ଇନ୍ଦୋର ଟେଷ୍ଟ: ବାଂଲାଦେଶ-୧୫୦, ଭାରତ ୮୬/୧ ବୋଲରଙ୍କ ଜମାଣିଆ ପ୍ରଦର୍ଶନ: ଭାରତ ନିୟନ୍ତ୍ରଣରେ ମ୍ୟାଚ୍‌

FacebooktwitterredditpinterestlinkedinmailFacebooktwitterredditpinterestlinkedinmail


ଏଜେନ୍ସୀ : ଇନ୍ଦୋର

ଯାହା ଅନୁମାନ କରାଯାଉଥିଲା ତାହା ସତରେ ପରିଣତ ହୋଇଛି । ଫର୍ମରେ ଥିବା ଭାରତୀୟ ବୋଲିଂ ୟୁନିଟ୍‌ ବାଂଲାଦେଶ ଦଳକୁ ନାକେଦମ କରିବ ବୋଲି ମ୍ୟାଚ୍‌ ଆରମ୍ଭ ପୂର୍ବରୁ ବନିଥିଲା ଧାରଣା । ଆଉ ତାହା ସତ ମଧ୍ୟ ହୋଇଛି ମ୍ୟାଚର ପ୍ରଥମ ଦିନ । ଭାରତୀୟ ବୋଲରମାନଙ୍କର ମିଳିତ ସଫଳତା କାରଣରୁ ଭ୍ରମଣକାରୀ ବାଂଲାଦେଶ ପ୍ରଥମ ଟେଷ୍ଟ ମ୍ୟାଚର ପ୍ରଥମ ଇନିଂସରେ କେବଳ ୧୫୦ ରନ୍‌ କରି ଅଲଆଉଟ୍‌ ହୋଇଯାଇଛି । ଭାରତୀୟ ବ୍ୟାଟିଂ ଦୃଢତାର ସହ ଆରମ୍ଭ ହୋଇଯାଇଥିବାରୁ ତଥା ଗୁରୁବାର ପ୍ରଥମ ଦିନର ଖେଳ ସରିଲା ବେଳକୁ ଭାରତ ନିଜ ପ୍ରଥମ ଇନିଂସରେ ଏକ ୱିକେଟ୍‌ ହରାଇ ୮୬ ରନ୍‌ କରିଛି । ମୟଙ୍କ ଅଗ୍ରୱାଲ ୮୧ ବଲରୁ ୬ ଚଉକା ସହ ୩୭ ଏବଂ ଚେତେଶ୍ୱର ପୂଜାରା ୭ ଚଉକା ସହ ୬୨ ବଲରୁ ୪୩ ରନ୍‌ କରି ଷ୍ଟମ୍ପ ଅପସାରଣ ବେଳକୁ ଅପରାଜିତ ଥିଲେ । ପ୍ରଥମ ଟେଷ୍ଟ ଏବେ ସମ୍ପୂର୍ଣ୍ଣ ଭାବରେ ଭାରତର ନିୟନ୍ତ୍ରଣରେ ରହିଛି ।
ମିଳିତ ଆଟାକ୍‌
ମହମ୍ମଦ ସାମିଙ୍କ ଚମକ୍ରାର ରିଭର୍ସ ସୁଇଂ ଏବଂ ରବିଚନ୍ଦ୍ରନ ଅଶ୍ୱିନଙ୍କ ବୁଦ୍ଧିମାନ ଭରା ସ୍ପିନ୍‌ ବୋଲିଂ ସାଙ୍ଗକୁ ଉମେଶ ଓ ଇଶାନ୍ତଙ୍କ ଭଲ ପ୍ରଦର୍ଶନ ବାଂଲାଦେଶ ବ୍ୟାଟିଂକୁ କେବଳ ୧୫୦ ରନ୍‌ରେ ଅଲଆଉଟ୍‌ ହେବାକୁ ବାଧ୍ୟ କରିଦେଇଛି । ସାମି ପୁରୁଣା ବଲ୍‌ରେ ଚମକ୍ରାର କୌଶଳ ଦେଖାଇବାର ପୁଣି ଥରେ ସକ୍ଷମ ହୋଇଛନ୍ତି । ବାଂଲାଦେଶର ସବୁଠାରୁ ଅନୁଭବୀ ବ୍ୟାଟ୍ସମ୍ୟାନ୍‌ ମୁସଫିକୁର ରହିମ୍‌ ୧୦୫ ବଲରୁ ୪୩ ରନ୍‌ କରି ଜମିଆସୁଥିଲା ବେଳେ ସାମି ସାର୍ପ ଇନ୍‌ କଟର ଦ୍ୱାରା ବୋଲ୍ଡ କରିଥିଲେ । ଠିକ୍‌ ତା’ର ପର ବଲ୍‌ରେ ମେହେଦି ହାସନଙ୍କୁ ଖାତା ଖୋଲିବାକୁ ନଦେଇ ଏଲ୍‌ବି କରିଥିଲେ ସାମି । ରହିମଙ୍କୁ ପ୍ରଥମେ ଆଉଟ୍‌ ସୁଇଂର ଦ୍ୱାରା ଭ୍ରମିତ କରିବା ପରେ ଠିକ୍‌ ତା’ର ପର ବଲ ଭିତରକୁ ଆଣି ଆଉଟ୍‌ କରିଥିଲେ ।
