କ୍ୟାନସର ପୀଡିତଙ୍କ ପାଇଁ ସମର୍ପିତ ହରଖଚନ୍ଦ, ନିଜ ହୋଟେଲ ଭଡ଼ାରେ ଦେଇ ଦୈନିକ ୭୦୦ଲୋକଙ୍କୁ ଦେଉଛନ୍ତି ମାଗଣା ଖାଦ୍ୟ

Facebooktwittergoogle_plusredditpinterestlinkedinmailFacebooktwittergoogle_plusredditpinterestlinkedinmail

ଏଜେନ୍ସୀ : ମୁମ୍ବାଇ

ମୁମ୍ବାଇର ଟାଟା କ୍ୟାନସର ହସ୍ପିଟାଲ ନିକଟରେ ଫୁଟ୍‌ପାଥରେ ଦୈନିକ କ୍ୟାନସର ରୋଗୀ ଏବଂ ତାଙ୍କ ସମ୍ପର୍କୀୟଙ୍କୁ ସହଯୋଗ କରୁଥିବା ଜଣେ ବ୍ୟକ୍ତିଙ୍କୁ ନିୟମିତ ଦେଖିବାକୁ ମିଳେ । ୨୭ବର୍ଷ ଧରି ଏହି କାର୍ଯ୍ୟକରୁଥିବା ବ୍ୟକ୍ତି ଜଣଙ୍କ ହରଖଚନ୍ଦ ସାୱାଲା । ଜୀବନଜ୍ୟୋତି କ୍ୟାନସର ରିଲିଫ୍‌ ଆନ୍ଦ କେୟାର ଟ୍ରଷ୍ଟ ମାଧ୍ୟମରେ ଦୈନିକ ୭୦୦ ରୁ ଅଧିକ ଲୋକଙ୍କୁ ମାଗଣାରେ ଦୁଇଓଳି ଭୋଜନ ଦିଆଯାଉଛି । ୨୭ବର୍ଷ ମଧ୍ୟରେ ୧୦ଲକ୍ଷରୁ ଅଧିକ ଲୋକଙ୍କୁ ମାଗଣା ଭୋଜନ ସୁବିଧା ଉପଲବ୍ଧ କରାଉଥିବା ହରଖଚନ୍ଦ ଏହି ସେବା ନିଜର ଏକ ଛୋଟ ଭୁଲ୍‌କୁ ସୁଧାରିବାକୁ ଯାଇ ଆରମ୍ଭ କରିଥିଲେ ।
ହରଖଚନ୍ଦଙ୍କ କହିବା ଅନୁସାରେ ୨୭ବର୍ଷ ତଳେ ମୁଁ ଲୋୟର ପରେଲ ମିତ୍ରମନ୍ଦଳ ସହ ଜଡିତ ଥିଲି । ଛୋଟମୋଟ କାମରେ ଲୋକଙ୍କୁ ସହଯୋଗ କରୁଥିଲି । ଦିନେ ଗୋଟେ ଝିଅ ତା’ କ୍ୟାନସର ପିଡିତା ମା’ଙ୍କୁ ନେଇ ଚିକିତ୍ସା ପାଇଁ ଆସିଥିଲେ । ସେ ମୋତେ ଠିକଣା ମାଗିଥିଲେ । ମୁଁ ତାଙ୍କୁ ମୋ ହୋଟେଲ ସାମ୍ନରେ ଥିବା ଟାଟା ମେମୋରିଆଲକୁ ନେଇଥିଲି । ଜାଣିପାରିଥିଲି ଯେ, ଏଠାରେ ଖର୍ଚ୍ଚମାତ୍ରା ବହୁତ ଅଧିକ । ପରେ ମୁଁ ମୋର ଭୁଲ୍‌ ଅନୁଭବ କଲି । ତାଙ୍କୁ ଟାଟା ମେମୋରିଆଲ ଶସ୍ତା ଚିକିତ୍ସା ବିଭାଗ ବଦଳରେ ପ୍ରାଇଭେଟ୍‌ ବିଭାଗକୁ ନେଇଯାଇଥିଲି । ମୋର ଏହି ଭୁଲ୍‌ ପାଇଁ ସେମାନଙ୍କୁ ଅଧିକ ଅର୍ଥ ଖର୍ଚ୍ଚ କରିବାକୁ ପଡିଥିଲା । ମୁଁ ସେମାନଙ୍କୁ ଏହି ଭୁଲ୍‌ ପାଇଁ କ୍ଷମା ମଧ୍ୟ ମାଗିଥିଲି । ହେଲେ ସେହି ଝିଅ ଜଣଙ୍କ କହିଥିଲା ଯେ, ମା’ଙ୍କ ଜୀବନ ବଞ୍ଚାଇବା ଠାରୁ ବଡ଼ ଅର୍ଥ ନୁହେଁ । ସେହିଦିନ ମୁଁ କ୍ୟାନସର ପିଡିତଙ୍କୁ ଚିକିତ୍ସାରେ ସହଯୋଗ କରିବା ପାଇଁ ନେଇଥିଲି ନିଷ୍ପତ୍ତି ।
