.୨୫% ହ୍ରାସର ଘୋଷଣା କରାଯାଇଛି । କ୍ରମାଗତ ଭାବେ ୫ମ ଥର ପାଇଁ ଆରବିଆଇ ରେପୋ ରେଟ୍‌ ହ୍ରାସ କରିଛି ।
ମୁଦ୍ରାନୀତି ସମୀକ୍ଷା ବୈଠକର ସମସ୍ତ ସଦସ୍ୟ ରେପୋ ରେଟ୍‌ ସପକ୍ଷରେ ମତ ଦେଇଥିଲେ । ଡ. ଚେତନ ଘାଟେ, ଡ. ପାମି ଦୁଆ, ଡ. ମାଇକେଲ ଦେବବ୍ରତ ପାତ୍ରା, ବିଭୂପ୍ରସାଦ କାନୁନଗୋ ଏବଂ ଶକ୍ତିକାନ୍ତ ଦାଶ ୦.୨୫% ହ୍ରାସ ସପକ୍ଷରେ ଯୁକ୍ତି ବାଢ଼ିଥିଲାବେଳେ ଅନ୍ୟତମ ସଦସ୍ୟ ଡ. ରବୀନ୍ଦ୍ର ଏଚ୍‌. ଢୋଲକିଆ .୪୦% ହ୍ରାସର ଯୁକ୍ତି ବାଢ଼ିଥିଲେ । ଏହି ହ୍ରାସ ସହ ୨୦୧୯ ମସିହାରେ ରେପୋ ରେଟର ୧.୩୫%ର ହ୍ରାସ ଘଟାଇଲାଣି ଆରବିଆଇ । ବର୍ତ୍ତମାନ ଏହି ଦର ୫.୧୫% ରହିଥିଲାବେଳେ ମାର୍ଚ୍ଚା ୨୦୧୦ ପରଠାରୁ ଏହା ସବୁଠାରୁ କମ୍‌ ଅଟେ ।
ଗତମାସରେ ଆରବିଆଇ ସମସ୍ତ ବ୍ୟାଙ୍କ ମାନଙ୍କୁ ନିଦେ୍ର୍ଦଶ ଦେଇଥିଲା ଯେ, ଅକ୍ଟୋବର ୧ ତାରିଖ ଠାରୁ ସୁଧ ଦରକୁ ରେପୋ ରେଟ ଭଳି ବେଞ୍ଚମାର୍କ ସହ ଯୋଡିବାକୁ । ଏସବିଆଇ ଏବଂ ଅନ୍ୟ ପ୍ରମୁଖ ବ୍ୟାଙ୍କମାନେ ରେପୋ ରେଟକୁ ଗ୍ରହଣ କରିଛନ୍ତି । ଏହାଦ୍ୱାରା ଆରବିଆଇ ଯେବେବି ରେପୋ ରେଟ ହ୍ରାସ କରିବ ଗ୍ରାହକମାନଙ୍କ ପାଇଁ ଋଣ ତୁରନ୍ତ ଶସ୍ତା ହେବ । ଯାହାର ଲାଭ ମଧ୍ୟ ସେମାନେ ଇଏମ୍‌ଆଇ କ୍ଷେତ୍ରରେ ପାଇବେ । ପୂର୍ବରୁ ରେପୋ ରେଟ ହ୍ରାସର ଫାଇଦା ଗ୍ରାହକମାନଙ୍କୁ ମିଳୁନଥିବାରୁ ଆରବିଆଇ ଅସନ୍ତୋଷ ପ୍ରକାଶ କରିଥିଲା ।
୯ ବର୍ଷରେ ସବୁଠୁ କମ୍‌
କ୍ରମାଗତ ଭାବେ ୫ମ ଥର ପାଇଁ ଆରବିଆଇ ରେପୋ ରେଟ ହ୍ରାସ କରିଛି । ଅଗଷ୍ଟରେ ୦.୩୫%ର ହ୍ରାସ ଘଟିଥିଲାବେଳେ ଏହାର ପୂର୍ବରୁ କ୍ରମାଗତ ୩ଥର ୦.୨୫% ଲେଖାଁଏ ହ୍ରାସ ହୋଇଥିଲା । ଚଳିତ ବର୍ଷ ଅଦ୍ୟାବଧି ରେପୋ ରେଟ୍‌ ୧.୩୫% ହ୍ରାସ ଘଟିଛି । ସୂଚନାଯୋଗ୍ୟ ଯେ, ରେପୋ ରେଟ ହେଉଛି ସେହି ଦର ଯେଉଁ ଦରରେ ବ୍ୟାଙ୍କମାନେ ଆରବିଆଇ ଠାରୁ ଋଣ ନେଇଥାନ୍ତି । ରେପୋ ରେଟ୍‌ ହ୍ରାସ ଯୋଗୁ ବ୍ୟାଙ୍କମାନଙ୍କୁ ଆରବିଆଇକୁ କମ୍‌ ସୁଧ ଦେବାକୁ ପଡିବ । ଆଉ ଏହି କମ ସୁଧ ହାର ମଧ୍ୟ ବ୍ୟାଙ୍କମାନେ ସେମାନଙ୍କ ଗ୍ରାହକମାନଙ୍କୁ ଦେବେ ।
