ମୁଲାୟମଙ୍କ ନା ପରେ ପ୍ରାର୍ଥୀ ବଛାକୁ ନେଇ ଚର୍ଚ୍ଚା ଜୋର୍‌

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ଏଜେନ୍ସୀ : ନୂଆଦିଲ୍ଲୀ
ସମାଜବାଦୀ ଆନେ୍ଦାଳନର ଅନ୍ୟତମ ପୁରୋଧା ତଥା ସପାର ସବୁଠାରୁ ବଡ଼ ନେତା ମୁଲାୟମ ସିଂ ଯାଦବଙ୍କ ଗଡ଼ ହେଉଛି ଆଜାମଗଡ଼ । ଅନେକବାର ନେତାଜୀ ଭାବେ ପରିଚିତ ମୁଲାୟମ ସିଂ ଏହି ଆସନରୁ ଲୋକସଭାକୁ ଯାଇଛନ୍ତି । ଗତ ଲୋକସଭା ନିର୍ବାଚନରେ ସେ ଏହି ଆସନରୁ ଜିତିଥିଲେ । ତେବେ ଏଥରର ସାଧାରଣ ନିର୍ବାଚନରେ ମୁଲାୟମ ଆଜାମଗଡ଼ରୁ ପ୍ରାର୍ଥୀ ହେବେ ନାହିଁ ବୋଲି ଘୋଷଣା କରିଛନ୍ତି । ପୂର୍ବ ଉତ୍ତରପ୍ରଦେଶର ଏହି ଲୋକସଭା ଆସନ ସମାଜବାଦୀ ଦଳ ସକାଶେ ସମ୍ମାନଜନକ ନିର୍ବାଚନୀ ମନ୍ଦଳୀ ହୋଇରହିଛି । ଏହାକୁ ସମାଜବାଦୀ ଦଳର ଗଡ଼ ଭାବେ ଲୋକେ ଗ୍ରହଣ କରନ୍ତି । ବହୁ ନିର୍ବାଚନରେ ସପା ପ୍ରାର୍ଥୀମାନେ ଏଠାରୁ ନିର୍ବାଚିତ ହୋଇଯାଇଛନ୍ତି ବିନା କିଛି ଅଡୁଆରେ । ୨୦୧୪ ଲୋକସଭା ନିର୍ବାଚନରେ ଉତ୍ତରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ମୁଲାୟମ ଆଜାମଗଡ଼ ଏବଂ ମୈନପୁରୀରୁ ନିର୍ବାଚନ ଲଢି ଦୁଇଟି ଯାକରେ ବିଜୟଲାଭ କରିଥିଲେ । ତେବେ ସେ ମୈନପୁରୀକୁ ଛାଡିଦେଇ ଆଜାମଗଡ଼ ଆସନକୁ ରଖିଥିଲେ ନିଜ ପାଖରେ । ଲୋକସଭାର ଶେଷ ଅଧିବେଶନରେ ନେତାଜୀ ନିଜ ଶେଷ ବକ୍ତବ୍ୟ ରଖିଲାବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପ୍ରଶଂସା କରିବା ସହ ସେ ଆଉଥରେ ପ୍ରଧାନମନ୍ତ୍ରୀ ବନନ୍ତୁ ବୋଲି ଆଶାବାଣୀ ଶୁଣାଇଥିଲେ । ତାଙ୍କର ସେ ବକ୍ତବ୍ୟ ଓ ଆଜାମଗଡ଼ରୁ ନିର୍ବାଚନ ନଲଢିବା ଘୋଷଣା ଉତ୍ତରପ୍ରଦେଶ ରାଜନୀତିରେ ବଡ଼ରୋଚକ ଅବସ୍ଥା ସୃଷ୍ଟି କରିଛି । ମୁଲାୟମଙ୍କ ପୁଅ ଅଖିଳେଶ ଯାଦବ ଏଥର ଭାଜପା ହାୱାକୁ ରୋକିବା ପାଇଁ ବଡ଼ ବିରୋଧୀ ବସପା ସହ ମେଣ୍ଟ କରିଛନ୍ତି । ଉଭୟ ୩୭-୩୮ ସମୀକରଣରେ ମେଣ୍ଟ କରିବା ପାଇଁ ରାଜି ହୋଇଛନ୍ତି । ଏହି ଆଜାମଗଡ଼ ଆସନ ଏବେ ପଡିଛି ସପାର ଝୁଲା ଭିତରେ । ତେଣୁ ନେତାଜୀ ମନା କରିବା ଅବସ୍ଥାରେ ଏହି ଆସନରୁ କାହାକୁ ସପା ଛିଡା କରିବ ତାହାକୁ ନେଇ ଚାଲିଛି ବଡ଼ ଚର୍ଚ୍ଚା । ସପା ଭିତରର କିଛି ଲୋକଙ୍କର କହିବାନୁସାରେ ଅଖିଳେଶ ନହେଲେ ତାଙ୍କ ପନôୀ ଡିମ୍ପଲ ଯାଦବ ଏହି ଆସନରୁ ନିର୍ବାଚନ ଲଢିପାରନ୍ତି ।
