ଆନୁଗତ୍ୟର ସାହାରା ଫେସ୍‌ବୁକ୍‌ ସମାନ ଡିଜାଇନ୍‌ ଓ ସମାନ ଭାଷା

FacebooktwitterredditpinterestlinkedinmailFacebooktwitterredditpinterestlinkedinmail


ନିର୍ଭୟ ମିଡିଆ: ବାରିପଦା

ମୟୂରଭଞ୍ଜ ବିଜଦ ପର୍ଯ୍ୟବେକ୍ଷକ ଭାବେ ସଂଜୟ ଦାସବର୍ମା ଓ ଅରୁଣ କୁମାର ସାହୁ କାର୍ଯ୍ୟ କରିବା ପରେ ବିଧାୟକ ପ୍ରଣବ ପ୍ରକାଶ ଦାସ ଓରଫ ବବି ଜିଲ୍ଲା ପର୍ଯ୍ୟବେକ୍ଷକ ଦାୟିତ୍ୱରେ ଅଛନ୍ତି । ପ୍ରଭାବଶାଳୀ ବବି ବିଜଦ ରାଜ୍ୟ ସଂଗଠନ ସମ୍ପାଦକ ମଧ୍ୟ ଅଛନ୍ତି । ପୂର୍ବ ଦୁଇ ଜଣ ବିଜଦ ଜିଲ୍ଲା ପର୍ଯ୍ୟବେକ୍ଷକ ସଂଜୟ ଦାସବର୍ମା ଓ ଅରୁଣ କୁମାର ସାହୁଙ୍କ ଠାରୁ ବବି ସମ୍ପୂର୍ଣ୍ଣ ଭିନ୍ନ ବୋଲି ପ୍ରମାଣିତ ହୋଇଛି । ଜିଲ୍ଲା ବିଜଦ ପର୍ଯ୍ୟବେକ୍ଷକ ହେବା ପରେ ମୟୂରଭଞ୍ଜ ବିଜଦକୁ ଦୁଇଟି ସଂଗଠନ ଜିଲା କରିଛନ୍ତି ବବି । ଜିଲ୍ଲାରେ ରାଜ୍ୟସଭା ସାଂସଦ ମମତା ମହାନ୍ତ, ରାଜସ୍ୱ ମନ୍ତ୍ରୀ ସୁଦାମ ମାରାନ୍ଦି, ଦୁଇଜଣ ବିଧାୟକ ବାସନ୍ତୀ ହେମ୍ବ୍ରମ ଓ ରାଜକିଶୋର ଦାସ ରହିଥିଲେ ମଧ୍ୟ ବବିଙ୍କର ବିନା ନିଦେ୍ର୍ଦଶରେ ଜିଲା ବିଜଦ ପତ୍ରଟିଏ ହଲେ ନାହିଁ । ଜିଲା ବିଜଦରେ ସବୁଠାରୁ ପ୍ରଭାବଶାଳୀ ହୋଇପାରିଛନ୍ତି ବବି । ବବିଙ୍କ ପ୍ରତି ଜିଲା ବିଜଦ ମଧ୍ୟରେ ଭୟ ମଧ୍ୟ ରହିଛି । ବବିଙ୍କୁ ବିରୋଧ କଲେ ମୁନ୍ଦକାଟର ମଧ୍ୟ ଭୟ ରହିଛି ।
ରବିବାର ଜିଲା ବିଜଦ ପର୍ଯ୍ୟବେକ୍ଷକ ବିଧାୟକ ବବି ମୟୂରଭଞ୍ଜ ଗସ୍ତରେ ଆସିଥିଲେ । ରବିବାର ବବିଙ୍କର ମଧ୍ୟ ଜନ୍ମ ଦିନ ଥିଲା । ବବିଙ୍କର ଗସ୍ତ ସମୟରେ କୋଭିଡ୍‌-୧୯ ନିୟମ ଭଙ୍ଗ ହୋଇଥିବା ଅଭିଯୋଗ ହୋଇଛି । ସାମାଜିକ ଦୂରତା ଭଙ୍ଗ ହୋଇଥିବା ଅଭିଯୋଗ ହୋଇଛି । ସେହିପରି ବାରିପଦାର ରଘୁନାଥପୁର ଠାରେ ହରିହର ମନ୍ଦିରରେ ବବିଙ୍କର ପୂଜା ଅର୍ଚ୍ଚନା କରିବା ଅଧିକ ଚର୍ଚ୍ଚାର ବିଷୟ ହୋଇଛି । ସୋମବାର ଭୁବନେଶ୍ୱର ଠାରେ ଭାଜପା ଓ କଂଗ୍ରେସ ପକ୍ଷରୁ କୋଭିଡ୍‌-୧୯ ଭଙ୍ଗ କରିଥିବାରୁ ବବିଙ୍କୁ ଟାର୍ଗେଟ କରିଥିଲେ । ବିରୋଧୀ ଦଳଙ୍କ ଏପରି ଆକ୍ରମଣ ପରେ ସୋମବାର ସଂଧ୍ୟାରେ ହଠାତ୍‌ ଏକ ନୂତନ ଚିତ୍ର ଦେଖିବାକୁ ମିଳିଥିଲା । ବବିଙ୍କର ଫଟୋ ଥାଇ ଜିଲା ବିଜଦର ରାଜ୍ୟସଭା ସାଂସଦ ଠାରୁ ଆରମ୍ଭ କରି ବିଜଦ, ଯୁବ ଓ ଛାତ୍ର ସଂଗଠନ କର୍ମକର୍ତ୍ତାମାନେ ସାମାଜିକ ଗଣମାଧ୍ୟମରେ ବିରୋଧୀକୁ ଦୃଢ ନିନ୍ଦା କରି ବାର୍ତ୍ତା ଦେଇଛନ୍ତି । ବବିଙ୍କର ଫଟୋ ଥାଇ ଏକ ପ୍ରକାର ଡିଜାଇନ୍‌ ଏବଂ ସମାନ ଲେଖା ଥାଇ ସମସ୍ତେ ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରିବା ଚର୍ଚ୍ଚାର ବିଷୟ ହୋଇଛି । ସମସ୍ତେ ବବିଙ୍କୁ ଉଚ୍ଚ ପ୍ରଶଂସା କରି ତାଙ୍କ ପ୍ରତି ଆନୁଗତ୍ୟ ପ୍ରକାଶ କରିଛନ୍ତି । ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରିବା ପାଇଁ ଡିଜାଇନ୍‌ ପ୍ରସ୍ତୁତ କରିଲା କିଏ, ଲେଖାଟିକୁ ପ୍ରସ୍ତୁତ କରିଲା କିଏ ଏବଂ ନିଦେ୍ର୍ଦଶ ଦେଲା କିଏ ତାହା ଚର୍ଚ୍ଚାର ବିଷୟ ହୋଇଛି ।
ସମସ୍ତେ ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରିଥିବା ଏକ ପ୍ରକାର ଲେଖାଟି ହେଉଛି ‘ବିଜୁ ଜନତା ଦଳର ରାଜ୍ୟ ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ବାରିପଦା ଓ ରାଇରଙ୍ଗପୁର ଗସ୍ତ କରି ତାଙ୍କ ଜନ୍ମଦିନ ନିରାଡମ୍ବର ସହିତ ପାଳନ କରିବା ସହ ସହିଦ ନନ୍ଦୁରାମ ସୋରେନଙ୍କର ପରିବାର ବବିଙ୍କୁ ସାକ୍ଷାତ କରିବା ସହ ତାଙ୍କ ପିଲାମାନଙ୍କ ପାଠପଢା ଖର୍ଚ୍ଚ ବିଜୁ ଜନତା ଦଳ ପରିବହନ କରିବାର ପ୍ରତିଶ୍ରୁତି ଦେଇଛନ୍ତି ଏବଂ ତାଙ୍କର ଦକ୍ଷତା ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ପ୍ରତି ଆନୁଗତ୍ୟ । ବିଜୁ ଜନତା ଦଳ ପାଇଁ ଉତ୍ସବ ମନଭାବ ତଥା ପ୍ରତ୍ୟକ୍ଷ ରାଜନୀତିରେ ସଫଳ ଗୋଟି ଚାଳନା ଦ୍ୱାରା ବିରୋଧୀ ଦଳ ଜନସାଧାରଣଙ୍କଠୁ ପ୍ରତ୍ୟାକ୍ଷିତ ହୋଇ ଅବାଞ୍ଚିତ ଅଭିଯୋଗ କରୁଛନ୍ତି । ଅସହିଷ୍ଣୁତା ଚରମ ସୀମାରେ ପହଞ୍ଚିଥିବା ବିରୋଧୀଙ୍କ ଏହି ଚକ୍ରାନ୍ତଙ୍କୁ ଆମେ ଦୃଢ ଭାବେ ନିନ୍ଦା କରୁଛୁ ।’
ଜିଲା ବିଜଦର କର୍ମକର୍ତ୍ତାମାନେ ସାମାଜିକ ଗଣମାଧ୍ୟମରେ ଏପରି ପୋଷ୍ଟ କରି ଜିଲା ବିଜଦ ପର୍ଯ୍ୟବେକ୍ଷକ ବବିଙ୍କ ପ୍ରତି କେତେ ଭୟ ରହିଛି ତାହା ପ୍ରମାଣ ଦେଇଛନ୍ତି ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*