ପାୱାର-ସୋନିଆ ଏବଂ କେରଳ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ଏଜେନ୍ସୀ : ନୂଆଦିଲ୍ଲୀ

ଏକ ଆଞ୍ଚଳିକ ଦଳର ମୁଖିଆ ହୋଇଥିଲେ ମଧ୍ୟ ଜାତୀୟ ରାଜନୀତିରେ ଶରଦ ପାୱାର ହେଉଛନ୍ତି ଜଣେ ପୋଖତ ଖେଳାଳି । ତାଙ୍କର କହିବା ଏବଂ କାମ କରିବାର ଧାରା ସହଜରେ କେହି ବୁଝିପାରନ୍ତି ନାହିଁ । ଦୀର୍ଘ ଦଶନ୍ଧିର ରାଜନୈତିକ ଅଭିଜ୍ଞତାକୁ ସେ ସଫଳ ଭାବେ କେନ୍ଦ୍ରୀୟ ରାଜନୀତି ଓ ରାଜ୍ୟ ରାଜନୀତିରେ ପ୍ରମାଣିତ କରିଛନ୍ତି । ତାଙ୍କର ନିରବତା ଅନେକ କଥା କୁହେ ଏବଂ ସେ କହୁଥିବା ଅନେକ କଥା ଆଉ କିଛି ଘଟଣା ଆଡକୁ ବୁଝିବା ପାଇଁ ବାଧ୍ୟ କରିଥାଏ । ତାଙ୍କୁ ବୁଝିବା ଅନ୍ୟ ବରିଷ୍ଠ ନେତାଙ୍କ ପାଇଁ ମଧ୍ୟ ସହଜ ନୁହେଁ । ମହାରାଷ୍ଟ୍ର ରାଜନୀତିରେ ବର୍ତ୍ତମାନ ଘଟୁଥିବା ଘଟଣାବଳୀ ଏବଂ ପାୱାରଙ୍କ ଭୂମିକାଙ୍କୁ ଦୃଷ୍ଟିରେ ରଖି ଶିବସେନା ମଧ୍ୟ ସ୍ୱୀକାର କରିସାରିଲାଣି ଯେ, ପାୱାରଙ୍କୁ ବୁଝିବା ପାଇଁ ଅନେକ ଜନ୍ମ ନେବାର ଆବଶ୍ୟକତା ରହିଛି ।
ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ଫଳାଫଳ ଘୋଷଣା ହେବା ଏକମାସ ବିତିଲାଣି । ହେଲେ ସରକାର ଗଠନର ବାଟ ବାହାରି ପାରୁନାହିଁ । ଭାଜପା ୧୦୫, ଶିବସେନା ୫୬,ଏନ୍‌ସିପି ୫୪, କଂଗ୍ରେସ ୪୪ଟି ଆସନ ଜିତିଛନ୍ତି । ହେଲେ ଫଳାଫଳ ପ୍ରକାଶ ପାଇବା ପରେ ହଠାତ୍‌ ୫୦-୫୦ ଫର୍ମୁଲାକୁ ନେଇ ଅଡି ବସିଥିଲା ଶିବସେନା । ମୁଖ୍ୟମନ୍ତ୍ରୀ ଜିଦ୍‌ରେ ଅଟଳ ରହିବା କାରଣରୁ ଭାଜପା ଓ ଶିବସେନା ମଧ୍ୟରେ ଫାଟ ଆରମ୍ଭ ହେବା ପରେ ହଠାତ୍‌ ଚର୍ଚ୍ଚାକୁ ଆସିଥିଲେ ଏନ୍‌ସିପି ମୁଖିଆ ପାୱାର । ତାଙ୍କ ରାଜନୈତିକ ଗୋଟି ଚାଳନା ଆରମ୍ଭ ହେବା ପରେ ମୁଖ୍ୟମନ୍ତ୍ରୀ ପଦ ମୋହରେ ଥିବା ଶିବସେନା ବିନା ବୁଝି ବିଚାରୀ ଏନ୍‌ଡିଏରୁ ଅଲଗା ହେବାର ଘୋଷଣା କରିଦେଲା । ହେଲେ ଏହି ଘଟଣା ପଛରେ ପାୱାରଙ୍କର କ’ଣ ରଣନୀତି ରହିଛି ତାହା କେବଳ ପାୱାରଙ୍କୁ ହିଁ ଜଣା । କଂଗ୍ରେସ ସହ ମିଶି ମେଣ୍ଟ ସରକାର ଗଠନ ହେବାର ସୂଚନା