ଅଧ୍ୟାପିକାଙ୍କ ଆତ୍ମହତ୍ୟା ପରେ ଚେଇଁଲା ପୁଲିସ୍‌, ବଳାତ୍କାରୀ ଗିରଫ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ନିର୍ଭୟ ମିଡିଆ
ରାଇରଙ୍ଗପୁର/ବାରିପଦା

ଅଳ୍ପଦିନ ତଳେ କାମଚଳା ଡିଜିପି ନିଜ ବାହିନୀର ପିଠି ଥାପଚଡ଼ାଇବାକୁ ଯାଇ କହିଥିଲେ ଯେ ୯୦ ପ୍ରତିଶତ ଅଭିଯୋଗକାରୀ ପୁଲିସ୍‌କୁ ନେଇ ଖୁସ୍‌ । ମୁଖ୍ୟମନ୍ତ୍ରୀ ବି ଗୃହ ବିଭାଗର ଖର୍ଚ୍ଚଦାବିର ଉତ୍ତରରେ ଥାନା ଅଧିକାରୀଙ୍କ କାର୍ଯ୍ୟଦକ୍ଷତାକୁ ପ୍ରଶଂସା କରିଥିଲେ । କିନ୍ତୁ ପୁଲିସ୍‌ ଏହି ପ୍ରଶଂସା ଓ ସାର୍ଟିଫିକେଟ୍‌ର ଅଧିକାରୀ କି? ଜମାରୁ ନୁହେଁ । ସବୁ ଅଭିଯୋଗକାରୀ ପୁଲିସ୍‌ର କାର୍ଯ୍ୟକୁ ନେଇ ଖୁସ୍‌ କି? ଏହାର ଉତ୍ତର ବଞ୍ଚିଥିଲେ ରାଈରଙ୍ଗପୁରର ବିଜ୍ଞାନ ଅଧ୍ୟାପିକା ରୁକ୍ମଣୀ ମଣ୍ଡଳ ଦେଇପାରିଥାନ୍ତେ ।

ଯାଜପୁର, ଜଗତସିଂହପୁର ପରେ ମୟୂରଭଞ୍ଜ । ୨ ମାସରେ ତିନିତିନିଟି ଦୁଷ୍କର୍ମ ଜନିତ ମୃତ୍ୟୁ ଘଟଣା । ଯାଜପୁର ଓ ଜଗତସିଂହପୁରରେ ଦୁଷ୍କର୍ମ ପରେ ପୀଡ଼ିତାଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଥିବାବେଳେ ମୟୂରଭଞ୍ଜରେ ପୁଲିସଠାରୁ ନ୍ୟାୟ ନପାଇ ପୀଡ଼ିତା ଆତ୍ମହତ୍ୟା କରିଛନ୍ତି । ଶନିବାର ହଷ୍ଟେଲରେ ପୀଡ଼ିତା ଦଉଡ଼ି ଦେଇ ଜୀବନ ହାରିଛନ୍ତି । ଦୁଷ୍କର୍ମର ଶିକାର ହେବା ପରେ ପୀଡ଼ିତାଙ୍କୁ ବ୍ଲାକ ମେଲିଂ କରାଯାଇଥିଲା । ଏନେଇ ସେ ସ୍ଥାନୀୟ ଥାନାରେ ଅଭିଯୋଗ କରିଥିଲେ । ତେବେ ପୁଲିସ ଏହାକୁ ହାଲକା ଭାବେ ନେଇଥିଲା । ନ୍ୟାୟ ପାଇଁ ଦୀର୍ଘ ୧ ମାସ ଅପେକ୍ଷା କରିବା ପରେ ଶେଷରେ ମାନସିକ ଭାରସାମ୍ୟ ହରାଇ ପୀଡ଼ିତା ଜଣକ ଆତ୍ମହତ୍ୟା କରିଦେଲେ । ପୀଡ଼ିତା ଆତ୍ମହତ୍ୟା କରିବା ପରେ ପୁଲିସର ନିଦ ଭାଙ୍ଗିଥିଲା । ପୂର୍ବରୁ ଅଭିଯୁକ୍ତଙ୍କୁ ଖୋଜି ପାଉନଥିବା ପୁଲିସ ପୀଡ଼ିତାଙ୍କ ଆତ୍ମହତ୍ୟା ପରେ ସେମାନଙ୍କୁ ଗିରଫ କରିଛି । ଯାହାକି ଚର୍ଚ୍ଚାର ବିଷୟ ହୋଇଛି । ନବୀନ ସରକାରଙ୍କ ୫-ଟି, ମୋ ସରକାର କାର୍ଯ୍ୟକ୍ରମ ରାଜ୍ୟରେ କେମିତି ଚାଲିଛି ତାହା ଏହିସବୁ ଲଜ୍ଜାଜନକ ଘଟଣାରୁ ସ୍ପଷ୍ଟ ଜଣାପଡ଼ିଯାଉଛି ।