ଯାଦବ ସମ୍ପ୍ରଦାୟର ବହୁଳତା ଥିବାରୁ ଏହି ଆସନ ଜିତାଇବା ପାଇଁ ସବୁବେଳେ ସେମାନଙ୍କର ସହଯୋଗ ଆବଶ୍ୟକ ହୋଇଛି । ୧୯୬୨ ରୁ ୧୯୭୧ ଯାଏଁ କଂଗ୍ରେସରୁ ଯାଦବବଂଶୀ ପ୍ରାର୍ଥୀମାନେ ହିଁ ନିର୍ବାଚନ ଜିତିଛନ୍ତି । ୧୯୭୭ ମସିହା ଯେତେବେଳେ ଜନତାପାର୍ଟିର ହାୱା ବୋହୁଥିଲା ସେତେବେଳେ ଏଠାରୁ ରାମନରେଶ ଯାଦବ ନିର୍ବାଚନ ଜିତିଥିଲେ । ୧୯୭୮ରେ ଉପନିର୍ବାଚନ ହୋଇଥିଲା ବେଳେ ମହସିନା କିଦୱାଇ ନିର୍ବାଚିତ ହୋଇଥିଲେ । ତେବେ ୧୯୮୦ରେ ଜନତାପାର୍ଟି ଧର୍ମନିରପେକ୍ଷର ଚନ୍ଦ୍ରଜିତ ଯାଦବ, ୧୯୮୯ରେ ବସପାର ରାମକୃଷ୍ଣ ଯାଦବ ଏବଂ ୨୦୦୯ରେ ସପାରୁ ଆସି ଭାଜପାରେ ମିଶିଥିବା ରମାକାନ୍ତ ଯାଦବ ଜିତିଥିଲେ ନିର୍ବାଚନ । ତେବେ ୨୦୧୪ରେ ମୁଲାୟମ ସିଂ ଯାଦବ ଏଠାରୁ ନିର୍ବାଚନ ଲଢିବା ଦ୍ୱାରା ସପା ସକାଶେ ଏହି ସିଟ୍‌ ଜିତିବା ସହଜ ହୋଇଯାଇଥିଲା । ପ୍ରାୟତଃ ଯେଉଁ ଦଳ ବି ଏଠାରୁ ନିର୍ବାଚନ ଜିତିଛନ୍ତି ସେମାନଙ୍କର ପ୍ରାର୍ଥୀ ଯାଦବ ବଂଶର ରହିଛନ୍ତି ପ୍ରାୟ । ସପା ଓ ବସପା ଏଥର ଲୋକସଭା ନିର୍ବାଚନ ସକାଶେ ଏକାଠି ଆସିଥିବାରୁ ଏହାର ଫାଇଦା ଆଜାମଗଡ଼ରେ ବି ମିଳିବ ମେଣ୍ଟକୁ । ଗତ ନିର୍ବାଚନରେ ମୁଲାୟମ ଜିତିଥିଲା ବେଳେ ଭାଜପାର ରମାକାନ୍ତ ଯାଦବ ଦ୍ୱିତୀୟ ଏବଂ ବସପାର ଶାହା ଆଲାମ ତୃତୀୟ ସ୍ଥାନରେ ରହିଥିଲେ । ଏବେ ସପା ଓ ବସପା ଏକାଠି ହୋଇଥିବାରୁ ଭୋଟ୍‌ ନିଶ୍ଚିତ ଭାବରେ ମେଣ୍ଟର ପ୍ରାର୍ଥୀଙ୍କୁ ଅଧିକ ମିଳିବ ବୋଲି ସାଧାରଣ ଗାଣିତିକ ସୂତ୍ରରୁ ବୁଝାପଡିଯାଉଛି । ସେ ଅବସ୍ଥାରେ ସପାର ନେତା ଏହି ଆସନ ବଜାୟ ରଖିବାକୁ ସକ୍ଷମ ହେବେ ବୋଲି ସାଧାରଣରେ ଧାରଣା ବନିଛି । ଭାଜପା ପୁଣି ଥରେ ଏଠାରୁ ବାହୁବଳୀ ନେତା ରମାକାନ୍ତ ଯାଦବଙ୍କୁ ଟିକଟ ଦବା ପାଇଁ ଏକରକମ ମନ ବନାଇସାରିଛି । ସପାରେ ଅନେକ ଦିନ ଥିବାରୁ ରମାକାନ୍ତ ସପା ରଣନୀତିର ଠିକଣା ମୁକାବିଲା ୨୦୧୯ରେ କରିପାରିବେ ବୋଲି ଦଳର ଧାରଣା । ତେବେ ନେତାଜୀଙ୍କ ନିର୍ବାଚନ ଏଠାରୁ ନଲଢିବାର ବୟାନ ସହ ଆଉ ଏକ ବୟାନ ମଧ୍ୟ ଆସିସାରିଛି । ତା’ହେଲା ଆଜାମଗଡ଼ରୁ କିଏ ସପା ପ୍ରାର୍ଥୀ ହେବ ତାହା ମୁଁ ନିଶ୍ଚିତ କରିବି ବୋଲି ମୁଲାୟମ କହିଛନ୍ତି । ତେଣୁ ସେପରି ଅବସ୍ଥାରେ ବୋହୂ ଡିମ୍ପଲ ନା ଅନ୍ୟ କାହାକୁ ନେତାଜୀ ଏହି ସିଟ୍‌ ପାଇଁ ବାଛୁଛନ୍ତି ତାହା ଦେଖିବାକୁ ସପା ନେତାମାନେ ଅପେକ୍ଷା କରିଛନ୍ତି ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*