ଆରବିଆଇ କମାଇଲା ଜିଡିପି ଆକଳନ
ଆରବିଆଇ ଚଳିତ ଆର୍ଥିକ ବର୍ଷ ପାଇଁ ଜିଡିପି ଦର ଆକଳନକୁ ୬.୧% କରିଛି । ପୂର୍ବରୁ ଅଭିବୃଦ୍ଧି ହାର ୬.୯% ରହିବ ବୋଲି ଆରବିଆଇ ଆକଳନ କରିଥିଲା । ଜୁଲାଇ-ସେପ୍ଟେମ୍ବର ତ୍ରୟୋମାସ ପାଇଁ ଖୁଚୁରା ମହଙ୍ଗା ଦର ଅନୁମାନ ୩.୧%ରୁ ବୃଦ୍ଧି କରି ୩.୪% କରାଯାଇଛି । ଅନ୍ୟପଟେ ଚଳିତ ଆର୍ଥିକ ବର୍ଷର ଦ୍ୱିତୀୟ ୬ମାସ (ଅକ୍ଟୋବର-ମାର୍ଚ୍ଚ)ରେ ଖୁଚୁରା ମହଙ୍ଗା ଦର ୩.୫%ରୁ ୩.୭% ମଧ୍ୟରେ ରହିବ ବୋଲି ଆରବିଆଇ ତାର ପୂର୍ବ ଅନୁମାନକୁ ଅବ୍ୟାହତ ରଖିଛି ।
ଚିନ୍ତାର କାରଣ ନାହିଁ : ଶକ୍ତିକାନ୍ତ
ପିଏମ୍‌ସି ବ୍ୟାଙ୍କ ଉପରେ ପ୍ରତିବନ୍ଧକ ଲଗାଇବା ନେଇ ଗତ କିଛି ଦିନ ଧରି ବ୍ୟାଙ୍କିଙ୍ଗ ବ୍ୟବସ୍ଥା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିଲା । ସୋସିଆଲ ମିଡିଆରେ ମଧ୍ୟ ବିଭିନ୍ନ ଖବର ଭାଇରାଲ ହୋଇଥିଲା । ଏ ସଂପର୍କରେ ବୈଠକ ପରେ ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାଶ କହିଛନ୍ତି ଯେ, କୌଣସି ଗୋଟିଏ ଘଟଣାକୁ ସମସ୍ତ କୋ-ଅପରେଟିଭ ବ୍ୟାଙ୍କ ଦୃଷ୍ଟିରେ ଦେଖିବା ଠିକ୍‌ ନୁହେଁ । ବ୍ୟାଙ୍କର ନିୟାମକକୁ ପୁଣି ଥରେ ସମୀକ୍ଷା କରାଯିବ । ସରକାର ଏ ସଂପର୍କରେ ଆଲୋଚନା କରିବେ । ବର୍ତ୍ତମାନ ଦେଶର ବ୍ୟାଙ୍କିଙ୍ଗ୍‌ ବ୍ୟବସ୍ଥା ବେଶ ମଜଭୁତ ରହିଛି, ତେଣୁ ଚିନ୍ତାର କରିବାର କୌଣସି କାରଣ ନାହିଁ ।

Facebooktwittergoogle_plusredditpinterestlinkedinmailFacebooktwittergoogle_plusredditpinterestlinkedinmail

Be the first to comment

Leave a Reply

Your email address will not be published.


*