ଦୁଷ୍କର୍ମର ଶିକାର ହୋଇଥିବା ରାଇରଙ୍ଗପୁର ମହାବିଦ୍ୟାଳୟର ପଦାର୍ଥ ବିଜ୍ଞାନ ବିଭାଗ ଅଧ୍ୟାପିକା ରୁକ୍ମଣୀ ମଣ୍ଡଳ(୨୩) ଶନିବାର ରାତିରେ ଛାତ୍ରୀ ନିବାସ କୋଠରୀରେ ବେକରେ ଦଉଡ଼ି ଲଗାଇ ଆତ୍ମହତ୍ୟା କରିଛନ୍ତି । ରାତ୍ରୀ ଭୋଜନ ପାଇଁ ଡକାଯିବାରୁ ଅଧ୍ୟାପିକା ରୁକ୍ମଣୀ କୋଠରୀରୁ ବାହାରିନଥିଲେ । ମହାବିଦ୍ୟାଳୟ କର୍ମଚାରୀ ପୁଲିସକୁ ଖବର ଦେବା ପରେ କବାଟ ଭଙ୍ଗା ଯାଇ ଝୁଲନ୍ତା ଅବସ୍ଥାରେ ଅଧ୍ୟାପିକାଙ୍କ ଶବକୁ ଜବତ କରାଯାଇଥିଲା । ଦୁଷ୍କର୍ମ ମାମଲାର ତଦନ୍ତରେ ଅବହେଳା ପ୍ରଦର୍ଶନ କରିଥିବା ଝାରପୋଖରୀଆ ଥାନାର ସବ୍ଇନସ୍ପେକ୍ଟର ପ୍ରଶାନ୍ତ ସ୍ୱାଇଁଙ୍କୁ ଜିଲ୍ଲା ଏସ୍‌ପି ପରମାର ସ୍ମିତ୍ ପରଷୋତ୍ତମ ଦାସ ଚାକିରିରୁ ନିଳମ୍ବିତ କରିଛନ୍ତି । ସେହିପରି ଟାରପୋଖରୀଆ ଥାନାର ଭାରପ୍ରାପ୍ତ ଇନ୍ସ୍ପେକ୍ଟର ଶରତ କୁମାର ମହାଳିକଙ୍କୁ ଜିଲ୍ଲା ପୁଲିସ କାର୍ଯ୍ୟାଳୟକୁ ଏସ୍ପି ବଦଳି କରିଛନ୍ତି । ପୂର୍ବରୁ ଖୋଜି ପାଉନଥିବା ୩ ଜଣ ଅଭିଯୁକ୍ତଙ୍କୁ ପୁଲିସ ଗିରଫ କରିଛି ।
ଝାରପୋଖରୀଆ ଥାନାର ପାନ୍ଧଭା ଗ୍ରାମର ରୁକ୍ମଣୀ ମଣ୍ଡଳ ରାଇରଙ୍ଗପୁର ମହାବିଦ୍ୟାଳୟରେ ପଦାର୍ଥ ବିଜ୍ଞାନ ବିଭାଗରେ ଅଧ୍ୟାପିକା ଭାବେ କାର୍ଯ୍ୟ କରୁଥିଲେ । ସେ ଛାତ୍ରୀ ନିବାସରେ ଏକ କୋଠରୀରେ ରହୁଥିଲେ । ଅଧ୍ୟାପିକା ରୁକ୍ମଣୀ ଅକ୍ଟୋବର ମାସ ୨୬ ତାରିଖ ଦିନ କେନ୍ଦୁଝରକୁ ତାଙ୍କ କକା ପୁଅ ଭାଉଜଙ୍କ ଘରକୁ ବୁଲିବାକୁ ଯାଇଥିଲେ । ୨୭ ତାରିଖ ଦିନ ବିଳମ୍ବିତ ରାତିରେ ଭାଉଜଙ୍କ ଭାଇ ଦକ୍ଷୀଣପୂର୍ବ ରେଳବାଇ କର୍ମଚାରୀ ସୌମ୍ୟ ରଞ୍ଜନ ସାହୁ(୨୮) ମଦ୍ୟପାନ ପରି ଅଧ୍ୟାପିକା ରୁକ୍ମଣୀଙ୍କୁ ବଳ ପୂର୍ବକ ଦୁର୍ଷ୍କମ କରିଥିଲେ । ସୌମ୍ୟ ରଞ୍ଜନ ସାହୁ ଦୁଷ୍କର୍ମର