କରାଚୀ ଷ୍ଟକ୍‌ ଏକ୍ସଚେଞ୍ଜରେ ଆତଙ୍କୀ ହମ୍‌ଲା, ବିଏଲ୍‌ଏର ୪ ଆତଙ୍କୀଙ୍କ ସମେତ ୯ ମୃତ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail


ଏଜେନ୍ସୀ : କରାଚୀ

ପାକିସ୍ତାନର କରାଚୀ ଷ୍ଟକ୍‌ ଏକ୍ସଚେଞ୍ଜରେ ସୋମବାର ସକାଳେ ଆତଙ୍କୀ ହମ୍‌ଲା ହୋଇଛି । ଏଥିରେ ଚାରିଜଣ ଆତଙ୍କୀ ସମେତ ସମୁଦାୟ ୯ ଜଣଙ୍କ ମୃତୁ୍ୟ ହୋଇଥିବା ସୂଚନା ରହିଛି । ମୃତକଙ୍କ ମଧ୍ୟରେ ଜଣେ ପୁଲିସ୍‌ ଅଧିକାରୀ ଏବଂ ଚାରିଜଣ ସିକୁ୍ୟରିଟି ଗାର୍ଡ ମଧ୍ୟ ସାମିଲ ଅଛନ୍ତି । ଏହି ଆକ୍ରମଣରେ ୭ଜଣ ଆହତ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ଚାରି ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା ଜଣାପଡ଼ିଛି । ଏହି ଆକ୍ରମଣରେ ବଲୁଚ ଲେବରେସନ୍‌ ସେନା (ବିଏଲ୍‌ଏ) ନିଜକୁ ଦାୟୀ କରିଛି । ସୂଚନାଯୋଗ୍ୟ ଯେ, କରାଚୀ ଷ୍ଟକ୍‌ ଏକ୍ସଚେଞ୍ଜ ସବୁଦିନ ଭଳି ସୋମବାର ସକାଳ ସାଢ଼େ ୧୦ଟା ବେଳେ ଖୋଲାଯାଇଥିଲା । ଏହାପରେ ଚାରିଜଣ ଆତଙ୍କୀ ପିଠିରେ ବ୍ୟାଗ୍‌ ପକାଇ ପ୍ରବେଶ ଦ୍ୱାରରେ ହାତ ତିଆରି ଗ୍ରେନେଡ୍‌ ମାଡ କରି ଆକମ୍ରଣ କରିଥିଲେ । ଏହି ସମୟରେ ସେମାନେ ଭିତରକୁ ପ୍ରବେଶ କରିବାକୁ ଚେଷ୍ଟା କରିଥିବା ବେଳେ ସେଠାକାର ସିକୁ୍ୟରିଟି ଗାର୍ଡ ସେମାନଙ୍କୁ ଅଟକାଇଥିଲେ । ଏହାପରେ ପୁଲିସ୍‌ ଏବଂ ରେଞ୍ଜର୍ସଙ୍କୁ ସୂଚନା ଦିଆଯିବା ପରେ ପୁଲିସ୍‌ ଏବଂ ଆତଙ୍କୀଙ୍କ ମଧ୍ୟରେ ଗୁଳି ବିନିମୟ ଘଟିଥିଲା । ଏଥିରେ ଜଣେ ପୁଲିସ୍‌ ଅଧିକାରୀ ଏବଂ ଚାରି ଜଣ ସିକୁ୍ୟରିଟି ଗାର୍ଡ ପ୍ରାଣ ହରାଇଛନ୍ତି । ଉକ୍ତ ଘଟଣା ପରେ ସମସ୍ତ ରାସ୍ତାକୁ ଅବରୋଧ କରାଯାଇଥିବା ଜଣାପଡ଼ିଛି । ପ୍ରକାଶ ଥାଉ ଯେ, କିଛିଦିନ ତଳେ ଗୁଇନ୍ଦା ବିଭାଗକୁ କରାଚୀରେ ଆତଙ୍କୀ ହମ୍‌ଲା ନେଇ ସୂଚନା ମିଳିଥିଲେ ମଧ୍ୟ ସେଠାରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇନଥିଲା ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*