ଚିନ୍ମୟାନନ୍ଦଙ୍କୁ ବ୍ଲାକମେଲିଂ ମାମଲା ଲ’ ଛାତ୍ରୀଙ୍କୁ ଗିରଫ କଲା ଏସଆଇଟି

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ନିର୍ଭୟ ମିଡ଼ିଆ : ଲକ୍ଷ୍ନୌ

ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଏବଂ ଭାଜପା ନେତା ସ୍ୱାମୀ ଚିନ୍ମୟାନନ୍ଦଙ୍କ ବିରୋଧରେ ଯୌନ ନିର୍ଯାତନା ଅଭିଯୋଗ ଆଣିଥିବା ଶାହଜାନପୁରର ଆଇନ୍‌ ଛାତ୍ରୀଙ୍କୁ ବୁଧବାର ସ୍ୱତନ୍ତ୍ର ତଦନ୍ତକାରୀ ଦଳ(ଏସଆଇଟି) ଗିରଫ କରିଛି । ଚିନ୍ମୟାନନ୍ଦଙ୍କୁ ବ୍ଲାକମେଲିଂ କରି ୫ କୋଟି ଟଙ୍କା ଆଦାୟ କରିବାକୁ ଚେଷ୍ଟା କରିଥିବା ଅଭିଯୋଗରେ ଛାତ୍ରୀଙ୍କୁ ଗିରଫ କରାଯାଇଛି । ପୁଲିସ୍‌ ଛାତ୍ରୀଙ୍କୁ ସ୍ଥାନୀୟ କୋର୍ଟରେ ହାଜର କରିବା ପରେ ତାଙ୍କୁ ୧୪ ଦିନ ପାଇଁ ବିଚାରବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି ।
ଛାତ୍ରୀଙ୍କୁ ତାଙ୍କ ଘରୁ ପୁଲିସ୍‌ ଗିରଫ କରି କୋଟୱାଲି ପୁଲିସ୍‌ ଷ୍ଟେସନକୁ ଆଣିଥିଲା । ପରେ ତାଙ୍କର ଡାକ୍ତରୀ ପରୀକ୍ଷା ହୋଇଥିଲା । ଏହି ମାମଲାରେ ପୂର୍ବରୁ ଛାତ୍ରୀଙ୍କ ୩ ସହଯୋଗୀଙ୍କୁ ଗିରଫ କରିସାରିଛି । ଛାତ୍ରୀଙ୍କର ଆଗୁଆ ଜାମିନ୍‌ ଆବେଦନ ଆହ୍ଲାବାଦ୍‌ ହାଇକୋର୍ଟରେ ହେବାକୁ ଥିବାବେଳେ ସେ ଏହା ପୂର୍ବରୁ ହିଁ ଫେରାର ହେବାକୁ ଯୋଜନା କରୁଥିଲେ ବୋଲି ଏସଆଇଟି ଦାବି କରିଛି । ଏହା ପୂର୍ବରୁ ମଙ୍ଗଳବାର ଛାତ୍ରୀଙ୍କୁ ନିଜ ହେପାଜତକୁ ନେଇଥିଲା ଏସଆଇଟି । ହେଲେ ଅତିରିକ୍ତ ଜିଲା ବିଚାରପତିଙ୍କ କୋର୍ଟ ତାଙ୍କର ଗିରଫଦାରୀ ଉପରେ ରହିତାଦେଶ ଜାରି କରିଥିଲେ । ଯାହାପରେ ତାଙ୍କୁ ଛାଡିଦିଆଯାଇଥିଲା ।
ଛାତ୍ରୀ ଏବଂ ତାଙ୍କର ୩ ସାଙ୍ଗ ଚିନ୍ମୟାନନ୍ଦଙ୍କୁ ଫୋନ୍‌ କରି ୫ କୋଟି ଟଙ୍କା ଦାବି କରିଥିଲେ । ଏପରି ନକରିଲେ, ସେମାନେ ଭିଡିଓ ସାର୍ବଜନୀନ କରିଦେବେ ବୋଲି ଧମକ ଦେଇଥିଲେ । ପରେ ଚିନ୍ମୟାନନ୍ଦ ତାଙ୍କୁ ବ୍ଲାକମେଲିଂ କରାଯାଉଥିବା ନେଇ ମାମଲା ରୁଜୁ କରିଥିଲେ । ସ୍ୱାମୀ ସୁଖଦେବାନନ୍ଦ ଲ’ କଲେଜର ନିଦେ୍ର୍ଦଶକ ଥିବା ଚିନ୍ମୟାନନ୍ଦଙ୍କୁ ଯୌନ ଶୋଷଣ କରିଥିବା ଅଭିଯୋଗରେ ଗତ ସେପ୍ଟେମ୍ବର ୧୩ରେ ଗିରଫ କରିଥିଲା ଏସଆଇଟି ।
ଅପରପକ୍ଷରେ ଭାଜପା ବୁଧବାର ଚିନ୍ମୟାନନ୍ଦଙ୍କଠାରୁ ନିଜକୁ ଦୂରେଇଛି । ଚିନ୍ମୟାନନ୍ଦ ଆମ ଦଳର ସଦସ୍ୟ ନୁହଁନ୍ତି ବୋଲି ଭାଜପା ମୁଖପାତ୍ର ହରିଶ୍ଚନ୍ଦ୍ର ଶ୍ରୀବାସ୍ତବ ଗଣମାଧ୍ୟମକୁ କହିଛନ୍ତି । ହେଲେ କେବେ ଚିନ୍ମୟାନନ୍ଦ ଦଳରୁ ବାହାରିଲେ ସେନେଇ କିଛି ବି ସୂଚନା ଦେଇନାହାନ୍ତି ହରିଶ୍ଚନ୍ଦ୍ର ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*