ପ୍ରଥମରୁ ପ୍ରଥମରୁ ହରଖଚନ୍ଦ ଦୁଇ ଚାରି ରୋଗୀ ଏବଂ ତାଙ୍କ ସମ୍ପର୍କୀୟଙ୍କୁ ମାଗଣାରେ ଭୋଜନ ସୁବିଧା ଆରମ୍ଭ କରିଥିଲେ । ହେଲେ ପରେ ଏହି ସଂଖ୍ୟା ବଢିଥିଲା । ୧୨ବର୍ଷ ଧରି ଏକୁଟିଆ ସେହି କାମ କରୁଥିଲା ବେଳେ ରୋଗୀ ସଂଖ୍ୟା ବଢିବାକୁ ଦୃଷ୍ଟିରେ ରଖି ସେ ଅର୍ଥ ପାଇଁ ନିଜ ହୋଟେଲକୁ ଭଡ଼ାରେ ଦେଇଥିଲେ ଏବଂ ଆରମ୍ଭ କରିଥିଲେ ଜୀବନଜ୍ୟୋତି କ୍ୟାନସର ଟ୍ରଷ୍ଟ । ଅସୁବିଧା ଥିବା ଲୋକଙ୍କ ପାଇଁ ଏହି ଟ୍ରଷ୍ଟ ପକ୍ଷରୁ ମେଡିସିନ୍‌ ବ୍ୟାଙ୍କ ଖୋଲାଯାଇଥିଲା ବେଳେ ସ୍ୱେଚ୍ଛାସେବୀ ଭାବେ ଅଛନ୍ତି ୩ ଜଣ ଡାକ୍ତର, ୩ ଜଣ ଫାର୍ମାସିସ୍‌ । କ୍ୟାନସର ପିଡିତ ଶିଶୁଙ୍କ ପାଇଁ ମଧ୍ୟ ଖେଳଣା ବ୍ୟାଙ୍କ ରହିଛି । ଏହି ଟ୍ରଷ୍ଟର ଆଉ ୧୨ଟି ସେଣ୍ଟର ବିଭିନ୍ନ ସ୍ଥାନରେ ଅଛି । ବର୍ତ୍ତମାନ ଟ୍ରଷ୍ଟ ପକ୍ଷରୁ ୧୦୦ଶର୍ଯ୍ୟା ବିଶିଷ୍ଟ ଏକ ଡାକ୍ତରଖାନା ନିର୍ମାଣର ଯୋଜନା କରାଯାଉଛି । ଲୋକଙ୍କୁ ମାଗଣାରେ ଚିକିତ୍ସା ସୁବିଧା ଦେବା ପାଇଁ ଏହି ଉଦ୍ୟମ ଚାଲିଥିବା ହରଖଚନ୍ଦ କହିଛନ୍ତି ।
ହରଖଚନ୍ଦଙ୍କ ସୂଚନା ଅନୁସାରେ କ୍ୟାନସର ରୋଗୀଙ୍କୁ ଦୁଇଓଳି ଖାଇବା ଦେବା ପାଇଁ ୨୪ଘଣ୍ଟା ଚାଲିଥାଏ ରୋଷେଇ । ଏଥିପାଇଁ ୮ଜଣ ରୋଷେୟା କାମ କରୁଛନ୍ତି । ଦିନ ୧୧ ଟା ବେଳକୁ ଖାଇବା ପ୍ରସ୍ତୁତ ହୁଏ ଓ ପରେ ରୋଗୀ ଓ ତାଙ୍କ ସମ୍ପର୍କୀୟଙ୍କୁ ବଣ୍ଟାଯାଇଥାଏ । ଖାଇବା ପାଇଁ ଦୈନିକ ଖର୍ଚ୍ଚ ହୋଇଥାଏ ୨୫ହଜାର ଟଙ୍କା । ମାନବ ସେବାକୁ ଜୀବନର ଧର୍ମ ଭାବେ ଗ୍ରହଣ କରିନେଇଥିବା ହରଖଚନ୍ଦ ଦୈନିକ ୧୪ଘଣ୍ଟା ରୋଗୀଙ୍କ ସେବାରେ ବିତାଇଥାନ୍ତି । ହରଖଚନ୍ଦଙ୍କ ଏହି ଉଦ୍ୟମକୁ ସାଧାରଣରେ ବଡ଼ ପ୍ରଶଂସା କରାଯାଉଛି ।

Facebooktwittergoogle_plusredditpinterestlinkedinmailFacebooktwittergoogle_plusredditpinterestlinkedinmail

Be the first to comment

Leave a Reply

Your email address will not be published.


*