ଭିଡ଼ିଓ ନିଜ ମୋବାଇଲରେ ଉତ୍ତୋଳନ କରିଥିଲେ । ଦୁଷ୍କର୍ମ ଶିକାର ହେବା ପରେ ଅଧ୍ୟାପିକା ରୁକ୍ମଣୀ ଭାଉଜଙ୍କୁ କହିଥିଲେ ମଧ୍ୟ ସେ ଚୁପ୍ ରହିଥିଲେ । ଦୁଷ୍କର୍ମ ଘଟଣା ପ୍ରଘଟ କରିଲେ ଜୀବନରୁ ମାରିଦେବାର ଧମକ ଅଧ୍ୟାପିକାଙ୍କୁ ସୌମ୍ୟ ରଞ୍ଜନ ଦେଇଥିଲେ ।କେନ୍ଦୁଝରରୁ ନିଜ ଗ୍ରାମ୍ୟ ପାନ୍ଧଭାଙ୍କୁ ଫେରି ଅଧ୍ୟାପିକା ରୁକ୍ମଣୀ ମଣ୍ଡଳ ଝାରପୋଖରୀଆ ଥାନାରେ ଅକ୍ଟୋବର ମାସ ୩୦ ତାରିଖ ଦିନ ଲିଖିତ ଏତଲା ଦାଏର କରିଥିଲେ । ପୁଲିସ ଏ ସଂକ୍ରାନ୍ତରେ ୩୭୬ ଓ ୫୦୬ ଦଫାରେ ମାମଲା ରୁଜୁ କରିଥିଲା । ଦୁଷ୍କର୍ମ ଘଟଣା ପରେ ଅଧ୍ୟାପିକା ରୁକ୍ମଣୀ ମଣ୍ଡଳ ମାନସିକ ଅବସାଦ ଗ୍ରସ୍ତ ରହିଥିଲେ । ଏକ ମାସ ବିତି ଯାଇଥିଲେ ମଧ୍ୟ ପୁଲିସ ଅଭିଯୁକ୍ତ ସୌମ୍ୟ ରଞ୍ଜନ ସାହୁଙ୍କୁ ଗିରଫ କରିପାରିନଥିଲା । ନ୍ୟାୟ ପାଇବାରୁ ବଞ୍ଚିତ ହୋଇ ଶେଷରେ ଦୁଷ୍କର୍ମ ଶିକାର ହୋଇଥିବା ଅଧ୍ୟାପିକା ରୁକ୍ମଣୀ ମଣ୍ଡଳ ରାଇରଙ୍ଗପୁର ମହାବିଦ୍ୟାଳୟର ଛାତ୍ରୀନିବାସରେ କୋଠରୀ ମଧ୍ୟରେ ବେକରେ ଦଉଡ଼ି ଲଗାଇ ଆତ୍ମହତ୍ୟା କରିଥିଲେ । ଏହି ଘଟଣା ବିଭିନ୍ନ ମହଲରେ ଆଲୋଡ଼ନ ସୃଷ୍ଟି କରିଥିଲା । ଅଧ୍ୟାପିକା ରୁକ୍ମଣୀଙ୍କ ଆତ୍ମହତ୍ୟା ପରେ ଶନିବାର ବିଳମ୍ବିତ ରାତିରେ ଅଭିଯୁକ୍ତ ସୌମ୍ୟ ରଞ୍ଜନ ସାହୁଙ୍କୁ କଟକରୁ ଗିରଫ କରିଛି ପୁଲିସ । ପୀଡ଼ିତାଙ୍କ ବାପା ଅଭିମନ୍ୟୁ ମଣ୍ଡଳ ରାଇରଙ୍ଗପୁର ଟାଉନ ଥାନାରେ ଏନେଇ ଅଭିଯୋଗ କରିବା ସହ ତାଙ୍କ ପୁତୁରାମାନେ ହତ୍ୟା କରିଥିବା ଅଭିଯୋଗ କରିଥିଲେ । ଅଭିଯୋଗ କ୍ରମେ ପୁଲିସ ଦେବବ୍ରତ ମଣ୍ଡଳ ଓ ସୁଜିତ ମଣ୍ଡଳଙ୍କୁ ଗିରଫ କରିଛି । ଦୁର୍ଷ୍କମର ଶିକାର ଅଧ୍ୟାପିକା ଏତଲା ଦାଏର କରିବାର ଏକ ମାସ ପରେ ଆତ୍ମହତ୍ୟା କରିବା ଏବଂ ପୂର୍ବରୁ ପାଉନଥିବା ଅଭିଯୁକ୍ତଙ୍କୁ ପୁଲିସ ଗିରଫ କରିବା ଚର୍ଚ୍ଚାର ବିଷୟ ହୋଇଛି ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*