ବାଂଲାଦେଶ ଅଧିନାୟକ ମୋମିନୁଲ ହକ୍‌ ଗୁରୁବାର ସକାଳେ ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିବାର ନିଷ୍ପତ୍ତି ନେଇଥିଲେ । ହେଲେ ଭାରତୀୟ ଧାରାଯୁକ୍ତ ଆଟାକ୍‌ ଆଗରେ ତାଙ୍କର ସେହି ନିଷ୍ପତ୍ତି ଖୁବ୍‌ଶୀଘ୍ର ଭୁଲ୍‌ ବୋଲି ପ୍ରମାଣିତ ହୋଇଯାଇଥିଲା । ୬ଷ୍ଠ ଉପରର ଶେଷ ବଲ୍‌ରେ ଉମେଶ ଯାଦବ ରାହାଣେଙ୍କ ହାତରେ ଇମରୁଲଙ୍କୁ ୬ ରନ୍‌ରେ କ୍ୟାଚ୍‌ ଆଉଟ୍‌ କରାଇବା ପରେ ବାଂଲାଦେଶର ଭାଡି ମେଲା ହେବା ଆରମ୍ଭ କରିଥିଲା । ତା’ପର ଓଭରରେ ଇଶାନ୍ତ ଇସଲାମଙ୍କୁ ସେପରି ୬ ରନ୍‌ରେ ଶାହାଙ୍କ ହାତରେ ଧରାଇଦେଇଥିଲେ । ମିଥୁନ ମଧ୍ୟ ଚାଲିନଥିଲେ ବେଶି ସମୟ । ଗୋଟିଏ ଚଉକା ସହ ୧୩ ରନ୍‌ କରିଥିଲା ବେଳେ ସାମିଙ୍କ ବଲ୍‌ରେ ଏଲ୍‌ବି ହୋଇଥିଲେ । ବାଂଲାଦେଶ ପକ୍ଷରୁ ରହିମ୍‌ ସର୍ବାଧିକ ୪୩ ରନ୍‌ କରିଥିଲେ ଯେଉଁଥିରେ ୧ ଛକା ଓ ୪ ଚଉକା ସାମିଲ ଥିଲା । ଅଧିନାୟକ ହକ୍‌ କରିଥିଲେ ୩୭ ରନ୍‌ । ଅନ୍ୟ ବ୍ୟାଟ୍ସମ୍ୟାନ୍‌ଙ୍କ ମଧ୍ୟରେ ଲିଟନ ଦାସ ୨୧, ମାମଦୁଲ୍ଲା ୧୦, ତାଇଜୁଲ୍‌ ୧, ଜାଏଦ ୭ ଏବଂ ଇବାଦତ ୨ ରନ୍‌ କରିଥିଲେ । ସାମି କେବଳ ୨୭ ରନ୍‌ ଦେଇ ୩ ୱିକେଟ୍‌ ଦଖଲ କରି ବନିଥିଲେ ସଫଳ ବୋଲର । ଇଶାନ୍ତ ୨୦ ରନ୍‌ ଦେଇ ୨, ଉମେଶ ୪୭ ରନ୍‌ ଦେଇ ୨ ଏବଂ ଅଶ୍ୱିନ ୪୩ ରନ୍‌ ଦେଇ ୨ ୱିକେଟ୍‌ ପାଇଛନ୍ତି ।
ବଢିଆ ଆରମ୍ଭ