ପାୱାର ଶିବସେନାକୁ ଦେବା ପରେ ସରକାର ଗଠନର ଆଶା ମଜବୁତ ହୋଇଥିଲା । କେନ୍ଦ୍ର ସରକାରରେ ଥିବା ନିଜ ମନ୍ତ୍ରୀଙ୍କୁ ପ୍ରତ୍ୟାହାର କରିନେଲା ଶିବସେନା । ମାତ୍ର ସମୟ ଯେତିକି ବଢିଚାଲିଛି, ସେହି ଅନୁସାରେ ପାୱାରଙ୍କ ବୁଢିଆଣୀ ଜାଲରେ ଛନ୍ଦି ହୋଇଚାଲିଛି ଶିବସେନା । ଭାଗବଣ୍ଟା ଛିଡୁନାହିଁ । ଏପରିକି ଏବେ ଜଣାପଡିଛି ଯେ, କଂଗ୍ରେସ ସହ ମିଶିବାର କଥା ଶିବସେନାକୁ ପାୱାର ଯାହା କହିଥିଲେ ତାହା କଂଗ୍ରେସ ସହ ବିନା ଆଲୋଚନାରେ ହୋଇଥିଲା । ଅର୍ଥାତ୍‌ କଂଗ୍ରେସ ସହ ଆଲୋଚନା ନକରି ଶିବସେନାଙ୍କୁ ପାୱାର ଭୁଲ୍‌ ସୂଚନା ଦେଇଥିଲେ । ଏବେ ଶିବସେନାର ଅବସ୍ଥା ଏ କୂଳକୁ ନାଁ ସେ କୂଳକୁ ।
ମହାରାଷ୍ଟ୍ରର ସମସ୍ୟା ସମାଧାନ ନେଇ ବାରମ୍ବାର ଶରଦ ସୋନିଆଙ୍କୁ ଭେଟିବା କଥା କହୁଥିଲା ବେଳେ ଏହା ହୋଇନଥିଲା । ତେବେ ସୋମବାର ଶରଦ ଓ ସୋନିଆଙ୍କ ମଧ୍ୟରେ ଆଲୋଚନା ହୋଇଥିଲା । ସମସ୍ତଙ୍କ ନଜର ମଧ୍ୟ ଥିଲା ଏହି ବୈଠକ ଉପରେ । ମାତ୍ର ବୈଠକ ପରେ ଶରଦ ଯାହା କହିଥିଲେ ତାହା ଶିବସେନାଙ୍କୁ ଆହୁରି ଚିନ୍ତାରେ ପକାଇଛି । ଶରଦ କହିଥିଲେ ମହାରାଷ୍ଟ୍ର ଗଠନ ବାବଦରେ ଆମ ମଧ୍ୟରେ କୌଣସି ଆଲେଚାନା ହୋଇନାହିଁ । ପୂର୍ବରୁ ଶରଦ ଓ ସୋନିଆଙ୍କ ଭେଟଘାଟ ମାତ୍ର ୧୫ ରୁ ୨୦ ମିନିଟ୍‌ ଭିତରେ ହେଉଥିଲା ବେଳେ ସୋମବାର ଭେଟଘାଟ ଏକ ଘଣ୍ଟା ଧରି ରହିଥିଲା । ତେଣୁ ଆଉ କିଛି ଭିତିରେ ଭିତରେ ଚାଲିଛି ସେହି ସନେ୍ଦହ ଏବେ ସୃଷ୍ଟି ହୋଇଛି ।
କଂଗ୍ରେସ ନ ଆସିଲେ ସରକାର ଗଠନ ସମ୍ଭବ ନୁହେଁ । ତେଣୁ କଂଗ୍ରେସ କୋର୍ଟରେ ଏବେ ବଲ । ସୋନିଆଙ୍କ ଉପରେ ସମସ୍ତଙ୍କ ନଜର । ମାତ୍ର ସୋନିଆଙ୍କୁ ଦଳର ବରିଷ୍ଠ ନେତା ଯେଉଁ ସୂଚନା ଦେଇସାରିଛନ୍ତି ତାହା ଜଣାଉଛି ଯେ, ସୋନିଆ କଦାପି ଶିବସେନା ସମର୍ଥନରେ ଆସିବେ ନାହିଁ । ବୈଠକରେ କେସି ବେଣୁ ଗୋପାଲ ଏବଂ ଏକେ ଆଣ୍ଟୋନି ରହିଥିଲେ । ସେମାନେ ପୂର୍ବରୁ ସୋନିଆଙ୍କୁ ବୁଝାଇ ସାରିଛନ୍ତି ଯେ, ଶିବସେନା ସହ ହାତ ମିଳାଇଲେ ଆମେ ଯେଉଁ ୫୨ ଆସନ ଲୋକସଭାରେ ଜିତିଛେ ତାହା ଖସି ୫ ହୋଇପାରେ । କାରଣ ଦଳକୁ ବଡ଼ ସଫଳତା ମିଳିଛି କେରଳରୁ । କେରଳର ୨୦ଟି ଆସନରୁ କଂଗ୍ରେସ ଜିିତିଛି ୧୪ଟି । କଂଗ୍ରେସ ୟୁଡି ସହ ମେଣ୍ଟ କରି ଏହି ସଫଳତା ହାସଲ କରିଛି । ଯଦି କଂଗ୍ରେସ ମହାରାଷ୍ଟ୍ରରେ ଶିବସେନା ସହ ବୁଝାମଣା ହୁଏ ତେବେ ଏହାର ପ୍ରଭାବ ଖାଲି କେରଳ ନୁହେଁ ତାମିଲନାଡୁ ଏବଂ ଅନ୍ୟ ଦକ୍ଷିଣ ଭାରତୀୟ ରାଜ୍ୟ ଉପରେ ପଡିବ । ଦଳ କଦାପି ବୁଝାଇବାରେ ସଫଳ ହେବ ନାହିଁ ଯେ, ହିନ୍ଦୁତ୍ୱର ଆଭିମୁଖ୍ୟ ରଖୁଥିବା, ୩୦ ବର୍ଷ ଧରି ଭାଜପା ସହ ମେଣ୍ଟରେ ଥିବା ଶିବସେନାଙ୍କୁ କାହିଁକି ସମର୍ଥନ ଦିଆଗଲା । ଲୋକେ ମଧ୍ୟ କଦାପି କଂଗ୍ରେସର ଯୁକ୍ତିକୁ ଗ୍ରହଣ କରିବେ ନାହିଁ । ତେଣୁ ଭାଜପା ବିରୋଧୀ ହାୱା ଥିବା ଦକ୍ଷିଣ ଭାରତୀୟ ରାଜ୍ୟମାନଙ୍କରେ କଂଗ୍ରେସ ସଙ୍ଗଠନକୁ ମଜବୁତ କରିବାର ଯେଉଁ ଉଦ୍ୟମ କରୁଛି ତାକୁ ଜୋରଦାର ଝଟକା ଲାଗିବ । ଏହାର ପ୍ରଭାବ ମଧ୍ୟ ଧିରେଧିରେ ଅନ୍ୟ ରାଜ୍ୟରେ ପଡିବ । ମହାରାଷ୍ଟ୍ରରେ ସରକାର ଗଠନ କରିବାର ଲୋଭରେ ଆମେ ଅନ୍ୟ ରାଜ୍ୟରେ ସ୍ଥିତି ହରାଇବା ଏହି ସୂଚନା ସୋନିଆଙ୍କୁ ଦେଇସାରିଛନ୍ତି ଆଣ୍ଟୋନି ଏବଂ ବେଣୁ ଗୋପାଳ । ଯେଉଁ କାରଣରୁ ଶରଦଙ୍କ ସହ ଦୀର୍ଘ ଏକ ଘଣ୍ଟାର ଆଲୋଚନା ପରେ ମଧ୍ୟ ସୋନିଆ ମହାରାଷ୍ଟ୍ର ନେଇ କୌଣସି ନିଷ୍ପତ୍ତି ଜଣାଇନାହାଁନ୍ତି । ଆଉ ବାଧ୍ୟରେ ଶରଦ ବୈଠକ ପରେ ମହାରାଷ୍ଟ୍ର ସମ୍ପର୍କରେ ଆଲୋଚନା ହୋଇନଥିବା ବିଷୟ କହି ଶିବସେନାର ଚିନ୍ତା ଖାଲି ବଢାଇ ନାହାଁନ୍ତି ବରଂ ସରକାର ଗଠନକୁ ନେଇ ବଡ଼ ସସ୍‌ପେନ୍ସ ସୃଷ୍ଟି କରିଛନ୍ତି । ତେବେ ଶରଦଙ୍କ ମୁନ୍ଦରେ କେଉଁ ଖେଳ ଚାଲିଛି ତାହା କେହି ବୁଝିପାରିବା ସମ୍ଭବ ନୁହେଁ । ଆଶା ଶରଦ ଆଉ କିଛି ନୂଆ ଗେମ୍‌ ସହ ମହାରାଷ୍ଟ୍ର ସରକାର ଗଠନ ଦିଗରେ ଅଗ୍ରସର ହେବେ । ମାତ୍ର ଏହା ସତ ଯେ ଶରଦଙ୍କ ଚାଲ୍‌ରେ ଫଶିସାରିଛି ଶିବସେନା । ମୁକୁଳିବାର ବାଟ ଖୋଜିବା ଏବେ ଆରମ୍ଭ କଲାଣି ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*