ବିଧାୟକ-ତହସିଲଦାର ମୁହାଁମୁହିଁ

Facebooktwittergoogle_plusredditpinterestlinkedinmailFacebooktwittergoogle_plusredditpinterestlinkedinmail


ନିର୍ଭୟ ମିଡିଆ : ନୀଳଗିରି

ନୀଳଗିରି ତହସିଲ ପରିସରରେ ଶୁକ୍ରବାର ସକାଳେ ଏକ ଭୟାବହ ପରିସ୍ଥିତି ସୃଷ୍ଟି ହୋଇଛି । ତହସିଲଦାର ଓ ନୀଳଗିରି ବିଧାୟକ ମୁହାଁମୁହିଁ ହୋଇଛନ୍ତି । ଉଭୟ ଉଭୟଙ୍କୁ ଆଙ୍ଗୁଠି ଦେଖାଇ ଯୁକ୍ତି କରୁଥିବା ଦେଖିବାକୁ ମିଳିଛି । ତହସିଲଦାର ତାଙ୍କୁ ଦୁର୍ବ୍ୟବହାର କରିଥିବା ଅଭିଯୋଗ ଆଣି ନୀଳଗିରି ଉପଜିଲ୍ଲାପାଳ ଅଫିସ ଆଗରେ ବିଧାୟକ ଅନଶନ କରିଥିଲେ । ଉତ୍ତ୍ୟକ୍ତ ଲୋକେ ତହସିଲ ଅଫିସରେ ତାଲା ପକାଇ ଦେବା ଯୋଗୁ ସକାଳୁ ୯ଟାରୁ ଅପରାହ୍ନ ପ୍ରାୟ ୪ଟା ୩୦ ମିନିଟ ପର୍ଯ୍ୟନ୍ତ ତହସିଲଦାର ନଜରବନ୍ଦିରେ ରହିଥିଲେ । ପରେ କଥା ଥାନାକୁ ଯାଇଥିଲା । ଉଭୟ ତହସିଲଦାର ଓ ବିଧାୟକ ପରସ୍ପର ବିରୋଧରେ ଏତଲା ଦେବା ସହ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି । ସୂଚନା ଅନୁଯାୟୀ, ନୀଳଗିରି ତହସିଲ ପରିସରରେ ନୀଳଗିରି ମହୋରିର ସଂଘ ଚାଳିଆ କରି ନିଜର କାର୍ଯ୍ୟ କରି ଆସୁଥିଲା । ନୀଳଗିରି ତହସିଲଦାର ଶୁଶ୍ରୀତା ଟୁଡୁ ଉକ୍ତ ଚାଳିଆକୁ ଉଚ୍ଛେଦ କରିବା ପାଇଁ ୩ ଦିନ ପୂର୍ବରୁ ଜେସିବି ମେସିନ ଆଣିଥିବା ବେଳେ ଜିଲ୍ଲା ପ୍ରଶାସନ ଓ ଉପଖନ୍ଦ ପ୍ରଶାସନ ପକ୍ଷରୁ ସ୍ଥଗିତ ରଖାଯାଇଥିଲା । ପ୍ରଥମେ ୭ ଦିନିଆ ନୋଟିସ ଜାରି କରିବାକୁ ନିଦେ୍ର୍ଦଶ ଦିଆଯାଇଥିଲା । ତହସିଲଦାର ଗତ ୩୦/୦୯/୧୯ରେ ନୋଟିସ ଜାରି କରିଥିଲୋ । ଏହା ଭିତରେ ମହୋରିର ମାନଙ୍କୁ କିପରି ଥଇଥାନ ହୋଇପାରିବ ସେଥିପାଇଁ ପ୍ରଶାସନ ଓ ରାଜନେତାଙ୍କୁ ନେଇ ଏକ ଜରୁରୀ ବୈଠକ କରାଯିବାର ନିଷ୍ପତ୍ତି ହୋଇଥିଲା । ତେବେ ନୋଟିସ ଦେବାର ମାତ୍ର ୪ ଦିନ ନପୁରୁଣୁ ଶୁକ୍ରବାର ସକାଳ ପ୍ରାୟ ୮ଟା ସମୟରେ ପୁଲିସଙ୍କୁ ଖବର ନଦେଇ ମହୋରିରଙ୍କ ଚାଳିଆ ଭାଙ୍ଗି ଦେଇଥିଲେ ତହସିଲଦାର । ଖବର ପାଇ ନୀଳଗିରି ବିଧାୟକ ସୁକାନ୍ତ କୁମାର ନାୟକ ଘଟଣାସ୍ଥଳରେ ପହଞ୍ଚି ଚାଳିଆ ନଭାଙ୍ଗିବା ପାଇଁ ତହସିଲଦାରଙ୍କୁ କହିଥିଲେ ।