ବାଂଲାଦେଶ ଦଳକୁ କେବଳ ୧୫୦ ରନ୍‌ରେ ଅଲଆଉଟ୍‌ କରିବା ପରେ ଭାରତ ନିଜ ପ୍ରଥମ ଇନିଂସ ଆରମ୍ଭ କରିଥିଲା । ଦକ୍ଷିଣ ଆଫି୍ରକା ଟେଷ୍ଟ ସିରିଜରେ ପ୍ରଚୁର ରନ୍‌ କରିଥିବା ରୋହିତ ଶର୍ମା କିନ୍ତୁ କେବଳ ୬ ରନ୍‌ କରିଥିଲା ବେଳେ ଦଳୀୟ ସ୍କୋର ୧୨ ରନ୍‌ରେ ଆଉଟ୍‌ ହୋଇଯାଇଥିଲେ । ହେଲେ ତା’ପରଠାରୁ ମୟଙ୍କ ଏବଂ ପୂଜାରା ଖୁବ୍‌ ଦୃଢତାର ସହ ବ୍ୟାଟିଂ କରିଥିଲେ । ଦୁଇଜଣ ଯାକ ପ୍ରଥମେ ସମ୍ଭାଳି ଖେଳିବା ପରେ ହାତଖୋଲା ସଟ୍‌ ମାରିବା ଆରମ୍ଭ କରିଥିଲେ । ଏମାନଙ୍କ ଉପରେ ବାଂଲାଦେଶର ବୋଲିଂ ବିଶେଷ ପ୍ରଭାବ ପକାଇପାରିନଥିଲା । ଦୁହେଁ ଦ୍ୱିତୀୟ ୱିକେଟ ପାଇଁ ୧୧୨ ବଲରୁ ୭୨ ରନ୍‌ ସଂଗ୍ରହ କରିସାରିଲେଣି । ମୟଙ୍କ ୮୧ ବଲ୍‌ ଖେଳି ୬ ଚଉକା ସହ ୩୭ ଏବଂ ପୂଜାରା ୬୧ ବଲରୁ ୭ ଚଉକା ସହ ୪୩ ରନ୍‌ କରି ଖେଳୁଛନ୍ତି । ବାଂଲାଦେଶ ପାଇଁ ଗୁରୁବାର ଏକମାତ୍ର ସଫଳତା ଆଣିଦେଇଛନ୍ତି ଆବୁ ଜାଏଦ ।
ନିଆରା କ୍ଳବ୍‌ରେ ଅଶ୍ୱିନ
ବାଂଲାଦେଶ ବିପକ୍ଷ ପ୍ରଥମ ଟେଷ୍ଟ ମ୍ୟାଚ୍‌ର ପ୍ରଥମ ଦିନ ଭାରତୀୟ ସ୍ପିନର ଅଶ୍ୱିନ ବ୍ୟକ୍ତିଗତ ମାଇଲଷ୍ଟୋନ ହାସଲ କରିଛନ୍ତି । ସେ ଟେଷ୍ଟ କି୍ରକେଟରେ ଘରୋଇ ମାଟିରେ ୨୫୦ ୱିକେଟ୍‌ ଦଖଲ କରିଥିବା ବୋଲରମାନଙ୍କ କ୍ଳବ୍‌ରେ ହୋଇଛନ୍ତି ସାମିଲ । ହୋଲକର ଷ୍ଟାଡିୟମରେ ସେ ବାଂଲାଦେଶ ଅଧିନାୟକ ମୋମିନୁଲଙ୍କୁ ଆଉଟ୍‌ କରି ନିଜ ୨୫୦ ତମ ଘରୋଇ ମାଟିରେ ଟେଷ୍ଟ ୱିକେଟ ହାସଲ କରିଥିଲେ । ଅନିଲ କୁମ୍ବଲେ ଏବଂ ହରଭଜନ ସିଂଙ୍କ ପରେ ସେ ଭାରତର ତୃତୀୟ ସ୍ପିନର ଯିଏ ଭାରତୀୟ ମାଟିରେ ୨୫୦ କିମ୍ବା ତା’ଠାରୁ ଅଧିକ ଟେଷ୍ଟ ୱିକେଟ୍‌ ହାସଲ କରେ । ଘରୋଇ ମାଟିରେ ୪୨ତମ ଟେଷ୍ଟ ଖେଳୁଥିଲା ବେଳେ ଅଶ୍ୱିନ ଏହି ସଫଳତା ହାସଲ କରିଛନ୍ତି । କୁମ୍ବଲେ ୪୧ଟେଷ୍ଟରେ ଏହି ସଫଳତା ପାଇଥିଲେ ।
ଦିବାରାତ୍ର ମ୍ୟାଚ୍‌ ଦେଖିବେ ଶାହା
କେନ୍ଦ୍ରଗୃହ ମନ୍ତ୍ରୀ ତଥା ଭାଜପାର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ୍‌ ଶାହା ଆସନ୍ତା ୨୨ ତାରିଖରୁ କୋଲକାତାର ଇଡେନ ଗାର୍ଡେନ୍ସରେ ଆରମ୍ଭ ହେବାକୁ ଥିବା ପ୍ରଥମ ଦିବାରାତ୍ର ଟେଷ୍ଟ ମ୍ୟାଚ୍‌ ଦେଖିବାକୁ ପହଞ୍ଚିବେ ବୋଲି ଜଣାପଡିଛି । ବଙ୍ଗଳା ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏବଂ ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ୍‌ ହସିନା ମଧ୍ୟ ଉପସ୍ଥିତ ରହିବେ ମ୍ୟାଚ୍‌ ଆରମ୍ଭ ବେଳେ । ପ୍ରଥମ ଦିନର ସନ୍ଧ୍ୟା ବିରତି ବେଳେ ଏକ ବିଶେଷ କାର୍ଯ୍ୟକ୍ରମ କରାଯିବ । ଯେଉଁଥିରେ ଅଭିନବ ବିନ୍ଦ୍ରା ମ୍ୟାରିକମ୍‌ଙ୍କ ଭଳି ଭାରତର ବିଶିଷ୍ଟ ଖେଳାଳିମାନଙ୍କୁ ସମ୍ବର୍ଦ୍ଧିତ କରାଯିବ । ସଚିନ ତେନ୍ଦୁଲକର ଭାଷଣ ରଖିବେ ବୋଲି ମଧ୍ୟ ଜଣାପଡିଛି । ଗୋଲାପୀ ବଲ ନେଇ ପାରାଚୁ୍ୟଟରେ ଆସିବେ ସେନାର କର୍ମୀ । ତ’ପରେ ଘଣ୍ଟି ବଜାଯିବ ତଥା ଦୁଇଦେଶର ଜାତୀୟ ସଙ୍ଗୀତ ଗାନ କରାହେବ ।

ଚର୍ଚ୍ଚାରେ ବିଶେଷ ଫ୍ୟାନ୍‌
ଇନେ୍ଦାର ଟେଷ୍ଟ ମ୍ୟାଚ୍‌ ଆରମ୍ଭ ହେଲା ବେଳକୁ ପାଖାପାଖି ୧୨ହଜାରରୁ ଅଧିକ ଦର୍ଶକ ମ୍ୟାଚ୍‌ ଦେଖିବାକୁ ଆସିଥିବା କଥା ଆୟୋଜକଙ୍କ ପକ୍ଷରକୁ କୁହାଯାଇଥିଲା । ବିଭିନ୍ନ ଗ୍ୟାଲେରୀରେ ସେମାନେ ବସିଥିଲା ବେଳେ ଜଣେ ବିଶେଷ ଫ୍ୟାନ୍‌ ରହିଥିଲେ ଚର୍ଚ୍ଚାରେ । ସେ ହେଉଛନ୍ତି ଦିବ୍ୟାଙ୍ଗ ସାହାଜାଦ ଅଲ୍ଲୀ । ହ୍ୱିଲ୍‌ ଚେୟାରରେ ଯିବା ଆସିବା କରୁଥିବା ଅଲ୍ଲୀ ଇନେ୍ଦାରରେ ଯେକୌଣସି କି୍ରକେଟ ମ୍ୟାଚ୍‌ ହୁଏ ତାହା ଦେଖିବାକୁ ଆସନ୍ତି । ଗୁରୁବାର ସକାଳେ ବାହାରେ ହ୍ୱିଲ ଚେୟାରକୁ ଛାଡି ହାତରେ ଚପଲକୁ ଧରି ସେ ରାସ୍ତା ପାର୍‌ ହେଉଥିଲା ବେଳେ ତାଙ୍କୁ କିଛି ସୁରକ୍ଷା କର୍ମୀ ତୁରନ୍ତ ସାହାଯ୍ୟ କରିବାକୁ ପହଞ୍ଚି ଟେକିଆଣିଥିଲେ ଗ୍ୟାଲେରୀ ଭିତରକୁ । ପ୍ରଥମ ଦିନର ମ୍ୟାଚ୍‌ ସାଜାଦଙ୍କୁ ପ୍ରୀତ କରିଥିଲେ ମଧ୍ୟ ଦିବ୍ୟାଙ୍ଗଙ୍କ ଲାଗି ଭାରତୀୟ ଷ୍ଟାଡିୟମ ଗୁଡିକରେ ବିଶେଷ ବ୍ୟବସ୍ଥା ହୋଇନଥିବାରୁ ତାଙ୍କ ମନରେ ବଡ଼ କ୍ଷୋଭ ରହିଛି ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*