ଓଏମ୍‌ସିର ଘରୋଇ ପ୍ରୀତି: ୨୦୧୮-୧୯ରେ ଖଣି କାର୍ଯ୍ୟ ବନ୍ଦ ରହିଥିଲା କାହିଁକି? କୁରୁମିତର ଲୁହା ଖଣି ଗଲା ଆଦାନୀ ହାତକୁ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ନିର୍ଭୟ ମିଡିଆ : ଭୁବନେଶ୍ୱର

ଓଡ଼ିଶା ଖଣି ବେପାରରେ ସାମିଲ ହୋଇଛି ଗୁଜରାଟର ଆଦାନୀ କମ୍ପାନୀ । ପୂର୍ବରୁ ଏହି କମ୍ପାନୀ ଧାମରା ବନ୍ଦର ପରିଚାଳନାରେ ସଂଶ୍ଳିଷ୍ଟ ହୋଇଥିଲା । ମାତ୍ର ଏଥର ଓଡ଼ିଶା ଖଣି ନିଗମ ତା’ର ଅନ୍ୟତମ ବୃହତ୍ତ କୁରୁମିତର ଲୁହା ଖଣି ଟେକି ଦେଇଛି ଆଦାନୀ କମ୍ପାନୀ ହାତକୁ । ଗତ ୫ ତାରିଖରେ ଏ ସଂକ୍ରାନ୍ତ ରାଜିନାମା ସ୍ୱାକ୍ଷରିତ ହୋଇଯାଇଛି ।
କୁରୁମିତର ଖଣି ଆଦାନୀ କମ୍ପାନୀ ପାଇବା ବ୍ୟାପାରରେ ଓଏମ୍‌ସି’ର ଏକ ଭୟଙ୍କର ଯୋଜନା କାର୍ଯ୍ୟ କରିଥିବା ଅଭିଯୋଗ ହୋଇଛି । ଏହାକୁ ଯୋଜନା, ଚକ୍ରାନ୍ତ କିମ୍ବା ଷଡ଼ଯନ୍ତ୍ର ଆଖ୍ୟା ଦିଆଯାଇପାରେ ।
ସୁନ୍ଦରଗଡ଼ ଏବଂ କେନ୍ଦୁଝର ଜିଲା ସଂଲଗ୍ନ କୁରୁମିତର ଲୁହାପଥର ଖଣିରେ ବିପୁଳ ପରିମାଣର ଲୁହାପଥର ଅଛି । ଏହି ଖଣିକୁ ଅନ୍ୟ ଘରୋଇ କମ୍ପାନୀ ହାତକୁ ଟେକି ଦେବା ସକାଶେ ଏକ ଯୋଜନା ଚଳିତବର୍ଷ ପ୍ରାରମ୍ଭରେ ଆରମ୍ଭ ହୋଇଥିଲା । ଖଣି ଡେଭଲପର୍‌ କମ୍‌ ଅପରେଟର୍‌ ବା ଏମ୍‌ଡିଓ ଲାଗି ଟେନ୍ଦର ଆହ୍ୱାନ କରିଥିଲା ଓଏମ୍‌ସି । ଏହି ଟେନ୍ଦର ଖୋଲା ଯାଇଥିଲା ଗତ ଜୁନ୍‌ ୨୧ ତାରିଖରେ । ଟେନ୍ଦର ଡକାଯିବା ଆଗରୁ ଓଏମ୍‌ସି ଅଧିକାରୀ ଆଦାନୀ କିମ୍ବା ଅନ୍ୟ କମ୍ପାନୀର ବରିଷ୍ଠ ଅଧିକାରୀମାନଙ୍କୁ ଭେଟି ଥିଲେ କି? ନା କେବଳ ଆଦାନୀକୁ ଓଡ଼ିଶା ଆଣିବା ପାଇଁ ଏକ ଯୋଜନା ପ୍ରସ୍ତୁତ ହୋଇଥିଲା? ଏଥିପାଇଁ ଗୁଜରାଟ କନେକ୍‌ସନ୍‌ର କିଛି ଭୂମିକା ଥିଲା କି? ଏସବୁ ପ୍ରଶ୍ନ ଏବେ ଗୁଞ୍ଜରିତ ହେଉଛି ଖଣି ମହଲରେ ।
ଏକଥା ନିରାଟ ସତ ଯେ, ଓଏମ୍‌ସିର ଅନେକ ଖଣି ବନ୍ଦ ପଡ଼ିଛି । ୩୫ଟି ଖଣି ମଧ୍ୟରୁ ଚାଲୁଛି ମାତ୍ର ୭ଟି । କିନ୍ତୁ କୁରୁମିତର ଏକ ଚାଲିବା ଖଣି ଥିଲା । ଓଏମ୍‌ସି ସୂତ୍ରରୁ ମିଳିଥିବା ତଥ୍ୟ ଅନୁସାରେ, ୨୦୧୪-୧୫ରେ ଏହି ଖଣିରୁ ୬ଲକ୍ଷ ୭୩ ହଜାର ମେଟି୍ରକ୍‌ ଟନ୍‌ ଲୁହାପଥର ଉତ୍ତୋଳନର ଲକ୍ଷ୍ୟ ରଖାଯାଇଥିଲା । କିନ୍ତୁ ଧାର୍ଯ୍ୟଲକ୍ଷ୍ୟରୁ ଅଧିକ ୬ଲକ୍ଷ ୮୩ହଜାର ମେଟି୍ରକ୍‌ ଟନ୍‌ ଲୁହାପଥର ଉତ୍ତୋଳନ କରାଯାଇଥିଲା । ୨୦୧୫-୧୬ରେ ଧାର୍ଯ୍ୟଲକ୍ଷ୍ୟ ଥିଲା ୨୦ଲକ୍ଷ ୫୦ହଜାର ମେଟି୍ରକ୍‌ ଟନ୍‌ । ଓଏମ୍‌ସି କିନ୍ତୁ ଉତ୍ତୋଳନ କରିଥିଲା ୨୪ ଲକ୍ଷ ମେଟି୍ରକ୍‌ ଟନ୍‌ । ୨୦୧୬-୧୭ରେ ଧାର୍ଯ୍ୟଲକ୍ଷ୍ୟ ୨୪ଲକ୍ଷ ମେଟି୍ରକ୍‌ ଟନ୍‌ ଲୁହାପଥର ଉତ୍ତୋଳନ କରାଯାଇଥିଲା । ୨୦୧୭-୧୮ରେ ସ୍ଥିତି ସମାନ ଥିଲା । ମାତ୍ର ଆଶ୍ଚର୍ଯ୍ୟର କଥା ୨୦୧୮-୧୯ରେ ଏହି ଖଣିରୁ ଆଉ ଉତ୍ତୋଳନ ହେଲା ନାହିଁ । ଅର୍ଥାତ୍‌ ସେବେ ଠାରୁ ଲାଭ ଦେଉଥିବା ଏହି ଖଣିକୁ ଅନ୍ୟ କାହା ହାତକୁ ଟେକି ଦେବା ନିମନ୍ତେ ନବୀନ ସରକାର ଯୋଜନା କରିଥିଲେ । ନହେଲେ ଗୋଟିଏ ବର୍ଷ କୌଣସି ଖଣି କାର୍ଯ୍ୟ କେମିତି ହୁଅନ୍ତା ନାହିଁ କୁରୁମିତରରେ? ୨୦୧୯-୨୦ରେ ବୋଧହୁଏ ଟେନ୍ଦର ପକାଉଥିବା କମ୍ପାନୀଗୁଡ଼ିକୁ ଦେଖାଇବା ଲାଗି ଖଣି କାର୍ଯ୍ୟ ପୁଣି ଆରମ୍ଭ ହୋଇଥିଲା । ଧାର୍ଯ୍ୟ ଲକ୍ଷ୍ୟ ଥିଲା ୨୪ଲକ୍ଷ ମେଟି୍ରକ୍‌ ଟନ୍‌ । ଅଥଚ ସେପ୍ଟେମ୍ବର ଶେଷ ସୁଦ୍ଧା ଉତ୍ତୋଳନ କରାଯାଇଛି ମାତ୍ର ୮ଲକ୍ଷ ୪୨ହଜାର ଟନ୍‌ । ଏହା ସୂଚାଇ ଦେଉଛି ଯେ, ଏତେ ଭଲ ଖଣିକୁ ଏମ୍‌ଡିଓ ଆଳରେ ଘରୋଇ କମ୍ପାନୀକୁ ଟେକି ଦେବା ସକାଶେ ଚକ୍ରାନ୍ତ ଅଥବା ଯୋଜନା ୨୦୧୮-୧୯ରୁ ଆରମ୍ଭ କରି ଓଏମ୍‌ସି ଶେଷରେ ଆଦାନୀକୁ ଟେକି ଦେଲା ଏହି କୁରୁମିତର ଖଣିକୁ ।
୪ଜଣ ବିଡର୍‌ ଥିଲେ । ସେମାନେ ହେଲେ- ଗୁଜରାଟର ଆଦାନୀ, କୋଲକାତାର ଏସ୍‌ଏଲ୍‌ ମାଇନିଙ୍ଗସ୍‌, ଛତିଶଗଡ଼ର ହୀରା-ଅରୋବିନ୍ଦ ଏବଂ ମୁମ୍ବାଇର ଏଆର୍‌ସିଏଲ୍‌-ଏସ୍‌ଡବ୍ଲୁ୍ୟଏମ୍‌ଏଲ୍‌ । କେଉଁ କମ୍ପାନୀ ଏମ୍‌ଡିଓ ହେଲା ତାହା ବଡ଼ କଥା ନୁହେଁ । କଞ୍ଚାମାଲ୍‌ ଅଭାବରୁ ରାଜ୍ୟର ଅନେକ ସ୍ପଞ୍ଜ ଆଇରନ୍‌ କାରଖାନା ବନ୍ଦ ହୋଇଗଲା । ଓଏମ୍‌ସି ରିହାତି ଦରରେ ମାଲ୍‌ ଯୋଗାଇଲା ନାହିଁ । କିନ୍ତୁ ନିଜେ ଲିଜ୍‌ରେ ଯେଉଁ ଖଣି ପାଇଥିଲା ଓଏମ୍‌ସି ତାହାକୁ ଏକ ଘରୋଇ କମ୍ପାନୀକୁ ଏମ୍‌ଡିଓ ଆଳରେ ଦେବା ଦ୍ୱାରା ରାଜ୍ୟର ବା ନିଗମର କେତେ ଲାଭ ହେଲା, ତାହା ସ୍ପଷ୍ଟ ହେବା ନିହାତି ଆବଶ୍ୟକ ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*