୭ ଦିନ ଭିତରେ ଏକ ଜରୁରୀ ବୈଠକ ଡକାଇବାର ଥିବା ବେଳେ ପୁଣି ୭ ଦିନ ନପୁରୁଣୁ କ’ଣ ପାଇଁ ଚାଳିଆକୁ ଭାଙ୍ଗିଦେଲେ ବୋଲି ତହସିଲଦାରଙ୍କୁ କହିବାରୁ ଉତ୍କ୍ଷିପ୍ତ ହୋଇ ତହସିଲଦାର ଶୁଶ୍ରୀତା ଟୁଡୁ ବିଧାୟକଙ୍କୁ ଦୁର୍ବ୍ୟବହାର କରିଥିଲେ । ଏପରିକି ଆଇନଜୀବୀ କିଶୋର ଷଡଙ୍ଗୀଙ୍କୁ ମଧ୍ୟ ହାତ ଦେଖାଇ ଦୁର୍ବ୍ୟବହାର କରିଥିଲେ ତହସିଲଦାର । ଆଇନଜୀବୀ ଶ୍ରୀ ଷଡଙ୍ଗୀ ଓ ବିଧାୟକ ଶ୍ରୀ ନାକୟଙ୍କୁ ଆଙ୍ଗୁଠି ଦେଖାଇ ଦୁର୍ବ୍ୟବହାର କରିବାକୁ ପଛାଇନଥିଲେ । ଏନେଇ ଖୋଦ୍ ବିଧାୟକଙ୍କ ସମେତ ବିଭିନ୍ନ ଦଳର ନେତୃବୃନ୍ଦ, ବରିଷ୍ଠ ନାଗରିକ, ଆଇନଜୀବୀ, ମହୋରିର, ଏକତ୍ରିତ ହୋଇ ଉପଜିଲ୍ଲାପାଳ କାର୍ଯ୍ୟାଳୟ ଆଗରେ ଧାରଣା ଦେଇଥିବା ବେଳେ ବିଧାୟକ ଅନଶନ ଚଳାଇଥିଲେ । ତହସିଲଦାରଙ୍କର ଏପରି କାର୍ଯ୍ୟକୁ ନିନ୍ଦା କରିବା ସହିତ ଶହ ଶହ ଲୋକ ଧାରଣାରେ ସାମିଲ ହୋଇଥିବା ଦେଖିବାକୁ ମିଳିଛି । ଘଟଣାସ୍ଥଳରେ ଏସଡିପିଓ ସୁଦାମ ଚରଣ ସାହୁ, ଆଇଆଇସି ନଳୀତା ମୋଦୀ ପହଂଚି ଆଇନ ଶୃଙ୍ଖଳା ପରିସ୍ଥିତିକୁ ଆୟତ୍ତ କରିଥିଲେ । ବିଧାୟକ ଶ୍ରୀ ନାୟକ ତୁରନ୍ତ ତହସିଲଦାରଙ୍କୁ ବଦଳି କରାଯିବା ସହ ମହୋରିର ଚାଳିଆ ମରାମୋତି ଦାବି କରିଛନ୍ତି । ଜିଲ୍ଲାପାଳଙ୍କ ନିଦେ୍ର୍ଦଶରେ ବାଲେଶ୍ୱର ଭାରପ୍ରାପ୍ତ ଅତିରିକ୍ତ ଜିଲ୍ଲାପାଳ ନୀଲୁ ମହାପାତ୍ର, ନୀଳଗିରି ଉପଜିଲ୍ଲାପାଳ ହରିଶ ଜେନା, ପିଏ ଆଇ ଟିଡିଏ ବିର କିଶୋର ପାଣିଗ୍ରାହୀ ଅନଶନ ସ୍ଥଳରେ ପହଂଚି ବିଧାୟକ ଶ୍ରୀ ନାୟକଙ୍କ ସହ ଆଲୋଚନା କରିଥିଲେ ସୁଦ୍ଧା ସମାଧାନର ପନ୍ଥା ବାହାରି ପାରିନଥିଲା । ସାଢେ ୪ଟା ସମୟରେ ପୁଲିସ ସହାୟତାରେ ତହସିଲଦାରଙ୍କୁ ପଛ କବାଟ ଦେଇ ନିଆଯାଇଥିଲା । ଯାହାକି ଚର୍ଚ୍ଚାର ବିଷୟ ହୋଇଛି ।
ସୂଚନା ଥାଉକି, ୨୦୧୩ ମସିହାରେ ତତ୍କାଳିନ ଉପଜିଲ୍ଲାପାଳ ଶ୍ରୀଧର ନାୟକ ଓ ତତ୍କାଳିନ ତହସିଲଦାର ସହମତିରେ ମହୋରିର ସେରସ୍ତା ନିର୍ମାଣ ପାଇଁ ଅନୁମତି ଦେଇଥିଲେ ।

Facebooktwittergoogle_plusredditpinterestlinkedinmailFacebooktwittergoogle_plusredditpinterestlinkedinmail

Be the first to comment

Leave a Reply

Your email address will not be published.


*